Unknown

 

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ସପ୍ତମ ସ୍କନ୍ଧ)

ଜଗନ୍ନାଥ ଦାସ

 

ସପ୍ତମ ସ୍କନ୍ଧ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ

।।

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ

ପିବତ ଭାଗବତଂ ରସମାଳୟଂ ମୁହୂରହୋ ରସିକା ଭୂବିଭାବୁକାଃ

।।

•••

 

ପ୍ରଥମ ଅଧ୍ୟାୟ

ଶ୍ରୀ ଶୁକ ଉବାଚ

ଏବେ ହୋ ଶୁଣ ନୃପମଣି

ହରି ଚରିତ ସୁଧାବାଣୀ

।।

ଜନ୍ମ ବାସନା କର୍ମଫଳେ

ପ୍ରାଣୀ ଭୁଞ୍ଜନ୍ତି ମହୀତଳେ

।।

ସପ୍ତମସ୍କନ୍ଧେ ଭାଗବତେ

କହିବା ଶୁଣ ଏକଚିତ୍ତେ

।।

କର୍ମ ବାସନା ରୂପ ଧରି

ବେନି ପ୍ରକାରେ ସେ ସଞ୍ଚରି

।।

ଶୁଭ ଅଶୁଭ ବେନି ପଦେ

ପ୍ରକାଶ କରେ ହେତୁଭେଦେ

।।

ମହତ ଅପମାନ କୋପେ

ଯାନ୍ତି ସେ ଆପଣା ସମୀପେ

।।

ପୁଣି ମାଗନ୍ତି ଅନୁଗ୍ରହେ

ଯେ କର୍ମ ଶୁଭ ଫଳ ବହେ

।।

ଶୁଣ କହିବା ପ୍ରିୟ ଭାବେ

ଯେ ଯହିଁ ଯେମନ୍ତ ପ୍ରସ୍ତାବେ

।।

ବୈକୁଣ୍ଠେ ହରି ଦ୍ୱାରପାଳେ

ଜୟ ବିଜୟ ମହାବଳେ

।।

ସେ ଦୁଇଭାଇ ହରିଦ୍ୱାରେ

ଖଟନ୍ତି ସେବା ଅନୁସାରେ

।।

ତପୀମାନଙ୍କ କୋପଫଳେ

ଜନ୍ମିଲେ ଅସୁରଙ୍କ କୁଳେ

।।

ବ୍ରାହ୍ମଣେ ଅପରାଧ କରି

ଜନ୍ମ ଲଭିଲେ ଦେହ ଧରି

।।

ଅସୁର ବଂଶେ ଅବତାର

ହିରଣ୍ୟକଶିପୁ କୁମର

।।

ସେ ପ୍ରହଲାଦ ନରଦେହେ

ନାରଦ ମୁନି ଅନୁଗ୍ରହେ

।।

ଶ୍ରୀକୃଷ୍ଣ ଚରଣ କମଳେ

ନିଶ୍ଚଳେ ଭଜି ଯୋଗବଳେ

।।

ଜନ୍ମ ବାସନା ହେତୁ ଧରି

ବିଷ୍ଣୁ ଭକତି ହେତୁ କରି

।।

ବିଷ୍ଣୁ ଭକତ ହୋଇ ଯେବେ

ଭକତି କରେ ସେହି ଭାବେ

।।

ତାହାକୁ ରଖେ ଭଗବାନ

ନ ସହେ ଭକ୍ତ ଅପମାନ

।।

ଜୟ ବିଜୟ ବେନି ଭାଇ

ଅସୁର କୁଳେ ଜନ୍ମ ହୋଇ

।।

ହରିଙ୍କି ଅପରାଧ କଲେ

ତୃତୀୟ ଜନ୍ମେ ନିସ୍ତରିଲେ

।।

ଏଣୁ ପଣ୍ଡିତ ପ୍ରାଣୀମାନେ

ମାଗନ୍ତି ଅନୁଗ୍ରହ ଧ୍ୟାନେ

।।

ଯତ୍ନ କରିଣ ନିରନ୍ତରେ

ଆତ୍ମାକୁ ଆପଣେ ଉଦ୍ଧାରେ

।।

ଏ ଭାବ ମୁନି ଗଣ ଚିନ୍ତି

ଭବ ସାଗରୁ ତରିଯାନ୍ତି

।।

ଏ ଆଦି ଗ୍ରନ୍ଥେ ତୋତେ କହି

ଶୁଣ ପରୀକ୍ଷ ମନଦେଇ

।।

ଅସୁରକୁଳେ ଦେହ ବହି

ଜୟ ବିଜୟ ବେନି ଭାଇ

।।

ବିଷ୍ଣୁ ବଇରୀ ନିରନ୍ତରେ

ସ୍ୱଭାବେ ଅସୁର ବେଭାରେ

।।

ତାହାଙ୍କ କୁଳେ ପ୍ରହଲାଦ

ହରି ଭକତ ମଧ୍ୟେ ଭେଦ

।।

ଏ ପିତା ପୁତ୍ର ମଧ୍ୟ ଗତେ

ଗୁଣ ବାସନା ଅନୁମତେ

।।

ମହାନ୍ତ କୋପ ଅନୁଗ୍ରହେ

ବାସନା ଭେଦ ଏ ସଂଶୟେ

।।

ବାସନା ବଳେ କର୍ମ ଜାତ

ହରଇ ପ୍ରାଣୀଙ୍କର ଚିତ୍ତ

।।

ଏ ପଞ୍ଚ ପ୍ରସ୍ତାବ କାରଣ

ଧର୍ମ ନିୟମ କଥା ଶୁଣ

।।

ପ୍ରଥମ ଅଧ୍ୟାରେ ପ୍ରସ୍ତାବ

କହିବା ପିତା ପୁତ୍ର ଭାବ

।।

ହିରଣ୍ୟକଶିପୁ କୁମର

ବିଷ୍ଣୁ ଭକତ ମଧ୍ୟେ ବର

।।

ବ୍ରାହ୍ମଣ ଶାପେ ବେନି ଭାଇ

ଅସୁର ରୂପେ ଜନ୍ମ ହୋଇ

।।

ଇନ୍ଦ୍ରର ଅର୍ଥେ ଭଗବାନ

ଅସୁର କରିବେ ନିଧନ

।।

ଏଣୁ କଶ୍ୟପ ଗୃହ ନାରୀ

ସେ ଦିତି ମନେ କୋପ କରି

।।

ପୁତ୍ରଙ୍କ ମରଣ ବିଶ୍ୱାସେ

ନିର୍ଘାତ ରବେ ଦଶଦିଶେ

।।

ଏମନ୍ତେ ମୁନି ବାକ୍ୟ ଶୁଣି

ବୋଲେ ସାନନ୍ଦେ ନୃପମଣି

।।

ଭୋ ମୁନି ଶୁଣ ମୋ ବଚନ

ଯେ ହରି ସର୍ବ ଘଟେ ସମ

।।

ପ୍ରିୟ ସୁହୃଦ ପ୍ରାଣୀଙ୍କର

ବିଶେଷେ ଶରଣ ସୋଦର

।।

ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ

ନିର୍ଦ୍ଦୟେ ଅସୁର ସଂହାରେ

।।

ବିଷମ ମତ ଏହାଙ୍କର

ଯେ ହରି ଭକତ ସୋଦର

।।

ସୁରଗୁଣଙ୍କ ନିମିତ୍ତରେ

ନିଷ୍ଠୁର ପ୍ରାୟ କର୍ମ କରେ

।।

ଯେ ହରି ସର୍ବଜୀବ ପତି

ସେ କିମ୍ପା ବିଚାରେ ଅନୀତି

।।

ଅଶେଷ ଜନ୍ତୁ ହୃଦେ ଥାଇ

ଅନ୍ତର ସମସ୍ତ ଦେଖଇ

।।

ଆତ୍ମାର ନିସ୍ତାରଣ କରେ

ସେ କିମ୍ପା ଭେଦକୁ ବିଚାରେ

।।

ଦେବ ଅସୁର ତା’ର ଦେହି

ସମ ବିଷମ ତା’ର ନାହିଁ

।।

ସ୍ୱଭାବେ ତ୍ରିଗୁଣ ଶରୀର

ସେ ନିରଞ୍ଜନ ନିରାକାର

।।

ନିର୍ଗୁଣ ସତ୍ୟ ବେଦପତି

ସକଳ ଭୂତେ ତା’ର ସ୍ଥିତି

।।

ଏଣୁ ଗୋବିନ୍ଦ ଗୁଣ କର୍ମେ

ସଂଶୟେ ମୋର ମତି ଭ୍ରମେ

।।

ପୂଜଇ ଚରଣେ ତୁମ୍ଭର

ମୋର ସଂଶୟ ଦୂର କର

।।

ଶ୍ରୀ ଶୁକ ଉବାଚ

ଭୋ ନୃପ ତୋର ସାଧୁବାଣୀ

ତୁ ଯେ ପଚାରୁ ପରିମାଣି

।।

ଅଦ୍ଭୁତ ବିଷ୍ଣୁର ମହିମା

କେ ଜାଣି ପାରେ ଗୁଣସୀମା

।।

ଏ ଗ୍ରନ୍ଥ ଭାଗବତେ ପୁଣ

ଏ ବିଷ୍ଣୁ ଭକତି ଲକ୍ଷଣ

।।

ପରମ ପୁଣ୍ୟ ହେତୁ ବାଣୀ

ଯେ ଶୁଣେ ଯେବା ମୁଖେ ଭଣି

।।

ନାରଦ ଆଦି ମୁନିଗଣେ

ଯାହା ଭଜନ୍ତି ଅନୁକ୍ଷଣେ

।।

ବ୍ୟାସ ଚରଣେ ସେବି ମୁହିଁ

କହିବି ଯାହା ମୁଁ ଜାଣଇଁ

।।

ସେ ହରି ସ୍ୱଭାବେ ନିର୍ଗୁଣ

ପ୍ରକୃତି ପରମ କାରଣ

।।

ସ୍ୱଭାବେ ସର୍ବଗୁଣ ପର

ବ୍ରହ୍ମା ଶଙ୍କରେ ଅଗୋଚର

।।

ସେ ମାୟା ଗୁଣ ଆଶ୍ରେ କରି

ବ୍ୟାଧି ବ୍ୟାଧିକ ରୂପ ଧରି

।।

ସେ ସତ୍ତ୍ୱ ରଜ ତମଗୁଣ

ପ୍ରକୃତି ଏହାଙ୍କ ପ୍ରମାଣ

।।

ଆତ୍ମାର ଗୁଣ ଏ ନୁହନ୍ତି

ପ୍ରକୃତି ରୂପେ ପ୍ରକାଶନ୍ତି

।।

ଉଦୟ ଅସ୍ତ ଏକାବେଳେ

ନୁହଁନ୍ତି ଶୁଚି ସଙ୍ଗମେଳେ

।।

ସୃଷ୍ଟି ପାଳନ କାଳେ ହରି

ସତ୍ତ୍ୱଗୁଣକୁ ଆଶ୍ରେ କରି

।।

ଦେବତା ଋଷି ରୂପ ହୋଇ

ସ୍ୱଧର୍ମେ ସୃଷ୍ଟିକୁ ପାଳଇ

।।

ରଜୋଗୁଣକୁ ଆଶ୍ରେକରି

ଅସୁର ଗଣଙ୍କୁ ନିସ୍ତାରି

।।

ଯକ୍ଷ ରାକ୍ଷସ ତମୋଗୁଣେ

ଭଜଇ କାଳର ପ୍ରମାଣେ

।।

ଜ୍ୟୋତି ଆକାଶେ ପ୍ରକାଶଇ

ବିଚାରେ କାହିଁ ନ ମିଳଇ

।।

କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ

ଜ୍ୱଳେ ବାୟୁ ସଞ୍ଚାର ସ୍ଥାନେ

।।

ଆକାଶ ଯେହ୍ନେ ଜଳଘଟେ

ତେମନ୍ତ ରୂପେ ସେ ପ୍ରକଟେ

।।

ମାୟାରେ ନାନାରୂପ ହୋଇ

ସେ ମାୟା ତାକୁ ନ ଲାଗଇ

।।

ଏହା ବିଚାରି ମୁନିଜନେ

ଆତ୍ମାକୁ ଆତ୍ମା ଅନୁମାନେ

।।

ସଂଶୟ ନ କରନ୍ତି ମନେ

ହରି ବିଷୟ କ୍ରୀଡ଼ାସ୍ଥାନେ

।।

ସେ କାଳେ ମାୟାଯୋଗ ଅର୍ଥେ

ପୁରୁଷ ଜୀବ ଏହିମତେ

।।

ରଜୋଗୁଣରୁ ସୃଷ୍ଟି କରେ

ସତ୍ତ୍ୱରେ ବ୍ରହ୍ମରୂପ ଧରେ

।।

ଦେବାଦି ଯୋନି ଦେହ ମଧ୍ୟେ

କ୍ରୀଡ଼ା କରଇ ସେ ଅବାଧେ

।।

ରମିବା ଅର୍ଥେ ଭାବଗ୍ରାହୀ

ଅଶେଷ ଜନ୍ମ ହୃଦେ ସେହି

।।

କ୍ରୀଡ଼ାର ଅନ୍ତେ ସେ ଆପଣେ

ସୃଷ୍ଟି ସଂହାରେ ତମୋଗୁଣେ

।।

ସେ ପୁଣି ସୃଷ୍ଟି କାଳେ ହରି

ଜୀବ ପ୍ରକୃତି ରୂପ ଧରି

।।

ପ୍ରଧାନ ପୁରୁଷ ଏ ବେନି

ନିମିତ୍ତେ ତାଙ୍କୁ ସଙ୍ଗେ ଘେନି

।।

ତାଙ୍କ ଆଶ୍ରୟ ସଙ୍ଗ ମେଳେ

ଭିଆଏ ନିମିଷାଦି କାଳେ

।।

ସେ କାଳ ହରି ଆଜ୍ଞା ଘେନି

ପ୍ରଧାନ ପୁରୁଷ ଏ ବେନି

।।

ଉଭୟ ମତେ ନାନାଗୁଣ

ସୃଜଇ ସଂସାର କାରଣ

।।

ସେ ହରି କାଳରୂପ ଧରେ

ସାତ୍ତ୍ୱିକେ ଦେବଙ୍କୁ ଉଦ୍ଧରେ

।।

ଦେବଙ୍କ ପ୍ରିୟ କର୍ମକରେ

ଅସୁର କୁଳକୁ ସଂହାରେ

।।

ଏଣୁ ସେ ପ୍ରଭୁ ଭଗବାନ

ନିର୍ଲ୍ଲୋଭ ପ୍ରଭୁ ଉପାଦାନ

।।

ରଜ ତାମସ ଗୁଣ ଯେତେ

ତାଙ୍କୁ ସଂହାରେ ଅବିରତେ

।।

ଏବେ ହୋ ଶୁଣ ନରନାଥ

ବିଷ୍ଣୁ ଚରିତ ଭାଗବତ

।।

ତାହାଙ୍କ ମହିମା ବିଶେଷ

ଶୁଣ କହିବା ଇତିହାସ

।।

ରାଜୁସି ଯଜ୍ଞ ସଭା ଅନ୍ତେ

ଧର୍ମ ନନ୍ଦନର ଅଗ୍ରତେ

।।

ନାରଦ ମୁନି ଯାହା କହି

ସେ ସଭା ମଧ୍ୟେ ପାଞ୍ଚଭାଇ

।।

ଦେବକୀ ନନ୍ଦନର ତୁଲେ

ରାଜ ମୁନିଙ୍କୁ ପଚାରିଲେ

।।

ସେ ସଭା ମଧ୍ୟେ ଧର୍ମବଳା

ନୟନେ ଅଦ୍ଭୁତ ଦେଖିଲା

।।

ଶିଶୁପାଳର ପଞ୍ଚପ୍ରାଣ

ଗୋବିନ୍ଦେ ପଶିଲା ଶରଣ

।।

ସଭାଜନଙ୍କ ଦୃଷ୍ଟି ଆଗେ

ଯେହ୍ନେ ବିଜୁଳି କଳା ମେଘେ

।।

ଯୁଧିଷ୍ଠିର ଉବାଚ

ଭୋ ମୁନି ଦୁର୍ଲ୍ଲଭ ଏ କଥା

ଶୁଣି ମୋ ମନେ ଗୁରୁବ୍ୟଥା

।।

ଅଷ୍ଟାଙ୍ଗ ଯୋଗେ ମୁନିଗଣ

ଚିନ୍ତନ୍ତି ଯାହାଙ୍କ ଚରଣ

।।

ଏକାନ୍ତେ ଭକ୍ତି ଯୋଗେ ଚିନ୍ତି

ଯା ରୂପ କେହି ନ ଦେଖନ୍ତି

।।

ଦେବ ଦାନବେ ଅଗୋଚର

ଯେ ବ୍ରହ୍ମ ନିତ୍ୟ ନିରାକାର

।।

ଏ ଦମଘୋଷର କୁମର

ସ୍ୱଭାବେ ଦୁଷ୍ଟ ଦୁରାଚାର

।।

କୃଷ୍ଣେ ଅନେକ ନିନ୍ଦାକଲା

ସେ କିମ୍ପା କୃଷ୍ଣଙ୍କୁ ପାଇଲା

।।

ଏ ସଭାଲୋକ ମଧ୍ୟେ ମୁହିଁ

ତୁମ୍ଭର ଛାମୁରେ ପୁଚ୍ଛଇ

।।

କହହେ କେବଣ କାରଣ

ସକଳେ ଶୁଣନ୍ତୁ ପ୍ରମାଣ

।।

ବିଷ୍ଣୁଙ୍କୁ ଦୁଷ୍ଟ ଜନ ମେଳେ

ଯେବା ନିନ୍ଦନ୍ତି ଜ୍ଞାନଭୋଳେ

।।

ସେ ପ୍ରାଣୀ ନରକେ ପଡ଼ନ୍ତି

ମହାନ୍ତେ ଏମନ୍ତ କହନ୍ତି

।।

ସେ ଦମଘୋଷ ସୁତ ବାଣୀ

ସଭାରେ ଦନ୍ତବକ୍ର ଶୁଣି

।।

ସେହି ଅନେକ ନିନ୍ଦାକଲେ

ମୋତେ ତ ସନ୍ଦେହ ଲାଗିଲା

।।

ଏ ବେନି ଜନେ ନିନ୍ଦାକଲେ

ସଭାର ମଧ୍ୟେ ଏକ ତୁଲେ

।।

କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ

କିମ୍ପା ନ ଗଲେ ଯମ କୁଣ୍ଡେ

।।

କେବଣ ହେତୁ ବେନି ବୀରେ

ପଶିଲେ କୃଷ୍ଣର ଶରୀରେ

।।

ଏବେ ଭ୍ରମଇ ମୋର ମନ

ବନେ ଯେସନ ହୁତାଶନ

।।

କାରଣ କହ ମୁନି ମୋତେ

ଶୁଣି ମୁଁ ଯିବଇଁ ପରତେ

।।

ଏମନ୍ତ ରାଜା ବାକ୍ୟ ଶୁଣି

ସାନନ୍ଦ ମନେ ବ୍ରହ୍ମମୁନି

।।

କହନ୍ତି ରାଜାର ଅଗ୍ରତେ

ସମସ୍ତେ ଶୁଣନ୍ତୁ ଏମନ୍ତେ

।।

ନାରଦ ଉବାଚ

ଯାହାର ନିନ୍ଦାସ୍ତୁତି ଅର୍ଥେ

ମନୁଷ୍ୟ ଶରୀର ଜଗତେ

।।

ପ୍ରକୃତି ପୁରୁଷ ସଂଯୋଗେ

ଜନ୍ମଇ ଅବିବେକ ଭାବେ

।।

ବଢ଼ଇ ହିଂସା ଅଭିମାନେ

ଦ୍ୱନ୍ଦ୍ୱ କୁଟିଳ ଅବଧାନେ

।।

ମୁହିଁ ମୋହର ବୋଲି ଜାଣେ

ଯାବତ ବସଇ ତ୍ରିଗୁଣେ

।।

ମନୁଷ୍ୟ ସ୍ୱଭାବ ଏମନ୍ତେ

ସଂସାର ମଧ୍ୟେ ଛନ୍ତି ଯେତେ

।।

ଆତ୍ମାଭିମାନେ ଦେହ ବହି

ଲୁବୁଧେ ପ୍ରାଣୀ ବଧ ହୋଇ

।।

ସେ ପୁଣି କୈବଲ୍ୟ ଆସ୍ଥାନେ

ନ ଖଟେ ଆତ୍ମା ଅନୁମାନେ

।।

ହରି ବିଷୟେ କଲେ ଯେତେ

କୈବଲ୍ୟ ଲଭେ ପ୍ରାଣୀ ଅନ୍ତେ

।।

କେ ଭଜେ ରିପୁ ଅନୁବନ୍ଧେ

କେ ଅବା ମିତ୍ରଭାବ ସାଧେ

।।

କେ ଅବା ଭଜେ ତାକୁ ଡରେ

କେ ଅବା ପ୍ରିୟଭାବ କରେ

।।

କେ ଅବା ସ୍ନେହ ଚିତ୍ତ ଧରି

କେ ଅବା ରୂପ ଚିନ୍ତାକରି

।।

ସେ ସର୍ବଜନେ ଅନ୍ତଃକାଳେ

ପଶନ୍ତି ଚରଣ କମଳେ

।।

ନିତ୍ୟ ବଇରୀ ଭାବେ ଚିନ୍ତି

ହରିଙ୍କି ଏମନ୍ତ ଭଜନ୍ତି

।।

ନିଶ୍ଚଳ ଯୋଗ ଚିତ୍ତେ ଧ୍ୟାୟି

ଯୋଗୀଏ ଲଭିବାର ପାଇଁ

।।

ଏ ଭାବ ମୋର ନିତ୍ୟ ମନେ

ଏବେ ହୋ ଶୁଣ ସାବଧାନେ

।।

ଭ୍ରମର କୀଟ କୀଟ ମାରେ

ନେଇ ସ୍ଥାପଇ ନିଜ ଘରେ

।।

ସେ କୀଟ ପ୍ରାଣ ଯିବା କାଳେ

ଭ୍ରମର ଦେଖୁଥାଇ ଡୋଳେ

।।

ଭ୍ରମର ଯୋଗେ ଭୟେ ମର

ତାର ସ୍ୱରୂପ ଅନ୍ତେ ଧରେ

।।

ଏମନ୍ତ କୃଷ୍ଣର ବିଷୟେ

ମାୟା ମନୁଷ୍ୟ ନିଜ କାୟେ

।।

ବଇରୀ ପଣେ ତାକୁ ଭଜି

ନିର୍ମଳ ହୃଦୟେ ନିମଜ୍ଜି

।।

ଏ ଘେନି କାମକ୍ରୋଧ ଭୟେ

ଯେବା ଭଜନ୍ତି ମିତ୍ର ସ୍ନେହେ

।।

କୃଷ୍ଣ ବିଷୟେ ଚିତ୍ତ ଦେଇ

ଅନେକ ଗଲେ ମୋକ୍ଷ ହୋଇ

।।

ଗୋପ ନଗରେ ଗୋପୀ ଯେତେ

ବିଷ୍ଣୁଙ୍କୁ ଭଜି କାମଚିତ୍ତେ

।।

କଂସ ଯେ ନିତ୍ୟ ଭୟ କଲା

ଅନ୍ତେ ସେ ଗୋବିନ୍ଦେ ପଶିଲା

।।

କ୍ଷତ୍ରିୟ ଶିଶୁପାଳ ଆଦି

କୃଷ୍ଣ ବିଷୟେ ହୋଇ ବାଦୀ

।।

ସମ୍ବନ୍ଧେ କୃଷ୍ଣିବଂଶ ଯେତେ

ଭଜନ୍ତି ଭ୍ରାତୃସ୍ନେହେ ଚିତ୍ତେ

।।

ମୁଁ ତା’ର ଚରଣ କମଳେ

ଭକତି କରଇ ନିଶ୍ଚଳେ

।।

ଭକତି କରଇ ନିଶ୍ଚଳେ

ନିତ୍ୟ ଭଜିଲେ ଶତ୍ରୁ ଭାବେ

।।

ପୂର୍ବେ ଏ ବେନି ସତ୍ୟଯୁଗେ

ନିତ୍ୟ ଭଜିଲେ ଶତ୍ରୁ ଭାବେ

।।

ଏଣୁ ହରିଙ୍କି ନାନାମତେ

ଯେ ଭଜିପାରେ ଦୃଢ଼ଚିତ୍ତେ

।।

ନିର୍ଭୟେ ଗୋବିନ୍ଦେ ପଶନ୍ତି

ଜନ୍ମ ମରଣୁ ନିସ୍ତରନ୍ତି

।।

ଯେ ଦମଘୋଷର କାମିନୀ

ତୋହର ମାତାର ଭଗିନୀ

।।

ତା’ର ଉଦରୁ ବେନି ବାଳ

ଏ ଦନ୍ତବକ୍ର ଶିଶୁପାଳ

।।

ପୂର୍ବେ ଏ ହରି ଦ୍ୱାରେ ଥିଲେ

ବ୍ରାହ୍ମଣେ ଅପରାଧ କଲେ

।।

ଏ ବେନିଭାଇ ସହୋଦର

ବିଷ୍ଣୁ ସେବକ ମଧ୍ୟେ ବର

।।

ମହାନ୍ତ ଅପରାଧ ଫଳେ

ଜନ୍ମିଲେ ଅସୁରଙ୍କ କୁଳେ

।।

ବ୍ରାହ୍ମଣେ ଅପରାଧ କଲେ

ବ୍ରହ୍ମଋଷିଏ ଶାପ ଦେଲେ

।।

ଏ ଜନ୍ମେ ମନୁଷ୍ୟ ଶରୀରେ

ପୁଣି ମିଳିଲେ ହରି ଦ୍ୱାରେ

।।

ଯୁଧିଷ୍ଠିର ଉବାଚ

ଯେ ହରି ନାମ ଉଚ୍ଚାରନ୍ତି

ସର୍ବ ସଙ୍କଟୁ ସେ ତରନ୍ତି

।।

ଯେ ହରି ଦ୍ୱାରପାଳ ପଣେ

ପାଦେ ସେବନ୍ତି ଅନୁକ୍ଷଣେ

।।

ତାହାଙ୍କୁ କେବା ଶାପ ଦେଲା

ମୋତେ ତା ସନ୍ଦେହ ଲାଗିଲା

।।

ଯେ ବଇକୁଣ୍ଠ ପୁରେ ଥାନ୍ତି

ସେ ତ ସଂସାରେ ନ ପଡ଼ନ୍ତି

।।

ଦେହ ସମ୍ଭବ ଯହିଁ ନାହିଁ

ସେ କିମ୍ପା ବହେ ନରଦେହୀ

।।

ନିତ୍ୟେ ହୋଇଲେ ଦୁରାଚାର

ଏଣୁ ସଂଶୟ ଜାତ ମୋର

।।

ଭୋ ମୁନି ବନ୍ଦେ ତୋ ଚରଣ

କହ ଏ କେବଣ କାରଣ

।।

ନାରଦ ଉବାଚ

ଶୁଣ ରାଜନ ସାବଧାନେ

ଯେ କଥା ବିଷ୍ଣୁର ଭୁବନେ

।।

ବ୍ରହ୍ମାର ପୁତ୍ରେ ବେଦବାଦୀ

ସନକ ସନାତନ ଆଦି

।।

ସେ ଚାରି ଭାଇ ଏକ ଦିନେ

ଭ୍ରମନ୍ତି ଏ ତିନି ଭୁବନେ

।।

ପୁଣି ସେ ଅନ୍ତରୀକ୍ଷେ ଗଲେ

ବିଷ୍ଣୁର ଭୁବନେ ମିଳିଲେ

।।

ପ୍ରବେଶ ହୋଇ ଦ୍ୱାରଦେଶେ

ବିଷ୍ଣୁର ଦର୍ଶନ ଲାଳସେ

।।

ଜ୍ୟେଷ୍ଠ ଅଟନ୍ତି ସେହି ମାନେ

ମରୀଚି ଆଦି ମୁନିଗଣେ

।।

ପାଞ୍ଚ ବରଷ ବାଳପୋଏ

ସର୍ବେ ଦିଶନ୍ତି ଏକ ପ୍ରାୟେ

।।

ବାଳ ସ୍ୱାଭାବେ ଦିଗମ୍ୱର

ସ୍ୱଭାବେ ବ୍ରହ୍ମାଙ୍କ କୁମର

।।

ସନକ ଆଦି ମୁନିଗଣେ

ସେବନ୍ତି ବିଷ୍ଣୁଙ୍କ ଚରଣେ

।।

ତାଙ୍କୁ ବାଳକ ପ୍ରାୟେ ଚାହିଁ

ଜୟ ବିଜୟ ବେନିଭାଇ

।।

ବାଳକ ଦେଖି ଦ୍ୱାର ପାଳେ

ନିଷେଧ କଲେ ତାଙ୍କୁ ବଳେ

।।

ତାହାଙ୍କ ମନ ହରି ପାଦେ

ପଶି ନପାରିଲା ପ୍ରମାଦେ

।।

ଦ୍ୱାରପାଳଙ୍କ ମୁଖ ଚାହିଁ

କୋପେ ବୋଲନ୍ତି ଚାରିଭାଇ

।।

ତୁମ୍ଭେ ତ ଦୁଷ୍ଟ ବେନିଭାଇ

ଏ ପୁରେ ଥିବା ନ ଯୋଗାଇ

।।

ଏ ପୁର ବଇକୁଣ୍ଠ ଧାମ

ପଶି ନପାରେ ରଜ ତମ

।।

ଏଥେ ନଥାଅ ଭାଇ ବେନି

ମର୍ତ୍ତ୍ୟେ ଜନ୍ମିବ ଦେହ ଘେନି

।।

ଅତି ପାପିଷ୍ଠ ତୁମ୍ଭ ଦେହ

ଅସୁର ଘରେ ଜନ୍ମ ହୁଅ

।।

ଏମନ୍ତ ବିପ୍ର ଶାପ ପାଇ

ପୁରୁ ଖସିଲେ ବେନିଭାଇ

।।

ଊର୍ଦ୍ଧ୍ୱ ଚରଣ ଅଧୋମୁଖ

ତକ୍ଷଣେ ଦେଖି ତାଙ୍କ ଦୁଃଖ

।।

ଦୟା ବସିଲା ତାଙ୍କ ଦେହୀ

ସ୍ନେହେ ବୋଲନ୍ତି ଚାରିଭାଇ

।।

ଅସୁର ହୋଇ ବେନି ଜନ୍ମ

ନିତ୍ୟେ କରିବ ଦୁଷ୍ଟ କର୍ମ

।।

ତୃତୀୟ ଜନ୍ମେ ଜାତ ହୋଇ

ଶାପୁଁ ତରିବ ବେନି ଭାଇ

।।

ବିଷ୍ଣୁଙ୍କୁ ଚିନ୍ତି ଅପରାଧ

ପୁଣି ଲଭିବ ବିଷ୍ଣୁପାଦ

।।

ପ୍ରଥମେ କଶ୍ୟପଙ୍କ ଘରେ

ବେନି ଏ ଦିତିର ଗର୍ଭରେ

।।

ଜନ୍ମିଲେ ହିରଣ୍ୟକଶିପୁ

ହିରଣ୍ୟାକ୍ଷ ଯେ ମହାବପୁ

।।

ଦେବ ଦାନବ ତାଙ୍କ ପାଦେ

ଖଟନ୍ତି ଅପରାଧୀ ଭାବେ

।।

ହିରଣ୍ୟାକ୍ଷର ଗର୍ବଭରେ

ମହୀ କମ୍ପଇ ଥରହରେ

।।

ସେ କଷ୍ଟ ହରି ନ ସହିଲେ

ଶୂକର ରୂପକୁ ଧଇଲେ

।।

ଧରଣୀ ଉଦ୍ଧାରଣ ପାଇଁ

ବରୁଣ ପୁରେ ହେଲେ ଯାଇଁ

।।

ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର

ଅସୀମ ବଳ ଅଟେ ଯାର

।।

ବରାହ ରୂପ ଦେଖି କୋପେ

ମିଳିଲେ ଗୋବିନ୍ଦ ସମୀପେ

।।

ଅନେକ ଗଦା ଯୁଦ୍ଧ କଲା

ଶବଦେ ଭୁବନ କମ୍ପିଲା

।।

ବିଷ୍ଣୁର ଗଦାଘାତ ବଳେ

ପ୍ରାଣ ଛାଡ଼ିଲା ରସାତଳେ

।।

ହିରଣ୍ୟକଶିପୁର ସୁତ

ପ୍ରହ୍ଲାଦ ଗୋବିନ୍ଦଙ୍କ ଭକ୍ତ

।।

ତାଙ୍କୁ ଅନେକ ଦୁଃଖ ଦେଇ

ବିଷ୍ଣୁ ଭଜନ ନ ସହଇ

।।

ପୁଣି ସେ ବିଷ୍ଣୁ ଭକ୍ତି ବଳେ

ଅଜେୟ ଏ ମହୀମଣ୍ଡଳେ

।।

ତାକୁ ଅନେକ ଦୁଃଖ ଦେଲା

କେବେହେଁ ମାରି ନ ପାରିଲା

।।

ନୃସିଂହ ରୂପ ଧରି ହରି

ହିରଣ୍ୟକଶିପୁ ବିଦାରି

।।

ଦେବତା ହିତକୁ ସାଧିଲେ

ନିଜ ପୁରକୁ ଚଳିଗଲେ

।।

ପୁଣି ରାକ୍ଷସ କୁଳେ ଜାତ

ବିଶ୍ରବା ଗୃହେ ବେନି ଭ୍ରାତ

।।

ନିକଷା ଗର୍ଭେ ହୋଇ ଜନ୍ମ

ଅନେକ କଲେ ମନ୍ଦକର୍ମ

।।

ରାବଣ କୁମ୍ଭକର୍ଣ୍ଣ ରୂପେ

ତ୍ରୈଲୋକ୍ୟ ବଶ କଲେ ଦର୍ପେ

।।

ତାହାଙ୍କୁ ରାମରୂପେ ମାରି

ରାକ୍ଷସ ଜନ୍ମରୁ ଉଦ୍ଧାରି

।।

ସେ ରାମ ଚରିତକୁ ସୁଖେ

ଶୁଣିଲୁ ମାରକଣ୍ଡ ମୁଖେ

।।

ପୁଣି ସେ ମହୀତଳେ ଜାତ

ତୋ ମାତା ଭଗିନୀର ସୁତ

।।

ଏବେ ତୋ ଯଜ୍ଞ ସଭା ମଧ୍ୟେ

ବିଷ୍ଣୁଙ୍କୁ ନିନ୍ଦେ ଅପ୍ରମାଦେ

।।

ବିଷ୍ଣୁର ଚକ୍ରେ ଛିନ୍ନ ହୋଇ

ମୋକ୍ଷ ପାଇଲେ ବେନିଭାଇ

।।

ବଇରୀ ଭାବେ ତତ୍ତ୍ୱ ଧ୍ୟାନ

ତେଣୁ ପାଇଲେ ତତ୍ତ୍ୱଜ୍ଞାନ

।।

ତୃତୀୟ ଜନ୍ମେ କ୍ଷୟ ପାଇ

ଜୟ ବିଜୟ ବେନିଭାଇ

।।

ପୁଣି ମିଳିଲେ ନିଜ ପୁରେ

ବିଷ୍ଣୁର ବୈକୁଣ୍ଠ ଦୁଆରେ

।।

ଯୁଧିଷ୍ଠିର ଉବାଚ

ହିରଣ୍ୟକଶିପୁ କିମ୍ପାଇ

ପୁତ୍ରକୁ ଦ୍ରୋହ ଆଚରଇ

।।

ଅସୁର ଜାତ ପ୍ରହଲାଦ

କିମ୍ପା ଭଜିଲା ବିଷ୍ଣୁପାଦ

।।

ବୋଲଇ ଦାସ ଜଗନ୍ନାଥ

ନାରଦ ଆଗେ କୁନ୍ତୀ ସୁତ

।।

ସଭାର ମଧ୍ୟେ ପଚାରିଲା

ଯେ ଭାଗବତ ବିଷ୍ଣୁଲୀଳା

।।

ସପ୍ତମସ୍କନ୍ଧେ ହରି ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଜୟ ବିଜୟ ପ୍ରଶ୍ନ

କଥନେ ନାମ ପ୍ରଥମୋଽଧ୍ୟାଽୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ

ରାଜନ ସାବଧାନେ ଶୁଣ

।।

ଅସୁର କୁଳେ ଜାତ ହୋଇ

ଜୟ ବିଜୟ ବେନିଭାଇ

।।

ହିରଣ୍ୟ ହିରଣ୍ୟାକ୍ଷ ବୀର

ତପେ ତୋଷିଲେ ବେଦବର

।।

ହିରଣ୍ୟକଶିପୁ ଅସୁର

ବଳେ ହୋଇଲା ରାଜେଶ୍ୱର

।।

କଷ୍ଟ ପାଇଣ ଭୟଙ୍କର

ତ୍ରାସେ କମ୍ପିଲେ ସୁରନର

।।

ତାର ଅନୁଜ ହିରଣ୍ୟାକ୍ଷ

ଗଦା ସଂଗ୍ରାମେ ଅତି ଦକ୍ଷ

।।

ଦେବ ମନୁଷ୍ୟ ତାର ତୁଲେ

ଗଦା ଯୁଦ୍ଧରେ ହାରିଗଲେ

।।

ଏ ବେନିଲୋକ ଜିଣି ବଳେ

ବିଜୟ କଲା ସେ ପାତାଳେ

।।

ବରୁଣ ପୁରେ ଯାଇ ମିଳି

ପ୍ରଚଣ୍ଡ ଗଦା କରେ ତୋଳି

।।

ବୋଇଲା ଯୁଦ୍ଧ ମୋତେ ଦିଅ

ନୋହିଲେ ପାତାଳେ ନ ଥାଅ

।।

ମୋର ଏ ପାତାଳ ଭୁବନ

ଏମନ୍ତେ ଗଲା କେତେଦିନ

।।

ଯଜ୍ଞ ବରାହ ରୂପ ଧରି

ଦନ୍ତାଗ୍ରେ ଧରଣୀ ଉଦ୍ଧାରି

।।

ସେ ହରି ଥିଲେ ତାର ପୁରେ

ତିନି ଭୁବନ ଉପକାରେ

।।

ଅସୁର ଦେଖି ଦାମୋଦର

ଗଦା ପ୍ରହାରେ କଲେ ଚୂର

।।

ହିରଣ୍ୟକଶିପୁ ତା ଶୁଣି

କୋପେ କମ୍ପିଲା ସେହିକ୍ଷଣି

।।

ଅଧର ଦନ୍ତରେ କାମୋଡ଼ି

ହାହା ଶବଦେ ଶିର ତାଡ଼ି

।।

ଭ୍ରାତୃ ନିଧନେ ଯେ ବିକଳ

ଚାହିଁଲା ଆକାଶ ମଣ୍ଡଳ

।।

ସଧୂମ ଦିଶଇ ଆକାଶ

ଯେଣୁ ହୋଇଛି ମହାରୋଷ

।।

କରାଳ ବକ୍ରେ ଉର୍ଦ୍ଧ୍ୱ ଦୃଷ୍ଟି

ଲଲାଟେ ଟେକିଣ ଭ୍ରୂକୁଟି

।।

ତୋଳି ତ୍ରିଶୂଳ ସଭା ମଧ୍ୟେ

ବୋଲଇ ଭ୍ରାତୃଶୋକବାଦେ

।।

ଭୋ ଭୋ ଦାନବ ଦୈତ୍ୟଗଣ

କହଇ ସାବଧାନେ ଶୁଣ

।।

ଦ୍ୱିମୂର୍ଦ୍ଧ ତ୍ରିନେତ୍ର ଶମ୍ବର

ଭୋ ଶତ ବାହୁ ହୟ ଶିର

।।

ନମୁଚି ହେ ପାକ ଇଲ୍ୱଳ

ହେ ବିପ୍ରଚିତ୍ତ ଶୁଣ ବୋଲ

।।

ପୁଲୋମ ଶକୁନି ସହିତେ

ଏ ମୋର ସଭାମଧ୍ୟେ ଯେତେ

।।

ମୋହର ବୋଲ ଏବେ କର

ଏ ଶୋକ ସାଗରୁ ଉଦ୍ଧର

।।

ମୋର ବଇରୀ ଦେବଲୋକେ

ମନୁଷ୍ୟ ମଧ୍ୟେ ଛନ୍ତି ଥୋକେ

।।

ହରିଙ୍କୁ ଭଜନ୍ତି ଯେ ନିତ୍ୟେ

ଏବେ ବିଚାରି ମୋର ଚିତ୍ତେ

।।

ହରିର ପଥ ଆଶ୍ରେ କଲେ

ମୋର ଭାଇକି ସଂହାରିଲେ

।।

ସେ ହରିର ମୋହର ବଇରୀ

ଅତି ନିର୍ଦ୍ଦୟ ଅହଙ୍କାରୀ

।।

ମାୟାରେ ନାନା ରୂପ ଧରେ

ଭକତ ସଙ୍ଗେ ସେ ବିହରେ

।।

ବାଳକ ପ୍ରାୟ ତାର ଗତି

ଏଣୁ ଅସ୍ଥିର ମୋର ମତି

।।

ଏ ଶୂଳ ମାରି ତା ଶରୀରେ

ତର୍ପଣ କରିବି ରୁଧିରେ

।।

ମୋ ଭ୍ରାତୃ ପିତୃ କାର୍ଯ୍ୟ ଅର୍ଥେ

କହିଲି ତୁମ୍ଭର ଅଗ୍ରତେ

।।

ସେ କୂଟ ଦୁଷ୍ଟ ଦୁରାଚାର

ତାର ବିଶ୍ୱାସୀ ବେଗେ ମାର

।।

ସେ ମଲେ ମରିବେ ସକଳେ

ବୃକ୍ଷ କାଟିଲେ ଯେହ୍ନେ ଡାଳେ

।।

ଯାବତ ନ ମରଇ ହରି

ତାବତ ଭ୍ରମ ବସୁନ୍ଧରୀ

।।

ବ୍ରହ୍ମ କ୍ଷତ୍ରୀୟ ବୈଶ୍ୟ ଯେତେ

ବିଷ୍ଣୁ ଭଜନ୍ତି ଅବିରତେ

।।

ତପସ୍ୱୀ ଜନ ବେଗେ ମାର

ଯଜ୍ଞର ଅଗ୍ନି ନାଶ କର

।।

ତ୍ରିସନ୍ଧ୍ୟା ଭକ୍ତ ଜ୍ଞାନୀ ଯେତେ

ତାହାଙ୍କୁ ମାର ଅବିରତେ

।।

ଏ ଧର୍ମ କ୍ରିୟା ମୂଳେ ହରି

ସେ ଥାଇ ତାର ହୃଦେ ପୂରି

।।

ଋଷି ଦେବତା ପିତୃଗଣେ

ଯେ ଥାନ୍ତି ଧର୍ମ ପରାୟଣେ

।।

ଗୋରୁ ବ୍ରାହ୍ମଣେ ଯଜ୍ଞ ଯହିଁ

ବେଦ ପଠନେ ମନ୍ତ୍ରଧ୍ୟାୟୀ

।।

ଆଶ୍ରମ କ୍ରିୟା ଯହିଁ ଥିବ

ବେଗେ ବିନାଶ ଅଗ୍ନିଦେବ

।।

ଏମନ୍ତ ରାଜା ଆଜ୍ଞା ପାଇ

ଅସୁର ଗଲେ ସଜ ହୋଇ

।।

ସ୍ୱଭାବେ ଅସୁର ନିର୍ଦ୍ଦୟ

ପ୍ରାଣୀ ମରଣେ ବଡ଼ ପ୍ରିୟ

।।

ତକ୍ଷଣେ ପଶି ଗ୍ରାମ ପୁରେ

ଗିରି ବନସ୍ତ କ୍ଷେତ୍ର ଦ୍ୱାରେ

।।

ଋଷି ଆଶ୍ରମେ ତପୋବନେ

ମେରୁ ପର୍ବତ ନାନାସ୍ଥାନେ

।।

ଗୋରୁ ବ୍ରାହ୍ମଣ ଯଜ୍ଞ ସ୍ଥାନ

ଅନଳେ ଦହିଲେ ତକ୍ଷଣ

।।

ଖନିତ୍ର ଘେନି ମହାସୁର

ଭେଦିଲେ ପ୍ରାକାର ଗୋପୁର

।।

ଅସୁର ବଳ ବେଗେ ବ୍ୟାପି

ଛେଦି ପକାଇଲେ ବିଟପୀ

।।

ଜୀବିତ ବୃକ୍ଷ ଯେତେ ଥିଲେ

ପରଶୁ ହସ୍ତେ ତା ଛେଦିଲେ

।।

ଏମନ୍ତ ଦ୍ୱାଦଶ ବରଷେ

ଧର୍ମ ନାଶିଲେ ମହାରୋଷେ

।।

ନିରତେ ପ୍ରାଣୀ ନାଶ କଲେ

ଦେବେ ଆକାଶୁ ପଳାଇଲେ

।।

ଲୁଚିଲେ ବନଗିରି ତୃଣେ

ଘୋର କାନନେ ସୁରଗଣେ

।।

ଭ୍ରାତୃ ମରଣେ କୋପକଲା

ଏମନ୍ତେ ପ୍ରାଣୀ ନାଶ କଲା

।।

ଭ୍ରାତୃର ପ୍ରେତକାର୍ଯ୍ୟ କଲା

ଅନେକ ଜଳ ଅନ୍ନ ଦେଲା

।।

ତର୍ପଣ ଶ୍ରାଦ୍ଧ କର୍ମ ସାରି

ଭ୍ରାତୃଷ୍ପୁତ୍ରକୁ କୋଳେ ଧରି

।।

ତକ୍ଷଣେ ଅନ୍ତଃପୁରେ ଯାଇ

ସୁହୃଦ ଅସୁରଙ୍କୁ ରାଇ

।।

ଶକୁନି ଶମ୍ବର ଧୃଷ୍ଟିକ

ଭୂତ ସନ୍ତାପନ ଯେ ବୃକ

।।

କାଳନାଭ ମହାନାଭଙ୍କୁ

ହରିଶ୍ମଶ୍ରୁ ଉତ୍କଚକକୁ

।।

ନିଜର ନିକଟେ ବସାଇ

ଅନୁଜ ପତ୍ନୀକୁ ଅନାଇ

।।

ତାହାର ନାମ ଅଟେ ଭାନୁ

ସ୍ୱାମୀ ମରଣେ କ୍ରୋଧମନୁ

।।

ମାତାର ସଙ୍ଗେ ତାକୁ ଆଣି

ବସାଇ କହେ ମଞ୍ଜୁବାଣୀ

।।

ହିରଣ୍ୟକଶିପୁ ଉବାଚ

ହେ ମାତା ପୁତ୍ରବଧୂଗଣ

ଶୋକ କରିବା ଅକାରଣ

।।

ମୃତ ପ୍ରାଣୀଙ୍କୁ ନ ସୁମରି

ଏ ଜୀବ ନୁହଇ କାହାରି

।।

ବୀର ମରଣ ରିପୁମୁଖେ

ଲଭେ ଅକ୍ଷୟ ସ୍ୱର୍ଗ ସୁଖେ

।।

ତାର ମରଣେ ଚିନ୍ତା ନାହିଁ

ସ୍ୱର୍ଗେ ବସିଲା ମୋର ଭାଇ

।।

ପଥେ ପଥୁକୀ ଜନ ପ୍ରାୟେ

ଏ ଭବେ କିଛି ସ୍ଥିର ନୁହେଁ

।।

ପୂର୍ବ ଜନ୍ମର କର୍ମ ଫଳେ

ପ୍ରାଣୀଏ ମିଳନ୍ତି ସଂସାରେ

।।

ତୃଷାର୍ତ୍ତ ଲୋକ ନିବାରଣେ

ଯେହ୍ନେ ମିଳନ୍ତି ଜଳସ୍ଥାନେ

।।

ପୁଣି ଚଳନ୍ତି ଶ୍ରମ ସାରି

ସେ ଜଳ ନୁହଇ କାହାରି

।।

ଆତ୍ମା କେବେହେଁ ନାଶନୁହେ

ପ୍ରବେଶ କରେ ଯହୁଁ ଦେହେ

।।

ଅବ୍ୟୟ ଶୁଦ୍ଧ ସର୍ବ ଗାମୀ

ସର୍ବଜ୍ଞ ସର୍ବ ଦେହେ ଭ୍ରମି

।।

ସେ ଆତ୍ମା ଦେହରୁ ଚଳିଲେ

ଦେହ ବିନାଶ ଲଭେ ଭଲେ

।।

ଚଞ୍ଚଳ ଜଳେ ବୃକ୍ଷ ଛାଇ

ଚଳିଲା ପ୍ରାୟେକ ଦିଶଇ

।।

ସେ ଯେହ୍ନେ ଭଦକେ ନ ମିଶେ

ଆତ୍ମା ଶରୀରେ ପରକାଶେ

।।

ବାଳକେ କ୍ରୀଡ଼ାରେ ଘୂରନ୍ତି

ଭ୍ରମିଣ ମହୀରେ ପଡ଼ନ୍ତି

।।

ଚାହାନ୍ତେ ଭ୍ରମଇ ସଂସାର

ଏମନ୍ତ ମାୟା କ୍ରୀଡ଼ାଘର

।।

ଏଣୁ ଏ ଭ୍ରମ ଗୁଣ ଦୋଷେ

ମନ ନ ରହଇ ବିଶ୍ୱାସେ

।।

ଏ ଆତ୍ମା ହୋଇ ଦେହବନ୍ତ

ଦେହ ଅଭିନ୍ନ ମଣେ ନିତ୍ୟ

।।

ଅର୍ଜ୍ଜିଲା କର୍ମଫଳ ବଳେ

ପ୍ରାଣୀ ଭ୍ରମନ୍ତି ମହୀତଳେ

।।

ସଂସାର ସଂଯୋଗ ବିଯୋଗେ

ଶୋକ ହରଷ ବେନି ମାର୍ଗେ

।।

ଏ ଅର୍ଥେ ଇତିହାସ କହି

ଶୁଣ ଜନନୀ ମନ ଦେଇ

।।

ପୂର୍ବେ ପୁତ୍ରଙ୍କ ବଧୂ ତୁଲେ

ଯେବା ସମ୍ପଦ ମହୀତଳେ

।।

ଶୁଣ ଜନନୀ ମନ ତୋଷେ

ଯେ କଥା ଅଛି ନର ଅଂଶେ

।।

ସୁଯଜ୍ଞ ନାମେ ରାଜା ଥିଲା

ଶତ୍ରୁ ସଂଗ୍ରାମେ ପ୍ରାଣ ଦେଲା

।।

ତାହା ଶୁଣିଣ ପୁରଜନେ

ମିଳିଲେ ମୃତପିଣ୍ଡ ସ୍ଥାନେ

।।

ଦେଖିଲେ ରାଜାର ଶରୀର

ରୁଧିର ଧୂଳିରେ ଧୂସର

।।

ରତ୍ନ କବଚ ଖଣ୍ଡ ଖଣ୍ଡ

ବିଭ୍ରମ ଅଳଂକାର ପିଣ୍ଡ

।।

ତା ବକ୍ଷସ୍ଥଳ ଶରେ ଛିହ୍ନ

ବିନଷ୍ଟ ହୋଇଛି ନୟନ

।।

ବିଦୀର୍ଣ୍ଣ କେଶ ତାର ମୁଣ୍ଡେ

ବହେ ରୁଧିର ଚାରୁତୁଣ୍ଡେ

।।

ଅଧର ଦଂଶିତ ବଦନ

ହୋଇ ରହିଛି ବିଦ୍ୟମାନ

।।

ବାୟୁ ନ ବହେ ନାକ ବାଟେ

କର ଆୟୂଧ ଛିନ୍ନ ଅଟେ

।।

ଏକାଳେ ମିଳିଲେ ସମୀପେ

କାମିନୀଗଣ ଦୁଃଖ ଶୋକେ

।।

ଅତି କାତର ହୋଇ ତହିଁ

କାନ୍ଦନ୍ତି ରାଜାମୁଖ ଚାହିଁ

।।

ଭୋ ନାଥ ତୋହର ଚରଣେ

ତୋର ସକଳ ବନ୍ଧୁଗଣେ

।।

ଜୀବନ ଥାଉଁ ଥାଉଁ ମଲୁ

ବିଧି ଅଯୋଗ ଭିଆଇଲୁ

।।

ହୃଦରେ ବେନି କର ତାଡ଼ି

କାନ୍ଦନ୍ତି ଭୂମିତଳେ ପଡ଼ି

।।

ଚରଣ ପୁଣ ପୁଣ ଧରି

କାନ୍ଦନ୍ତି ଉଚ୍ଚ ନାଦ କରି

।।

ଚରଣସିକ୍ତ ଅଶ୍ରୁଜଳେ

ଲୋତକ ମିଶ୍ରିତ କଜ୍ଜ୍ୱଳେ

।।

କୁଚ କୁଙ୍କୁମ ଅଶ୍ରୁଜଳେ

ପଡ଼ଇ ରାଜା ପାଦତଳେ

।।

କେଶ ବସନ ଅସମ୍ଭାଳ

ଶୁଭେ ରୋଦନ ମହାଗୋଳ

।।

ହେ ହେ ଦଇବ ତୁ ନିର୍ଦ୍ଦୟ

ଦୂରେ ଛାଡ଼ିଲୁ ମାୟା ମୋହ

।।

ଅଦୃଷ୍ଟ ଅଶ୍ରୁତ କରମ

ଭିଆଇ କଲୁ ମତିଭ୍ରମ

।।

ପୂର୍ବେ ଆମ୍ଭଙ୍କୁ ସୁଖ ଦେଲୁ

ଏବେ ତୁ ନିଷ୍ଠୁର ହୋଇଲୁ

।।

ପୁଣି ରାଜାର ପାଦ ଧରି

ଉଚ୍ଚେ କାନ୍ଦନ୍ତି ତାର ନାରୀ

।।

ଆମ୍ଭଙ୍କୁ ତେଜୁ ନାଥ ତୁହି

ମୁହୂର୍ତ୍ତେ ତୋ ସଙ୍ଗ ନ ପାଇ

।।

କେମନ୍ତେ ଧରିବୁ ଜୀବନ

ଦିଶଇ ଦଶଦିଗ ଶୂନ୍ୟ

।।

ତୋର ଚରଣ ଆମ୍ଭେ ସେବୁ

କହ କେବଣ ଦିଗେ ଯିବୁ

।।

ଏମନ୍ତେ ପତି ପାଦ ଧରି

ଉଚ୍ଚେ କାନ୍ଦନ୍ତି ତାର ନାରୀ

।।

ଦହନ ପାଇଁ ନ ଛାଡ଼ନ୍ତି

ଦୁଃଖେ ରହିଲେ ଗୋତ୍ର ଜ୍ଞାତି

।।

ଏମନ୍ତେ ରହି ଅସ୍ତ ଗଲା

ଘୋର ତିମିର ପ୍ରକାଶିଲା

।।

ଆତ୍ତ ରୋଦନ ତାଙ୍କ ଦେଖି

ଶମନ ଭୁବନ ଉପେକ୍ଷି

।।

ଶୋକ ନିବାରେ ଇଚ୍ଛା କରି

ଯମ ବାଳକ ରୂପ ଧରି

।।

ମିଳିଣ ତାଙ୍କ ସନ୍ନିଧାନେ

କହଇ କୋମଳ ବଚନେ

।।

ଯମ ଉବାଚ

ଆହେ ଅଦ୍ଭୁତ କଥା ଦେଖ

ଏ ସର୍ବ ବୟସେ ଅଧିକ

।।

ବାଳକ ପ୍ରାୟ ନ ଜାଣନ୍ତି

ବିମୋହେ ରୋଦନ କରନ୍ତି

।।

ଏ ପ୍ରାଣ ଯହୁଁ ଆସିଥିଲା

କର୍ମ ସଙ୍ଗତେ କରି ଖେଳା

।।

ତହିଁକି ଗଲା କର୍ମ ଅନ୍ତେ

ଜାଣି ନ ଜାଣୁ ତୁ କେମନ୍ତେ

।।

ଏଣୁ ଏ କର୍ମମୟ ଦେହୀ

କର୍ମୁ ଅଧିକ କେହି ନାହିଁ

।।

ସମସ୍ତ ତୁଲ୍ୟ ଦେହ ବହି

କର୍ମ ସରିଲେ କେବା ରହି

।।

ଯହୁଁ ଅଇଲା ତା ନ ଜାଣେ

ଦେହକୁ ନିତ୍ୟ ପ୍ରାୟ ମଣେ

।।

ଅନ୍ତେ ଯହିଁକି ପ୍ରାଣଯିବ

ଏହା ନ ଜାଣେ ବ୍ରହ୍ମା ଶିବ

।।

ସଂସାର ମଧ୍ୟେ ଦେହ ବହି

ସକଳ ମଧ୍ୟେ ଧନ୍ୟ ମୁହିଁ

।।

ପିତା ଜନନୀ ମୋର ନାହିଁ

ବୁଲଇ ଅରକ୍ଷିତ ହୋଇ

।।

ବୃକ ପ୍ରଭୃତି ଜନ୍ତୁ ଯେତେ

କେ ଭଜି ନ ପାରନ୍ତି ମୋତେ

।।

ଗର୍ଭେ ଯେ ରକ୍ଷାକଲା ମୋତେ

ଏବେ ସେ ଅଛି ମୋ ସଙ୍ଗତେ

।।

ଈଶ୍ୱର ଇଚ୍ଛାରେ ସର୍ଜଇ

ପାଳଇ ପୁଣ ସଂହାରଇ

।।

ତାହାର କ୍ରୀଡ଼ା ଏ ଜଗତ

କିବା ବାଳକ ତାତ ମାତ

।।

ଯେ ପ୍ରାଣୀ ନିଜ ପଥ ଛାଡ଼ି

ନିୟତ କର୍ମ ଯେବେ ହୁଡ଼ି

।।

କର୍ମ କରଇ ତାକୁ ରକ୍ଷା

ଗୁରୁଙ୍କ ପ୍ରାୟେ ଦେଇ ଦୀକ୍ଷା

।।

ବାଳକ ଗୃହେ ଥାଇ ଯେହ୍ନେ

କର୍ମେ ନ ଥିବ ଭୋଗ ମନେ

।।

ରକ୍ଷକ ଥିଲେହେଁ ମରଇ

ଅତି ଯତନେ ଯେବେ ଥାଇ

।।

ଯେ ବାଳ ବିପିନେ ବର୍ଦ୍ଧିତ

ସ୍ୱଭାବେ ହୋଇ ଅରକ୍ଷିତ

।।

ତାହାକୁ ଦଇବ ରଖଇ

ବେଦ ପୁରାଣେ ଏହା କହି

।।

ଏଣୁ ପ୍ରାଣୀଏ କର୍ମଫଳେ

ଜନ୍ମ ମରଣ ଏ ଶୟଳେ

।।

ଆତ୍ମା ସକଳ ଦେହେ ଥାଇ

ଶରୀରୁ ଭିନ୍ନ ସେ ଅଟଇ

।।

ଶରୀରେ ଆତ୍ମଜ୍ଞାନ ଖ୍ୟାତ

ମୋହ ବଶରୁ ହୁଏ ଜାତ

।।

ଯେତେ ବୁଦ୍‌ବୁଦ ଜଳୁଁ ଜାତ

ମାଟିରୁ ଘଟଣ ସେ ସମ୍ଭୂତ

।।

ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ

ବିନାଶେ ନିଜତ୍ୱ ଲଭଇ

।।

ମିଶଇ ବୁଦ୍‌ବୁଦ ଜଳରେ

ଘଟ ବିଲୀନ ମୃର୍ତ୍ତିକାରେ

।।

କୁଣ୍ଡଳ ସ୍ୱର୍ଣ୍ଣତ୍ୱକୁ ପାଇ

ଶେଷରେ ଜଳାଦି ରହଇ

।।

ତେସନେ କାଳବଶେ ଜାତ

କର୍ମ ଭୋଗେଣ ଜୀବ ମୃତ

।।

ବିନଷ୍ଟ ହୁଅଇ ଶରୀର

ଆତ୍ମା ଚଳଇ ନିରନ୍ତର

।।

ଅଗ୍ନି ଯେସନ କାଷ୍ଠେ ଥାଇ

ସ୍ୱଭାବେ ଭିନ୍ନ ସେ ଅଟଇ

।।

ପବନ ଦେହ ମଧ୍ୟେ ଥାଇ

ଦେହରୁ ପୃଥକ ଅଟଇ

।।

ଆକାଶ ସର୍ବବ୍ୟାପୀ ହୋଇ

କାହାରି ସଙ୍ଗେ ଲିପ୍ତ ନୋହି

।।

ଏ ଜୀବ ପୁରୁଷ ତେମନ୍ତ

ସ୍ୱଭାବେ ତ୍ରିଗୁଣାତିରିକ୍ତ

।।

ସୁଯଜ୍ଞ ରାଜା ଏ ନୁହଇ

ରୋଦନ କର କାହିଁ ପାଇଁ

।।

ଶ୍ରୋତା ବକତା ନାହିଁ ଏଥେ

ରୋଦନ ଶୁଣିବ କେମନ୍ତେ

।।

ଏ ଦେହ ମଧ୍ୟେ ଆତ୍ମା ଥାଇ

ଇନ୍ଦ୍ରିୟ ସଙ୍ଗେ ପ୍ରକାଶଇ

।।

ସେ ଏଥୁ ଗଲା ଅନ୍ତରୀକ୍ଷେ

ଦେଖ ଏ ମୃତ୍ତିକା ପ୍ରତ୍ୟକ୍ଷେ

।।

ଏ ଦେହ ପାର୍ଥିବ ବିକାର

ପଡ଼ିଛି ପୃଥିବୀ ଉପର

।।

ଯାହାକୁ ଶୋକ ତୁମ୍ଭେ କର

ସେ ପ୍ରାଣୀ ଏ ଦେହରୁ ପର

।।

ଏ ପଞ୍ଚଭୂତ ଇନ୍ଦ୍ରିଗଣ

ମନ ଯେ ଏହାଙ୍କ କାରଣ

।।

ଆତ୍ମାଟି ଏହାଙ୍କର ସଙ୍ଗେ

ପ୍ରକାଶ ଉଚ୍ଚବାଚ ରଙ୍ଗେ

।।

ସେ ନିଜ ତେଜ ପ୍ରକାଶଇ

ଶରୀର ଘେନଇ ଛାଡ଼ଇ

।।

ଯାବତ ଆତ୍ମା ଦେହେ ଥାଇ

ଅଲିଙ୍ଗେ ଲିଙ୍ଗ ଦେହ ବହି

।।

ଏ ଜୀବ କର୍ମର ବନ୍ଧନ

ଏହା ନ ଜାଣେ ମୂର୍ଖଜନ

।।

ଏଣୁ ଏ ଗତାଗତ ପଥେ

କ୍ଳେଶ ଲଭଇ ଅବିରତେ

।।

ଏ ପୁଣି ମିଥ୍ୟା କଳେବର

ଅତିଥ୍ୟ ତଥ୍ୟ ପ୍ରାୟ ପୁର

।।

ଯେମନ୍ତେ ସ୍ୱପ୍ନ ମନୋରଥେ

ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥେ

।।

ଦେଖଇ ସତ୍ୟପ୍ରାୟେ ତାହା

ନିଦ୍ରାର ଅନ୍ତେ ହୁଏ ମାୟା

।।

ଏହାଙ୍କ ନିତ୍ୟାନିତ୍ୟ ପଥେ

ପଣ୍ଡିତ ନ ଘେନନ୍ତି ଚିତ୍ତେ

।।

କର୍ମ ଅନ୍ୟଥା କେ କରି

ଯାହା ନ ଜାଣେ ବ୍ରହ୍ମାଶିବ

।।

ଶୁଣ କହିବା ପୂର୍ବବାଣୀ

ମୁଁ ଯେ ବାଳକ ଅଛି ଶୁଣି

।।

ଲୁବ୍‌ଧକ ପକ୍ଷୀଙ୍କ ମରଣେ

ଦିନେ ପଶିଲା ଘୋର ବନେ

।।

ବୁଲଇ ହସ୍ତେ ପାଶ ନେଇ

ପକ୍ଷୀଙ୍କ କାଳ ପ୍ରାୟ ହୋଇ

।।

ଲତା ଗହଳେ ସେ ପଶିଲା

ଅନ୍ତର ହୋଇଣ ରହିଲା

।।

ଆହାର ଜାଲ ତଳେ ଥୋଇ

ଲୁଚିଲା ଲତା ମଧ୍ୟେ ଯାଇ

।।

କୁଲିଙ୍ଗ ପକ୍ଷୀ ପତ୍ନୀ ମେଳେ

ବସି ଯେ ଥିଲା ବୃକ୍ଷଡାଳେ

।।

ଆହାର ଦେଖି ଜାଲ ତଳେ

ପଶିଲା କୁଲିଙ୍ଗ ଚଞ୍ଚଳେ

।।

ଲୁବ୍‌ଧକ ଜାଲ ପାଶେ ଛନ୍ତି

ସେହି ପତ୍ନୀକୁ କଲା ବନ୍ଦୀ

।।

ପତ୍ନୀ ମରଣ ପକ୍ଷୀ ଦେଖି

ତକ୍ଷଣେ ଆସନ ଉପେକ୍ଷି

।।

ଉଚ୍ଚ ବୃକ୍ଷର ଡାଳେ ବସି

ନିର୍ଘାତ ନିଃଶ୍ୱାସ ସାହାସୀ

।।

ଅତି ବିକଳ ଦୁଃଖମନେ

ଲୋତକ ବହଇ ନୟନେ

।।

କର୍ମ ଆଦରି ସତୀ ଚାହିଁ

ବୋଲଇ ରବିକି ଅନାଇଁ

।।

ହା ହା ଦଇବ ତୁ ନିର୍ଦ୍ଦୟ

ମୋର ବିଷୟେ କଲୁ କୋହ

।।

କଷଣ କଲୁ ପତ୍ନୀହୀନେ

ଏ ଦେହ ଧରିବି କେସନେ

।।

ଶରୀର ଅର୍ଦ୍ଧଅଙ୍ଗ ନାରୀ

ଅର୍ଦ୍ଧକେ କେବା ଦେହଧରି

।।

ବାଳକ ଅଛନ୍ତି ମୋ ବାସେ

କି ଘେନିଯିବି ତାଙ୍କ ପାଶେ

।।

କେମନ୍ତେ ପୋଷିବଇଁ ମୁହିଁ

ତାହାଙ୍କ ଦେହ ପକ୍ଷ ନାହିଁ

।।

ବାଳକେ ମୋର ମାତୃହୀନେ

ଜୀବନ ଧରିବେ କେସନେ

।।

ମାତାଙ୍କୁ ଲୋଡ଼ିବେ ନିରତେ

ମୁଁ ତାହା ସହିବି କେମନ୍ତେ

।।

ଏମନ୍ତେ ବୃକ୍ଷଡାଳେ ଥାଇ

ବିକଳେ କୁଲିଙ୍ଗ କାନ୍ଦଇ

।।

ପତ୍ନୀର ଦେହେ ଦେଇ ମନ

କ୍ଷଣ କ୍ଷଣକେ ଅଚେତନ

।।

ଏମନ୍ତେ ବ୍ୟାଧ ବୃକ୍ଷତଳେ

ମିଳିଲା ଚରଣ ନିଶ୍ଚଳେ

।।

ନାରାଚ ବିନ୍ଧି ତାକୁ ମାରି

ମୁଦିଣ ଥୋଇଲା ପଞ୍ଜରୀ

।।

ତହୁଁ ସେ ନିଜପୁର ଗଲା

ଶୁଣ ଗୋ ନୃପତି ଅବଳା

।।

ଆତ୍ମାର ଗତି ତ ନ ଜାଣ

ସୁଜନ ବଚନ ନ ଶୁଣ

।।

ଶତ ବରଷ ଏହିଠାବେ

ରୋଦନ କରୁଥିବ ଯେବେ

।।

ତେବେ କି ଉଠିବ ଶରୀର

କେମନ୍ତ ବିଚାର ତୁମ୍ଭର

।।

ହିରଣ୍ୟକଶିପୁ ଉବାଚ

ବାଳକ ବଚନ ଏମନ୍ତେ

ଶୁଣି ସକଳ ଏକ ଚିତ୍ତେ

।।

ମାୟା ଛାଡ଼ିଲେ ଜ୍ଞାନ ପାଇ

ଉଠିଲେ ଏକୁ ଆରେ ଚାହିଁ

।।

ବୋଲନ୍ତି ମିଥ୍ୟା ଏ ସଂସାର

ଅନିତ୍ୟ ମନୁଷ୍ୟ ଶରୀର

।।

ଯମ ଏ ଉପଦେଶ ଦେଲା

ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା

।।

ତକ୍ଷଣେ ଜ୍ଞାତି ଗୋତ୍ର ମେଳେ

ରାଜାର ପ୍ରେତ କାର୍ଯ୍ୟ କଲେ

।।

ଏଣୁ ମୋ ଅନୁଜ ମରଣେ

ଶୋକ କରିବି କି କାରଣେ

।।

ଏମନ୍ତେ ମାୟାର ସଂସାର

କେ ନିଜ କେବା ଅଛି ପର

।।

ନାରଦ ଉବାଚ

ଏମନ୍ତେ ଶୁଣି ପୁତ୍ର କଥା

ଶୋକ ଛାଡ଼ିଲେ ରାଜମାତା

।।

ପୁତ୍ରବଧୂକୁ ଶାନ୍ତ କରି

ତଥ୍ୟ ବଚନ ମନେ ଧରି

।।

ଦିତି ଛାଡ଼ିଲା ପୁତ୍ର ଶୋକ

ବ୍ରହ୍ମରେ ନିବେଶି ବିବେକ

।।

କହଇ ଦାସ ଜଗନ୍ନାଥ

ସପ୍ତମ ସ୍କନ୍ଧେ ଭାଗବତ

।।

ନାରଦ ମୁନି ଅନୁରାଗେ

କହିଲେ ଧର୍ମ ସୁତ ଆଗେ

।।

ଏ ବାଣୀ ତତ୍ତ୍ୱଜ୍ଞାନ ସାର

ଶୁଣି ସଂସାରୁ ପ୍ରାଣୀ ତର

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେ

ଦିତି ଶୋକପନୋଦନେ ନାମ ଦ୍ୱିତୀୟୋଽଦ୍ୟାୟଃ ।

•••

 

ତୃତୀୟ ଅଧ୍ୟାୟ

ନାରଦ ଉବାଚ

ଶୁଣ ପାଣ୍ଡବ ଚୂଡ଼ାମଣି

ହିରଣ୍ୟକଶିପୁ କାହାଣୀ

।।

ଅନୁଜ ମରଣର ତାପେ

ମନାସି ଯାହା କଲା ତପେ

।।

ହେବି ମୁଁ ଅଜୟ ଅମର

ତପେ ତୋଷିଲେ ବେଦବର

।।

ଗୃହ ଉପେକ୍ଷି ତପ ଅର୍ଥେ

ମିଳିଲା ମନ୍ଦର ପର୍ବତେ

।।

ରହି ପର୍ବତ କ୍ରୋଟ ମଧ୍ୟେ

ତପସ୍ୟା କଲା ଯୋଗ ବାଦେ

।।

ହୋଇବି ତ୍ରିଭୁବନେ ରାଜା

ସର୍ବେ ହୋଇବେ ମୋର ପ୍ରଜା

।।

ଏମନ୍ତ ତୃଷ୍ଣା କରି ମନେ

ରହିଲା ନିଶ୍ଚଳ ଆସନେ

।।

ଉର୍ଦ୍ଧ୍ୱେ ସେ ବେନି କର ତୋଳି

ଗଗନେ ଚାହିଁଲା ନିରୋଳି

।।

ପାଦ ଅଙ୍ଗୁଷ୍ଠି ମହୀ ଚାପି

ଦେହେ ରହିଲା ଶୂନ୍ୟେବ୍ୟାପି

।।

ପିଙ୍ଗଳ ଜଟା ଶିରେ ସାଜେ

ପ୍ରଳୟ ରବି ପ୍ରାୟ ତେଜେ

।।

ତାହାର ଘୋର ତପ ଚାହିଁ

ଶୂନ୍ୟେ ମିଳିଲେ ଦେବେ ଯାଇ

।।

ଶତେ ବରଷ ବେଦମତେ

ତପେ ରହିଲା ଦୃଢ଼ ଚିତ୍ତେ

।।

କ୍ଷୁଧା ପିପାସା କଲା ଦୂର

କେବଳ ପବନ ଆହାର

।।

ତା ମୁଣ୍ଡୁ ଅଗ୍ନି ହୋଇ ଜାତ

ଧୂମରେ ପୂରିଲା ଜଗତ

।।

ସେ ଅଗ୍ନି ଅଧଊର୍ଦ୍ଧ୍ୱେ ବ୍ୟାପେ

ଜଗତ କମ୍ପେ ତାର ତାପେ

।।

ନଦୀ ସମୁଦ୍ର ଦିଗ ପୂରି

କମ୍ପିଲେ ମହାଭୟ କରି

।।

ଗଗନୁ ଗ୍ରହ ତାରା ତ୍ରାସେ

ଖସି ପଡ଼ିଲେ ଦଶ ଦିଶେ

।।

ଦେବେ କମ୍ପିଲେ ତାହା ଦେଖି

ସଭୟେ ସରଗ ଉପେକ୍ଷି

।।

ଭୟେ କମ୍ପିଲେ ଏକେ ଏକେ

ସର୍ବେ ମିଳିଲୋ ବ୍ରହ୍ମଲୋକେ

।।

ବ୍ରହ୍ମା ଚରଣେ ପ୍ରଣମିଲେ

ଅନେକ ମତେ ସ୍ତୁତି କଲେ

।।

ଦେବାଉଚୁଃ

ହେ ଧାତା ଜଗତ ଈଶ୍ୱର

ଆମ୍ଭେ ଯେ ଶରଣ ତୋହର

।।

ଦିତିର ସୁତ ତପ ଚାହିଁ

ସ୍ୱର୍ଗେ ଥିବାର ଶଙ୍କା ପାଇ

।।

ଭୟେ ଅଇଲୁ ତୁମ୍ଭ ପୁର

ଆମ୍ଭଙ୍କୁ ରଖ ବେଦବର

।।

ତୋହର ସୃଷ୍ଟି ସର୍ବ ଲୋକ

ଆମ୍ଭଙ୍କୁ ମହାଭୟୁ ରଖ

।।

ଯେମନ୍ତେ ଲୋକ ନାଶ ନୋହେ

ତେମନ୍ତ କର ତୁ ଉପାୟେ

।।

ଅସୁର ତପ ତୋର ଧ୍ୟାନେ

କିବା ସଂକଳ୍ପ ତାର ମନେ

।।

ଏ କଥା ତୋତେ ନୁହେଁ ଦୂର

ଆମ୍ଭେ ଯେ ତୋହର କିଙ୍କର

।।

ତଥାପି ତୋର ପାଦ ଗତେ

କହିଲୁ ମହାଭୟ ଚିତ୍ତେ

।।

ତୁମ୍ଭେ ଯେ ଘୋର ତପକରି

ପୂର୍ବେ ତୋଷିଲ ନରହରି

।।

ଏଣୁ ଏ ବ୍ରହ୍ମଲୋକେ ସ୍ଥିତି

ପ୍ରଜା ରକ୍ଷଣେ ପ୍ରଜାପତି

।।

ଏ ବଳବନ୍ତ କାଳବଳେ

ଏ ଘୋର ସମାଧି ନିଶ୍ଚଳେ

।।

ଅନେକ ଜନ୍ମ କରି ତପ

ସାଧ୍ୟ କରିବ ତିନିଲୋକ

।।

ଏବେ ବିଚାରି ସତ୍ୟଲୋକେ

ତୁମ୍ଭେ ରହିଲ ଆତ୍ମସୁଖେ

।।

ବ୍ରହ୍ମାଣ୍ଡ ସୃଜିବାର ଅର୍ଥେ

ଶ୍ରେୟ ବିଭୁତି ନାମ ଯୁକ୍ତେ

।।

ଏମନ୍ତ ଦେବ ବାକ୍ୟ ଶୁଣି

ସଙ୍ଗତେ ଭୃଗୁ ଦକ୍ଷ ଘେନି

।।

ଅପର ଯେତେ ବ୍ରହ୍ମମୁନି

ସଙ୍ଗତେ ଘେନି ପଦ୍ମଯୋନି

।।

ଆତ୍ମାକୁଶଳ ମନେ ଭାଳି

ଦୈତ୍ୟର ତପସ୍ଥାନେ ମିଳି

।।

ଦେଖିଲେ ଅସୁର ଶରୀର

ସ୍ୱଭାବେ ଅତି ଭୟଙ୍କର

।।

ତପ ସାଧନେ କ୍ଷୀଣକାୟ

ମାଂସ ଶୋଣିତ ଶୁଷ୍କ ପ୍ରାୟ

।।

କେବଳ ଅସ୍ଥି ଚର୍ମ ଅଛି

ବଲ୍ମୀକେ ବ୍ୟାପିତ ହୋଇଛି

।।

ତାହାର ତପେ ଅତିରେକେ

ହେଲେ ତାପିତ ତିନି ଲୋକେ

।।

ଦେହ ନ ଦିଶେ ଗୁଳ୍ମ ତୃଣେ

ମେଘ ଆବୃତ ରହି ଯେହ୍ନେ

।।

ଏମନ୍ତ ଅସୁରର ଗତି

ଦେଖି ବିସ୍ମିତ ପ୍ରଜାପତି

।।

ଆରୋହି ନିଜ ହଂସ ଯାନ

ସହାସ୍ୟେ କହିଲେ ବଚନ

।।

ବ୍ରହ୍ମୋବାଚ

ଉଠ ହେ କଶ୍ୟପ କୁମର

ହୋଇଛି ତପ ସିଦ୍ଧି ତୋର

।।

ତୋହର ତପ କଷ୍ଟ ଦେଖି

ଅଇଲି ସ୍ୱପୁର ଉପେକ୍ଷି

।।

ତୋହର ବରଦାତା ମୁହିଁ

ବାଞ୍ଚିତ ବର ମାଗ ତୁହି

।।

ତପେ ତୋ ପରି ସ୍ଥିର ମତି

କେ ଅବା ଭୁବନେ ଅଛନ୍ତି

।।

ଅଦ୍ଭୁତ ଦେଖିଲି ମୁଁ ତୋତେ

ତୋ ସମ ନାହିଁ ଏ ଜଗତେ

।।

ପ୍ରାଣ ଅଛଇ ଅସ୍ଥି ଗତେ

ଧ୍ୟାନ ତୋହର ଅନ୍ତର୍ଗତେ

।।

ପୂର୍ବେ ଯେ ଥିଲେ ମୁନି ଜନେ

ତପ ଆଚରି ଏ ଭୁବନେ

।।

ତୋହରି ପ୍ରାୟେ ସେ ନୁହନ୍ତି

ନିରମ୍ବୁ ଭକ୍ଷଣେ ଜୀଅନ୍ତି

।।

ଶତ ବରଷ ବେଦ ମତେ

ତପ ସାଧିବ ଏକ ଚିତ୍ତେ

।।

ଭୂତ ଭବିଷ୍ୟ ବର୍ତ୍ତମାନେ

ଦେଖିଲି ନାହିଁ ତ୍ରିଭୁବନେ

।।

ଦୁସ୍ତର ତପ ଏ ତୋହର

ମନୁଷ୍ୟ ଲୋକେ ଆଗୋଚର

।।

ଏ ତପ ନିଷ୍ଠା ଦୃଢ଼ ମତେ

ସ୍ୱଭାବେ ଜିଣିଲୁ ତୁ ମୋତେ

।।

ଏଣୁ ତୋ ତପ ଦୃଢ଼ ଦେଖି

ଅଇଲି ସରଗ ଉପେକ୍ଷି

।।

ହେଲି ସନ୍ତୁଷ୍ଟ ତପେ ତୋର

ମାଗିଲେ ଦେବି ଇଷ୍ଟବର

।।

ଦର୍ଶନ ଦେବଲୋକଙ୍କର

ନିଷ୍ପଳ ନୁହଇ ଜନର

।।

ନାରଦ ଉବାଚ

ଏମନ୍ତ କହି ତାଙ୍କୁ ବାଣୀ

ଦୟାସାଗର କୁଶପାଣି

।।

ତକ୍ଷଣେ କମଣ୍ଡଳୁ କରେ

ଜଳ ସିଞ୍ଚିଲେ ତା ଉପରେ

।।

କୀଟ ବଲ୍ମୀକ ତାର ଦେହୀ

ତକ୍ଷଣେ ଦିବ୍ୟ ଜଳ ପାଇ

।।

ସର୍ବ ସଂପୂର୍ଣ୍ଣ କଳେବର

ବଜ୍ରହୁଁ କଠିନ ଶରୀର

।।

ଯୁବା ବୟସ ସୁଗଠନ

ଯୁବତୀ ମନ ବିମୋହନ

।।

ତପ୍ତ କାଞ୍ଚନ ପ୍ରାୟ ଦେହୀ

ତେଜେ ଅନଳ ରୂପ ବହି

।।

ଲୋଚନ ଘଷି ଦଶ ଦିଗେ

ଚାହିଁ ଦେଖିଲା ଶୂନ୍ୟମାର୍ଗେ

।।

ହଂସ ବାହନେ ବ୍ରହ୍ମା ଚାହିଁ

ନମିଲା ଶିର ତଳେ ନେଇ

।।

ବ୍ରହ୍ମାଙ୍କ ଦର୍ଶନ ଉତ୍ସବେ

ନିଷ୍ଠୁର ତପର ପ୍ରଭାବେ

।।

କର ଅଞ୍ଜଳି ଶିରେ ଦେଇ

ହରଷେ ଲୋମ ପୁଲକର

।।

ଆନନ୍ଦେ ଅଶ୍ରୁ ଗଦଗଦେ

ସ୍ତୁତି କରଇ ପଦ୍ମ ପାଦେ

।।

 

ହିରଣ୍ୟକଶିପୁ ଉବାଚ

ନମସ୍ତେ ପ୍ରଭୁ ବେଦପତି

ତ୍ରିଲୋକେ ତୋହର କୀରତି

।।

କଳ୍ପ ଅନ୍ତରେ କାଳବଳେ

ଘୋର ଅନ୍ଧାର ଏ ଶୟଳେ

।।

ନିଜ ଶରୀର ତୋର ତେଜେ

ଜଗତେ ଯେ ପ୍ରଭୁ ବିରାଜେ

।।

ଆତ୍ମା ତ୍ରିଗୁଣ ମାୟା ଘୋରେ

ସର୍ଜ୍ଜଇ ପାଳଇ ସଂହାରେ

।।

ଏଣୁ ତ୍ରିଗୁଣ ଏ ଜଗତେ

ପରାୟେ ମହତ ସମସ୍ତେ

।।

ଜ୍ଞାନ ବିଜ୍ଞାନ ଆଦିକରି

ନମସ୍ତେ ଜୀବ ଶକ୍ତିଧାରୀ

।।

ପ୍ରାଣ ଇନ୍ଦ୍ରିୟ ମନ ବୁଦ୍ଧି

ବିକାର ବ୍ୟକ୍ତ ଯେ ପ୍ରସିଦ୍ଧି

।।

ଜଗତ କଳ୍ପନା ସ୍ୱରୂପୀ

ଜୀବକୁ ମାୟା ରୂପେ ବ୍ୟାପି

।।

ପ୍ରଜାପତିଙ୍କ ପ୍ରଜା ହେଉ

ଇନ୍ଦ୍ରିୟ ଇନ୍ଦ୍ରିୟେ ବନ୍ଧାଉ

।।

ତୁ ମହାଭୂତ ଗୁଣଚୟ

ସକଳ ସ୍ତୁତି ଗୁଣମୟ

।।

ତ୍ରିଦେବ ରସ ସପ୍ତ ତନ୍ତ୍ର

ଚତୁର ହୋମ ମୂଳମନ୍ତ୍ର

।।

ଆମ୍ଭର ଆତ୍ମା ତୁ ଅନାଦି

ଅନନ୍ତ ଅପ୍ରମେୟ ବାଦୀ

।।

ତୁ ନାଥ ଅନିମିଷ କାଳ

ହରୁ ପ୍ରାଣୀଙ୍କ ଆୟୁବଳ

।।

ନିଃଶେଷେ ଆଦି ରୂପ ତୋର

ତେଣୁ ପ୍ରାଣୀଙ୍କ ଆୟୂ ହର

।।

ତୋର ସର୍ଜ୍ଜିତ ଏ ଜଗତ

ତୁ କରୁ ଆତ୍ମାରୂପ ସ୍ଥିତ

।।

ତୁ ପରମେଷ୍ଠୀ ମହାଶୟ

ଜୀବ ଲୋକର ଜୀବନ ଦେହ

।।

ତୋ ତହୁଁ ଅନେକ ଜଗତେ

ପର ଅପରଛନ୍ତି ଯେତେ

।।

ସଂସାରେ ବିଦ୍ୟା କଲ ଯେତେ

ତୋର ଶରୀର ଏ ନିୟତେ

।।

ବ୍ରହ୍ମାଣ୍ଡ ତୋର ମନୁ ଜାତ

ତୁ ଦେବ ତ୍ରିପୁରର ନାଥ

।।

ଜଗତ ରୂପେ ତୋର ଦେହୀ

ମନ ଇନ୍ଦ୍ରିୟ ଗୁଣଗ୍ରାହୀ

।।

ପ୍ରାଣ ଧାରଣେ ଏହାଙ୍କର

ତୋର ବିକୃତ କଳେବର

।।

ପରମ ପଦ ତୋର ପାଶ

ଏହାକୁ କିମ୍ପା କରୁ ତ୍ରାସ

।।

ଅବ୍ୟକ୍ତ ଆତ୍ମା ତୁ ନିର୍ମାଣ

ତୁ ନାଥ ପୁରୁଷ ପୁରାଣ

।।

ଅନନ୍ତ ଅବ୍ୟୟ ଶରୀରେ

ତୁ ନାଥ ବ୍ରହ୍ମାଣ୍ଡ ଭିତରେ

।।

ଚିତ୍ତ ଅଚିତ୍ତ ମୁକ୍ତି ତ୍ୟକ୍ତ

ନମସ୍ତେ ପ୍ରଭୁ ଭାଗବତ

।।

ଯେବେ ତୁ ବର ଦେବୁ ମୋତେ

ଶୁଣ କହିବି ତୋ ଅଗ୍ରତେ

।।

ତୋର ସୃଜିତ ସୃଷ୍ଟି ଯେତେ

ଏ ରୂପେ ଅଛନ୍ତି ଜଗତେ

।।

ତାହାଙ୍କ ହସ୍ତେ ନ ମରିବି

ଅଜରାମର ହୋଇଥିବି

।।

ନର ଅଥବା ପଶୁ ହସ୍ତେ

ଅପର ରଜନୀ ଦିବସେ

।।

ନାନା ଆୟୁଧଛନ୍ତି ଯେତେ

କେବେହେଁ ନ କାଟିବ ମୋତେ

।।

ଉରଷେ ନ ମାରିବେ ମୋତେ

ନମରି ଭ୍ରମି ଶୂନ୍ୟପଥେ

।।

ଜୀବେ ଅଜୀବେ ନ ମରିବି

ନିତ୍ୟେ ନିର୍ଭୟେ ମୁଁ ବଞ୍ଚିବି

।।

ସୁର ଅସୁର ଶସ୍ତ୍ରାଘାତେ

ବିୟୋଗ ନ କରିବେ ମୋତେ

।।

ସମରେ ମୋର ତୁଲେ ବଳେ

କେହି ନ ଥିବେ ଏ ଶୟଳେ

।।

ହୋଇବି ତ୍ରିଭୁବନେ ରାଜା

ସର୍ବେ କରିବେ ମୋତେ ପୂଜା

।।

ଦିଗପାଳଙ୍କ ମଧ୍ୟଗତେ

ମୋ ଦୃଢ଼ ଯୋଗଫଳ ଜାତେ

।।

କେବେହେଁ ବଂଶ ନାଶ ନାହିଁ

ଏ ବର ମାଗୁଅଛି ମୁହିଁ

।।

ଏମନ୍ତ ବ୍ରହ୍ମାର ସମ୍ମୁଖେ

ବର ମାଗିଲା ଆତ୍ମା ସୁଖେ

।।

କହଇ ଦାସ ଜଗନ୍ନାଥ

ସପ୍ତମସ୍କନ୍ଧେ ଭାଗବତ

।।

ନାରଦ ଯୁଧିଷ୍ଠିର ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ହିରଣ୍ୟକଶିପୁ ତପ ଆରାଧନେ

ନାମ ତୃତୀୟୋଽଧ୍ୟାୟଃ ।

•••

 

Unknown

ଚତୁର୍ଥ ଅଧ୍ୟାୟ

ନାରଦ ଉବାଚ

ଶୁଣ ରାଜନ ସ୍ଥିର ଚିତ୍ତେ

କହିଲୁ ଯାହା ତୋ ଅଗ୍ରତେ

।।

ତପେ ହିରଣ୍ୟକଶିପୁର

ସନ୍ତୁଷ୍ଟ ହୋଇ ବେଦବର

।।

ବର ପ୍ରାର୍ଥନା ତାର ଶୁରି

କହିଲେ ଏସନ ବଖାଣି

।।

ବ୍ରହ୍ମୋବାଚ

ଶୁଣ ହେ ଅସୁର ପୁଙ୍ଗବ

ତୋହର ଜନ୍ମ ଏ ଦୁର୍ଲ୍ଲଭ

।।

ଯେତେ ମାଗିଲୁ ବର ମୋତେ

ପ୍ରାଣୀଙ୍କୁ ଦୁର୍ଲ୍ଲଭ ଜଗତେ

।।

ତୋହର ତପେ ତୋଷ ହୋଇ

ଦେବି ଅନ୍ୟଥା ଏଥେ ନାହିଁ

।।

ହେଉ ତୋ ମନବାଞ୍ଛା ସିଦ୍ଧି

ଏମନ୍ତ କହି ବେଦନିଧି

।।

ତକ୍ଷଣେ ଗଲେ ଅନ୍ତର୍ଦ୍ଧାନେ

ମିଳିଲେ ଆପଣା ଭୁବନେ

।।

ଏମନ୍ତେ ବ୍ରହ୍ମା ବର ପାଇ

ସୁବର୍ଣ୍ଣମୟ ତନୁ ବହି

।।

ଅନୁଜ ବଧ ମନେ ଚିନ୍ତି

ବିଦ୍ୱେଷ କଲା ବିଷ୍ଣୁ ପ୍ରତି

।।

ବଳେ ଜିଣିଲା ଦଶ ଦିଶ

ତିନି ଭୁବନ କଲା ବଶ

।।

ଦେବ ଅସୁର ନୃପ ସର୍ବ

ଉରଗ ଗରୁଡ଼ ଗନ୍ଧର୍ବ

।।

ସିଦ୍ଧ ଚାରଣ ବିଦ୍ୟାଧର

ଋଷି ପିତର ମୁନିବର

।।

ପିଶାଚ ଯକ୍ଷ ରକ୍ଷଗଣ

ଭୂତ ବେତାଳ ରୂଦ୍ରଗଣ

।।

ସକଳ ପ୍ରାଣୀ ଦର୍ପ ହରି

ବିଶ୍ୱ ସଂହାର ବଶ କରି

।।

ଦିଗ ପାଳଙ୍କ ଘରୁ ଆଣି

ଅମୁଲ୍ୟ ଧନ ରତ୍ନ ମଣି

।।

ସ୍ଵର୍ଗ ଭୁବନେ ସ୍ଥାନ ଯେତେ

ଦେବଙ୍କ ଉଦ୍ୟାନ ସହିତେ

।।

ସକଳ ବଳେ ଆବୋରିଲା

ଇନ୍ଦ୍ର ଭୁବନେ ବିଜେକଲା

।।

ବିଶ୍ଵକର୍ମାର ଶିଳ୍ପ ଯହିଁ

ତ୍ରିଲୋକେ ପଟାନ୍ତର ନାହିଁ

।।

ତ୍ରୈଲୋକ୍ୟ ଲକ୍ଷ୍ମୀ ଯହିଁ ବସେ

ଅଶେଷ ସମ୍ପଦ ପ୍ରକାଶେ

।।

ମର୍କତ ଭୁବି ଯହିଁ ସାଜେ

ପ୍ରବାଳ ପାବଚ୍ଛ ବିରାଜେ

।।

ସ୍ପଟିକ ପାଚେରୀ ଆରମ୍ଭ

ନିର୍ମିତ ବଇଡ଼ର୍ଯ୍ୟ ସ୍ତମ୍ଭ

।।

ଉପରେ ବିଚିତ୍ର ବସନ

ମାଣିକ୍ୟ ଘଟିତ ଆସନ

।।

ଦିବ୍ୟ ଆସନ ହେମମୟ

ଦିଶଇ ଦୁଗ୍‍ଧ ଫେନ ପ୍ରାୟ

।।

ଲମ୍ବିଛି ମୁକୁତାର ଝରା

ସୁବର୍ଣ୍ଣ ପୁଷ୍ପ କେରା କେରା

।।

ଦିବ୍ୟ କାମିନୀ ଗଣ ତହିଁ

ଚଳନ୍ତି ଇତଃସ୍ତତ ହୋଇ

।।

ଚରଣେ ନୂପୁର ବାଜଇ

ରତ୍ନ ମେଖଳା ବିରାଜଇ

।।

ବୁଲନ୍ତି ରତ୍ନମୟ ସ୍ଥଳେ

ଦେଖନ୍ତି ସ୍ୱମୁଖ କମଳେ

।।

ଏମନ୍ତେ ଇନ୍ଦ୍ରର ଭୁବନେ

ଅସୁର ବସେ ତୋଷ ମନେ

।।

ତିନି ଭୁବନେ ଏକ ରାଜା

ଦେବେ କରନ୍ତି ପାଦ ପୂଜା

।।

ପ୍ରଚଣ୍ଡ ତେଜେ ଆଜ୍ଞା କରେ

ଯଥେଷ୍ଟ ଖେଳେ ଇନ୍ଦ୍ରପୁରେ

।।

ସୁଗନ୍ଧ ମଦ୍ୟପାନ କଲା

ସ୍ୱଭାବେ ବିକୃତି ହୋଇଲା

।।

ତମ୍ବାର ପ୍ରାୟ ଚକ୍ଷୁ ଜ୍ଵଳେ

ଦେବେ ମିଳିଲେ ପାଦତଳେ

।।

ହସ୍ତରେ ଘେନି ଉପାୟନ

ଦିଶନ୍ତି ଅରକ୍ଷ ଯେସନ

।।

ସ୍ୱଭାବେ ତପ ତେଜବଳ

ଥିବାରୁ ଦିଶଇ ଉତ୍କଳ

।।

ସର୍ବ ଦେବତା ତାର ପାଶେ

ଖଟନ୍ତି ଜୀବନର ଆଶେ

।।

ବିଧାତା ବିଷ୍ଣୁ ମହେଶ୍ଵର

ଏ ତ ରହିଲେ ନିଜ ପୁର

।।

ଏହାଙ୍କୁ ଛାଡ଼ି ସର୍ବ ଦେବା

ତାର ଚରଣେ କଲେ ସେବା

।।

ଇନ୍ଦ୍ର ଆନେ କରି ବିଜେ

ଇନ୍ଦ୍ରହୁଁ ଅଧିକ ବିରାଜେ

।।

ଗନ୍ଧର୍ବ ମିଳି ତା ଚରଣେ

ସଙ୍ଗତେ ଅପସରା ଗଣେ

।।

ନାରଦ ବିଶ୍ଵାବସୁ ପୁଣ

ତୁମ୍ଭରୁ ତୋଷିଲେ ଗାଇଣ

।।

ମିଳିଲେ ସିଦ୍ଧ ଋଷିଗଣେ

ସଂଭ୍ରମେ ଅସର ଚରଣେ

।।

ସ୍ତୁତି କରନ୍ତି ମୁନିଗଣେ

ଗନ୍ଧର୍ବେ ନୃତ୍ୟନ୍ତି ଚରଣେ

।।

ବ୍ରାହ୍ମଣ ଆଦି ଚାରିବର୍ତ୍ତେ

ସର୍ବ ଆଶ୍ରମ ଯୁକ୍ତ କର୍ମେ

।।

ପୂଜନ୍ତି ପିତୃଦେବ ଯଜ୍ଞେ

ତାର ଚରଣେ ହବିର୍ଭାଗେ

।।

ସପତ ଦ୍ୱୀପେ ମହୀତଳେ

ବିନା ବର୍ଷଣେ ଶସ୍ୟ ଫଳେ

।।

ଫୁଲ ଫଳରେ ଭୂମିପୂରି

ହୋଇଲା କାମଧେନୁ ସରି

।।

ଏମନ୍ତ ବେଳେ ନଭସ୍ଥଳ

ଦିଶଇ ଅତ୍ୟନ୍ତ ସୁଢ଼ଳ

।।

ସମୁଦ୍ର ରତ୍ନ ଆଣି ଦ୍ୟନ୍ତି

ନଦୀଏ ଅଳ୍ପ ଉଛୁଳନ୍ତି

।।

ଲବଣ ଇକ୍ଷୁ ସୁରା ଘୃତ

ଦଧି ଦୁଗ୍‌ଧରେ ସେ ପୂରିତ

।।

ପର୍ବତ ଦ୍ରୋଣୀକ୍ରୀଡ଼ା ଠାବ

ସକଳ ଋତୁ ପୂର୍ଣ୍ଣ ନଭ

।।

ଦିଗପାଳଙ୍କ ଗଣ ଯେତେ

ରହିଲେ ଅସୁର ଆଶ୍ରିତେ

।।

ଅସୁର ଦଶଦିଗ ଜିଣି

ସପତ ଦ୍ୱୀପେ ନୃପମଣି

।।

ସକଳ ଭୋଗ୍ୟ ଭୋଗ କଲା

କେବେହେଁ ସନ୍ତୋଷ ନୋହିଲା

।।

ଉଗ୍ର ତପସ୍ୟା ଯୋଗୁ ସେହି

ବିଶେଷେ ଗର୍ବକୁ ବହଇ

।।

ଐଶ୍ଵର୍ଯ୍ୟ ମଦେ ମତ୍ତ ହୋଇ

ଈଶ୍ଵର ବାକ୍ୟ ନ ମାନଇ

।।

ଏଣେ ଅନେକ କାଳ ଗଲା

ସନକ ଶାପେ ଅନର୍ଗଳା

।।

ତାହାର ଉଗ୍ରଦଣ୍ଡ ଦେଖି

ତ୍ରିଦଶେ ଭୂବନ ଉପେକ୍ଷି

।।

ଅନ୍ୟତ୍ର ଶରଣ ନ ପାଇ

ସକଳ ଦେବ ରୁଣ୍ଡ ହୋଇ

।।

ଭାଳନ୍ତି ଦଶ ଦିଗ ଚାହିଁ

କାହିଁ ଦେଖିବୁ ଭାବଗ୍ରାହୀ

।।

ଯେ ଦିଗେ ଛନ୍ତି ଚକ୍ରଧର

ତହିଁକି କରି ନମସ୍କାର

।।

ନିର୍ମଳ ଯୋଗୀ ଜନେ ଯହିଁ

ଗଲେ ପୁନରାଗମ ନାହିଁ

।।

ଏମନ୍ତ ଏକ ମନେ ଭାଳି

କ୍ଷୀର ସମୁଦ୍ର ତୀରେ ମିଳି

।।

ଉନିଦ୍ର ପବନ ଭୋଜନ

ଡାକନ୍ତି ରଖ ଭଗବାନ

।।

ଅନେକ ମତେ କରି ସ୍ତୁତି

ଜଳଧି ତଟେ ସେ ଭ୍ରମନ୍ତି

।।

ମସ୍ତକେ ଦେଇ ବେନିକର

ଡାକନ୍ତି ରଖ ଚକ୍ରଧର

।।

ମହାପୁରୁଷ ଭଗବାନ

ପରମ ଆତ୍ମା ନିରଞ୍ଜନ

।।

ବିଶୁଦ୍ଧ ଆତ୍ମାର ସମୂହ

ନମସ୍ତେ ପ୍ରଭୁ ଦିବ୍ୟ ଦେହ

।।

ଏମନ୍ତ ଦେବସ୍ତୁତି ଭଣି

କହଇ ପ୍ରଭୁ ଚକ୍ରପାଣି

।।

ମେଘ ଗମ୍ଭୀର ପ୍ରାୟ ସ୍ଫୁରେ

ସାଧୁଜନଙ୍କ ଦୁଃଖ ହରେ

।।

ଭୟ ନ କର ଦେବଗଣ

ତୁମ୍ଭର ହୋଇବ କଲ୍ୟାଣ

।।

ମୋହର ଦରଶନ ଲାଭ

ଅଶେଷ ସମ୍ପଦ ସମ୍ଭବ

।।

ପାପୀ ଅସୁର ଦୁଷ୍ଟପଣେ

ଭୟ କରାଏ ଦେବଗଣେ

।।

ଆଉ ନ କର ତୁମ୍ଭେ ଭ୍ରାନ୍ତି

ଏ ଭୟ କରିବି ମୁଁ ଶାନ୍ତି

।।

ଅଳପ କାଳ ଦୁଃଖ ସହ

ନାଶିବି ତୁମ୍ଭର ସନ୍ଦେହ

।।

ଏ ଯେବେ ଦେବଙ୍କୁ ନିନ୍ଦିବ

ଗୋରୁ ବ୍ରାହ୍ମଣ ଏ ନାଶିବ

।।

ସାଧୁଜନଙ୍କୁ ଦୁଷ୍ଟପଣେ

ଯେବେ ହିଂସିବ ଅକାରଣେ

।।

ମୋରେ କରିବ ରିପୁ ଭାବ

ତେବେ ଏ ବେଗେ ନାଶଯିବ

।।

ଏବେ ଏହାର ନିଜ ସୁତ

ହୋଇବ ବିଷ୍ଣୁର ଭକତ

।।

ସମରଦଶୀ ସାଧୁ ଧୀର

ପ୍ରହଲାଦ ନାମ ତାହାର

।।

ତାହାକୁ ଯେବେ ଏ ଲଙ୍ଘିବ

କୋପେ ଅନେକ ଦୁଃଖଦେବ

।।

ତାହାକୁ ସଙ୍କଟୁ ରଖିବି

ବ୍ରହ୍ମାର ବର ବିନାଶିବି

।।

ନାରଦ ଉବାଚ

ଏମନ୍ତ ବିଷ୍ଣୁ ବାଣୀ ଶୁଣି

ଦେବେ ନମିଲେ ଚକ୍ରପାଣି

।।

ଗୋବିନ୍ଦ ଚରଣେ ବିଶ୍ଵାସ

ଜାଣିଲେ ନିଶ୍ଚ ଯିବ ନାଶ

।।

ବିଷ୍ଣୁଙ୍କ ପାଦ ପଦ୍ମ ନମି

ଚଳିଲେ ଦେବ ନିଜଭୂମି

।।

ଏବେ ହୋ ଶୁଣ ଧର୍ମସୁତ

ଭକତ ପ୍ରହ୍ଲାଦ ଚରିତ

।।

ଯାହା ଶୁଣନ୍ତେ ପ୍ରାଣୀ ଦେହେ

ଅଶେଷ ଦୁରିତ ନ ରହେ

।।

ହିରଣ୍ୟକଶିପୁର ଘରେ

ତାହାର ପତ୍ନୀର ଉଦରେ

।।

ଜନ୍ମ ହୋଇଲେ ଚାରି ସୁତ

ଶୁଣ ପ୍ରହଲାଦ ଚରିତ

।।

ପ୍ରହଲାଦ ତାହାଙ୍କ ମଧ୍ୟେ

ବିଷ୍ଣୁ ଭଜିଲା ଚିତ୍ତ ଶୁଦ୍ଧେ

।।

ଗୁଣେ କି ଦେବା ପଟାନ୍ତର

ବିଷ୍ଣୁ ଭକତ ମଧ୍ୟେ ବର

।।

ସତ୍ୟ ସମ୍ପନ୍ନ ଶୀଳ ଗୁଣେ

ସେବଇ ବିଷ୍ଣୁଙ୍କ ଚରଣେ

।।

ସର୍ବ ଭୂତଙ୍କ ମଧ୍ୟେ ପ୍ରିୟ

ସ୍ୱଭାବେ ନିବୃତ ଇନ୍ଦ୍ରିୟ

।।

ସନ୍ଥ ଚରଣେ ଦାସ ପ୍ରାୟେ

ଦୁଃଖୀକୁ ଭଜେ ପିତା ସ୍ନେହେ

।।

ସମ ବୟସ ସ୍ନେହ ମୟେ

ଗୁରୁଙ୍କୁ ସେବେ ଦାସ ପ୍ରାୟେ

।।

ଅସୁର ବଂଶେ ଜାତ ହୋଇ

ଅସୁର ଭାବ ହୃଦେ ନାହିଁ

।।

ବିପଦେ ଧୀର ଭାବ ବହି

ସମସ୍ତ ନଶ୍ୱର ଭାବଇ

।।

ଇନ୍ଦ୍ରିୟ ବଦ୍ଧି ଜୟ କରି

ଶାନ୍ତ ଭାବରେ ଦେହ ଧରି

।।

ହରି ଭଜନେ ତାର ମନ

ନିଶ୍ଚଳେ ରହେ ସବଦିନ

।।

ତାହାର ମହାଗୁଣ ମାନ

ମୁନି କହନ୍ତି ପୁଣ ପୁଣ

।।

ସେ ପୁଣି ବିଷ୍ଣୁର ବିଷୟେ

ଲକ୍ଷିତ ଅଲକ୍ଷିତ ରୁହେ

।।

ଶତ୍ରୁକୁ ଶତୁ ପରଶଂସେ

ଯାର ମହିମା ବିଷ୍ଣୁ ଅଂଶେ

।।

ତାହାକୁ ସାଧୁଗଣ ମଧ୍ୟେ

କେବା ନ ଗଣେ ଅପ୍ରମାଦେ

।।

ଯାର ମହିମା ମୁନିଗଣେ

ଚିତ୍ତେ ଭାବନ୍ତି ଅନୁକ୍ଷଣେ

।।

ସ୍ଵଭାବେ ତାର ଶୁଦ୍ଧମତି

ହରି ଚରଣେ ନିତ୍ୟ ରତି

।।

ବାଳକ ସଙ୍ଗେ କ୍ରୀଡ଼ା କରେ

କ୍ରୀଡ଼ା କନ୍ଦୁକ ନ ସୁମରେ

।।

ଜଡ଼ଙ୍କ ପ୍ରାୟ ହୋଇ ଖେଳେ

ଚିତ୍ତ ଗୋବିନ୍ଦ ପାଦ ତଳେ

।।

ନ ଥାଏ ତାର ସଂଜ୍ଞା ଦେହେ

କୃଷ୍ଣେ ଆବିଷ୍ଟ ହୋଇଥାଏ

।।

ମନ ତା ଗୋବିନ୍ଦ ଚରଣେ

ସଂସାର ଗୁଣ ସେ ନ ଜାଣେ

।।

ଜାଗ୍ରତେ ଶୟନେ ଭୋଜନେ

ଗମନେ କିବା ଜଳପାନେ

।।

ଗୋବିନ୍ଦ ପାଦେ ଚିତ୍ତ ଥାଇ

ବିଷୟା ରସେ ଜ୍ଞାନ ନାହିଁ

।।

ବିଷ୍ଣୁ ଚରଣ ଚିନ୍ତି ବୁଲେ

ଯେ ଅବା ବୋଲେ ଯେତେବେଳେ

।।

ଊର୍ଦ୍ଧ୍ୱେ ଉତ୍କଣ୍ଠେ ନାଦ ସ୍ଫୁରେ

ନିର୍ଲଜ ପ୍ରାୟ ନୃତ୍ୟ କରେ

।।

କାନ୍ଦି ହସଇ ଉଚ୍ଚ ନାଦେ

ବିଷ୍ଣୁଙ୍କୁ ଭଜଇ ଆନନ୍ଦେ

।।

ନିର୍ମଳ ଭାବେ ଭକ୍ତି ପୂରେ

ବିଷ୍ଣୁ ଚେଷ୍ଟାରେ ମତିଭୋଳେ

।।

ବିଷ୍ଣୁର ନାମ ମୁଖେ ଭଜି

ପୁଲକ କରି ରୋମ ରାଜି

।।

ଆନେନ୍ଦେ ଅଶ୍ରୁ ଝର ଝର

ନିରତେ ବହେ ଚକ୍ଷୁଦ୍ଵାର

।।

ବିଷ୍ଣୁ ଚରଣେ ଭାବ ଭୋଳେ

ରମଇ ଅକିଞ୍ଚନ ମେଳେ

।।

ଆତ୍ମା ନିବୃତ୍ତି ଅନୁକ୍ଷଣେ

ବିଷୟ ସଙ୍ଗେ ଦୁଃଖମଣେ

।।

ଏମନ୍ତେ ପୁତ୍ରର ବିଷୟେ

ହିରଣ୍ୟକଶିପୁ ନିର୍ଦ୍ଦୟେ

।।

ଦେଲା ସେ ପୀଡ଼ା ଅତିରେକେ

କେ ସହି ପାରେ ନରଲୋକେ

।।

ଯୁଧିଷ୍ଠିର ଉବାଚ

ହେ ଦେବରଷି ସତ୍ୟବ୍ରତ

ତୁମେ କହିଲ ଅଦଭୁତ

।।

ନିଜ ପୁତ୍ରକୁ ପିତା ଯେବେ

ଦଣ୍ଡିଲା ଶତ୍ରୁଜନ ଭାବେ

।।

ସେ ଶୁଦ୍ଧ ଚିତ୍ତ ପ୍ରହଲାଦ

କିମ୍ପା ପଡ଼ିଲା ଏ ପ୍ରମାଦ

।।

କୁପୁତ୍ର ପଣ ଯେ କରନ୍ତି

ପିତାକୁ ରିପୁ ପ୍ରାୟ ଚିନ୍ତି

।।

ତାର କୁଶଳ ଶିକ୍ଷା ଅର୍ଥ

ପିତା ଚିନ୍ତଇ ଅବିରତେ

।।

ଏ ପୁତ୍ର ପିତା ଅନୁଚର

ସ୍ଵଭାବେ ଶୁଦ୍ଧ ସାଧୁ ଧୀର

।।

ଏହାଙ୍କୁ କିମ୍ପା ଦୁଃଖ ଦେଲା

ମୋତେ ତ ସନ୍ଦେହ ଲାଗିଲା

।।

ଯେ ପିତା ପୁତ୍ରେ ଦିଏ ଦୁଃଖ

ଏ କଥା ମରଣୁ ଅଧିକ

।।

ଏଣୁ ଦୁଃଖିତ ମୋର ମନ

କହ ହେ ବ୍ରହ୍ମାର ନନ୍ଦନ

।।

ଏମନ୍ତ ଧର୍ମ ସୁତ ବାଣୀ

ନାରଦ ସଭା ମଧ୍ୟେ ଶୁଣି

।।

କୃଷ୍ଣ ଚରଣେ ଦେଇ ଚିତ୍ତ

କହିଲେ ବିଷ୍ଣୁର ଚରିତ

।।

ସେ ବ୍ରହ୍ମମୁନିଙ୍କ ଚରଣେ

ସୁଜନ ମନ ଅନୁକ୍ଷଣେ

।।

ସୁଜନ ହିତେ ଭାଗବତ

ଭାଷା ପ୍ରବନ୍ଧେ କଲି ଗୀତ

।।

ସପ୍ତମ ସ୍କନ୍ଧେ ଭାଗବତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବିଷ୍ଣୁ ପ୍ରସନ୍ନ ବର୍ଣ୍ଣନେ

ନାମ ଚତୁର୍ଥୋଽଧ୍ୟାୟଃ ।

•••

 

ପଞ୍ଚମ ଅଧ୍ୟାୟ

 

ଅସୁର କୁଳେ ପୁରୋହିତ

ସର୍ବଜ୍ଞ ଶୁକ୍ର ଭୃଗୁ ସୁତ

।।

ମୁନିଙ୍କ ପୁତ୍ର ବେନିଭାଇ

ଷଣ୍ଢ ଅମର୍କ ନାମେ ଦୁଇ

।।

ରାଜା ଆଚାର୍ଯ୍ୟ ତାଙ୍କୁ କଲେ

ପୁତ୍ରମାନଙ୍କୁ ପଢ଼ାଇଲେ

।।

ରାଜା ମନ୍ଦିରେ ବେନିଭାଇ

ଦୈତ୍ୟ ପୁତ୍ରଙ୍କୁ ସଙ୍ଗେ ଦେଇ

।।

ଯତ୍ନେ ପଢ଼ାନ୍ତି ଜ୍ଞାନବଳେ

ସର୍ବେ ପଢ଼ନ୍ତି ଏକମେଳେ

।।

ତାହାଙ୍କ ମଧ୍ୟେ ପ୍ରହଲାଦ

ସକଳ ଶାସ୍ତ୍ରେ ହେଲେ ସିଦ୍ଧ

।।

ଗୁରୁଙ୍କ ମୁଖୁଁ ଥରେ ଶୁଣି

ତକ୍ଷଣେ ଚିତ୍ତେ ପରିମାଣି

।।

ଚିତ୍ତ ନିର୍ମଳେ ତାହା ଜାଣେ

କେବଳ ମନେ ନ ପ୍ରମାଣେ

।।

ବିଚାର କରେ ହୃଦଗତେ

କେ ରିପୁ ମିତ୍ର ଏ ଜଗତେ

।।

ଏକଇ ଆତ୍ମା ନରହରି

ସମେ ସକଳ ଦେହେ ପୂରି

।।

ଏକଥା ନୁହଇ ପ୍ରମାଣ

ସକଳ ଆତ୍ମା ନାରାୟଣ

।।

ଯେ ପାଠପଢ଼େ ବ୍ୟାଖ୍ୟା ମତେ

ଦୃଢ଼େ ନ ଧରେ ହୃଦଗତେ

।।

ଦିନେକ ପ୍ରହଲାଦ ଆଣି

କୋଳେ ବସାଇ ନୃପମଣି

।।

ଅନେକ ଅଳଙ୍କାର ଦେଇ

ସାନନ୍ଦେ ପୁତ୍ରକୁ ପୁଚ୍ଛଇ

।।

ହିରଣ୍ୟକଶିପୁ ଉବାଚ

ହେ ପୁତ୍ର ଶୁଣ ବାକ୍ୟ ମୋର

ପଢ଼ିଲୁ ରାଜନୀତି ସାର

।।

ତୁ ଯାହା ଗୁରୁମୁଖେ ଶୁଣୁ

ତାହା ସୁଚିତ୍ତେ ନ ପ୍ରମାଣୁ

।।

ମୁହିଁ ଶୁଣିଲି ଭଲେ ଏହା

କହ ତୁ ସାଧୁ ମଣୁ ଯାହା

।।

ଯେ ରାଜନୀତି ଚିତ୍ତେ ଧରେ

କେବେହେ ଶତ୍ରୁକୁ ନ ଡରେ

।।

ସଂଗ୍ରାମେ ରିପୁ ଜୟ କଲେ

ସେ ରାଜାସୁଖ ଭୁଞ୍ଜେ ଭଲେ

।।

ବିଦ୍ୟା ପଢ଼ିଲୁ ଏତେ କାଳ

ଭଲ କି ମଣୁ ମୋତେ ବୋଲ

।।

ପିତା ବଚନ ପୁତ୍ର ଶୁଣି

କହେ ନିବେଶି ଶିରେ ପାଣି

।।

ପ୍ରହ୍ଲାଦ ଉବାଚ

ଯେ ସାଧୁ ଶାସ୍ତ୍ରେ ମୋର ଚିତ୍ତ

ଶୁଣ କହିବା ତୋ ଅଗ୍ରତ

।।

ମୁହିଁ ମୋହର ଏ ସଂସାରେ

ଯେ ପ୍ରାଣୀ ଚିତ୍ତେ ନିତ୍ୟ କରେ

।।

ଦେଖ ଏ ଗୃହେ ଅନ୍ଧକୂପ

ଆତ୍ମା ନିପାତ ମହାତାପ

।।

ଏହାକୁ ଦୂରେ ପରିହର

ଅରଣ୍ୟେ ବିଷ୍ଣୁ ଆଶ୍ରାକର

।।

ସାଧୁ ମଣଇ ଏହା ଚିତ୍ତେ

ସତ୍ୟ କହିଲି ତୋ ଅଗ୍ରତେ

।।

ନାରଦ ଉବାଚ

ଏମନ୍ତେ ପୁତ୍ର ବାକ୍ୟ ଶୁଣି

ଶତ୍ରୁର ପକ୍ଷ ପ୍ରାୟେ ମଣି

।।

ସଧୀରେ ହସି ସେ କହିଲା

ବାଳକେ ଏ ବୁଦ୍ଧି କେ ଦେଲା

।।

ଏପରି ପର ବୁଦ୍ଧି ବଳେ

ନଷ୍ଟ ହୁଅନ୍ତି ସର୍ବକାଳେ

।।

ଏହାର ବୁଦ୍ଧି କେ ହରିଲା

ଏ ମୋର ଶତ୍ରୁକୁ ଭଜିଲା

।।

କୋପେ ବାଳକ ତଳେ ଥୋଇ

ବୋଲେ ସେବକ ମୁଖ ଚାହିଁ

।।

ଗୁରୁଙ୍କ ଘରେ ନେଇ ଦିଅ

ଏ କଥା ଗୁରୁ ଆଗେ କହ

।।

ଏ ମୋର ବାଳକର ମନ

ରିପୁ ବିଷୟେ କିମ୍ପା ଛନ୍ନ

।।

ଏହାର ବୁଦ୍ଧି ବିଷ୍ଣୁ ପକ୍ଷେ

ଯେମନ୍ତେ ନ ଭଜେ ପ୍ରତ୍ୟକ୍ଷେ

।।

ରାଜାର ଆଜ୍ଞା ଭୃତ୍ୟ ପାଇ

ବାଳକ ଗୁରୁଦ୍ୱାରେ ନେଇ

।।

ବ୍ରାହ୍ମଣ ଗୋଷ୍ଠୀ ମଧ୍ୟେ କଲା

ରାଜା ବଚନ ଜଣାଇଲା

।।

ଶୁଣିଣ ତା ବିପ୍ର ଉଦବେଗେ

ବୋଲନ୍ତି ପ୍ରହ୍ଲାଦର ଆଗେ

।।

ସାଧୁ ବଚନ ବାକ୍ୟ ମତେ

କହନ୍ତି ହସ୍ତ ଧରି ହସ୍ତେ

।।

ହେ ବତ୍ସ ପ୍ରହଲାଦ ଶୁଣ

ସର୍ବଦା ହେଉ ତୋ କଲ୍ୟାଣ

।।

ଆମ୍ଭଙ୍କୁ ଲାଗିଲା ସନ୍ଦେହ

ମିଥ୍ୟାକୁ ଛାଡ଼ି ସତ୍ୟ କହ

।।

ବାଳକ ବୁଦ୍ଧି ତୋ ନ ଦେଖି

ଅଦ୍ଭୁତ ପ୍ରାୟେ ଉପଲକ୍ଷି

।।

ତୋହର ବୁଦ୍ଧି କେ ହରିଲା

ଶତ୍ରୁ ଭଜନେ ଶିକ୍ଷା ଦେଲା

।।

କିବା ଏ ସ୍ୱଭାବ ତୋହର

ଆମ୍ଭଙ୍କୁ ଲାଗେ ଆଗୋଚର

।।

କହ କେ ତୋତେଦେଲା ଶିକ୍ଷା

ଆମ୍ଭେ ଶ୍ରବଣ କରୁ ଇଚ୍ଛା

।।

ପ୍ରହ୍ଲାଦ ଉବାଚ

ଯାହାର ମାୟାବଳେ ଜନ

ସଂସାର ବୃଦ୍ଧି କରେ ଛିନ୍ନ

।।

ଯାହାର ନାହିଁ ପରାପର

ତାହାକୁ ମୋର ନମସ୍କାର

।।

ଯାହାର ଆଜ୍ଞା ପରମାଣେ

ପ୍ରାଣୀ ସୁବୁଦ୍ଧି ପରିମାଣେ

।।

ସେ ସର୍ବ ଆତ୍ମା ଯୋଗେଶ୍ୱର

ତାହାର ନାହିଁ ଆତ୍ମାପର

।।

ବାସନା ବଳେ ସର୍ବ ଜନ୍ତୁ

ଭୁଞ୍ଜନ୍ତି ପରାପର ହେତୁ

।।

ବ୍ରହ୍ମାଦି ଦେବହି ସରବେ

ବିମୁଗ୍‌ଧ ହୋନ୍ତି ଯାର ଭାବେ

।।

ସେ ମୋର ମତି ଭିନ୍ନ କଲା

ପର ଅପର ନ କହିଲା

।।

ଯେସନେ ଚୁମ୍ବନ ଦର୍ଶନେ

ଲୋହ ଭ୍ରମଇ ଆକର୍ଷଣେ

।।

ମୋହର ମତ ସେହିମତେ

ଭ୍ରମଇ ବିଷ୍ଣୁର ଆୟତ

।।

ପ୍ରହ୍ଲାଦ ଉବାଚ

ଗୁରୁଙ୍କୁ କହି ଏ ବଚନ

ପ୍ରହ୍ଲାଦ ହୋଇଲା ମଉନ

।।

ବାଳକ ବାଣୀ ଶୁଣି କର୍ଣ୍ଣେ

କୋପ ବସିଲା ଗୁରୁମନେ

।।

ସମୀପେ ଅଛି ରାଜଲୋକ

ଗୁରୁହିଁ ରାଜାର ସେବକ

।।

କୋପେ କମ୍ପିଲା ବାକ୍ୟ ଶୁଣି

ତକ୍ଷଣେ ଘରୁ ବେତ ଆଣି

।।

ରାଜାର ବଂଶେ ଦୁରାଚାର

ନିଶ୍ଚେ ଜନ୍ମିଲା କୁଳାଙ୍ଗାର

।।

ଦୁର୍ବୁଦ୍ଧି ପଣ ଏ ବାଳକ

ଏହାକୁ ଦଣ୍ଡେ ହେଁ ନ ରଖ

।।

ଚନ୍ଦନ ବନେ କଣ୍ଟା ବୃକ୍ଷ

ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ

।।

ଚନ୍ଦନ ବୃକ୍ଷ କ୍ଷୟକାରୀ

କଣ୍ଟକ ବୃକ୍ଷ ସର୍ବ ମାରି

।।

କଣ୍ଟକ ଥିଲେ ନିତ୍ୟେ ଡରି

ନିର୍ଭୟେ ଭୋଗ ନୁହେଁ କରି

।।

ଚନ୍ଦନ ବନ ଉନ୍ମୀଳନେ

ଶ୍ରୀବିଷ୍ଣୁ କୁଠାରୁ ସମାନେ

।।

ସେ ବିଷ୍ଣୁ ଏହୁ ନିତ୍ୟେ ଧ୍ୟାୟି

ଏ ଥିଲେ ଆମ୍ଭ ଭଲ କାହିଁ

।।

ଏମନ୍ତ ଦେଖାଇଲେ ଭୟେ

ତର୍ଜିଲେ ବିବିଧ ଉପାୟ

।।

ପୁଣି ଆଶ୍ଵାସ ତାକୁ କରି

ଗୁରୁ ପଢ଼ାନ୍ତି ହସ୍ତ ଧରି

।।

ଯେ ଧର୍ମ ଅର୍ଥ କାମ ଫଳେ

ସେ ବିଦ୍ୟା ପଢ଼ାଇଲେ ବଳେ

।।

ମୋକ୍ଷହିଁ ଅଛି ତାର ତହିଁ

ଏମନ୍ତ ବାଳକେ ପଢ଼ାଇ

।।

ମାତାଙ୍କ ଆଗେ ନେଇ ଦେଲେ

ସେ ତାକୁ ଅଳଙ୍କୁତ କଲେ

।।

ରାଜା ସମୀପେ ଦେଲେ ନେଇ

ତା ଦେଖି ରାଜା ତୋଷହୋଇ

।।

ଚରଣ ତଳେ ପୁତ୍ର ଚାହିଁ

ତକ୍ଷଣେ କୋଳ କଲା ନେଇ

।।

କଲ୍ୟାଣ କରି କୋଳେ ରଖି

ସ୍ନେହେ ଲୋତକ ବେନି ଆଖି

।।

ପ୍ରସନ୍ନ ବଦନେ ଅନାଇ

ସଧୀରେ ପୁତ୍ରକୁ ବୋଲଇ

।।

ହିରଣ୍ୟକଶିପୁ ଉବାଚ

ହେ ପୁତ୍ର ଶୁଣ ମୋ ବଚନ

ଗୁରୁଙ୍କ ଗୃହେ ଏତେ ଦିନ

।।

ତୁ ଯେ ପଢ଼ିଲୁ ବାଳଭାବେ

ମୋର ସମ୍ମୁଖେ କହ ଏବେ

।।

ଉତ୍ତମ ବିଦ୍ୟା ମୋତେ କହ

ମୋ ମନେ ନ ରହୁ ସନ୍ଦେହ

।।

ପ୍ରହ୍ଲାଦ ଉବାଚ

ଶୁଣ ହୋ ତାତ ମନ ଦେଇ

ଯେ ବିଦ୍ୟା ଉତ୍ତମ ମଣଇ

।।

କୃଷ୍ଣର ଶ୍ରବଣ କୀର୍ତ୍ତନ

ସ୍ମରଣ ଚରଣେ ସେବନ

।।

କରିବ ତାଙ୍କୁ ପୂଜା ସ୍ତବ

ସଙ୍ଗତେ ଦାସ ପଣେ ଥିବା

।।

ସଖ୍ୟ ଭାବରେ ନେବ ଦିନ

କରିବ ଆତ୍ମା ସମର୍ପଣ

।।

ଏଭାବେ ଚିତ୍ତ ସମର୍ପିବ

ଯେ ଶାସ୍ତ୍ର କହେ ଏତେ ଭାବ

।।

ତାହା ମୁଁ ଉତ୍ତମ ମଣଇ

କହିଲି ତୋର ପାଶେ ମୁହିଁ

।।

ଏ ନବ ଲକ୍ଷଣ ଭକତି

ଯେ ନର ଗୋବିନ୍ଦେ କରନ୍ତି

।।

ଉତ୍ତମ ବିଦ୍ୟା ବୋଲି ତାହା

ଯେଣେ ନ ଲାଗେ ବିଷ୍ଣୁ ମାୟା

।।

ଏମନ୍ତ ପୁତ୍ର ମୁଖୁ ଶୁଣି

କୋପେ ଉଠିଲା ଶିର ଝୁଣି

।।

ଆରକ୍ତ ବେନି ଚକ୍ଷୁ ତାର

ପ୍ରଚଣ୍ଡ କମ୍ପଇ ଅଧର

।।

ଗୁରୁ ପୁତ୍ରଙ୍କ ମୁଖ ଚାହିଁ

ବୋଲଇ କୋପଭର ହୋଇ

।।

ହିରଣ୍ୟକଶିପୁ ଉବାଚ

ତୁ ବ୍ରହ୍ମବଂଶୀ ଗୁରୁ ସୁତ

ଏ କି ତୋହର ବିପରୀତ

।।

ବିପକ୍ଷ ଶ୍ରୁତି କଥା ଯେତେ

ଏ ଶିକ୍ଷା ଦେଲୁ ତୁ କେମନ୍ତେ

।।

ଅସାର ବିଦ୍ୟା ଶିଖାଇଲୁ

ତୁ ତ ଅବଜ୍ଞା ମୋତେ କଲୁ

।।

ଅସାଧୁ ଲୋକ ଏ ସଂସାରେ

ରୋଗ ଯେସନେ କଳେବରେ

।।

ଯେ ପ୍ରାଣୀ ବ୍ରହ୍ମହତ୍ୟା ପରେ

ସେ କ୍ଷୟ ବ୍ୟାଧି ଜନ୍ମାନ୍ତରେ

।।

ସେ ନିତ୍ୟ ମଦ୍ୟପାନ କରେ

ବିକଟ ଦନ୍ତ ତା ଅଧରେ

।।

ସୁବର୍ଣ୍ଣ ହରିଥାଇ ଯେବେ

ସେ କୁଳ କ୍ଷୟ ଦୋଷ ଲଭେ

।।

ଗୁରୁ କାମିନୀ ଯେହୁ ରତେ

ଧବଳ ହୋଇ ବେନି ହସ୍ତେ

।।

ଏମନ୍ତ ଅସୁର ବଚନେ

କହନ୍ତି ଗୁରୁଙ୍କ ନନ୍ଦନେ

।।

ଗୁରୁପୁତ୍ର ଉବାଚ

ଏ ଶିକ୍ଷା ଦେଇନାହିଁ ମୁହିଁ

ଅନ୍ୟ ବା ପଢ଼ାଇବି କାହିଁ

।।

ତୋହର ପୁତ୍ରର ସ୍ୱଭାବ

ଜାଣି ତୁ ଚିନ୍ତୁ ପରାଭବ

।।

ଏମନ୍ତେ ଗୁରୁ ବାକ୍ୟ ଶୁଣି

ସନ୍ଦେହ ମନେ ପରିମାଣି

।।

ପୁତ୍ରକୁ ଚାହିଁ କୋପଭରେ

ବୋଲଇ କର୍କଶ ବାକ୍ୟରେ

।।

ଏ ବିଦ୍ୟା ଗୁରୁ ବାକ୍ୟ ନୁହେଁ

କେ ଅବା ତୋର ଚିତ୍ତମୋହେ

।।

ପ୍ରହ୍ଲାଦ ଉବାଚ

ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର

ମତିର ଗତି ଚକ୍ରଧର

।।

ଯେ ପ୍ରାଣୀ ଗୃହେ ବାସ କରେ

ତା ମତି ବିଷ୍ଣୁଙ୍କୁ ନ ସ୍ମରେ

।।

ଗୁରୁ ବଚନ କି କରିବ

ଯାହାର ଯେମନ୍ତ ସ୍ଵଭାବ

।।

ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ

ଗୃହସ୍ଥ ପଡ଼େ ରସାତଳେ

।।

କୁଳ ବେଭାରେ ବଶ ହୋଇ

ଚବ୍ୟ ଚର୍ବଣ ଯେ ଲଭଇ

।।

ତାହାଙ୍କ ମତି କୃଷ୍ଣ ଭାବେ

କେବେହେଁ ନୋହେ ଶୁଦ୍ଧଭାବେ

।।

ଯେ ପ୍ରାଣୀ ଦୁରାଶୟ ପଣେ

ଅନର୍ଥ ଅର୍ଥ ପ୍ରାୟ ମଣେ

।।

ସେ କାହିଁ ବିଷ୍ଣୁଙ୍କୁ ଜାଣିବ

ଯେ ବ୍ରହ୍ମା ଶଙ୍କରେ ଦୁର୍ଲ୍ଲଭ

।।

ତାହାର ମତି ଅର୍ଥ ତହିଁ

ପ୍ରାଣୀ ଲଭିବ ତାକୁ କାହିଁ

।।

ଅନ୍ଧକୁ ଅନ୍ଧ ଯେବେ ବହେ

ଈଶ୍ଵର ତତ୍ତ୍ୱ ଯେହ୍ନେ କହେ

।।

ଏମନ୍ତ ପ୍ରାଣୀଙ୍କ ସ୍ୱଭାବ

କେମନ୍ତେ କୃଷ୍ଣଙ୍କୁ ସେବିବ

।।

ବିଷ୍ଣୁ ଚରଣ ପଦ୍ମ ଦୁଇ

ଏ ଜନ୍ମେ ଲଭି ନ ପାରଇ

।।

ଯାହାଙ୍କ ଚରଣାରବିନ୍ଦ

ସେବି ନ ପାରି ସୁରବୃନ୍ଦ

।।

ବିଷ୍ଣୁ ଭକତ ପାଦ ଧୂଳି

ଶିରେ ନ ବେଳେ ହସ୍ତେ ତୋଳି

।।

ସନ୍ଥ ଚରଣେ ଇଚ୍ଛା ନାହିଁ

ହରିଙ୍କୁ ଲଭିବ ସେ କାହିଁ

।।

ଏମନ୍ତ କହି ଦୈତ୍ୟବଳା

ମଉନ ହୋଇଣ ରହିଲା

।।

ଶୁଣି ଅସୁର କୋପାନଳେ

କୋଳରୁ ପକାଇଲେ ତଳେ

।।

କୋପେ ଅରୁଣ ଚକ୍ଷୁକଲା

ଅସୁର ଗଣେ ଆଜ୍ଞା ଦେଲା

।।

ହିରଣ୍ୟକଶିପୁ ଉବାଚ

ଦେଖ ହେ ନଇରତ ଗଣ

ମୋର ପୁତ୍ରର ଦୃଷ୍ଟପଣ

।।

ମରଣ ଅର୍ଜ୍ଜିଲା ବେଭାରେ

ଏହାକୁ ରାଜ୍ୟୁ କର ଦୂରେ

।।

ମୋର ଅନୁଜ ନାଶକାରୀ

ସେ ବିଷ୍ଣୁ ବଇରୀ ମୋହରି

।।

ତାହାର ପକ୍ଷ ଏ ହୋଇଲା

ନିଜ ସମ୍ପଦ ଉପେକ୍ଷିଲା

।।

ବିଷ୍ଣୁର ଦାସପଣେ ରହେ

କେ ପ୍ରାଣ ଥାଇ ଏହା ସହେ

।।

ଶତ୍ରୁ ଆଶ୍ରିତ ଏ କୁମର

ନିଶ୍ଚେ କରିବ ଅପକାର

।।

ଏ ପଞ୍ଚ ବରଷର ସୁତ

ପିତା ମାତାରେ ଅଭକତ

।।

ପରର ପୁତ୍ର ହୋଇ ଯେବେ

ଆତ୍ମାର ହିତ ଅନୁଭବେ

।।

ତାହାକୁ ବୋଲି ନିଜ ସୁତ

ରୋଗୀକୁ ଔଷଧ ଯେମନ୍ତ

।।

ଆମ୍ଭର ତହୁଁ ଜନ୍ମ ହୋଇ

ପରର ହିତେ ଯେବେ ଥାଇ

।।

ବ୍ୟାଧିର ପ୍ରାୟ ଜନ୍ମ ତାର

ସେ ମଲେ ଆତ୍ମାର ନିସ୍ତାର

।।

ଯେ ଅଙ୍ଗେ ସର୍ପାଘାତ କରେ

ସେ ଅଙ୍ଗ ଦୋଷେ ପ୍ରାଣୀ ମରେ

।।

ସେ ଅଙ୍ଗ ଛେଦି ପକାଇଲେ

ଦେହେ ଜୀବନ ରହେ ଭଲେ

।।

ଯେ ହିତ କରେ ପର ହୋଇ

ତା ତହୁଁ ବନ୍ଧୁ ଅନ୍ୟ ନାହିଁ

।।

ବନ୍ଧୁ ଅହିତ ଚିତ୍ତ ଯେବେ

ତାହାକୁ ଲେଖି ଶତ୍ରୁଭାବେ

।।

ଦେହରୁ ବ୍ୟାଧି ଜନ୍ମ ହୋଇ

ଆତ୍ମା ସହିତେ ସଂହାରଇ

।।

ଅରଣ୍ୟୁ ମହୌଷଧି ଆଣି

ରୋଗ ସଙ୍କଟୁ ତରେ ପ୍ରାଣୀ

।।

ପର ଅପର ଏ ବିଚାର

କେ ରିପୁ ଅବା ଆପଣାର

।।

ସୁହୃଦ ହୋଇ ଶତ୍ରୁ ପଣେ

ପାପ ଚିନ୍ତଇ ଅନୁକ୍ଷଣେ

।।

ନାନା ଉପାୟ ତାକୁ ମାରି

ସେ ମଲେ ସୁଖେ ପ୍ରାଣ ଧରି

।।

ଯୋଗୀଙ୍କ ଯୋଗଧ୍ୟାନ କାଳେ

ଦୁଷ୍ଟ ଇନ୍ଦ୍ରିୟ ଯେତେବେଳେ

।।

ତାହାକୁ କରେ ସେହୁ ସାଧ୍ୟ

ସୁଖେ ଲଭଇ ବ୍ରହ୍ମପଦ

।।

ଏ ମିତ୍ର ବେଶଧାରୀ ପର

ଏହାକୁ ବେଗେ ବଧକର

।।

ଭୋଜନ ଶୟନ ଆସନେ

ଉପାୟ କର ତା ପ୍ରମାଣେ

।।

ଏମନ୍ତେ ରାଜା ଆଜ୍ଞା ପାଇ

ଅସୁରେ ଶସ୍ତ୍ର ଘେନି ଧାଇଁ

।।

ବାଳକ ନାଶ ମନେ ଚିନ୍ତି

ଶୂଳ ଅନ୍ତରୀକ୍ଷେ ବୁଲାନ୍ତି

।।

ସୁଦୀର୍ଘ ଦିଶେ ଦନ୍ତପନ୍ତି

କରାଳ ବଦନେ ଚାହାନ୍ତି

।।

ତମ୍ବାର ବର୍ଣ୍ଣ ପ୍ରାୟେ ଦାଢ଼ି

ଶିରେ ପିଙ୍ଗଳା ଜଟା ବେଢ଼ି

।।

ନାଚନ୍ତି ଭଇରବ ନାଦେ

ଅସୁର ଛନ୍ଦି ପାଦ ପାଦେ

।।

ଶୂଳ ବୁଲାଇ ଅନ୍ତରୀକ୍ଷେ

ବାଳକ ଉପରେ ପ୍ରତ୍ୟକ୍ଷେ

।।

ତା ଦେଖି ଅସୁର କୁମର

ମନେ ଚିନ୍ତଇ ଚକ୍ରଧର

।।

ଗୋବିନ୍ଦ ପାଦେ ଚିତ୍ତ ଦେଇ

ବୋଲଇ ଅସୁରଙ୍କୁ ଚାହିଁ

।।

ତୁମ୍ଭର ଦେହେ ଯେବେ ହରି

ଆତ୍ମା ସ୍ୱରୂପେ ଛନ୍ତି ପୂରି

।।

ସକଳ ଶସ୍ତ୍ରେ ହରି ଯେବେ

ଘଟନ ଅଛି ଆତ୍ମା ଭାବେ

।।

ଏ କଥା ସତ୍ୟ ଯେବେ ହୁଏ

ଶସ୍ତ୍ର ନ କାଟୁ ମୋର ଦେହେ

।।

ଶୁଣି ଅସୁର କୋପ କଲେ

ଅନେକ ଶସ୍ତ୍ର ପ୍ରହାରିଲେ

।।

ପ୍ରହଲାଦର ଦେହେ ବାଜି

ତକ୍ଷଣେ ଶସ୍ତ୍ରେ ଗଲେ ଭାଜି

।।

ଅପୁଣ୍ୟବନ୍ତ ପ୍ରାଣୀ ଦେହେ

ସାତ୍ତ୍ୱିକ ଫଳ ଯେହ୍ନେ ନୋହେ

।।

ଅଦ୍ଭୁତ କର୍ମ ତାର ଦେଖି

ତକ୍ଷଣେ ଆସନ ଉପେକ୍ଷି

।।

ଭିତରେ ଗମିଲା ଅସୁର

ଭୟେ କମ୍ପିଲା ତା ଶରୀର

।।

ମନ୍ତ୍ରୀ ସଙ୍ଗତେ ବିଚାରିଲା

ନିର୍ବନ୍ଧେ ମରଣ ଚିନ୍ତିଲା

।।

ଅଇରାବତ ଆଦି ଗଜେ

ତାହାକୁ ଅଣାଇଲା ତେଜେ

।।

ବୋଲଇ ଦନ୍ତାଘାତ କର

ଯେମନ୍ତେ ମରଇ କୁମର

।।

ଶୁଣି ଅନେକ ହସ୍ତୀତୁଲେ

ବାଳକ ନିକଟେ ମିଳିଲେ

।।

ହସ୍ତୀଙ୍କି ଚାହିଁ ଦୈତ୍ୟବଳା

ଅନ୍ତରେ ବିଷ୍ଣୁ ସୁମରିଲା

।।

ମହା କ୍ରୋଧରେ ଗଜବରେ

ନିଷ୍ଠୁର ଦନ୍ତର ଅଗ୍ରରେ

।।

ନିର୍ଘାତେ କରନ୍ତେ ପ୍ରହାର

ସକଳ ଦନ୍ତ ହେଲା ଚୂର

।।

ଭୟ ଭାଜିଲେ ହସ୍ତୀବଳ

ଦେଖି ଅସୁର କୋପାନଳ

।।

ତକ୍ଷକ ଆଦି ଅଷ୍ଟନାଗେ

ଥିଲେ ଯେ ଅନ୍ତରୀକ୍ଷ ମାର୍ଗେ

।।

ତାହାଙ୍କୁ ରାଇ ନୃପବର

ନିଷ୍ଠୁରେ ବୋଇଲା ଉତ୍ତର

।।

ଏ କୁଳଅଙ୍ଗାରକୁ ମାର

ଏହାର ପ୍ରାଣ ବେଗେ ହର

।।

ନାଗଙ୍କୁ ଦେଖି ପ୍ରହଲାଦ

ଚିତ୍ତେ ଚିନ୍ତିଲା ବିଷ୍ଣୁପାଦ

।।

ତକ୍ଷଣେ ନାଗ କୋପେ ଗଲେ

ବାଳକ ଶରୀରେ ଦଂଶିଲେ

।।

ବଦନେ ବିଷ ନ ଭେଦିଲା

ନାଗଙ୍କ ଫଣା ବଥାଇଲା

।।

ନାଗ ପଳାଇ ଗଲେ ବେଗେ

ଜୀବନ ଭୟେ ଦଶ ଦିଗେ

।।

ପୁଣି ସେ କୃତ୍ୟା ହୋମ କଲା

ପର୍ବତ ଶିଖୁ କଚାଡ଼ିଲା

।।

ସାଗର ଜଳେ ବୁଡ଼ାଇଲା

କେବେହେଁ ତା ପ୍ରାଣ ନ ଗଲା

।।

ବନ୍ଧନ କରେ ପ୍ରତିଦିନେ

ମରିବ ବୋଲଇ ଯେସନେ

।।

କେତେହେଁ ଦିନ ଅଭୋଜନେ

ବଞ୍ଚିଲା ଅସୁର ନନ୍ଦନେ

।।

ହିମ ପବନ ଅଗ୍ନିଜଳେ

କଷଣ ଦେଲା କୋପାନଳେ

।।

ନାନା ପ୍ରକାର କଷ୍ଟ ଦେଲା

କେବେହେଁ ବାଳକ ନ ମଲା

।।

ସ୍ୱଭାବେ ପାପ ତାର ନାହିଁ

ଦଣ୍ଡ ବାଧିବ ତାକୁ କାହିଁ

।।

କେବେହେଁ ମାରି ନ ପାରିଲା

ଚିନ୍ତା ସାଗରେ ନିମଜ୍ଜିଲା

।।

ଜାଗ୍ରତ ସ୍ଵପ୍ନ ପ୍ରାୟ ହୋଇ

କେବେହେଁ ଶାନ୍ତି ନ ଭଜଇ

।।

ଦେଖ ଏ ବାଳକ ବିଷୟେ

କେତେ ନ ଚିନ୍ତଇ ଉପାୟେ

।।

ସାଧୁ ବିଷୟେ ଦ୍ରୋହ କଲେ

କେବା ସଂସାରେ ଥିବେ ଭଲେ

।।

ଏ ମୋର ଶତ୍ରୁ ପକ୍ଷ ହୋଇ

କେବେହେଁ ଚିତ୍ତେ ନ ଡରଇ

।।

କଷଣ ଦେଲି ଯେତେ ମୁହିଁ

ସେ ତ ତାହାର ଚିତ୍ତେନାହିଁ

।।

ସୁଜନ ଜନ ପ୍ରାୟ ସହେ

କି ଆଉ କିରିବି ଉପାୟେ

।।

ମହାନୁଭବ ଏ କୁମର

ମନ ବଚନ ଆଗୋଚର

।।

ନିର୍ଭୟେ ଏତେ ଦୁଃଖ ସହେ

ଏଣୁ ମୋ ଚିତ୍ତେ ମହାଭୟେ

।।

ଏହାର ସଙ୍ଗେ ବାଦ କଲେ

ପ୍ରାଣ ମୁଁ ନ ଧରିବି ଭଲେ

।।

ଏମନ୍ତ ଭାଳି ମନ ଦୁଃଖେ

ଦଣ୍ଡେ ରହିଲା ଅଧୋମୁଖେ

।।

ଗୁରୁ କୁମର ତାହା ଶୁଣି

ଅସୁର ମୁଖ ଚାହିଁ ଭଣି

।।

 

ଗୁରୁପୁତ୍ର ଉବାଚ

ଶୁଣ ହେ ନୃପ ଚୂଡ଼ାମଣି

ତପେ ତୁ ତ୍ରିଭୁବନ ଜିଣି

।।

ଆତ୍ମା ସୁଖରେ ଭୋଗ କରୁ

ଯେହ୍ନେ ଅଚଳ ମହାମେରୁ

।।

ତୋହର ରିପୁ ଏ ସଂସାରେ

ନ ଦେଖି ଶରୀର ବେଭାରେ

।।

ଏ ବାଳ କୁମର ତୋହର

ଏହାକୁ କିପାଁ ତୋର ଡର

।।

ଏ ଶିଶୁ ବୁଦ୍ଧି ଛାଡ଼ି ନାହିଁ

ସଂଶୟ କରୁ କାହିଁପାଇଁ

।।

ଯେବେ ସଂଶୟ ତୋର ମନେ

କହିବା ଶୁଣ ସାବଧାନେ

।।

ତାହାକୁ ବରୁଣ ପାଶେ

ବନ୍ଧନ କର ତୁ ବିଶ୍ଵାସେ

।।

ନିକଟେ ରଖ ତୋ ଆୟତେ

ଭୟ ନ ଲାଗୁ ତୋର ଚିତ୍ତେ

।।

ବାଳୁତ ଦଶା ଏ ଛାଡ଼ିଲେ

ସୁବୁଦ୍ଧି ପ୍ରକାଶିବ ଭଲେ

।।

ଏ କଥା କର ଆମ୍ଭମତେ

ତୋ ପାଶେ ଥାଉ ଅନୁବ୍ରତେ

।।

ତାବତ ଥାଉ ଏହି ମତେ

ସନ୍ଦେହ ନ କର ତୁ ଚିତ୍ତେ

।।

ଗୁରୁ ପୁତ୍ରଙ୍କ ବାକ୍ୟ ଶୁଣି

ସନ୍ତୋଷେ କହେ ନୃପମଣି

।।

ହିରଣ୍ୟକଶିପୁ ଉବାଚ

ଶୁଣ ହେ ଗୁରୁଙ୍କ କୁମର

ଏବେ ମୋହର ବୋଲ କର

।।

ଗୃହସ୍ଥ ଧର୍ମେ ଧର୍ମ ଯେତେ

ରାଜାଙ୍କ ଧର୍ମ ନୀତି ଯୁକ୍ତେ

।।

ତ୍ରିବର୍ଗ ଧର୍ମ ଅର୍ଥ କାମ

ଯେମନ୍ତେ ପଢ଼େ ଅନୁକ୍ରମ

।।

ଏମନ୍ତ ରାଜାର ବଚନେ

ପ୍ରହ୍ଲାଦେ ଗୁରୁ ବେନିଜନେ

।।

ଅନେକ ଯତନେ କହିଲେ

ଅସୁର କୁମାରଙ୍କ ତୁଲେ

।।

ଗୁରୁଙ୍କ ମୁଖୁ ଯେତେ ଶୁଣେ

ଅନ୍ତରେ ସାଧୁତା ନ ମଣେ

।।

ଗୃହସ୍ଥ ଧର୍ମର ବ୍ୟବସ୍ଥା

ଆତ୍ମାର ନିପାତ ଏ କଥା

।।

ଏ ଧର୍ମେ ମୋହ ହୁଏ ଜନ

ଏଣେ କି ମୋର ପ୍ରୟୋଜନ

।।

ଏମନ୍ତ କରେ ବିଚାରଣ

ଏବେ ହୋ ଧର୍ମସୁତ ଶୁଣ

।।

ନାରଦ ଉବାଚ

ପଢ଼ଇ ବାଳକଙ୍କ ମେଳେ

ଗୁରୁ ଯେ ଗୃହଧର୍ମି ଗଲେ

।।

ସେ ପ୍ରହଲାଦ ତାହା ଚାହିଁ

ବୋଲେ ବାଳକ ମଧ୍ୟେ ଥାଇ

।।

ଶୁଣ ହେ ଅସୁର କୁମରେ

ଯେ ବିଦ୍ୟା ସଂସାରୁ ଉଦ୍ଧରେ

।।

ମର୍ତ୍ତେ ମନୁଷ୍ୟ ଦେହ ବହି

ଆତ୍ମାର ଜ୍ଞାନ ଯାର ନାହିଁ

।।

ତାର ଜୀବନ ଅକାରଣ

ଏବେ ହୋ ସାବଧାନେ ଶୁଣ

।।

କହଇ ଦାସ ଜଗନ୍ନାଥ

ସପ୍ତମ ସ୍କନ୍ଧେ ଭାଗବତ

।।

ଏ ପିତା ପୁତ୍ରର ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ହିରଣ୍ୟକଶିପୁ ପ୍ରହଲାଦ

ସମ୍ବାଦେ ନାମ ପଞ୍ଚମୋଽଧ୍ୟାୟଃ ।

•••

 

ଷଷ୍ଠ ଅଧ୍ୟାୟ

ପ୍ରହଲାଦ ଉବାଚ

ଶୁଣ ହେ ଅସୁର ବାଳକେ

ଯେ ବିଦ୍ୟାସାର ନରଲୋକେ

।।

ମାୟା କ୍ରୀଡ଼ାରେ ମତ ହୋଇ

ଜ୍ଞାନ ତୁମ୍ଭର ଦେହେ ନାହିଁ

।।

ବାଳକ ଯୁବା ବୃଦ୍ଧ ଦେହେ

କେବେହେଁ ଆତ୍ମା ଲିପ୍ତ ନୁହେଁ

।।

ଏ ଭାବ ଚିତ୍ତେ ଯେ ଚିନ୍ତନ୍ତି

ଅନ୍ତେ କୈବଲ୍ୟ ସେ ଭୁଞ୍ଜନ୍ତି

।।

ବିଷୟ ପଥେ ଯେବା ପଡ଼େ

ଆତ୍ମାର ଜ୍ଞାନପଥ ହୁଡ଼େ

।।

ପର ଅପର ବୋଲି ଚିନ୍ତି

ସେ ମୃତ୍ୟୁ ମୁଖେ ସଞ୍ଚରନ୍ତି

।।

ସେ ଗୁରୁ କହେ ଶାସ୍ତ୍ରମତେ

ଅର୍ଥକୁ ବୁଝାଇ ଅନର୍ଥେ

।।

ଅଜ୍ଞାନ ନିଦ୍ରା ଯା ବଚନେ

ନ ଭାଙ୍ଗେ ଶାସ୍ତ୍ର ଅନୁକ୍ରମେ

।।

ସେ ଗୁରୁବାକ୍ୟେ କାର୍ଯ୍ୟ କିସ

ବିଫଳ ତାର ଉପଦେଶ

।।

ଆତ୍ମାର ଶରୀର ଧାରଣ

ଅଜ୍ଞାନ ଏହାର କାରଣ

।।

ଏବେ ଅବ୍ୟୟ ଆତ୍ମା ଯେତେ

ଯତ୍ନ କରିବ ଆତ୍ମହିତେ

।।

ଏଣୁ ଅଜ୍ଞାନୀଙ୍କ ବଚନ

ନମାନେ ଆତ୍ମାଜ୍ଞାନୀ ଜନ

।।

ଅଜ୍ଞାନୀ ଅଜ୍ଞାନ ଦେଖାଇ

ଅନ୍ଧକୁ ଅନ୍ଧ ଯେ କଢ଼ାଇ

।।

ଜ୍ଞାନୀର ଶତ୍ରୁ ମିତ୍ର ନାହିଁ

ନିତ୍ୟେ ଉଦାସ ପଣେ ଥାଇ

।।

ପ୍ରାଣୀ ଭୁଞ୍ଜଇ କର୍ମାୟତେ

ସମ୍ପଦ ବିପଦ ଜଗତେ

।।

ଏ ମାୟାମୟ ଗୃହବାସେ

ପ୍ରାଣୀ ଯନ୍ତ୍ରିତ ମାୟା ପାଶେ

।।

ମନର ଚରଣେ ଶାଙ୍କୁଳି

ଏଣୁ ନ ପାରେ ପ୍ରାଣୀ ଚଳି

।।

ଏ ମାୟା ବନ୍ଧ ଯା ବଚନେ

ତୁଟଇ ଜ୍ଞାନ ଅନୁମାନେ

।।

ସେ ଗୁରୁବଚନ ଯେ ଜାଣି

ତେବେ ସଂସାରୁ ତରେ ପ୍ରାଣୀ

।।

ବିଅର୍ଥ କ୍ରିୟା ନିତ୍ୟେ ଚିନ୍ତି

ଆୟୁଷ କ୍ଷୟ ନ ଜାଣନ୍ତି

।।

ଏମନ୍ତ ଅସୁରଙ୍କୁ ଚାହିଁ

ସେ ପ୍ରହଲାଦ ଦୟା ବହି

।।

କହଇ ଭାଗବତ ଧର୍ମ

ଯେଣେ ତୁଟଇ ମାୟାଭ୍ରମ

।।

ଶୁଣ ବାଳକ ମୋ ବଚନ

ସଂସାରେ ପଣ୍ଡିତ ଯେ ଜନ

।।

କୁମାର କାଳୁ ଧର୍ମ କରେ

ଶରୀରେ ଅନିତ୍ୟ ବିଚାରେ

।।

ମନୁଷ୍ୟ ସଂସାରେ ଦୁର୍ଲ୍ଲଭ

ଯେବେ ଗୋବିନ୍ଦ କରେ ଭାବ

।।

ଯେ ହରି ସର୍ବ ଜୀବ ଦେହେ

ଆତ୍ମା ରୂପରେ ପୂରି ରହେ

।।

ବସଇ ଈଶ୍ଵରର ଭାବେ

ଇନ୍ଦ୍ରିୟ ଭୋଗ ସୁଖଲୋଭେ

।।

କର୍ମର ବଳେ ଯାହା ଲଭେ

ଏ ସୁଖ ଦୁଃଖ ଦେହ ଯୋଗେ

।।

ଏଣୁ ନ କର ପ୍ରତିଆଶ

ନିରତେ ହୋଇବ ସନ୍ତୋଷ

।।

ଦେଖ ଆୟୁଷ ଏ ଶରୀରେ

ଛିଦ୍ର ଘଟରୁ ପ୍ରାୟ ଝରେ

।।

ଏଣୁ ମୁକୁନ୍ଦ ପାଦଯୁଗେ

ନିରତେ ଭାବ ମନଯୋଗେ

।।

ମରଣ ନିତ୍ୟ ସନ୍ନିହିତ

ତା ମୁଖେ ନ ପଡ଼େ ଯାବତ

।।

ତାବତ ସୁସ୍ଥ ଏ ଶରୀର

ବୃଦ୍ଧ ଅବସ୍ଥା ଅଛି ଦୂର

।।

ଯାବତ ଏ ଦୁର୍ଲ୍ଲଭ ଦେହେ

ଇନ୍ଦ୍ରିୟ ଶକ୍ତି ନଷ୍ଟ ନୁହେଁ

।।

ଯାବତ ଜୀବର ଏ ଦେହେ

କାଳର ବଳେ କ୍ଷୟ ନୁହେଁ

।।

ତାବତ ଆତ୍ମା ନିସ୍ତାରଣେ

ଯତ୍ନ କରିବ ଅନୁକ୍ଷଣେ

।।

ତେବେ ଆତ୍ମାର ହିତ କରେ

ଦୁର୍ଲ୍ଲଭ ମାନବ ଶରୀରେ

।।

ଏ ଜ୍ଞାନ ବୁଝେ ଯେତେବେଳେ

ବୋଲେ କରିବି ବୃଦ୍ଧକାଳେ

।।

ଗୃହେ ଲାଗିଲେ ଅଗ୍ନି ଯେହ୍ନ

ଉଦ୍ୟମ କୂପର ଖନନେ

।।

ଏମନ୍ତେ ଅଜ୍ଞାନୀଙ୍କ ମତି

କେବେହେଁ ସୁଖ ନ ଲଭନ୍ତି

।।

ସ୍ଵଭାବେ ଅଳପ ଆୟୁଷ

ଜୀବରେ ଶତେକ ବରଷ

।।

ଯେବେ ଅଜ୍ଞାନ ପଣେ ଥାଇ

ତାହାର ଅଧେ ନାଶ ଯାଇ

।।

ସ୍ଵଭାବେ ରାତ୍ରେ ନିଦ୍ରାକାଳେ

ଅଧେ ଆୟଷ ଯାଇ ହେଳେ

।।

ବାଳକ ପୌଗଣ୍ଡ କିଶୋରେ

ବିଂଶ ବରଷ ତହୁଁ ହରେ

।।

ବାଳକ ସ୍ୱଭାବ ଏମନ୍ତ

କ୍ରୀଡ଼ା ବିନୋଦେ ଥାଏ ଲିପ୍ତ

।।

ଶେଷରେ ଜରାଗ୍ରସ୍ତ ହୋଇ

ବିଂଶତି ବରଷ କଟଇ

।।

ବାକି ଯେ ଆୟୁ ରହିଥାଏ

ଗୃହ ବନ୍ଧନେ କଟିଯାଏ

।।

ଏ ଗୃହବନ୍ଧ ବନ୍ଦୀ ହୋଇ

ଆତ୍ମା ଉଦ୍ଧରି ନ ପାରଇ

।।

ଅତି ଯତନେ ସେହି ପାଶେ

ଦୁର୍ଜ୍ଜୟ ଇନ୍ଦ୍ରିୟ ଲାଳସେ

।।

ଅର୍ଥ ଅର୍ଜ୍ଜନେ ଅବିରତେ

ଲୋଭ ବଢ଼ଇ ସର୍ବମତେ

।।

ପ୍ରାଣହୁଁ ଅତି ସ୍ନେହ ଭରେ

ସେ ତୃଷ୍ଣା କେବା ତେଜିପାରେ

।।

ଯେ ଧନ ଅର୍ଥ ବିକେ ପ୍ରାଣ

ତାହାର ନାହିଁ ପରିତ୍ରାଣ

।।

ତସ୍କର ରୂପେ ଚୋରି କରେ

ସେବା କରଇ ଯାଇ ପରେ

।।

ବୋଇତେ ବସି ବାଣିଜ୍ୟରେ

ଅଗାଧ ସିନ୍ଧୁ ଲୋଭେ ତରେ

।।

ନିତ୍ୟେ ସେ ଗୃହବନ୍ଧେ ବଞ୍ଚେ

ପ୍ରାଣୁ ଅଧିକ ଧନ ସଞ୍ଚେ

।।

ଏକାନ୍ତେ କାମିନୀଙ୍କ ମେଳେ

କ୍ରୀଡ଼ା କରଇ କାମଭୋଳେ

।।

ପତ୍ନୀର ବାକ୍ୟ ଅନୁକ୍ଷଣେ

ଗୁରୁଙ୍କ ମନ୍ତ୍ର ପ୍ରାୟ ମଣେ

।।

ବନ୍ଧୁ ବାନ୍ଧବ ସ୍ନେହଭରେ

ବାଳକ ସଙ୍ଗେ ମନ ହରେ

।।

ସ୍ନେହ ମମତା ଅବିରତେ

ଚିନ୍ତଇ ଅନୁରାଗ ଚିତ୍ତେ

।।

ଘରୁ ବାହାର ହୋଇ ଯେବେ

ପ୍ରବାସ କରଇ ସ୍ଵଭାବେ

।।

ତହିଁ ଜୀବନ ସୁସ୍ଥ ନୋହି

ଭାବଇ ଗୃହେ ମନଦେଇ

।।

ପୁତ୍ର ଦୁହିତା ସ୍ନେହ ଚିତ୍ତେ

ମନୋଜ୍ଞ ପତ୍ନୀ ଭାବ ଚିନ୍ତେ

।।

ଭ୍ରାତା ଜନନୀ ତାର ସ୍ମରେ

ଏ ଭଲେ ଥିବେ କିବା ଘରେ

।।

ମନୋଜ୍ଞ ଗୃହେ ବସ୍ତୁ ଯେତେ

ଜୀବିକା ପଶୁ ଭୁତ୍ୟମତେ

।।

ଏ ରୂପେ କୋଷାକାର ପ୍ରାୟେ

ହୃଦରେ ଅବିରତ ଧ୍ୟାୟେ

।।

ଲୋଭେ ଅତୃପ୍ତ କାମ ହୋଇ

ଜିହ୍ୱା ଉପସ୍ଥ ଭାବେ ଧ୍ୟାୟି

।।

ଦୁସ୍ତର ମୋହ ଭାବ ଚିତ୍ତେ

ଏ ପ୍ରାଣୀ ତରିବ କେମନ୍ତେ

।।

ନିରତେ କୁଟୁମ୍ବ ପୋଷଣେ

ଆୟୁଷ କ୍ଷୟ ସେ ନ ଜାଣେ

।।

ସର୍ବଦା ତାପତ୍ରୟେ ଦୁଃଖୀ

କୁଟୁମ୍ବ ପାଳେ ସେ ନ ଭକ୍ଷି

।।

ଅନିତ୍ୟେ ନିତ୍ୟ ଦେଇ ଚିତ୍ତ

କାମେ ଜଡ଼ିତ ଅବିରତ

।।

ପଣ୍ଡିତ ପଣ ସର୍ବ ଜାଣେ

ଆତ୍ମାର ଗତି ନ ପ୍ରମାଣେ

।।

ଯେ ଫଳ ଇହ ପରଲୋକେ

ତା ଦୁଣି ଜାଣେ ବିଦ୍ୟାସୁଖେ

।।

କୁଟୁମ୍ବୀ ପଣେ ଗୃହ କରେ

କ୍ରୀଡ଼ା ବିନୋଦେ ସେ ବିହରେ

।।

ସୁହୃଦ ବନ୍ଧୁର ଶରୀରେ

ଉଭୟ ଲୋକୁ ନ ନିସ୍ତରେ

।।

ବିଭିନ୍ନ ଆତ୍ମାପର ଲାଗି

ଜନ୍ମ କଳ୍ପନେ ଅନୁରାଗୀ

।।

ବିମୂଢ଼ ମତିର ବିଭ୍ରମେ

ଅନ୍ତେ ପଡ଼ଇ ଘୋରତମେ

।।

ତୁମ୍ଭେ ସକଳେ ଏହା ଶୁଣ

ଆତ୍ମାର ହିତ ମନେ ଗୁଣ

।।

ବିଷୟାସକ୍ତ ମାୟା ସଙ୍ଗେ

ଯେସନେ ମାୟାର ତରଙ୍ଗ

।।

ଏ ସର୍ବ ଦୂରେ ପରିହର

ନାରାୟଣଙ୍କୁ ଆଶ୍ରେ କର

।।

ସେ ନାରାୟଣ ସର୍ବଧାତା

ଈଷିତେ କଇବଲ୍ୟ ଦାତା

।।

ବିଷ୍ଣୁଙ୍କୁ ଆଶ୍ରେ ଯେ କରନ୍ତି

ସେ ସର୍ବଦୁଃଖୁ ନିସ୍ତରନ୍ତି

।।

ଅସୁର ଭାବକୁ ଉପେକ୍ଷ

ଆତ୍ମାର ପ୍ରାୟ ସର୍ବଦେଖ

।।

ଏ ବିଷ୍ଣୁର ମାୟା ପରୀପର

ବ୍ରହ୍ମାଣ୍ଡ ବାହାର ଅନ୍ତର

।।

ବ୍ରହ୍ମାଦି ସ୍ଥାବର ପର୍ଯ୍ୟନ୍ତେ

ଅବ୍ୟକ୍ତ ଭୂତ ଆଦି ଯେତେ

।।

ଗୁଣ ନିର୍ଗୁଣ ହୋଇ ସମ

ଏ ଆଦି ସର୍ବଘଟେ ବ୍ରହ୍ମ

।।

ବସଇ ସର୍ବ ଘଟେ ହରି

ଅଙ୍ଗେ ଅବ୍ୟୟ ରୂପଧରି

।।

ଆତ୍ମା ସ୍ୱରୂପେ ସର୍ବଦେହେ

ଦୃଶ୍ୟ ଅଦୃଶ୍ୟ ଭାବ ବହେ

।।

ନିତ୍ୟ ଅବ୍ୟୟ ସତ୍ୟମତେ

କଳି କେ ପାରିବ ଜଗତେ

।।

କେବଳ ଆନନ୍ଦନୁଭବ

ଅଶେଷ ଦେହେ ସର୍ବ ଜୀବ

।।

ମାୟା ଅନ୍ତରେ ସୁଖେ ରହେ

ଅଶେଷ ଗୁଣ ସଙ୍ଗେ ବହେ

।।

ଏ ଘେନି ସର୍ବ ଭୂତେଶ୍ଵରେ

ପ୍ରାଣୀ ବିଷୟେ ଦୟା କରେ

।।

ସୁଦୃଢ଼ ଭାବ ଧରି ଚିତ୍ତେ

ହରିଙ୍କୁ ଲଭିବ ଯେମନ୍ତେ

।।

ଅସୁର ଭାବ ପରିହରି

ତେଣେ ସନ୍ତୋଷ ନରହରି

।।

ଏ ଭାବେ ଦୃଢ଼ କର ଚିତ୍ତେ

ହରିଙ୍କୁ ଭଜ ଅବିରତେ

।।

ଯେ ବିଷ୍ଣୁ ତୋଷ ଯାକୁ ଚିତ୍ତେ

କି ଅବା ଅଲଭ୍ୟ ଜଗତେ

।।

ଅନନ୍ତ ଅନାଦି ମହିମା

କି ଗୁଣେ କରିବା ଉପମା

।।

ତ୍ରିଗୁଣେ କରେ ନିସ୍ତାରଣ

କେବଳ ପରମ କାରଣ

।।

ସଂସାର ମଧ୍ୟେ ସାର ସେହି

ତାର ଚରଣୁ ଅନ୍ୟ ନାହିଁ

।।

ଏ ଘେନି ବିଷ୍ଣୁର ଚରଣ

ଯେ ପ୍ରାଣୀ ପଶନ୍ତି ଶରଣ

।।

ତାଙ୍କ ଚରଣେ ଭାବ କର

ସଂସାର ମାୟାରୁ ଉଦ୍ଧର

।।

ଏବେ ହୋ ଶୁଣ ମୋର ବାଣୀ

ଶ୍ରୀଭାଗବତ ପରିମାଣି

।।

ଧର୍ମାର୍ଥ କାମ ବଦ ମତେ

ଏ ତିନି ବର୍ଗ ଅନୁମତେ

।।

ସାଧନ କର ଶମ-ଦମ

ଯଜ୍ଞାଦି ନାନାବିଧ କର୍ମ

।।

ସତ୍ୟ ବଚନ ବେଦବାଣୀ

ଏଣେ ସଂସାରୁ ତରେ ପ୍ରାଣୀ

।।

ନାନା ପ୍ରକାରେ ପୁଣ୍ୟଦାହି

ସେ ସବୁ କୃଷ୍ଣେ ସମର୍ପଇ

।।

ଧନ୍ୟ ତା ଶରୀର ଧାରଣ

ସେ ଲଭେ ପରମ କାରଣ

।।

ନିର୍ମଳ ଦୁର୍ଲ୍ଲଭ ଏ ଜ୍ଞାନ

ନିଗମ ସାର ଅନୁପମ

।।

ନାରଦ ମୁନିଙ୍କ ଅଗ୍ରତେ

ସୁପୁଣ୍ୟ ବଦରିକା ତୀର୍ଥେ

।।

ତପ ଆଚରି ଅନୁକ୍ଷଣେ

ଅଛନ୍ତି ନର ନାରାୟଣେ

।।

ନାରଦ ମୁନି ଶୁଦ୍ଧଚେତି

ପୁଚ୍ଛିଲେ ହରିଗୁଣ ଗାଥା

।।

ନାରଦ ମୁନି ଶୁଦ୍ଧ ଭାବେ

ଏ ବାଣୀ ବିବିଧ ପ୍ରସ୍ତାବେ

।।

ନାରଦ ମୁନିଙ୍କୁ ସନ୍ତୋଷେ

କହିଲେ ଜ୍ଞାନ ଉପଦେଶେ

।।

ବିଷ୍ଣୁର ପାଦପଦ୍ମ ଧୂଳି

ଆନନ୍ଦ ଭାବେ ଅଙ୍ଗ ବୋଳି

।।

ସଂସାରେ ଅକିଞ୍ଚନ ଜନେ

ଯାହା ଭାବନ୍ତି ଅନୁକ୍ଷଣେ

।।

ପୂର୍ବେ ମୁଁ ନାରଦଙ୍କ ବାଣୀ

ମାତାଙ୍କ ଗର୍ଭେ ଥାଇ ଶୁଣି

।।

ଏ ବାଣୀ ଭାଗବତ କଥା

ଶୁଣନ୍ତେ ତୁଟେ ଭବବ୍ୟଥା

।।

ଭାବେ କହିଲି ତୁମ୍ଭ ଆଗେ

ହରି ଚରିତ ଅନୁରାଗେ

।।

ଏମନ୍ତ ପ୍ରହଲ୍ଲାଦ ବାଣୀ

ଭାବେ ଅସୁର ପୁତ୍ରେ ଶୁଣି

।।

ବୋଲନ୍ତି ପ୍ରହଲାଦ ଆଗେ

ତୁଲ୍ୟ ବୟସ ଅନୁରାଗେ

।।

ଦୈତ୍ୟପୁତ୍ରା ଉଚୁଃ

ଶୁଣ ହେ ନୃପତି କୁମର

ଆମ୍ଭେ ଯେ ସଙ୍ଗତେ ତୋହର

।।

ତୋହର ଭିନ୍ନ ଗୁରୁ ନାହିଁ

ଏ ବିଦ୍ୟା ସାଧୁ ତୁ କାହିଁ

।।

ଏ ଗୁରୁ ପୁତ୍ରଙ୍କ ଚରଣେ

ଆମ୍ଭେ ଭଜିଲୁ ଅନୁକ୍ଷଣେ

।।

ଏହାଙ୍କ ଉପଦେଶ ଜାଣୁ

ତୁ ଏହା କେମନ୍ତେ ବଖାଣୁ

।।

ତୁହି ତ ଆମ ସଙ୍ଗତରେ

ନିରତେ ଆଉ ଅନ୍ତଃପୁରେ

।।

ସ୍ୱଭାବେ ସ୍ତିରୀଙ୍କ ମନ୍ଦିର

ଦେବମାନବେ ଆଗୋଚର

।।

ତହିଁ ଭିତରେ ଥାଉ ତୁହି

ସାଧୁଙ୍କ ସଙ୍ଗ ତୋର ନାହିଁ

।।

ଏଣୁ ସଂଶୟ ଆୟ ମନ

କାହୁଁ ପାଇଲୁ ଏହି ଜ୍ଞାନ

।।

ତୋହର ପାଦେ ନମସ୍କାର

ସଂଶୟ ଛେଦ ତୁ ଆମ୍ଭର

।।

ଏମନ୍ତେ ଅସୁର ବାଳକେ

ତାର ସମୀପେ ଏକେ ଏକେ

।।

ଚରଣ ଧରି ପଚାରିଲେ

ଧର୍ମର କଥା କହ ଭଲେ

।।

ଏମନ୍ତ ଭାଗବତ ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

ସପ୍ତମସ୍କନ୍ଧେ ଭାଗବତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବାଳକ ସଂଶୟେ

ନାମ ଷଷ୍ଠୋଽଧ୍ୟାୟଃ ।

•••

 

ସପ୍ତମ ଅଧ୍ୟାୟ

ନାରଦ ଉବାଚ

ଏବେ ହୋ ଶୁଣ ଧର୍ମସୁତ

ଅସୁର ବାଳକ ଚରିତ

।।

ସେ ପ୍ରହଲାଦ ଦୟା ମନେ

କହେ ବାଳକ ସନ୍ନିଧାନେ

।।

ପ୍ରହଲାଦ ଉବାଚ

ମୋହର ତପ ପିତା ଅର୍ଥେ

ଗଲେ ଯେ ମନ୍ଦର ପର୍ବତେ

।।

ନିଶ୍ଚଳ ତପ ତାର ଦେଖି

ବିବୁଧେ ସରଗ ଉପେକ୍ଷି

।।

ଯୁଦ୍ଧ ଉଦ୍ୟମ କରି ହେଳେ

ଚଳିଲେ ସର୍ବେ ଏକମେଳେ

।।

ହିରଣ୍ୟକଶିପୁ ଅସୁର

ସ୍ଵଭାବେ ପାପୀ ଦୁରାଚାର

।।

ଯେସନେ ପିପୀଲିକା ଗଣ

କରନ୍ତି ସର୍ପକୁ ଭକ୍ଷଣ

।।

ତେସନ ମତି ଦେବଗଣ

ମାରନ୍ତି ହିରଣ୍ୟକୁ ପୁଣ

।।

ଯେତେ ଅସୁର ଥିଲେ ପୁରେ

ଦେବଙ୍କୁ ଦେଖି ମହାଡରେ

।।

ନିରସ୍ତ୍ର ହୋଇ ଶସ୍ତ୍ରାଘାତେ

ସଂଗ୍ରାମେ ଭାଜିଲେ ସମସ୍ତେ

।।

ଭୟେ ପଶିଲା ଦଶଦିଶେ

ନ ରହି ଦେବଙ୍କର ପାଶେ

।।

ଗୃହ କଳତ୍ର ପୁତ୍ର ଏଡ଼ି

ସର୍ବ ସମ୍ପଦ ବେଗେ ଛାଡ଼ି

।।

ଜୀବନ ଘେନି ପଳାଇଲେ

ବିବୁଧେ ଯୁଦ୍ଧ ଜୟ କଲେ

।।

ସର୍ବ ସମ୍ପଦ ଜୁର କରି

ନେଇ ଚଳିଲେ ସ୍ଵର୍ଗପୁରୀ

।।

ଇନ୍ଦ୍ର ପଶିଣ ଆମ ପୁରୀ

ମୋର ଜନନୀ ନେଲେ ଧରି

।।

ପଥେ ଚଳାଇଁ ନ୍ୟନ୍ତେ ବଳେ

ଜନନୀ କାନ୍ଦନ୍ତି ବିକଳେ

।।

ମୋର ଜନନୀ ଅତି ଭୟେ

ଚଳି ନପାରେ ଗୁରୁ ଦେହେ

।।

ଅନେକ ଦୁଃଖୁ ଗୁରୁ ଶୋକେ

କୁରରୀ ପ୍ରାୟ ଝୁରେ ଦୁଃଖେ

।।

ଏମନ୍ତ ଗଲେ କେତେ ଦୂର

କାନନେ ବ୍ରହ୍ମାଙ୍କ କୁମର

।।

ମୋର ଜନନୀ ଦେଖି ପଥେ

ମିଳିଲେ ଇନ୍ଦ୍ରଙ୍କ ଅଗ୍ରତେ

।।

ବୋଲନ୍ତି ଇନ୍ଦ୍ର ମୁଖ ଚାହିଁ

ଏକଥା ଉଚିତ ନୁହଇ

।।

ପରମା ସତୀ ଏ ସୁନ୍ଦରୀ

କିମ୍ପାଇଁ ନିଅ ବନ୍ଦୀ କରି

।।

ଏହାର ଅପରାଧ ନାହିଁ

ବେଗେ ଏହାକୁ ଛାଡ଼ ତୁହିଁ

।।

ଇନ୍ଦ୍ର ଉବାଚ

ଅସୁର ବୀର୍ଯ୍ୟ ଏହା ଗର୍ଭେ

ଏ ମୋର ବଇରୀ ସ୍ଵଭାବେ

।।

ସେ ବୀର୍ଯ୍ୟ ଅଛି ଗର୍ଭେ ରହି

ତାହାର ତେଜ କିବା କହି

।।

ସ୍ଵର୍ଗ ଘେନିବ ଏ ମୋହର

ଏହାକୁ ମୋର ବଡ଼ ଡର

।।

ଏ ନାରୀ ମୋର ଘରେ ଥିବ

ଯାବତ ପ୍ରସବ କରିବ

।।

ଶିଶକୁ ମାରି ୟାକୁ ଆଣି

ଛାଡ଼ିବି ନିଜ ଘରେ ପୁଣି

।।

ଏ କଥା ସଂକଳ୍ପ ମୋହର

ଏହା ଜାଣ ହେ ମୁନିବର

।।

ନାରଦ ଉବାଚ

ଏହାର ଗର୍ଭ ଯେ କୁମର

ନିଶ୍ଚେ ସେ ବଇଷ୍ଣବ ବର

।।

ଅଶେଷ ଗୁଣେ ଗୁଣନିଧି

ଏହାର ଦେହେ ସର୍ବସିଦ୍ଧି

।।

ଏହାର ଗର୍ଭେ ଅଛି ଯେହୁ

କୃଷ୍ଣ ସେବକ ଅଟେ ସେହୁ

।।

ତୁ କାହିଁ ଏହାକୁ ମାରିବୁ

ଏହାର ଚରଣେ ସେବିବୁ

।।

ଏକଥା ମୁନି ମୁଖୁଁ ଶୁଣି

ଇନ୍ଦ୍ରହିଁ ମନେ ମନେ ଗୁଣି

।।

ନାରଦ ବାକ୍ୟେ ସୁରପତି

ଛାଡ଼ିଲା ଅସୁର ଯୁବତୀ

।।

ମାତାରେ ପ୍ରିୟଭାବ କରି

ମୁନିଙ୍କି ଦଣ୍ଡବତ କରି

।।

ତକ୍ଷଣେ ନିଜ ପୁରେ ଗଲା

ଶୁଣ ହେ ଅସୁରଙ୍କ ବଳା

।।

ମୋର ମାତାକୁ ଆଗକରି

ଆଶ୍ୱାସ କରି ବ୍ରହ୍ମଚାରୀ

।।

ନିଜ ଆଶ୍ରମେ ମୁନି ଆଣି

ମୁଖେ ସିଞ୍ଚନ୍ତି ଶୀତ ପାଣି

।।

ବୋଲନ୍ତି ମଧୁର ବଚନ

ତୁ ଏଥେ ଥିବୁ ଥୋକେ ଦିନ

।।

ଯାବତ ସ୍ୱାମୀ ତପୁଁ ଆସେ

ତାବତ ଥିବୁ ମୋର ପାଶେ

।।

ମୁନି ବଚନେ ମୋର ମାତା

ଛାଡ଼ିଲା ମନୁ ଦୁଃଖ ଚିନ୍ତା

।।

ନିର୍ଭୟେ ମୁନି ଘରେ ରହି

ଭର୍ତ୍ତା ଆଗମେ ପଥ ଚାହିଁ

।।

ପରମ ଭକ୍ତ ମୁନି ପାଦେ

ମୋର ଜନନୀ ଅପ୍ରମାଦେ

।।

ସେବା କରଇ ନିରନ୍ତରେ

ସୁଖ ପ୍ରସନ୍ନ ଉପହାରେ

।।

ମୁନି ଚରଣ ପରସାଦେ

ପ୍ରସନ୍ନ ହୋଇ ଅପ୍ରମାଦେ

।।

ଏ କଥା ମନେ କରି ଚିନ୍ତା

ସୁଖେ ରହିଲା ମୋର ମାତା

।।

ଗୃହେ ନାରଦ ବ୍ରହ୍ମଚାରୀ

ମୋର ମାତାକୁ ଦୟାକରି

।।

ଦିନକୁ ଦିନ କହି ଜ୍ଞାନ

ଆନନ୍ଦ କରି ମାତା ମନ

।।

ନିର୍ମଳ ଧର୍ମ ତତ୍ତ୍ୱ ଯେତେ

କହନ୍ତି ମାତାଙ୍କ ଅଗ୍ରତେ

।।

ଯାହା କହିଲେ ମହାମୁନି

ମୁଁ ତାହା ଗର୍ଭେ ଥାଇ ଶୁଣି

।।

ଜନନୀ ସ୍ଵଭାବେ ଅବଳା

କାଳେ ସେ ଜ୍ଞାନ ପାସୋରିଲା

।।

ନାରଦ ଅନୁଗ୍ରହେ ମୋର

ସେ ଜ୍ଞାନ ରହିଲା ଚିତ୍ତର

।।

ମୋର ବଚନେ ଶ୍ରଦ୍ଧାକର

ଏ ଜ୍ଞାନ ହୋଇବ ତୁମ୍ଭର

।।

ନିର୍ମଳ ଜ୍ଞାନ ହେଲେ ଜାତ

ବିନାଶ ହୋଇବ ଦୁରିତ

।।

ଆତ୍ମାର ଯେମନ୍ତ ସ୍ଵଭାବ

ଶୁଣ କହିବା ଜ୍ଞାନ ଭାବ

।।

ବୃକ୍ଷର ଫଳ ଯେହ୍ନ କାଳେ

ପାଚି ପଡ଼ଇ ମହୀତଳେ

।।

ଷଡ଼ ବିକାରେ ନାଶ ଯାଇ

ଶରୀର ସ୍ୱଭାବଟି ଏହି

।।

ଗର୍ଭୁ ଶରୀର ଜାତ ହୋଇ

ସ୍ଥିତି ବୃଦ୍ଧିକୁ ସେ ଲଭଇ

।।

ପରିଣତି କ୍ଷୟ ଭଜିଣ

ଶେଷେ ବିନାଶ ଲଭେ ପୁଣ

।।

ଆତ୍ମାର ନୁହେଁ ଏ ବିକାର

ଯେଣୁ ସେ ଆତ୍ମା ନିର୍ବିକାର

।।

ସେ ନିତ୍ୟ କ୍ଷେତ୍ରଜ୍ଞ ଅବ୍ୟୟ

ବିକାର ଶୂନ୍ୟ ସର୍ବାଶ୍ରୟ

।।

ସର୍ବ କାରଣ ଅସଙ୍ଗତ

ବିଶୁଦ୍ଧ ଏକ ଅନାବୃତ୍ତ

।।

ଏମନ୍ତ ଆତ୍ମାର ଲକ୍ଷଣ

ଅଧ୍ୟାତ୍ମ ଜ୍ଞାନୀ ଯେଉଁଜନ

।।

ଅହଙ୍କାରକୁ ପରିହରେ

ଦେହାଭିମାନ ଦୂରକରେ

।।

ଆତ୍ମା ଯୋଗରେ କରେ ଧ୍ୟାନ

ଏ ଦେହେ ଲଭେ ବ୍ରହ୍ମଜ୍ଞାନ

।।

ମୁହିଁ ମୋହର ବୋଲି ଯେତେ

ଦେବାଧି ଉପାଧି ସହିତେ

।।

ମମତା ଜାତ ଉପଦେଶ

ଏସବୁ ହରିଙ୍କ ସନ୍ଦେଶ

।।

ମୋର ବଚନ ବେଗେ ହେଜ

ମୁକୁନ୍ଦ ପଦ୍ମପାଦେ ଭଜ

।।

ସୁବର୍ଣ୍ଣକାର ଯେହ୍ନେ ଜଳେ

ପାଷାଣୁ ସୁବର୍ଣ୍ଣ ଧୋଇଲେ

।।

ଘେନଇ ଅତି ଯତ୍ନ କରି

ଏହି ସ୍ୱଭାବେ ବ୍ରହ୍ମଚାରୀ

।।

କ୍ଷେତ୍ରରୁ କ୍ଷେତ୍ରଜ୍ଞ ଉଦ୍ଧରେ

ଆତ୍ମାକୁ ଲଭେ ଅଭ୍ୟନ୍ତରେ

।।

ଅଷ୍ଟ ପ୍ରକୃତି ତିନି ଗୁଣ

ଷୋଡ଼ଶ ବିକାର ଲକ୍ଷଣ

।।

ପରମ ବ୍ରହ୍ମ ସଙ୍ଗତେଣ

ବିରାଜିଛନ୍ତି ଅନୁକ୍ଷଣ

।।

ଏ ଦେହ ଦ୍ୱିବିଧରେ ଜାତ

ସ୍ଥାବର ଜଙ୍ଗମେ ବିଦିତ

।।

ଆତ୍ମାର ସମ୍ବନ୍ଧ ଏ ଦେହେ

ସ୍ୱଭାବେ ଭିନ୍ନଭାବେ ରହେ

।।

ଏମନ୍ତ ଦେହେ ଶୁଦ୍ଧଚିତ୍ତେ

ବ୍ରହ୍ମ ପୁରୁଷ ଭାବ ନିତ୍ୟେ

।।

ସୃଷ୍ଟି ସ୍ଥିତି ଯେ ପ୍ରଳୟର

କାରଣ ବୁଝି ହେତୁକର

।।

ସୁସୁପ୍ତି ସ୍ଵପ୍ନ ଜାଗରଣ

ବୁଦ୍ଧି ବୃତ୍ତିର ଏ ଲକ୍ଷଣ

।।

ଏହା ଯେ ଅନୁଭବ କରେ

ପରମ ପୁରୁଷ ବିହରେ

।।

ବୁଦ୍ଧି ବୃତ୍ତିର ପରିମାଣ

ନୁହଇ ଆତ୍ମାର ଏ ଧର୍ମ

।।

ଏ ତିନି ଗୁଣ ନିବନ୍ଧନ

ସଂସାରେ ଜ୍ଞାନୀ ଅନୁମାନ

।।

ଅଜ୍ଞାନ ମୂଳର ଏ ଅର୍ଥ

ସ୍ଵପ୍ନ ପ୍ରକାଶ ନିଦ୍ରାଗତ

।।

ମାୟାର ସ୍ଵପ୍ନ ଏ ଜଗତ

ଏଣୁ ଏ ତ୍ରିଗୁଣେ ବିଦିତ

।।

ନିର୍ଗୁଣ ଆତ୍ମା କର୍ମଦିଗେ

ଏ ଜୀବ ଅନଳ ସଂଯୋଗେ

।।

ଦହନ କରି ଯୋଗ ମାର୍ଗେ

ଅନ୍ୟ ଉପାୟ ନ ସଂଯୋଗେ

।।

କେ ସାଧି ପାରିବ ସାମର୍ଥେ

ଏ ଭାବ ଅନୁଭବ ଚିତ୍ତେ

।।

ଭକ୍ତି ଲକ୍ଷଣ ଯେତେ ସାଧି

ଗୁଣ ଲକ୍ଷଣେ ଯେଣେ ଭେଦି

।।

କୃଷ୍ଣେ ସମର୍ପି ସର୍ବ ଲାଭ

ସଙ୍ଗେ ସେବିବ ସାଧୁ ଭାବ

।।

ଯେଣେ ଈଶ୍ଵର ଆରାଧନ

କରିବ ଶ୍ରବଣ କୀର୍ତ୍ତନ

।।

ସେ ବିଷ୍ଣୁ କଥାର ଶ୍ରବଣ

କୃଷ୍ଣର ଯେତେ ନାମ ଗୁଣ

।।

ପଦାରବିନ୍ଦ ଧ୍ୟାନ ବଳେ

ବଞ୍ଚିବ ବଇଷ୍ଣବ ମେଳେ

।।

ବିଷ୍ଣୁ ଭକ୍ତଙ୍କ ପାଦ ସେବି

ଭାବ ବିହ୍ୱଳେ ବିଷ୍ଣୁ ଭାବି

।।

ଏ ଭକ୍ତି ଯୋଗ ବଳେ ପ୍ରାଣୀ

ଷଡ଼ ଅଇରି ରିପୁ ଜିଣି

।।

ବିଷ୍ଣୁ ଚରଣେ ସେବି ନିତି

ଏ ଭାବେ ସଂସାରୁ ତରନ୍ତି

।।

ଏବେ ଅସୁର ସୁତେ ଶୁଣ

ଜୀବର ଯେଣେ ପରିତ୍ରାଣ

।।

ବିଷ୍ଣୁର ପ୍ରିୟ ଯେତେ କର୍ମ

ଯେବା ଅଧୁକ ଗୁଣଗ୍ରାମ

।।

ଲୀଳା ଶିରୀରେ ଯେତେ କଲା

ଅନ୍ୟାନ୍ୟ ଗୁଣେ ଯେତେଖେଳା

।।

ସେ କଥା ଶୁଣି କର୍ଣ୍ଣଦ୍ୱାରେ

ପୁଲକ ଯାହାର ଶରୀରେ

।।

ହରଷେ ଅଶ୍ରୁଜଳ ବହେ

କଣ୍ଠେ ଗଦ୍‌ଗଦ୍ ବାଣୀ କହେ

।।

ଆନନ୍ଦେ କହେ କୃଷ୍ଣବାଣୀ

ଉଚ୍ଚ ରୋଦଇ ତାହା ଶୁଣି

।।

ନୃତ୍ୟ କରଇ ବେନି ପାଦେ

ହରଷେ କହେ ଉଚ୍ଚ ନାଦେ

।।

ଭୂତ ଗନ୍ଧର୍ବ ଗ୍ରହ ଯେହ୍ନେ

ଲାଗିଲେ ଭୋଳ ହୋନ୍ତି ଜନେ

।।

ଉନ୍ମତ୍ତ ହୋଇ ଭାବ ବଳେ

ହୁଙ୍କାର ନାଦେ କୃଷ୍ଣ ବୋଲେ

।।

ଜନଙ୍କୁ ବିଷ୍ଣୁ ପ୍ରାୟମଣେ

ନମଇଁ ତାହାଙ୍କ ଚରଣେ

।।

ତୁଣ୍ଡେ ବୋଲନ୍ତି ହରି ହରି

ଭୋ ଜଗନ୍ନାଥ ଦଇତାରି

।।

ହେ ନାରାୟଣ ଯଦୁପତି

ନିର୍ଲ୍ଲଜ ପ୍ରାୟ ବହେ ମତି

।।

ଏମନ୍ତ ଭାବେ ଯେତେବେଳେ

ଭଜଇ ବିଷ୍ଣୁ ପାଦ ତଳେ

।।

ଅଶେଷ କର୍ମବନ୍ଧ ପାଶ

ତକ୍ଷଣେ ଯାଏ ତାର ନାଶ

।।

କୃଷ୍ଣ ଚରଣେ ଭାବ କରେ

ଅଶେଷ ବନ୍ଧନୁ ନିସ୍ତରେ

।।

କୃଷ୍ଣର ଭାବ ହୁଏ ଶୁଦ୍ଧି

ଚେତନା ଅହଙ୍କାର ବୁଦ୍ଧି

।।

ମନର ବାହାର ଅନ୍ତରେ

ନିର୍ମଳ ପ୍ରକାଶେ ଶରୀରେ

।।

କର୍ମ ବାସନା ବୀଜବଳେ

ଜୀବ ସଞ୍ଚରେ ଏ ଅନଳେ

।।

ବିଷ୍ଣୁ ଭକତି ଯୋଗବଳେ

ପ୍ରକାଶେ ପ୍ରଚଣ୍ଡ ଅନଳେ

।।

ସେ ଅଗ୍ନିତେଜେ କର୍ମବୀଜ

ତକ୍ଷଣେ ହୁଅଇ ଦହିର୍ଯ୍ୟ

।।

କର୍ମ ବିନାଶେ ଜୀବ ତରେ

ନିଶ୍ଚିନ୍ତେ ବିଷ୍ଣୁ ଆଶ୍ରେକରେ

।।

କୃଷ୍ଣ ଆଶ୍ରୟ ପ୍ରାଣୀଙ୍କର

ଶୁଭ ଅଶୁଭ ହୁଏ ଦୂର

।।

ଏ ଶୁଭାଶୁଭ ଚକ୍ରେ ଥାଇ

ପ୍ରାଣୀ ଅଶେଷ ଜନ୍ମ ପାଇ

।।

ସଂସାର ଚକ୍ର ଦୃଢ଼ ପାଶ

ହରି ଭଜନେ ହୁଏ ନାଶ

।।

ଏ ଜୀବ ବଦ୍ଧ ମୋକ୍ଷ ହୋଇ

ବ୍ରହ୍ମ ନିର୍ବାଣେ ପଶେ ଯାଇ

।।

ପଣ୍ଡିତ ଜନଙ୍କର ମତ

ବିଷ୍ଣୁ ଭଜନ ବ୍ରହ୍ମତତ୍ତ୍ୱ

।।

ବାଳକେ ମୋର ବୋଲକର

ବେଳହୁଁ ଗୋବିନ୍ଦ ସୁମର

।।

ହରିଙ୍କୁ ଭଜ ଦୃଢ଼ମନେ

କି ଦୁଃଖ କଷ୍ଟ ଉପାସନେ

।।

ହରି ଅଶେଷ ପ୍ରାଣୀ ଦେହେ

କ୍ଷୁଦ୍ର ଆକାଶ ପ୍ରାୟ ରହେ

।।

ଆତ୍ମାର ସଖା ପଦ୍ମନାଭ

ଅନ୍ୟ ଭଜନେ କିବା ଲାଭ

।।

ଦେଖ ଏ ଧନ ଦାରା ସୁତ

ପଶୁ କୁଞ୍ଜର ଧ୍ୱଜ ଛତ୍ର

।।

ନାନା ସମ୍ପଦେ ଅର୍ଥ କାମ

କ୍ଷଣଭଙ୍ଗୁର ସର୍ବ ଜାଣ

।।

ସ୍ୱପନ ପ୍ରାୟ ମିଥ୍ୟା ହୋନ୍ତି

ଜୀବକୁ କିବା ଏ କରନ୍ତି

।।

ସମ୍ପତ୍ତି ନୁହଇ ନିଶ୍ଚଳ

ଯେସନେ ସମୁଦ୍ର ଉଲ୍ଲୋଳ

।।

ଏହା ନ ଜାଣି ସର୍ବ ଜନେ

ଏ ମାୟା ନିଗମ ବଚନେ

।।

ଯଜ୍ଞ ଆରମ୍ଭ କରି କର୍ମ

ଆଶ୍ରୟ ମୂଳେ ହୋନ୍ତି ଭ୍ରମ

।।

ଯେ ଯଜ୍ଞଫଳ ବେନି ଲୋକେ

ଆବୋରି ଭୁଞ୍ଜ ଏକେ ଏକେ

।।

କର୍ମ ଚଳିଲେ ପୁଣି ବଳେ

ଭ୍ରମଇଁ ଏ ମାୟା ଶୟଳେ

।।

ଅଦୃଷ୍ଟ କୃତ କର୍ମ ଫଳ

କେବେହେଁ ନୁହଇ ନିର୍ମଳ

।।

ଏ କର୍ମ ଦୂରେ ପରିହରେ

ଆତ୍ମାକୁ ମାୟାରୁ ଉଦ୍ଧରେ

।।

ଅନ୍ତରେ ଆତ୍ମା ସୁଖ ଲଭେ

କୃଷ୍ଣ ଚରଣେ ଭକ୍ତିଭାବେ

।।

ଯେ ଅର୍ଥେ ପ୍ରାଣୀ ଇହଲୋକେ

କର୍ମେ ଆସକ୍ତ ଏକେ ଏକେ

।।

ସେ କର୍ମ ଦେଇ ହରି ପାଦେ

ନିଷ୍କାମ ଭାବରେ ଆନନ୍ଦେ

।।

ନିର୍ମଳ ଚିତ୍ତେ ହରି ଭାବେ

ସେ ପ୍ରାଣୀ ମୋକ୍ଷଫଳ ଲଭେ

।।

ଦୁଃଖ ବିନାଶେ ସୁଖଅର୍ଥେ

ପ୍ରାଣୀ ଭ୍ରମନ୍ତି ଏ ଜଗତେ

।।

ଆପଦ ଦୁଃଖ ଭୁଞ୍ଜେ ନିତ୍ୟେ

ସୁଖ ନ ମିଳେ କଦାଚିତ୍ତେ

।।

ଅଶେଷ ଭୋଗ କାମ ଅର୍ଥେ

କର୍ମ କରଇ ପ୍ରାଣୀ ନିତ୍ୟେ

।।

ସେ ଫଳ ପରଲୋକେ ପାଇ

ମିଳଇ ଅବା ନ ମିଳଇ

।।

ଯେ ଦେହ ପାଇଁ କର୍ମମାନ

କରଇ ଭକ୍ଷେ ତାକୁ ଶ୍ୱାନ

।।

ଏ ଦାରାସୁତ ଗୃହ ଧନ

ରାଜ୍ୟ ଭଣ୍ଡାର ଭୃତ୍ୟଜନ

।।

ମହତ ଆବୃତେ ଏ ଥାନ୍ତି

ଦିଶଇ ପୁଣ ନ ଦିଶନ୍ତି

।।

ଏ ତୁଚ୍ଛ ପ୍ରାୟ ଦେହତୁଲେ

ସର୍ବେ ନାଶନ୍ତି ଅନ୍ତଃକାଳେ

।।

ଅନର୍ଥ ଅର୍ଥ ପ୍ରାୟେ ମଣି

ମାୟା ସମୂହେ ସର୍ବ ପ୍ରାଣୀ

।।

ଏ ନିତ୍ୟ ଆନନ୍ଦ ସାଗରେ

ଚିତ୍ତ ମଜ୍ଜାଅ ନିରନ୍ତରେ

।।

ଦେହ ଧାରଣେ ଏତେ ଲାଭ

ଅସୁର ମତି ଛାଡ଼ି ଭାବ

।।

ଦେଖ ଏ ସଂସାର ଧାରଣ

ଜନ୍ମହୁଁ ଯାବତ ମରଣ

।।

ଏମନ୍ତେ ଅଶେଷ ଉପାୟେ

ଜୀବର ନାଶ ସର୍ବ ହୁଏ

।।

କର୍ମ ସଂଯୋଗେ ଦେହ ବହି

ନିରତେ କର୍ମକୁ ସଞ୍ଚଇ

।।

ଜନ୍ମ ମରଣ କର୍ମ ଫଳେ

ଭୁଞ୍ଜଇ ଅବିବେକ ବଳେ

।।

ଏ ଘେନି ଧର୍ମ ଅର୍ଥ କାମ

ଏ ତିନି ଜୀବର ଯେ ଭ୍ରମ

।।

ଏଣୁ ଭ୍ରମଇ ନିରନ୍ତରେ

କ୍ଷଣ ନ ରହେ ସୁଖ ଘରେ

।।

ଏଣୁ ସଂଶୟ ଦୂର କରି

ଅନ୍ତରେ ଭଜ ନରହରି

।।

ଆତ୍ମାର ସ୍ୱରୂପ ଈଶ୍ୱର

ଚିତ୍ତ ନିର୍ମଳେ ଆଶ୍ରେକରେ

।।

ହରି ସ୍ୱକୃତ ପଞ୍ଚଭୂତେ

ଜନ୍ମ କରାଇ ସ୍ୱଆୟତ୍ତେ

।।

ସଂଯୋଗେ ଶରୀର ପ୍ରକାଶେ

କର୍ମ ସରିଲେ ଦେହ ନାଶେ

।।

ଦେବ ଅସୁର ନର ଯେବେ

ଯକ୍ଷ ଗନ୍ଧର୍ବ ହରି ଭାବେ

।।

ଭଜନ୍ତି ମୁକୁନ୍ଦ ଚରଣେ

ସେ ଜୀବ ପରମ କାରଣେ

।।

ବିପ୍ର ଦେବତା ଋଷି ହୋଇ

ଯେବେ କୃଷ୍ଣଙ୍କୁ ନ ଭଜଇ

।।

ଅନେକ ବିଦ୍ୟା ବାଦ କରେ

ଶଉଚ ବ୍ରତକୁ ଆଚରେ

।।

ଅନେକ ଦିନ ତପ ସାଧି

ଅଷ୍ଟାଙ୍ଗ ଯୋଗ କର୍ମ ବିଧି

।।

କରି ସମସ୍ତ କ୍ରିୟା ଯେତେ

ନାନା ଉପାୟ ଏ ଜଗତେ

।।

ଅଜ୍ଞାନ ବିଡ଼ମ୍ବନ ଏହି

ଏଣେ ଗୋବିନ୍ଦକୁ ନ ପାଇ

।।

ନିର୍ମଳ ଭକ୍ତି ଅନ୍ତର୍ଗତେ

ଯେବେ କରଇ ଅବିରତେ

।।

ତେବେ ଲଭଇ ଭଗବାନ

ଅନ୍ୟଥା ସର୍ବ ବିଡ଼ମ୍ବନ

।।

ଏଣୁ ଗୋବିନ୍ଦ ପାଦେ ଭଜ

ଅସୁର ବୁଦ୍ଧି ଦୂରେ ତେଜ

।।

ସେ ଆତ୍ମା ସୁବୁଦ୍ଧି ବିବେକ

ଆତ୍ମା ସମାନେ ସର୍ବ ଦେଖ

।।

ସକଳ ଘଟେ ଏକା ହରି

ସୂକ୍ଷ୍ମ ସ୍ୱରୂପେ ଅଛି ପୂରି

।।

ଏ ଭାବ ଜାଣି ଏ ଶୟଳେ

ଅନେକ ପ୍ରାଣୀ ନିସ୍ତରିଲେ

।।

ଅସୁର ଯକ୍ଷ ରକ୍ଷଗଣ

ସ୍ତ୍ରୀ ଶୂଦ୍ର ଚଣ୍ଡାଳ ପ୍ରମାଣ

।।

ମୃଗ ପତଙ୍ଗ ପାପୀ ଜୀବେ

ସର୍ବ ତରିବେ ବିଷ୍ଣୁଭାବେ

।।

ଏ ଜୀବ ଲୋକେ ଏ ଦୁର୍ଲଭ

ଏକାନ୍ତ ଚିତ୍ତେ ହରିଭାବ

।।

ଜ୍ଞାନ ଲୋଚନେ ସର୍ବେ ଦେଖ

ଆତ୍ମାକୁ ଆତ୍ମା ଭାବେ ରଖ

।।

ବୋଲଇ ବିପ୍ର ଜଗନ୍ନାଥ

ଜନ ନିସ୍ତାରେ ଭାଗବତ

।।

ସପ୍ତମସ୍କନ୍ଧେ ହରିଲୀଳା

ଭବ ସୁମଦ୍ରକୁ ଏ ଭେଳା

।।

ଅସୁର ପୁତ୍ରଙ୍କର ଭାବେ

ପ୍ରହ୍ଲାଦ ଦୟା ଅନୁରାଗେ

।।

ଯେତେ କହିଲି ହରିବାଣୀ

ସୁଜନେ ତର ଏହା ଶୁଣି

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଅସୁର ବାଳକ

ବୋଧନେ ନାମ ସପ୍ତମୋଽଧ୍ୟାୟଃ ।

•••

 

Unknown

ଅଷ୍ଟମ ଅଧ୍ୟାୟ

ଇନ୍ଦ୍ର ଉବାଚ

ବାଳକେ ସାବଧାନେ ଶୁଣି

ବୋଲନ୍ତି ମନେ ମନେ ଗୁଣି

।।

ଏ ଗୁରୁ ବଚନ ନୁହଁଇ

ଏଣେ ଆମ୍ଭର କାର୍ଯ୍ୟ ନାହିଁ

।।

ପ୍ରହଲାଦର ମୁଖ ଚାହିଁ

ଏମନ୍ତ ଭାଳି ସର୍ବେ ଯାଇ

।।

ଗୁରୁଙ୍କ ଆଗେ ଜଣାଇଲେ

ସଂଯୋଗେ ସକଳ କହିଲେ

।।

ଶିଶୁ ବଚନ ଶୁଣି ଗୁରୁ

ମନେ ଚିନ୍ତିଲା ମହାମେରୁ

।।

ଏକାନ୍ତ ବୁଦ୍ଧି ତ ଏହାର

ଅନ୍ୟ ଲକ୍ଷଣ ଅଗୋଚର

।।

ସତ୍ୟ ସଂଯୋଗ ଆବୋରିଲା

ବାଳକ ବୁଦ୍ଧି ନାଶ ଗଲା

।।

ଯେବେ ଏହାର ବୋଲେ ଥିବେ

ସର୍ବ ବାଳକ ନାଶ ଯିବେ

।।

ଏମନ୍ତ ହୃଦରେ ବିଚାରି

ରାଜଦଣ୍ଡକୁ ଭୟ କରି

।।

ବେଗେ ରାଜାର ଆଗେ ଆସି

ବିସ୍ତାରି କହିଲା ବିଶେଷି

।।

ଅସୁର ଶୁଣି ସର୍ବ କଥା

ମନେ ପାଇଲା ଗୁରୁ ଚିନ୍ତା

।।

ପୁତ୍ରର ଅନ୍ୟାୟ ବଚନ

ଶୁଣି ଅସୁର ଛନ୍ନ ଛନ୍ନ

।।

କ୍ରୋଧେ କଂପଇ ତା ଶରୀର

ସର୍ପ ଯେସନେ ଫୁଫୁକାର

।।

ଅନେକ ମତେ ବିଚାରିଲା

ପୁତ୍ର ମରଣେ ମନ ଦେଲା

।।

ଗୁରୁଙ୍କ ବାକ୍ୟ କର୍ଣ୍ଣେ ଶୁଣି

ପ୍ରଚଣ୍ଡ କୋପେ ବୀରମଣି

।।

ଆଡ଼ ନୟନେ ଅନାଇଲା

ପାପିଷ୍ଠ ପଣେ ଭୟ କଲା

।।

ବିଶ୍ୱାସ ପଣେ ସେ ଦଇତ

ସ୍ୱଭାବେ ତାର ଶାନ୍ତ ଦାନ୍ତ

।।

କର ଅଂଜଳି ଦେଇ ମାଥେ

ପ୍ରହ୍ଲାଦ ପିତାର ଅଗ୍ରତେ

।।

ଚରଣ ଅଗ୍ରେ ଶିର ଦେଇ

ସର୍ବ ବାଳକେ ମେଳ ହୋଇ

।।

ଏମନ୍ତେ ପୁତ୍ରକୁ ଅନାଇ

ଚିତ୍ତେ ପ୍ରଳୟ କୋପ ବହି

।।

ଗର୍ଜଇ ମନେ ବହି କୋପ

ପାଦ ପ୍ରହାରେ ଯେହ୍ନେ ସର୍ପ

।।

ସ୍ୱଭାବେ ଦାରୁଣ ଅସୁର

ଦିଶଇ ଯେହ୍ନେ ଦିବାକର

।।

ହିରଣ୍ୟକଶିପୁ ଉବାଚ

ଦୁର୍ବୁଦ୍ଧି ଦୁଷ୍ଟ କୁଳାନ୍ତକ

ଅଧର୍ମୀ ମହାପାପୀ ବୃକ

।।

ସୁଜ୍ଞଜନଙ୍କ ବାକ୍ୟ ଦୂର

ଦୁଃଶୀଳ ଦୁଷ୍ଟ ଦୁରାଚାର

।।

ମୋହର କୋପେ ତିନିପୁର

ଭୟେ କଂପନ୍ତି ଥରହର

।।

ତ୍ରାସେ କଂପନ୍ତି ଦିଗପାଳେ

ନକ୍ଷତ୍ର ଗଗନ ମଣ୍ଡଳେ

।।

ଧିକ ତୋ ଜ୍ଞାନ ମୁଢ଼ ପଣେ

ମୋ ଆଜ୍ଞା ଭାଙ୍ଗୁ ପରମାଣେ

।।

ତୁ ପୁତ୍ର ମୋର କୁଳାଙ୍ଗାର

ଆଜ ପେଶିବି ଯମପୁର

।।

କାହାର ବୋଲେ ଦୁଷ୍ଟ ପଣେ

ମୋ ବୋଲ ଭାଙ୍ଗୁ ଅକାରଣେ

।।

ପ୍ରହଲାଦ ଉବାଚ

ଶୁଣ ରାଜନ ମୋର ବାଣୀ

ତୁମ୍ଭେ ତ୍ରିଲୋକରେ ବରଣୀ

।।

ଯେ କଥା ଉଚିତ ମୋହର

କହଇ ଶୁଣ ନୃପବର

।।

ଯେଉଁ ପ୍ରଭୁର ବଳେ ମୁହିଁ

ନୀଚକୁ ସମାନ ଜାଣଇ

।।

ତୋର ମୋହର ଆଦି କରି

ଅପରେ ଯେତେ ଦେହଧାରୀ

।।

ଜଗତେ ମହାବଳୀ ଯେତେ

ସ୍ଥାବର ଜଂଗମ ସହିତେ

।।

ବ୍ରହ୍ମାଦି ଯେତେ ସୁରାସୁରେ

ଯାର ଚରଣେ ପୂଜା କରେ

।।

ସେ ରୂପେ କର୍ମ କାଳ ରୂପୀ

ଯଜ୍ଞ ଶରୀର ବିଶ୍ୱବ୍ୟାପୀ

।।

ପ୍ରାଣୀଙ୍କ ବଳ ପ୍ରାୟ ସେହି

ବାହ୍ୟ ଅନ୍ତର ସମ ହୋଇ

।।

ଇନ୍ଦ୍ର ଦେବତା ଇନ୍ଦ୍ରି ଗୁଣ

ଇନ୍ଦ୍ରିୟ ବଶର କାରଣ

।।

ସେ ବିଶ୍ୱ ସଂସାର ସର୍ଜ୍ଜଇ

ତ୍ରିଗୁଣ ମାୟା ସଂଗେ ନେଇ

।।

ଭୁଞ୍ଜଇ ଅଶେଷ ଶରୀରେ

କ୍ରୀଡ଼ାର ଅନ୍ତେ ଅନ୍ତ କରେ

।।

ଏହାତୁ ଜାଣି ତାକୁ ସ୍ମର

ଅସୁର ଭାବ ଦୂର କର

।।

ଆତ୍ମାର ଭାବେ ଆତ୍ମା ରଖ

ସକଳ ଘଟେ ସମ ଦେଖ

।।

ଯେ ଭାବେ ରିପୁ ମିତ୍ର ନାହିଁ

ସେ ଭାବେ ରହ ମନଦେଇ

।।

ମିତ୍ର ଉଦାସ ଶତ୍ରୁ ଗଣେ

ହରି ହୁଁ ନାହିଁ ଅନ୍ୟ ଜଣେ

।।

ଏ ଭାବେ ଚିନ୍ତ ହେ ପିଅର

ହରି ସନ୍ତୋଷେ କର୍ମ କର

।।

ତୁ ଯେ ବୋଲାଉ ବୀରମଣି

ତ୍ରିଲୋକ ଦଶଦିଗ ଜାଣି

।।

ଏ ତିନି ଭୁବନ ଆବୋରି

ଭୁଜ ତୁ ଅକଣ୍ଟକ ଶିରୀ

।।

ଜଗତେ ରିପୁ ତୋର ନାହିଁ

କହିବି ଶୁଣ ମନ ଦେଇ

।।

ବ୍ରହ୍ମାଣ୍ଡେ ଯେତେ ଛନ୍ତି ପୁଣ

ଏକତ୍ୱ ଦେହ ପରିମାଣ

।।

ଯେ ଷଡ଼ରିପୁ କାମ ଆଦି

ହୃଦୟ ମଧ୍ୟେ ଛନ୍ତି ଭେଦି

।।

ମନକୁ କରି ସେନାପତି

ଆତ୍ମା ସଂପଦ ଲୁଟୁଛନ୍ତି

।।

ଏ ଦଶ ଇନ୍ଦ୍ରି ଦିଗପାଳେ

ଆତ୍ମାକୁ ନାଶନ୍ତି ସମୂଳେ

।।

ଏହାଙ୍କୁ ଦେହେ ନ ନିବାରି

ମୁଁ ବୀର ବୋଲି ଗର୍ବ କରି

।।

ଏହାଙ୍କୁ ଜିଣିବୁ କେମନ୍ତେ

ଏବେ ହୋ ଦୃଢ଼ କର ଚିତ୍ତେ

।।

ଏମନ୍ତ ପ୍ରହଲାଦ ବାକ୍ୟେ

ଅସୁର ଦେହ କୋପେ କଂପେ

।।

ବୋଲଇ ପୁତ୍ର ମୁଖ ଚାହିଁ

ନିଶ୍ଚେ ମରିବୁ ଆଜ ତୁହି

।।

ଅଧିକ କେତେ କଥା କହୁ

ତୁ ଯେ ଅସୁର ତନୁ ବହୁ

।।

ମୃତ୍ୟୁ ଯାହାର ସନ୍ନିଧାନ

ମନୁ ହରଇ ତାର ଜ୍ଞାନ

।।

ଆତ୍ମାର ଗତି ନ ପ୍ରମାଣି

ବାଳୁତ ଭାବେ କହୁ ବାଣୀ

।।

ଜୀବନେ ଭାବ ନାହିଁ ତୋର

ବଚନ କହୁ ଅଗୋଚର

।।

ଏ ତିନିପୁରେ ମୁଁ ଈଶ୍ଵର

ମୋ ତହୁଁ ଅଛି କେବା ପର

।।

ତାହାର ବୋଲେ ତୁ ପାମର

ମୋ ବାକ୍ୟ ଅବଜ୍ଞା ତୋହର

।।

ସ୍ଥାବର ଜଙ୍ଗମ ସହିତେ

ମୁହିଁ ପାଳଇ ଏ ଜଗତେ

।।

ମୋ ତହୁଁ କେବା ଅଛି ଭିନ୍ନେ

ଈଶ୍ଵର ଏ ତିନି ଭୁବନେ

।।

ତୁ ଯେବେ ବୋଲୁ ଦୃଢ଼ କରି

ଦୃଶ୍ୟେ ଅଦୃଶ୍ୟେ ଅଛି ପୂରି

।।

ଆଜ ତୁ ମୋହର ସମ୍ମୁଖେ

ହରିଙ୍କୁ ଦେଖାଅ ପ୍ରତ୍ୟକ୍ଷେ

।।

ସେ ଯେବେ ସର୍ବବ୍ୟାପୀ ଥାଇ

ଏ ସ୍ତମ୍ଭେ କିଂପା ନ ଦିଶଇ

।।

ତୁ ଯେ ବୋଲାଉ ତାର ସଖା

ପ୍ରତ୍ୟକ୍ଷେ ସ୍ତମ୍ଭ ମଧ୍ୟେ ଦେଖା

।।

ଆଜ ହାଣିବି ତୋର ଶିର

କେମନ୍ତେ ରଖେ ଚକ୍ରଧର

।।

ଏମନ୍ତ ପିତାର ବଚନେ

ପ୍ରହ୍ଲାଦ ଭୟ କଲା ମନେ

।।

ବାଳକ ବିଷ୍ଣୁର ବିଶ୍ଵାସେ

ଚଂଚଳେ ଚାହିଁ ଦଶ ଦିଶେ

।।

ଦେଖିଲା ସ୍ତମ୍ଭ ମଧ୍ୟେ ହରି

ଶଙ୍ଖ କମଳ ଚକ୍ରଧାରୀ

।।

ପ୍ରଚଣ୍ଡ ଗଦା ଶୋହେ କରେ

ଦେଖିଲେ ସ୍ତମ୍ଭର ଭିତରେ

।।

ବୋଲଇ ପିତା ମୁଖ ଚାହିଁ

କପୋଳେ ବେନି କର ଦେଇ

।।

ହେ ତାତ ସ୍ତମ୍ଭ ମଧ୍ୟ ହରି

ଦେଖ ପ୍ରତ୍ୟକ୍ଷେ ଛନ୍ତି ପୂରି

।।

ଏମନ୍ତେ ପୁତ୍ର ମୁଖୁ ଶୁଣି

କୋପେ ଉଠିଲା ଶିର ଝୁଣି

।।

ପୁତ୍ରକୁ ଚାହିଁ କୋପଦୃଷ୍ଟି

ଓଷ୍ଠ ଚାପିଣ ଦନ୍ତ ପାଟି

।।

ତୀକ୍ଷ୍‌ଣ ଖଡ଼ଗ ଧରି କରେ

ଅସୁର ଉଠି କୋପ ଭରେ

।।

ସ୍ତମ୍ଭକୁ ଚାହିଁ କୋପ ଦୃଷ୍ଟି

ପ୍ରହାର କଲା ବାମ ମୁଷ୍ଟି

।।

ତକ୍ଷଣେ ଘୋର ନାଦ କରି

ସ୍ତମ୍ଭ ମଧ୍ୟରେ ଦଇତାରି

।।

ଅତି ଦୁଃସହ ଘୋର ନାଦେ

ବ୍ରହ୍ମାଣ୍ଡ ପୂରିଲା ଶବଦେ

।।

ବ୍ରହ୍ମାଦି ତ୍ରିଭୁବନ ଲୋକେ

ଭୟେ କଂପିଲେ ଏକେ ଏକେ

।।

ଶବଦେ ଯେହ୍ନେ ଘଡ଼ ଘଡ଼ି

ବ୍ରହ୍ମାଣ୍ଡ ପଡ଼ିଲା କି ଛିଡ଼ି

।।

ଅଦ୍‌ଭୁତ ଘୋର ନାଦ ଶୁଣି

କୋପେ ଧାଇଁଲା ଖଡ଼୍‌ଗଘେନି

।।

ଦେଖି କଂପିଲେ ଦିଗପାଳ

ଧଇଲା ପ୍ରହଲାଦ ବାଳ

।।

ଦେଖିଲା ସ୍ତମ୍ଭେ କେହି ନାହିଁ

ବୋଇଲା ପୁତ୍ର ମୁଖ ଚାହିଁ

।।

ଆଜ ପେଷିବି ଯମପୁର

ଦେଖା ତୋ କାହିଁ ଚକ୍ରଧର

।।

ତକ୍ଷଣେ ଭକତ ବତ୍ସଳ

ଦେଖିଲେ ଭୃତ୍ୟର ବିକଳ

।।

ଯେ ହରି ସର୍ବ ଭୂତେ ପୂରି

ତାର ବଚନ ସତ୍ୟ କରି

।।

ସ୍ତମ୍ଭର ମଧ୍ୟେ ରୂପ ଧରି

ଯେସନେ ବିକ୍ରମ କେଶରୀ

।।

ଅଦ୍‌ଭୁତ ରୂପ ଦେବ ରାୟ

ଶୋହେ ମନୁଷ୍ୟ ପଶୁକାୟେ

।।

ଅଦ୍‌ଭୁତ ରୂପ ଭୟଙ୍କର

ଦେଖି ବିଚାରଇ ଅସୁର

।।

ଏ ରୂପ ଦେଖିଲା ତ ନାହିଁ

ସ୍ତମ୍ଭେ ଏ ପ୍ରକାଶିଲା କାହିଁ

।।

ଦୁଗ୍‌ଧ ସୁବର୍ଣ୍ଣ ପ୍ରାୟ ବର୍ଣ୍ଣ

କର୍କଶ ପିଙ୍ଗଳ ଲୋଚନ

।।

ଶରୀର କେଶର କମ୍ପନେ

ଜଳଦେ ଉଡ଼ିଲେ ଗଗନେ

।।

ବିସ୍ତାର ତୁଣ୍ଡ ବେନି କଲେ

ଜିହ୍ୱା ବୁଲାଇ ଅନ୍ତରାଳେ

।।

ବିକଟ ଦନ୍ତ ବେନି ପାଟି

ନିଷ୍ଠୁର ଚଞ୍ଚଳ ଭ୍ରୂକୁଟି

।।

ଉର୍ଦ୍ଧ୍ୱେ ଚଳଇ କର୍ଣ୍ଣ ଦୁଇ

ଗିରି ଗୁହାର ପ୍ରାୟ ହୋଇ

।।

ନାସିକା ରନ୍ଧ୍ର ଅନ୍ଧକାର

ବିସ୍ତାର ହନୁ ମହାଘୋର

।।

ଗ୍ରୀବାର ତନୁ ଦୀର୍ଘ ଦିଶେ

ମସ୍ତକ ଲାଗଇ ଆକାଶେ

।।

ଚନ୍ଦ୍ର ଗଉର ତନୁ ରୁହ

ବିଶ୍ୱ ପୂରିତ ବିଶ୍ଵଦେହ

।।

କର ଚରଣ ନଖାୟୁଧ

ତା ଦେଖି କମ୍ପିଲେ ବିବୁଧ

।।

ଅସୁର ପଳାଇଲେ ତ୍ରାସେ

ଭୟେ ପଶିଲେ ଦଶଦିଶେ

।।

ଏମନ୍ତ ରୂପ ଦେଖି ଆଗେ

ଦାନବ ପତି ମହାରାଗେ

।।

ଗଦା ବୁଲାଇ ଦକ୍ଷକରେ

ପିଟିଲା ନୃସିଂହ ଉପରେ

।।

ପୁଣି ପ୍ରହାରେ ବାମଦକ୍ଷେ

ଦେବେ ଦେଖନ୍ତି ଅନ୍ତରୀକ୍ଷେ

।।

ଅତି ବିକ୍ରମ ତେଜ ଦେଖି

ନୃସିଂହ ଉନ୍ମୀଳିତ ଆଖି

।।

କର ପ୍ରସାରି ନରହରି

ତକ୍ଷଣେ ଅସୁରକୁ ଧରି

।।

ଗଦା ଯେ ଅଛି ତାର ହସ୍ତେ

ସର୍ପକୁ ଗରୁଡ଼ ଯେମନ୍ତେ

।।

ତକ୍ଷଣେ ଦାନବଙ୍କ ପତି

ହସ୍ତରୁ ଖସି କରେ ଗତି

।।

ଗରୁଡ଼ ହସ୍ତୁ ଯେହ୍ନେ ଅହି

ପଡ଼ି ଗର୍ଜ୍ଜଇ ବ୍ୟସ୍ତ ହୋଇ

।।

ଓଷ୍ଠ କାମୋଡ଼ି ଅତିବଳେ

ଦେଖି ଡରିଲେ ଦିଗପାଳେ

।।

ଅସାଧ୍ୟ ଦେଖି ଦେବଗଣ

ମେଘ ଲୁଚିଲେ ତତକ୍ଷଣ

।।

ନୃସିଂହ ହସ୍ତୁ ଗଲା ଚଳି

ଦେବେ ଭାଳନ୍ତି ଶୂନ୍ୟେ ମିଳି

।।

ପୁଣି ଧାଇଁଲା ନାଦ କରି

ତକ୍ଷଣେ ଖଡ଼୍‌ଗ ଚର୍ମଧରି

।।

ତମେ ଶୋଭିତ ଶତଚନ୍ଦ୍ର

ଦୁର୍ଜ୍ଜୟ ଅସୁର ନରେନ୍ଦ୍ର

।।

ଖଡ଼୍‌ଗ ମଣ୍ଡଳ ଗତି ଦେଖି

ଭୟେ ବୁଜିଲେ ସର୍ବେ ଆଖି

।।

ଶୂନ୍ୟେ ଉଡ଼ଇ ବାହୁବଳେ

ପୁଣି ମିଳଇ ଭୂମିତଳେ

।।

ପ୍ରଚଣ୍ଡ ହାସେ ନରହରି

ତକ୍ଷଣେ ଅସୁରକୁ ମାରି

।।

ହୃଦେ ଚାପନ୍ତେ ପୁଣି ଗଳି

ତଳେ ପଡ଼ିଲା ମହାବଳୀ

।।

ପୁଣି ଧରନ୍ତି ଅତି ବେଗେ

ବଳେ ଉଛୁଡ଼େ ଦଶଦିଗେ

।।

ମାର୍ଜ୍ଜାର ମୂଷିକକୁ ଯେହ୍ନେ

ଧଇଲେ ରାକ୍ଷସକୁ ତେହ୍ନେ

।।

ସ୍ୱଭାବେ ଦୁର୍ଜ୍ଜୟୟ ଅସୁର

ବଜ୍ର ହୁଁ କଠିନ ଶରୀର

।।

ଉର ଉପରେ ନରହରି

ଉଭାନ କରି ତାକୁ ଧରି

।।

ବାମ ଦକ୍ଷିଣ ଧରି କରେ

ଲୀଳା ମାତ୍ରକେ ନଖାଙ୍କୁରେ

।।

ରୋଷେ ହୁଁକାର ନାଦ କରି

ହୃଦୟ କମଳ ବିଦାରି

।।

ଦେବେ ଦେଖନ୍ତି ଥାଇ ଶୂନ୍ୟ

ସର୍ପକୁ ଗରୁଡ଼ ଯେସନେ

।।

ଅସୁର ହୃଦୟ ରୁଧିରେ

ତିନ୍ତିଲା ଲଲାଟ କେଶରେ

।।

ସିଂହ ଯେସନେ ହସ୍ତୀ ମୁଣ୍ଡେ

ବସି ବିଦାରି ଦନ୍ତ ତୁଣ୍ଡେ

।।

ଅସୁର ହୃଦୟ କମଳ

ନଖେ ବିଦାରି ମହାବଳ

।।

କୋପେ ଚାହାନ୍ତେ ଦଶଦିଶେ

ଦୈତ୍ୟେ ମିଳିଲେ ଆସି ପାଶେ

।।

ନାନାଦି ଅସ୍ତ୍ର ଧରି କରେ

ଧାଇଁଲେ ନୃସିଂହ ଉପରେ

।।

ତାହାଙ୍କୁ ଧରି ତତକ୍ଷଣ

ନଖେ ବିଦାରି କଲେ ରଣ

।।

ସହସ୍ର ସହସ୍ର ଅସୁର

ସମରେ ଗଲେ ଯମପୁର

।।

ଅସୁର ବଳ କୋପେ ମାରି

ବେଗେ ଧାଇଁଲେ ନରହରି

।।

ନୃସିଂହ ଜଟାର ସ୍ପରଶେ

ଜଳଦେ କମ୍ପିଲେ ଆକାଶେ

।।

ଗ୍ରହ ନକ୍ଷତ୍ର ମାଳ ମାଳ

ସ୍ୱର୍ଗୁ ପଡ଼ିଲେ ମହୀତଳ

।।

ନିଃଶ୍ୱାସ ବାତେ ସିନ୍ଧୁଜଳ

ହୋଇଲେ ଅତ୍ୟନ୍ତ ଚଞ୍ଚଳ

।।

ନୃସିଂହ ଶବ୍ଦେ ଦିଗପନ୍ତି

ଭୟରେ ଚିତ୍କାର କରନ୍ତି

।।

ଦେବେ ଗଗନୁ ଗଲେ ତ୍ରାସେ

ଭୟେ ଦିଶିଲେ ଦଶ ଦିଶେ

।।

ସକଳ ଅସୁର ସଂହାରି

ବିଜୟ କଲେ ନରହରି

।।

ବସିଲେ ଅସୁର ଆସନେ

ଯେହୁ ପୂଜିତ ତ୍ରିଭୁବନେ

।।

ଦେଖି ଅସୁରେ ପଳାଇଲେ

ଯେ ଅବା ଅବଶେଷେ ଥିଲେ

।।

ଶସ୍ତ୍ର ଧରନ୍ତା କେହି ନାହିଁ

ଚଞ୍ଚଳେ ଚଉଦିଗେ ଚାହିଁ

।।

ଏମନ୍ତେ ଅସୁର ସଂହାରି

ସଭାରେ ମଧ୍ୟେ ବିଜେ ହରି

।।

ହିରଣ୍ୟକଶିପୁ ଅସୁର

ତ୍ରୈଲୋକ୍ୟ ମଧ୍ୟେ ଥିଲା ବୀର

।।

ସଂଗ୍ରାମେ ହାରି ତା ଜୀବନ

ସୃଷ୍ଟି ରଖିଲେ ଭଗବାନ

।।

ଅସୁର ନିଧନ ସମ୍ବାଦେ

ବିବୁଧେ ପରମ ଆନନ୍ଦେ

।।

ନନ୍ଦନ ବନ ପୁଷ୍ପ ତୋଳି

ଶୂନ୍ୟେ ସକଳ ଦେବ ମିଳି

।।

ହରଷ ଲୋଚନେ ଅନାଇଁ

ମଙ୍ଗଳ ସ୍ଵରେ ଗୀତ ଗାଇ

।।

ମିଳି ସକଳ ସୁରନାରୀ

ସାନନ୍ଦ ପୁଷ୍ପ ବୃଷ୍ଟି କରି

।।

ଶୂନ୍ୟେ ଅସୁର ଭୟ ଭାଜି

ଥିଲେ ଯେ ଦଶଦିଶେ ହଜି

।।

ଗଗନେ ବିମାନ ସଙ୍କୁଳେ

ମିଳିଲେ ଦଶ ଦିଗପାଳେ

।।

ଦୁନ୍ଦୁଭି ବାଦ୍ୟ ନାଦ କଲେ

ଗନ୍ଧର୍ବ ଅପସରା ମେଳେ

।।

ଆନନ୍ଦହେଲେ ସୁରନାରୀ

ହସନ୍ତି ନୃତ୍ୟ ଗୀତ କରି

।।

ବ୍ରହ୍ମା ଶଙ୍କର ଇନ୍ଦ୍ରତୁଲେ

ଋଷିଏ ପିତୃ ସିଦ୍ଧ ମେଳେ

।।

ଉରଗ ବିଦ୍ୟାଧର ଗଣ

ମାନବ ପ୍ରଜାପତି ପୁଣ

।।

ମିଳିଲେ ଗନ୍ଧର୍ବ ଚାରଣ

ଯକ୍ଷ ଯେ କିଂପୁରୁଷ ଗଣ

।।

ଆବର ବେତାଳ କିନ୍ନର

ଏ ଆଦି ଅଶେଷ ଅମର

।।

ମିଳିଲେ ବିଷ୍ଣୁ ପାରିଷଦ

ସନନ୍ଦ ସନକ ମୁକୁନ୍ଦ

।।

କର ଅଞ୍ଜଳି ଶିରେ ଦେଇ

ମିଳିଲେ ବିଷ୍ଣୁ ପାଶେ ଯାଇ

।।

ପ୍ରଚଣ୍ଡ ତେଜ ମହାଘୋର

ଭୟେ ରହିଲେ କିଛି ଦୂର

।।

ସର୍ବେ ରହିଲେ ଦୂର ହୋଇ

ସମୀପେ ନ ପାରିଲେ ଯାଇ

।।

ଶଙ୍କିତ ଚିତ୍ତେ ସର୍ବ ଲୋକେ

ସ୍ତୁତି କରନ୍ତି ଏକେ ଏକେ

।।

ବ୍ରହ୍ମୋବାଚ

ଅଦ୍ଭୁତ ଅନନ୍ତ ମୂରତି

ଦୂରନ୍ତ ଯାହାଙ୍କର ଶକ୍ତି

।।

ଯେ କରେ ଜଗତ ପାଳନ

ସୃଜଇ ସ୍ଥିତି ସଂହାରଣ

।।

ବିଚିତ୍ରବୀର୍ଯ୍ୟ ଯାର ନାମ

ଯେ କରେ ସର୍ବ ଶୁଭ କର୍ମ

।।

ଅଶେଷ ଯାହାର ମହିମା

କେ ବର୍ଣ୍ଣିପାରେ ଗୁଣସୀମା

।।

ସେ ପ୍ରଭୁ ଚରଣାରବିନ୍ଦେ

ପ୍ରସନ୍ନ ଅର୍ଥ ମୁହଁ ବନ୍ଦେ

।।

ଶ୍ରୀ ହରି ପ୍ରସନ୍ନ ହୁଅନ୍ତୁ

ସକଳେ ଅଭୟ ଦିଅନ୍ତୁ

।।

 

ମହାଦେବ ଉବାଚ

ହେ ପ୍ରଭୁ ଭକତ ବତ୍ସଳ

ଦୁଷ୍ଟ ଅସୁର ବିନାଶିଲ

।।

ତା ପୁତ୍ର ଭକ୍ତ ପ୍ରହଲାଦ

ଆଶ୍ରା ନେଇଛି ତୁମ୍ଭପାଦ

।।

ତା ସମ ଭକ୍ତ କେହି ନାହିଁ

ରଖ ତାହାକୁ ଭାବଗ୍ରାହୀ

।।

ଇନ୍ଦ୍ର ଉବାଚ

ଇନ୍ଦ୍ର ନୃସିଂହ ମୁଖ ଚାହିଁ

ବୋଇଲେ କର ତ୍ରାହି ତ୍ରାହି

।।

ଏ ମହାସୁର ମହାବେଗେ

ଯଜ୍ଞ ଆରମ୍ଭେ ହବିର୍ଭାଗେ

।।

ବଳେ ଭୁଞ୍ଜଇ ସେ ଆକର୍ଷି

ଆମ ହୃଦୟପଦ୍ମ ଗ୍ରାସି

।।

ତୁ ନାଥ ସର୍ବ ପ୍ରାଣୀଙ୍କର

ହୃଦୟପଦ୍ମେ ତୋର ଘର

।।

ସେ ପଦ୍ମ ଅସୁର ଶଶାଙ୍କେ

ମୁଦ୍ରିତ ଥିଲା ଅତିରେକେ

।।

ତୁ ଏବେ ସୂର୍ଯ୍ୟରୂପ ଧରି

ହୃଦୟେ ପଦ୍ମ ଭେଦ କରି

।।

ତୋହର ହୃଦ ତୁ ରଖିଲୁ

ଆମ୍ଭଙ୍କୁ ଯଜ୍ଞଭାଗ ଦେଲୁ

।।

ଏ ଘୋର ସଂସାର ସାଗରେ

ପ୍ରାଣୀ ଜୀବନ ନିରନ୍ତରେ

।।

ଅଜ୍ଞାନେ ମୋହିତ ଏ ନିତ୍ୟେ

କିବା କହିବୁ ତୋ ଅଗ୍ରତେ

।।

ତୋର ସେବକ ପ୍ରାଣୀଙ୍କର

ତୁ ନାଥ ଶରଣ ସୋଦର

।।

ଋଷୟ ଉଚୁଃ

ତୋର ଚରଣ ଧ୍ୟାନ ଅର୍ଥ

ତପ ସମାଧି ଏ ଜଗତେ

।।

ତୋର ବଚନେ ଆମ୍ଭେ ରହି

ସଂସାରେ ବିପ୍ରଦେହ ବହି

।।

ସେ ତପ ସାଧିବାର ବେଳେ

ହରଣ କଲା ଦୁଷ୍ଟ ବଳେ

।।

ତୋର ବଚନେ ତୋତେ ଭାବି

ଦୃଢ଼ ପଦାରବିନ୍ଦେ ସେବି

।।

ସେ ତ ହରିଲା ଆମ୍ଭର

ନିଜର ପ୍ରତାପେ ଅସୁର

।।

ଏବେ ତାହାକୁ ନାଶ କରି

ଆମ୍ଭର ତପସ୍ୟା ଉଦ୍ଧରି

।।

ରଖିଲୁ ଋଷିଙ୍କର ଧର୍ମ

ତୁ ନାଥ ସର୍ବକୁଳ ଧର୍ମ

।।

ପିତର ଉଚୁଃ

ଆମ୍ଭର ଶ୍ରାଦ୍ଧ ତୋଷ ଚିତ୍ତେ

ପୁତ୍ରେ କରନ୍ତି ବେଦମତେ

।।

ଆମ୍ଭ ଦିବସ ଶ୍ରାଦ୍ଧ କାଳେ

ଅସୁର ଭୁଞ୍ଜ ଆସି ବଳେ

।।

ତିଳ ଉଦକ ଯେତେ ତୀର୍ଥେ

ପୁତ୍ରେ ଦିଅନ୍ତି ସ୍ନେହମତେ

।।

ସେ ଜଳ ବଳେ ପାନ କରେ

ଅର୍ପିତ ଦାନ ବଳେ ହରେ

।।

ଆମ୍ଭର ଜଳପିଣ୍ଡ ଯେତେ

ଥିଲା ଅସୁର ଗର୍ଭଗତେ

।।

ନଖ ଅଗ୍ରତେ ତାହା ଖୋଳି

ଆମ୍ଭଙ୍କୁ ଦେଲୁ ନରହରି

।।

ସିଦ୍ଧା ଉଚୁଃ

ଆମ୍ଭର ୟୋଗେ ସିଦ୍ଧଗତି

ବଳେ ହରିଲା ଦୈତ୍ୟପତି

।।

ତାହାକୁ ନଖେ ବିଦାରିଲୁ

ତୁ ନାଥ ଆମ୍ଭଙ୍କୁ ରଖିଲୁ

।।

ତୋର ଚରଣେ ନମସ୍କାର

ଯେଣୁ ତୁ ଶରଣ ସୋଦର

।।

ବିଦ୍ୟାଧରା ଉଚୁଃ

କର ପ୍ରସାରି ବିଦ୍ୟାଧରେ

ବୋଲନ୍ତି ନୃସିଂହ ଛାମୁରେ

।।

ଆମ୍ଭର ଅନ୍ତର୍ଦ୍ଧାନ ଗତି

ବଳେ ହରିଲା ଦୈତ୍ୟପତି

।।

ତାହାକୁ ପଶୁ ବଧ ପ୍ରାୟେ

ସଂସାର କଲୁ ଦେବରାୟେ

।।

ମାୟା ନୃସିଂହ ଅବତାର

ଆମ୍ଭେ ଯେ ଶରଣ ତୋହର

।।

ନାଗା ଉଚୁଃ

ଆମ୍ଭ ଫଣିରେ ଯେତେ ମଣି

ଯେ ଗୃହେ ଉତ୍ତମ ରମଣୀ

।।

ସବୁ ହରିଲା ବାହୁ ବଳେ

ଅଜୟ ଭୁବନ ମଣ୍ଡଳେ

।।

ସେ ଭୟ ନିବାରି ଗୋବିନ୍ଦ

ଆମ୍ଭଙ୍କୁ ଦେଲୁ ତୁ ଆନନ୍ଦ

।।

ତୁ ନାଥ ସଂସାର ଉଦ୍ଧାର

ତୋର ଚରଣେ ନମସ୍କାର

।।

ମାନବା ଉଚୁଃ

ବିଧାତା ବଂଶେ ଅବତରି

ତୋର ଆଦେଶ ଶିରେ ଧରି

।।

ମନୁଷ୍ୟ ବୋଲାଇ ଜଗତେ

ଥାଇ ଯେ ତୋହର ଆୟତ୍ତେ

।।

ଧର୍ମେ ସଂସାର ଜନ ପାଳୁ

ତୁ ନାଥ ପରମ ଦୟାଳୁ

।।

ତୁମ୍ଭ କିଙ୍କର ଆମ୍ଭ ଦେହ

କିବା କରିବୁ ଆଜ୍ଞା ଦିଅ

।।

ପ୍ରଜାପତୟେ ଉଚୁଃ

ତୋ ପ୍ରଜା ସୃଷ୍ଟିର ପାଳନେ

ଆମ୍ଭଙ୍କୁ ନାନା ଜୀବମାନେ

।।

ରଖିଲୁ ପ୍ରଜାପାଳ କରି

ଆମ୍ଭେ ଯେ ତୋର ଆଜ୍ଞାଧାରୀ

।।

ସୃଷ୍ଟି ପାଳନ କରି ଭଲେ

ମାନବ ପ୍ରଜାପତି ତୁଲେ

।।

ଅସୁର ଭୟେ ଚିନ୍ତା ବହି

ସ୍ଥାନ ନ ପାଇ ଆମେ ରହି

।।

ସେ ଏବେ ତୋର ନଖାଘାତେ

ମରି ପଡ଼ିଛି ଭୂମିଗତେ

।।

ତୁ ସତ୍ୟ ପ୍ରଭୁ ଚକ୍ରଧର

ଏବେ ନୃସିଂହ ଅବତାର

।।

ଜଗତ ମଙ୍ଗଳ ବିଧାନ

ସଂସାର ରଖ ଭଗବାନ

।।

ଗନ୍ଧର୍ବା ଉଚୁଃ

ଭୋ ନାଥ ତୋହର ବଚନେ

ନିତ୍ୟ ଦେବଙ୍କ ସନ୍ନିଧାନେ

।।

ନୃତ୍ୟ ଖଟଣୀ ପୀତାମ୍ବର

ବିବିଧ ଅନେକ ପ୍ରକାର

।।

ଗୀତ ଖଟଣି ରତି ରସେ

ନିରତେ ଖଟୁ ଅବକାଶେ

।।

ତୋହର ଚରଣ ପ୍ରସାଦେ

ଆମ୍ଭେ ବର୍ତ୍ତିଲୁ ଅପ୍ରମାଦେ

।।

ଭୟେ ନ ପାରୁ ଆମେ ରହି

ତୋର ବଚନେ ନିତ୍ୟେ ଥାଇ

।।

ଉତ୍ପଥଗାମୀ ଜନଙ୍କର

କେବେହେଁ ନାହିଁ ସୁଖସାର

।।

ଚାରଣା ଉଚୁଃ

ଭୋ ଦେବ ଚରଣେ ତୁମ୍ଭର

ଭୋଗାପବର୍ଗ ସୁଖଘର

।।

ସଂସାର ନିବୃତ୍ତି କାରଣ

ଭୋ ନାଥ ତୋହର ଚରଣ

।।

ସେ ପାଦ ସେବା ଆମ୍ଭେ ଛାଡ଼ି

ଅସୁର ଘରେ ବନ୍ଦି ପଡ଼ି

।।

ସେ ମନ ଦୁଃଖ ଏବେ ଗଲା

ଯେବେ ଅସୁର ବୀର ମଲା

।।

ଯକ୍ଷାଉଚୁଃ

ସେବକ ମୁଖ୍ୟ ଆମେ ତୋର

ନିରତେ ଚରଣେ କିଙ୍କର

।।

ମନୋଜ୍ଞ ସାଧୁଗଣ ପୁରେ

ତୋର ଚରଣ ଏଡ଼ି ଦୂରେ

।।

ଆମ୍ଭଙ୍କୁ ନିତ୍ୟ ଦୁଃଖ ଦେଇ

ବାହନ କରି ନିତ୍ୟେ ବାହି

।।

ସେ ପୁଣି ଜନ ପରିତାପେ

ପ୍ରାଣ ହରିଲା ତୋ ସମୀପେ

।।

କିଂପୁରୁଷା ଉଚୁଃ

ତୁ ମହାପୁରୁଷ ଈଶ୍ୱର

ଆମେ କିଙ୍କର ନାଥ ତୋର

।।

କୁତ୍ସିତ ପୁରୁଷ ଏ ଦୁଷ୍ଟ

ସାଧୁ ବର୍ଜିତ ମହାକଷ୍ଟ

।।

ଅନ୍ୟାୟ କର୍ମ ଆଚରିଲା

ତାର ପ୍ରତାପେ ନାଶ ଗଲା

।।

ବୈତାଳିକା ଉଚୁଃ

ଆମ୍ଭେ ସାଧୁଙ୍କ ସଙ୍ଗ ମଧ୍ୟେ

ଯଜ୍ଞ ଆରମ୍ଭ ପରିବନ୍ଧ

।।

ତୋର ନିର୍ମଳ ଯଶ ଗାଇ

ସତ୍ତ୍ୱରେ ପୂଜାବିଧି ପାଇ

।।

ଆନନ୍ଦେ ପୂଜୁଁ ସାଧୁ ମେଳେ

ଅସୁର ଉପଦ୍ରବ ବଳେ

।।

ତୋହର ଶତ୍ରୁ ନାଶ ଗଲା

ଆମ୍ଭଙ୍କୁ ମହାସୁଖ ହେଲା

।।

ଏ ଆମ୍ଭ ଦେହେ ବ୍ୟାଧ ଥିଲା

ତୋର ପ୍ରତାପେ ନାଶ ଗଲା

।।

କିନ୍ନର ଉଚୁଃ

ତୋର କିଙ୍କରଗଣ ଆମ୍ଭେ

ତୋ ଅନୁଗ୍ରହେ ଥାଉ ଦମ୍ଭେ

।।

ଏ ଦିତିପୁତ୍ର ମହାଦୁଷ୍ଟ

ଆମ୍ଭଙ୍କୁ ଦେଲା ମହା କଷ୍ଟ

।।

ତୁମ୍ଭେ ଏ ଅସୁର ମାରିଲ

ଆମ୍ଭର ମାନ ଉଦ୍ଧରିଲ

।।

ତୁ ନାଥ ଦେବଙ୍କର ବର

ଆମ୍ଭର ଭୟ ନାଶ କର

।।

ବିଷ୍ଣୁପାର୍ଷଦା ଉଚୁଃ

ଭୋ ନାଥ ଏ ରୂପ ତୋହର

ଦୈତ୍ୟ ମାୟାବୀ ଭୟଙ୍କର

।।

ଅଦ୍ଭୁତ ଦେଖି ସର୍ବଜନେ

ଭୟେ କମ୍ପିଲେ ତ୍ରିଭୁବନେ

।।

ତାହାଙ୍କ କର୍ମଦାତା ତୁହି

ଆମ୍ଭଙ୍କୁ ନାଥ କର ତ୍ରାହି

।।

ତେଣୁ ନାଶିଲୁ ମହାସୁର

ଆମ୍ଭଙ୍କୁ ଅନୁଗ୍ରହ ତୋର

।।

ଏମନ୍ତ ନୃସିଂହ ସମୀପେ

ସ୍ତୁତି ବଚନ ଏକେ ଏକେ

।।

କହି ରହିଲେ ତୋଷ ମନେ

ଏବେ ହୋ ଶୁଣ ସାବଧାନେ

।।

ନାରଦ ଯୁଧିଷ୍ଠି ଅଗ୍ରତେ

ଯାହା କହିଲେ ଭାଗବତେ

।।

ଅଦ୍ଭୁତ ନୃସିଂହ ଚରିତ

କହିଲା ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନୃସିଂହ ଅବତାର ହିରଣ୍ୟକଶିପୁ

ବଧୋ ନାମ ଅଷ୍ଟମୋଽଧ୍ୟାୟଃ ।

•••

 

ନବମ ଅଧ୍ୟାୟ

ନାରଦ ଉବାଚ

ବ୍ରହ୍ମାଦି ଯେତେ ଦେବ ଗଣେ

ନୃସିଂହ ମୂରତି ଭୀଷଣେ

।।

ମନରେ ନାନା ସ୍ତୁତି କଲେ

ସମୀପେ ରହି ନ ପାରିଲେ

।।

ଲକ୍ଷ୍ମୀଙ୍କୁ ଆଣି ଦେବଗଣେ

ବିଶ୍ୱାସେ ନମିଲେ ଚରଣେ

।।

ବୋଲନ୍ତି ଶୁଣ ଜଗନ୍ନାତ

ଶାନ୍ତି କରାଅ ତୋର କାନ୍ତ

।।

ଦେବଙ୍କ ବଚନେ କମଳା

ଭାବେ କେତେହେଁ ଦୂର ଗଲା

।।

ଅଦୃଷ୍ଟ ଉଗ୍ରରୂପ ଚାହିଁ

ଭୟରେ ନ ପାରିଲେ ଯାଇ

।।

ନିକଟେ ପ୍ରହଲାଦ ଆଣି

ବିଶ୍ୱାସେ କହେ କୁଶପାଣି

।।

ନୃସିଂହ ପାଶେ ବେଗେ ଯାଅ

ସ୍ତୁତିରେ ତୋଷ କରି କହ

।।

ଭୟେ ନପାରୁ ଆମ୍ଭେ ଯାଇ

ତକ୍ଷଣେ ବ୍ରହ୍ମା ଆଜ୍ଞା ପାଇ

।।

ନୃସିଂହ ନିକଟେ ମିଳଇ

କର ଅଞ୍ଜଳି ଶିରେ ଦେଇ

।।

ଚରଣ ତଳେ ଶିର ଦେଇ

ନମିଲା ଦଣ୍ଡବତ ହୋଇ

।।

ଦେଖି ନୃସିଂହ ଦୟା ଚିତ୍ତେ

ସାନନ୍ଦେ ଧରି ତାକୁ ହସ୍ତେ

।।

ଭୂମିରେ ତୋଳି ବସାଇଲେ

ହସ୍ତ ପଙ୍କଜ ଶିରେ ଦେଲେ

।।

ସେ ପଦ୍ମ ହସ୍ତର ମହିମା

କି ଗୁଣେ କରିବା ଉପମା

।।

କାଳ ଭୁଜଙ୍ଗ ଭୟେ ଯାଇ

ଯେ ପ୍ରାଣୀ ଶରଣ ପଶଇ

।।

ସେ ପଦ୍ମକର ରଖେ ତାରେ

ପ୍ରାଣୀ ବଞ୍ଚଇ ସୁଖ ଭରେ

।।

ନୃସିଂହ ଶିର ଲାଗି ଶିରେ

ଅସୁର ଦୋଷ ଗଲା ଦୂରେ

।।

ତକ୍ଷଣେ ଜ୍ଞାନ ପ୍ରକାଶିଲା

ସ୍ୱଭାବେ ଅସୁରର ବଳା

।।

ନୃସିଂହ ଚରଣ କମଳେ

ମନ ନିରୋପିଲା ନିଶ୍ଚଳେ

।।

ଲୋମ ପୁଲକ ତାର ଦେହୀ

ଆନନ୍ଦେ ଅଶ୍ରୁଜଳ ବହି

।।

ଶିରେ ନିବେଶି ଦୃଷ୍ଟି କରି

ସେ ରୂପ ଅନ୍ତର୍ଗତେ ପୂରି

।।

କର ଅଞ୍ଜଳି ବେନି ପାଣି

ପ୍ରେମ ପୁଲକେ କହେ ବାଣୀ

।।

ବ୍ରହ୍ମାଦି ଦେବଙ୍କ ବିଷୟେ

ଯେଣେ ନୃସିଂହ ଦୟା ବହେ

।।

ଆତ୍ମାର ନିସ୍ତାରଣ ଅର୍ଥେ

ସଂସାରୁ ତରିବା ନିମନ୍ତେ

।।

ତ୍ରିଚତ୍ୱାରିଂଶ ପଦ ଶ୍ଳୋକେ

ସ୍ତୁତି କରଇ ଏକେ ଏକେ

।।

ପ୍ରହଲାଦ ଉବାଚ

ବ୍ରହ୍ମାଦି ସିଦ୍ଧ ମୁନିଗଣେ

ସ୍ୱଭାବେ ସାତ୍ତ୍ୱିକ ଲକ୍ଷଣେ

।।

ଅମୃତ ବଚନ ପ୍ରବାହେ

ନିର୍ମଳ ବିଶୁଦ୍ଧ ହୃଦୟେ

।।

ନାନା ପ୍ରକାରେ ସ୍ତୁତି କରି

ଆରାଧି ନ ପାରିଲେ ହରି

।।

ମୁଁ ଛାର ଅସୁର ହୋଇଣ

କାହୁଁ ତୋଷିବି ନାରାୟଣ

।।

ଧନ୍ୟ କୌଳିନ୍ୟ ଜପ ତପ

ପ୍ରଭାବ ଶ୍ରୁତି ତେଜ ରୂପ

।।

ବଳ ପୌରୁଷ ବୃଦ୍ଧି ଯୋଗ

ବିଭୂତି ସୁବିପୁଳ ଭୋଗ

।।

ଏ ଆଦି ଯେତେ ଗୁଣ ଗ୍ରାମ

ନ ହୁଏ ବିଷ୍ଣୁ ତୋଷେ କ୍ଷମ

।।

ଭକ୍ତିରେ ଭଗବାନ ତୋଷ

ଗଜର ପୂର୍ଣ୍ଣ କଲେ ଆଶ

।।

ବିପ୍ର ଦ୍ୱାଦଶ ଗୁଣେ ଯୁକ୍ତ

ସେ ଯେବେ ନୁହେଁ ବିଷ୍ଣୁ ଭକ୍ତ

।।

ସେ ବିପ୍ର ଶ୍ରେଷ୍ଠ ନ ବୋଲାଇ

ସଂସାରୁ ତରିବ ସେ କାହିଁ

।।

ଯେବେ ଦ୍ୱାଦଶ ଗୁଣ ଧରେ

ସେ ବିପ୍ର ସଂସାର ବେଭାରେ

।।

ସ୍ୱଭାବେ ସତ୍ୟ ଶମ ଦମ

ଅହିଂସା ତପ କ୍ଷମା ଧର୍ମ

।।

ଅପରେ ଦାନ ଯଜ୍ଞ ଧୃତି

ବିକାରେ ଶ୍ରୁତି ଅବିକୃତି

।।

ଦ୍ୱାଦଶ ବ୍ରାହ୍ମଣ ଲକ୍ଷଣ

ବେଦେ ବର୍ଣ୍ଣିତ ଯେତେ ଗୁଣ

।।

ଏମନ୍ତ ବିପ୍ତ ହୋଇ ଯେବେ

ଭକ୍ତି ନ କରେ ବିଷ୍ଣୁ ଭାବେ

।।

ସେ ବିପ୍ର ଶ୍ଵପଚ ବୋଲାଇ

ସଂସାରୁ ତରିବ ସେ କାହିଁ

।।

ଚଣ୍ଡାଳ ଜନ୍ମ ହୋଇ ଯେବେ

ମନ ବଚନେ ବିଷ୍ଣୁ ଭାବେ

।।

ଆତ୍ମା ପବିତ୍ର ଯେବେ କରେ

ଚଣ୍ଡାଳ ଜନ୍ମୁ ସେ ନିସ୍ତରେ

।।

ବ୍ରାହ୍ମଣ ସର୍ବମାନ୍ୟ ହୋଇ

ଆତ୍ମା ଉଦ୍ଧାରି ନ ପାରଇ

।।

ସେ ହରି ନିତ୍ୟଭାବେ ପୂର୍ଣ୍ଣ

ଆତ୍ମା ପ୍ରକାଶ ନିରଂଜନ

।।

ସେ କାହିଁ ଅଜ୍ଞାନ ସଂକଳ୍ପେ

ଆବର ପ୍ରଜା ନାନା କଳ୍ପେ

।।

ତେଣୁ ସେ ଦୟାଳୁ ବୋଲାଇ

ଏଣୁ ଭରସା ପ୍ରାଣୀ ବହି

।।

କରନ୍ତି ପୂଜା ବିଧି ଯେତେ

ଆତ୍ମା ମଙ୍ଗଳ ପ୍ରାପ୍ତି ଅର୍ଥେ

।।

ସ୍ୱଭାବେ ନିଜ ଆତ୍ମା ଦେଶ

ଯେସନେ ଦର୍ପଣେ ପ୍ରକାଶ

।।

ତେଣୁ ଭରସା କଲି ମୁହିଁ

ଈଶ୍ଵର ମହିମା ବର୍ଣ୍ଣଇ

।।

ଯଦ୍ୟପି ନୀଚେ ଜନ୍ମ ମୋର

ସ୍ତବରେ ନାହିଁ ଅଧିକାର

।।

ତଥାପି ବୁଦ୍ଧି ଅଳ୍ପ ମୋର

ମନ ବଚନେ ଅଧିକାର

।।

ମନ ବଚନେ ଏ ସଂସାରେ

ଅବିଦ୍ୟା ଅଶେଷ ପ୍ରକାରେ

।।

କର୍ମର ବଳେ ସଞ୍ଚରଇ

ହରି ଭଜନେ ଏ ତରଇ

।।

ତୁ ସତ୍ୟ ଧର୍ମ ଦାମୋଦର

ମୁହିଁ ଯେ କିଙ୍କର ତୋହର

।।

ବ୍ରହ୍ମାଦି ଯେତେ ଦେବଗଣେ

ସେ ସର୍ବେ ତୋହର ଚରଣେ

।।

ତୋତେ ଡରନ୍ତି ଭୟ ଚିତ୍ତେ

ପାଦେ ସେବନ୍ତି ଅବିରତେ

।।

ଏଣୁ ସଂସାର ରକ୍ଷା ଅର୍ଥେ

ତୋ ଅବତାର ଏ ଜଗତେ

।।

ଏଣୁ ଏ କୋପ ତୁ ସଂହର

ତୁ ନାଥ ଜଗତ ଈଶ୍ଵର

।।

ତୁ ଯେ ଅସୁର ହତ କଲୁ

ସଂସାର ଭୟ ନିବାରିଲୁ

।।

ଆନନ୍ଦ ସାଧୁଙ୍କର ମନେ

ସର୍ପ ବୃଶ୍ଚିକ ନାଶେ ଯେହ୍ନେ

।।

ଲୋକ ନିବୃତ୍ତ ଉପାଦାନେ

ଭଜିଲେ ତୋହର ପ୍ରସନ୍ନେ

।।

ଏବେ ଏ ଭୀମରୂପ ହର

ଶୁଣ ହେ ପ୍ରଭୁ ଚକ୍ରଧର

।।

ଜିହ୍ୱା ଚଞ୍ଚଳ ସୌଦାମିନୀ

ପ୍ରଳୟାନ୍ୱିତ ନେତ୍ର ବେନି

।।

ଭ୍ରୂକୁଟି କୁଟିଳ ପ୍ରଚଣ୍ଡ

ଦୁଷ୍ଟ କରାଳ ପାଟି ତୁଣ୍ଡ

।।

ଅସୁର ହୃଦୟ ରୁଧିରେ

ଅଙ୍ଗେ ତୋ ପୁଷ୍ପମାଳା ଭରେ

।।

କେଶର ଦିଶେ ଗୌରବର୍ଣ୍ଣ

ରୁଧିରେ ରଙ୍ଗ ବେନିକର୍ଣ୍ଣ

।।

ତୁମ୍ଭର ଘୋର ନାଦ ଶୁଣି

ପ୍ରଳୟ ବଜ୍ର ପ୍ରାୟ ମଣି

।।

ଅଇରାବତ ଆଦି ନାଗେ

ପଳାଇ ଗଲେ ଅଷ୍ଟ ଦିଗେ

।।

ଅନଳ ପ୍ରାୟେ ନଖ କାନ୍ତି

ଅସୁର ରୁଧିର ପିବନ୍ତି

।।

ଏମନ୍ତ ରୂପ ତୋର ଚାହିଁ

ଭୋ ନାଥ ମୋର ଭୟ ନାହିଁ

।।

ତୁ ନାଥ ଶରଣ ବତ୍ସଳ

ଅଭୟ ଆତ୍ମା ଆଦିମୂଳ

।।

ସଂସାରେ ତୋର ଚକ୍ରେ ପଡ଼ି

ଆତ୍ମାର ନିଜ ପଥ ହୁଡ଼ି

।।

ଯେ ମାୟାଚକ୍ରେ ଜୀବ ଘେନି

ବୃଥା ଭ୍ରମଇ ନାନା ଯୋନି

।।

ସେ ଚକ୍ରେ ବଦ୍ଧ ମୋ ଜୀବନ

ଏଣୁ ହରଇ ନିଜ ଜ୍ଞାନ

।।

ଶରଣ ତୋ ପାଦ କମଳେ

ତ୍ରାହି କରିବ ଆଦି ମୂଳେ

।।

ତୋତେ ନ ଭଜି ନାରାୟଣ

ମୋର ଜୀବନ ଗତି ଶୂନ୍ୟ

।।

ଏ ଘୋର ସଂସାର ସାଗରେ

ଜନ୍ମ ମରଣ ଅଭ୍ୟନ୍ତରେ

।।

ସଂଯୋଗ ବିଯୋଗ ଅଜ୍ଞାନେ

ଦୁଃଖ ଯେ ସୁଖ ହୁତାଶନେ

।।

ଏ ଦେହେ ସର୍ବ ଦୋଷ ବ୍ୟାଧି

ତୋର ଚରଣ ମହୌଷଧି

।।

ସେ ପାଦ ଛାଡ଼ି ମୁହିଁ ଦୂରେ

ଭ୍ରମଇ ଘୋର ଅନ୍ଧକାରେ

।।

ଏବେ ଏମନ୍ତ ଆଜ୍ଞା କର

ଯେମନ୍ତେ ପାଦେ ସେବୁ ତୋର

।।

ତୁ ନାଥ ପ୍ରାଣୀଙ୍କ ଜୀବନ

ପ୍ରିୟ ଦେବତା ବନ୍ଧୁଜନ

।।

ତୋର କୀର୍ତ୍ତନ ଲୀଳା କଥା

ବିରଞ୍ଚି ସଭା ମଧ୍ୟେ ଗୀତା

।।

ମୁଁ ତୋର ଲୀଳା ଭାବ ଗୁଣି

ତରିବି ଭବ ତରଙ୍ଗିଣୀ

।।

ସେ ପାଦପଦ୍ମ ମନ ମଧ୍ୟେ

ଯେ ଅବା ଚିନ୍ତନ୍ତି ଆନନ୍ଦେ

।।

ତାହାଙ୍କ ସଙ୍ଗେ ମୋତେ କର

ଏ ମାୟା ସଂସାରୁ ଉଦ୍ଧର

।।

ବାଳକ ରକ୍ଷଣ ସଂସାରେ

ପିତା ମାତାହୁଁ ନାହିଁ ପରେ

।।

ଭୀଷଣ ସମୁଦ୍ର ଲଙ୍ଘନେ

ପ୍ରାଣୀଙ୍କୁ ନଉକା ଯେସନେ

।।

ପଥ ତୃଷିତ ପ୍ରାଣୀ ଯେହ୍ନେ

ଜୀବନ ରଖେ ଜଳପାନେ

।।

ତେମନ୍ତେ ତୋହର ଚରଣ

ଏଣୁ ମୁଁ ପଶିଲି ଶରଣ

।।

ଭୋ ନାଥ ତୋର ମାୟାବଳେ

ପ୍ରକୃତି ଏ ମାୟା ଶୟଳେ

।।

କାଳର ବଳେ ସଙ୍ଗ ହୋଇ

ଯାହାକୁ ଯେଣେ ସଂଯୋଗଇ

।।

ଏଣେ କାହାକୁ ନ ଯୋଗାଇ

ସେ ଫଳି ପରହସ୍ତେ ହୋଇ

।।

ତାକୁ ଆସଇ କାହିଁ ଥୋଇ

କାହାକୁ କାହା ନେଇ ଦେଇ

।।

ଜୀବର କରେ ନାନା ଗତି

ଏମନ୍ତ ପ୍ରଧାନ ପ୍ରକୃତି

।।

ସେ ଜୀବ ତାର ସଙ୍ଗେ ରହେ

ଭାବେ ଭ୍ରମଇ ସର୍ବ ଦେହେ

।।

ଏ ଜୀବ ତୋର ଅଂଶୁ ଜାତ

ଯାହାର ବଶ ଏ ଜଗତ

।।

ତାହାକୁ କର୍ମମୟ କରି

ଏ ମାୟା ଯମ ରୂପ ଧରି

।।

କାଳର ବଳେ ବଶ ହୋଇ

ବେଦ ବଚନେ ବଦ୍ଧ ଯହିଁ

।।

ସଂସାର କ୍ରୀଡ଼ା ଘେନି କରେ

କର୍ମେ ଭ୍ରମଇ ଅତିଖରେ

।।

ଦଶ ଇନ୍ଦ୍ରିୟ ମନ ସଙ୍ଗ

ଶବ୍ଦ ସ୍ପରର୍ଶ ରୂପ ଗନ୍ଧ

।।

ରସେ ରସଇ ସର୍ବକାଳେ

ଏମନ୍ତ ଭ୍ରମେ ସବୁବେଳେ

।।

ଏମନ୍ତ ଚକ୍ରେ ଜୀବ ବସି

କର୍ମ ବିଷୟା ରସେ ରସି

।।

ଚକ୍ରେ ଭ୍ରମଇ ଦୁଃଖ ସହି

ତାବତ ଆତ୍ମା ମୋକ୍ଷ କାହିଁ

।।

ନିତ୍ୟ ଜୀବିତ ଆତ୍ମା ଗୁଣ

ସ୍ୱତେଜ ବଳେ ନାରାୟଣ

।।

କାଳକୁ ଆତ୍ମା ବଶକରି

ବିଷୟା ଶକ୍ତିକୁ ଆବୋରି

।।

ସେ ସୃଷ୍ଟି କାଳଚକ୍ରେ ଥାଇ

ସେ ଚକ୍ରେ ଜୀବକୁ ବସାଇ

।।

ପେଡ଼ଇ ଇକ୍ଷୁଯନ୍ତ୍ର ପ୍ରାୟେ

ତେଣୁ ପୀଡ଼ଇ ମୋର କାୟେ

।।

ଏବେ ମୁଁ ତୋ ଚରଣଗତେ

ଚକ୍ରୁ ଉଦ୍ଧର ନାଥ ମୋତେ

।।

ଏବେ ମୁଁ ଦେଖିଲି ପ୍ରତ୍ୟକ୍ଷେ

ଭୋ ନାଥ ମୋହର ସମକ୍ଷେ

।।

ବ୍ରହ୍ମାଣ୍ଡ ମଧ୍ୟେ ଯେତେ ଦେବା

ମନୁଷ୍ୟ କରି ତାଙ୍କୁ ସେବା

।।

ଇଚ୍ଛନ୍ତି ଅଇଶ୍ଵର୍ଯ୍ୟ ଭୋଗ

ସାତ୍ତ୍ୱିକ ସଂଯୋଗ ବିଯୋଗ

।।

ଏ ଦେବେ ମୋର ପିତାତ୍ରାସେ

ଦଣ୍ଡେ ନ ଥାନ୍ତି ଅବକାଶେ

।।

ଦ୍ରହାସ ଭ୍ରୂକୁଟୀ କୁଟିଳ

ଭୟେ ଡରଇ ଆଖଣ୍ଡଳ

।।

ତୁ ଏବେ ଏହାକୁ ସଂହାରି

ରଖିଲୁ ସର୍ବଦେବ ଶିରୀ

।।

ତେଣୁ ମୁଁ ପ୍ରାଣୀଙ୍କ ବିଶ୍ୱାସେ

ଯେ ଫଳ ଏ ଭୂତ ଭବିଷ୍ୟେ

।।

ଆତ୍ମା ସଂଯୋଗ ପ୍ରିୟ ଅର୍ଥେ

ଇନ୍ଦ୍ରିୟ ସୁଖ ପରମାର୍ଥେ

।।

ଏ ସର୍ବ ବାଞ୍ଛି ତୋର ବଳେ

କାଳ ହରଇ ଅବହେଳେ

।।

ତେଣୁ ମୋହର ନାହିଁ କାର୍ଯ୍ୟ

ଚରଣେ ରଖ ଦେବରାଜ

।।

ତୋ ମାୟା ଅଶେଷ ସଂସାରେ

ସ୍ୱପ୍ନ ମୃଗତୃଷ୍ଣା ଆକାରେ

।।

ଯେ କରେ ରୋଗର ମହିମା

ଅଶେଷ ରୋଗଙ୍କର ସୀମା

।।

ଏ ସର୍ବ ସ୍ତୁତି ମୁହଁ ଶୁଣି

ସ୍ଵପ୍ନ ପ୍ରାୟେକ ପରିମାଣି

।।

ଅଛଇ ତୋର ମାୟା ମୋହେ

କେବେହେଁ ବିରକତ ନୁହେଁ

।।

କାମ ଅନଳ ସୁଖେ ଲଭେ

ଯେମନ୍ତେ ନିବୃତ୍ତି ସମ୍ଭବେ

।।

ମୋହର ଜନ୍ମର ଲକ୍ଷଣ

ଅଧିକ ତାମସ ପ୍ରମାଣ

।।

ଅସୁର କୁଳେ ମୋର ଦେହୀ

ତୋ ତହୁଁ ଅନ୍ୟ ମୋରନାହିଁ

।।

ତୁ ହସ୍ତେ ମୋର ଶିର ଆଣି

ପ୍ରସନ୍ନେ ଦେଲୁ ପଦ୍ମପାଣି

।।

ତୋର ପ୍ରସାଦେ ପଦ୍ମନାଭ

ବ୍ରହ୍ମା ଶଙ୍କରେ ଯେ ଦୁର୍ଲ୍ଲଭ

।।

କମଳା ତୋର ପାଦେ ଥାଇ

ତୋ ପାଦ ଲଭି ନ ପାରଇ

।।

ତୋର ମହିମା ଭାବଗ୍ରାହୀ

ପର ଅପର ତୋର ନାହିଁ

।।

ଏ ଜୀବ ପରାପର ଜାଣେ

ସଂସାର ଗତି ପରିମାଣେ

।।

ଉତ୍ତମେ ସେବି ତୋ ଚରଣେ

ସେ ପ୍ରାଣୀ ଖଟେ ଅନୁକ୍ଷଣେ

।।

ସେ ପାଦ ତାରେ ଦୟା କରେ

ପ୍ରସନ୍ନେ ସର୍ବ ଦୁଃଖ ହରେ

।।

ସେବାନୁରୂପେ ଫଳ ଦେଇ

ପର ଅପର ତୋର ନାହିଁ

।।

ଏମନ୍ତ ଭବବନ୍ଧ କୂପେ

ଅନ୍ତେ ପୀଡ଼ିତ କାଳସର୍ପେ

।।

ସେ କୂପେ ପଡ଼ି ସର୍ବଜନେ

କାମ କଳ୍ପନ୍ତି ନିତ୍ୟମନେ

।।

ତାହାଙ୍କ ସଙ୍ଗ ଫଳ ପାଇ

ସେ କାମ କଳ୍ପୁଥାଇ ମୁହିଁ

।।

ନାରଦ ମୁନି ମହାଶୟ

ସେ ମୋତେ କଲେ ଅନୁଗ୍ରହ

।।

ଏଣୁ ସାଧୁଙ୍କ ସଙ୍ଗେ ବଢ଼ି

ତୋଷେ ମୋ ବାଳମତି ଛାଡ଼ି

।।

ଅନନ୍ତ ମୋ ପ୍ରାଣ ରକ୍ଷଣ

ପିତାର ମରଣ କାରଣ

।।

ଭକ୍ତ ବାକ୍ୟ ରକ୍ଷଣ ଅର୍ଥେ

ତୋ ଅବତାର ଏ ଜଗତେ

।।

ମୋ ପିତା ଖଡ଼୍‌ଗ ଧରି କରେ

ପ୍ରତିଜ୍ଞା କଲା ମୋ ଆଗରେ

।।

ବୋଇଲା ଦେଖା ତୋ ଈଶ୍ୱର

ନୋହିଲେ ଛେଦିବି ତୋ ଶିର

।।

ମୁହିଁ ଈଶ୍ଵର ତିନିପୁରେ

ମୋ ତହୁଁ ଅଛି କେବା ପରେ

।।

ଏଣୁ ମୋ ବାକ୍ୟ ସତ୍ୟ କରି

ତୋହର ରୂପ ନରହରି

।।

ତୁ ଏ ଜଗତ ରୂପଧରି

ସଂସାର ମଧ୍ୟେ ବିଜେକରି

।।

ପ୍ରକାଶୁସ୍ଥୂଳ ସୂକ୍ଷ୍ଣରୂପେ

ନିର୍ଲେପ ହୋଇ ଏକରୂପେ

।।

ସଗୁଣେ ଭଜୁ ଗୁଣମୟେ

ମାୟା ପ୍ରକାଶୁ ନାନା ଦେହେ

।।

ବିହରୁ ଗୁଣ ମଧ୍ୟେ ପଶି

କେ କହେ ତୋ ଗୁଣ ବିଶେଷି

।।

ସତ୍ୟ ଅସତ୍ୟ ଏ ଜଗତ

ତୋ ତହୁଁ ନୁହେ ଭିନ୍ନମତ

।।

ମାୟାରେ ଆତ୍ମା ପରକାରେ

ଅଶେଷ ବୃଦ୍ଧିର ବିଚାରେ

।।

ସ୍ଥିତି ପାଳକ ଅନ୍ତଦୃଷ୍ଟି

ତରୁ ପଲ୍ଲବ ପ୍ରାୟ ସୃଷ୍ଟି

।।

ଜଗତେ ତୁହି ମାୟା ବଳେ

ଆତ୍ମାରେ ଥାଉ ତୁ ନିଶ୍ଚଳେ

।।

ସୃଷ୍ଟି ସଂହାରି ମାୟାବଳେ

ନାଗ ଶୟନ ତୁ ନିଶ୍ଚଳେ

।।

ତୁ ନିଜ ସୁଖ ଅନୁଭବ

ନିତ୍ୟ ସ୍ୱରୂପ ପଦ୍ମନାଭ

।।

ମୁଦ୍ରିତ ଲୋଚନ ମୁରାରି

ନିଦ୍ରାକୁ ହୃଦରେ ସଂହାରି

।।

ତହି ଅଖିଳ ରହୁ ତହିଁ

ଗୁଣ ସମ୍ଭବ ଆଉ ନାହିଁ

।।

ସେ ଗୁଣମାନ ତୋ ଶରରେ

ଚେତଇ ନିଦ୍ରା ଅଭ୍ୟନ୍ତରେ

।।

କାଳର ବଳେ ତୋ ନୟନେ

ଯୋଗ ସମାଧି ଅବସାନେ

।।

ତୋ ନାଭି ମଧ୍ୟେ ଜଳ କୋଣ

ବୀଜ ପ୍ରକାଶେ ତତକ୍ଷଣ

।।

ବଟ ବୃକ୍ଷରୁ ପ୍ରାୟ ହୋଇ

ପଦ୍ମ ମୃଣାଳ ପ୍ରକାଶଇ

।।

ସେ ପଦ୍ମ ମଧ୍ୟୁ ବ୍ରହ୍ମା ଜାତ

ନ ଜାଣେ ଆତ୍ମାର ତଦନ୍ତ

।।

ତୁ ଜୀବଆତ୍ମା ତା’ ଶରୀରେ

ପ୍ରକାଶୁ ବାହ୍ୟ ଅଭ୍ୟନ୍ତରେ

।।

ତାହା ନ ଜାଣେ ବେଦ ମୁଖେ

ଆରତେ ଖୋଜିଲା ଅନେକେ

।।

କାହୁଁ ଅଇଲି ବୋଲି ଚିନ୍ତି

ଭୟେ ଭାଜିଲା ପ୍ରଜାପତି

।।

ପୁଣି ପଶିଲା ମହାଜଳେ

ଶତେ ବରଷ ଯୋଗ ବଳେ

।।

ଅଙ୍କୁର ମାର୍ଗେ ବୀଜଲୋଡ଼ି

ଭ୍ରମଇ ବହୁ ଦୁଃଖେ ପଡ଼ି

।।

ରହି ନ ପାରି ମହାଜଳେ

ପୁଣି ଉଠିଲା ଆସି କୂଳେ

।।

ଭାଳଇ ପଦ୍ମ ମଧ୍ୟେ ରହି

ତୋ ଅନ୍ତ ପାଇବ ସେ କାହିଁ

।।

ତୋତେ ନ ପାଇ ପ୍ରଜାପତି

ତପ ସାଧନେ ଦେଲା ମତି

।।

ଅନେକ କାଳ ସାଧି ତପ

ଦେଖିବା ନିମନ୍ତେ ତୋ ରୂପ

।।

ତୋ ରୂପ ଦେଖି ଅନୁମାନେ

ଭୂମିରେ ଖଦ୍ୟୋତ ଯେସନେ

।।

ସହସ୍ର ବଦନ ନୟନ

ସହସ୍ର ଶିର ନାସା କର୍ଣ୍ଣ

।।

ସହସ୍ର ଉର ସସ୍ର ପାଦ

ସହସ୍ର ଭୁଜ ସସ୍ରାୟୁଧ

।।

ସେ ମାୟାମୟ ରୂପ ସୁଖେ

ବିଧାତା ଦେଖିଲା ସମ୍ମୁଖେ

।।

ତୋହର ଦେଖି ଦିବ୍ୟବେଶ

ବିଧାତା ହୋଇଲା ସନ୍ତୋଷ

।।

ବ୍ରହ୍ମାର ଅର୍ଥେ ପଦ୍ମନାଭ

ରୂପ ପ୍ରକାଶୁ ହୟଗ୍ରୀବ

।।

ବିଷ୍ଣୁର ଯୋଗ ନିଦ୍ରାକାଳେ

ଶ୍ରବଣୁ ମଳ ପଡ଼ି ଜଳେ

।।

ରଜ ତାମସ ଗୁଣୁଁ ଜାତ

ମଧୁକୈଟଭ ବେନି ଭ୍ରାତ

।।

ଦେବ ଦଳନ ମହାଘୋର

ତେଜେ ପ୍ରଚଣ୍ଡ ଭୟଙ୍କର

।।

ତାହାକୁ ମାରି ଶତ୍ରୁପଣେ

ବ୍ରହ୍ମାଙ୍କୁ କଲୁ ସମର୍ପଣେ

।।

ଏହି ପ୍ରକାରେ ନରହରି

ନୃସିଂହ ରୂପେ ଅବତରି

।।

ଦେବତା ମତ୍ସ୍ୟ ଆଦି ରୂପେ

ତେ ଅବତାର ମହାକଳ୍ପେ

।।

ଦୁଷ୍ଟ ନିବାର ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ

।।

ଯୁଗାନୁମତେ ଧର୍ମ ଯେତେ

ତୁ ନାଥ ପାଳୁ ଏ ଜଗତେ

।।

କଳି କଳୁଷ ଆଦି ଗୁଣ

ଯୁଗ ସ୍ୱଧର୍ମେ ତୁ ପାଳିଣ

।।

ନିରତେ ମାୟାଜଡ଼େ ଛନ୍ନ

ପାପ ସଂକଳ୍ପ ଦୁଷ୍ଟମନ

।।

ଏଣୁ ତୋ କଥାତେ ରତ

କେ କରିପାରେ ଦୁଢ଼ ଚିତ୍ତ

।।

କାମ ସଂକଳ୍ପେ ମୁଁ ଆତୁର

କାହିଁ ଲଭିବି ଗତି ତୋର

।।

ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ

ଭୋ ନାଥ ସାବଧାନେ ଶୁଣ

।।

ଏ ଆତ୍ମା ରହି ହୃଦଗତେ

ଚଳଇ ଇନ୍ଦ୍ରିୟ ଆୟତ୍ତେ

।।

କ୍ଷୁଧା ଲାଳସେ ଜିହ୍ୱାଧରେ

ତୃଷିତେ ତୃଷାବଳ କରେ

।।

ଇନ୍ଦ୍ରିୟ ଧରେ କାମ ଭୋଗେ

ଗୁହ୍ୟ ଧରଇ ମଳୋତ୍ସର୍ଗେ

।।

ଚର୍ମ ଧରଇ ଶୀତ ଘର୍ମେ

ଉଦର ଧରେ ଭସ୍ମ କର୍ମେ

।।

ଶ୍ରବଣ ଶବ୍ଦ ଅର୍ଥ ଧରେ

ଗନ୍ଧାର୍ଥେ ନାସିକା ବିବରେ

।।

ରୂପ ସଂଯୋଗେ ଦୃଷ୍ଟି କରେ

ବଳ ବିକ୍ରମ ଶକ୍ତି ଧରେ

।।

ଇନ୍ଦ୍ରିୟଗଣ କର୍ମ ବଳେ

ପ୍ରାଣ ନାଶନ୍ତି ଅବହେଳେ

।।

ବହୁତ ସପତଣୀ ଘରେ

ଗୃହସ୍ଥ ରମେ ନରନ୍ତରେ

।।

ସେ ଯେହ୍ନ ପତ୍ନୀଙ୍କ ଆୟତ୍ତେ

ନିରତେ ରମେ ନାନାମତେ

।।

ସେ ନାରୀଗଣେ ତାର ଚିତ୍ତ

କରନ୍ତି ଆପଣା ଆୟତ୍ତ

।।

ଯେ ଯାହା ମନେ ସୁଖ ଚିନ୍ତି

ସ୍ଵାମୀ ଜୀବନ ସେ ହରନ୍ତି

।।

ଏମନ୍ତ କର୍ମ ପାଶ ବଳେ

ବଇତରଣୀ ବ୍ରହ୍ମଜଳେ

।।

ଜନ୍ମ ମରଣେ ପ୍ରାଣୀ ରହେ

ଅନ୍ୟାନ୍ୟ ଘଟଣା ବିଗ୍ରହେ

।।

ସଂସାରେ ବେଦପଥ ହୁଡ଼ି

ଯାତନା ମଧ୍ୟେ ଛନ୍ତି ପଡ଼ି

।।

ତାହାଙ୍କ ମଧ୍ୟେ ମୁହିଁ ଥାଇ

ଆତ୍ମାର ଗତି ନ ଜାଣଇ

।।

ତୋ ପାଦେ ପଶିଲି ଶରଣ

ଏଥୁଁ ଉଦ୍ଧର ନାରାୟଣ

।।

ଦୁଃଖୀଜନଙ୍କ ଉପକାରେ

ତୋ ସମ ନାହିଁ ଏ ସଂସାରେ

।।

ଅଶେଷ ଉତ୍ପତ୍ତି ପାଳନ

ଈଷିତେ କରୁ ସଂହାରଣ

।।

ମୂଢ଼ ପ୍ରାଣୀଙ୍କୁ ତୋର ଦୟା

କେ ଜାଣିପାରେ ତୋର ମାୟା

।।

ଆରତ ଜନ ବନ୍ଧୁ ହେଉ

କରୁଣା ସିନ୍ଧୁ ନାମ ବହୁ

।।

ତୋହର ସେବକ ତାରଣେ

ତୁ ନାଥ ଥାଉ ଅନୁକ୍ଷଣେ

।।

ଏଣୁ ମୋହର ଭୟ ନାହିଁ

ବଇତରଣୀ ମଧ୍ୟେ ଥାଇ

।।

ତୋର ମହିମା ଗୁଣ ଗୁଣି

ନିଶ୍ଚଳ ହୃଦେ ପରିମାଣି

।।

ତୋର ବିମୁଖ ଯାର ମନ

ଯେ ପ୍ରାଣୀ ଜୀବନ୍ତେ ବନ୍ଧନ

।।

ଭାର ବହଇ ଅବିରତେ

କୁଟୁମ୍ବ ରକ୍ଷଣ ନିମନ୍ତେ

।।

ଇନ୍ଦ୍ରିୟ ଅର୍ଥେ ସାରେ ଦିନ

କୁଟୁମ୍ବ ସ୍ନେହେ ପରାଧୀନ

।।

ଏଣୁ ସକଳ ମୁନିଜନେ

ନିର୍ମଳ ନିଶ୍ଚଳ ଚେତନେ

।।

ମାୟା କଳ୍ପନା ଦୂର କରି

ମଉନ ବ୍ରତ ବ୍ରହ୍ମଚାରୀ

।।

ନିର୍ଜନେ ବସନ୍ତି ନିଶ୍ଚଳେ

ଜପନ୍ତି ପରମ ମଙ୍ଗଳେ

।।

ତାହାଙ୍କ ସାଧ୍ୟ ଅନୁକ୍ଷଣେ

କଳ୍ପଇ ଭବ ଭ୍ରମ ବଣେ

।।

ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର

ତୋ ତହୁଁ ଭକ୍ଷକ କେ ଆର

।।

ଏ ଗୃହେ ମୈଥୁନାଦି ସୁଖେ

ପ୍ରାଣୀ ପଡ଼ନ୍ତି ଦୁଃଖ ଶୋକେ

।।

କଣ୍ଡୁ ଯେସନେ ନଖେ ମାଜେ

ନିମିଷ ମାତ୍ର ସୁଖ ବୁଝେ

।।

କଣ୍ଡୁ ଅନ୍ତରେ ବହେ ଦୁଃଖ

ତେସନେ ଗୃହବନ୍ଧ ସୁଖ

।।

ଏଣୁ କରମେ ଜ୍ଞାନୀଜନ

ତୋ ପାଦ ପଦ୍ମ ଦେଇ ମନ

।।

ମଉନବ୍ରତ ଶୌଚ ତପ

ସ୍ଵଧର୍ମ ଅଧ୍ୟୟନ ଜପ

।।

ଏକାନ୍ତ ସର୍ବ ସେବା ବିଧି

ନିର୍ମଳ ନିଶ୍ଚଳ ସମାଧି

।।

ଜ୍ଞାନ ଅମୃତ ଗୁରୁବାଣୀ

ସୁଜନେ ଶୁଣ ପରିମାଣି

।।

ଯେ ଅପବର୍ଗ ସାଧ୍ୟ ଅର୍ଥେ

ପ୍ରାଣୀଙ୍କ ମତି ସାଧୁ ଚିତ୍ତେ

।।

ତୋର ଚରଣେ ଭାବଗ୍ରାହୀ

ଦମ୍ଭେ ଲଭିବେ ଏହା କାହିଁ

।।

ଏ ସୃଷ୍ଟି ମଧ୍ୟେ ପଦ୍ମ ମୁଖ

ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ

।।

ବୀଜରୁ ଅଙ୍କୁର ଯେମନ୍ତ

ପ୍ରକାଶ କରେ ଏ ଜଗତ

।।

ସେ ବୀଜ ଅଙ୍କୁର ତୋ ଦେହୀ

ତୋର ପ୍ରକାଶ ହୃଦେ ବହି

।।

ସତ୍ୟ ଲଭଇ ଅବିରତେ

ତୋ ରୂପ ନ ଜାଣନ୍ତି ଚିତ୍ତେ

।।

ଯୋଗ ସାଧନେ ସାଧ୍ୟେ ସାଧେ

ଅନଳ ଯେହ୍ନ ଦାରୁ ମଧ୍ୟେ

।।

ଗଗନ ସମୀର ଅନଳ

ଅବନୀ ଆଦି ମହାଜଳ

।।

ଇନ୍ଦ୍ର ସହିତେ ଦେବ ଗଣେ

ଚତୁର ଅନ୍ତର କରଣେ

।।

ତୋ ଅନୁଗ୍ରହେ ଦେହେ ବହି

ଗୁଣ ବିଗୁଣେ ଯେତେ ହୋଇ

।।

ମନ ବଚନେ ଯେତେ କରି

ତୁ ସର୍ବ ରୂପ ନରହରି

।।

ନିର୍ଗୁଣ ଦମ୍ଭ ଅହଙ୍କାର

ମନ ପ୍ରକୃତି ନିରନ୍ତର

।।

ଏ ଆଦି ଅନ୍ତ ମଧ୍ୟେ ଥାଇ

କେବେହେଁ ତୋତେ ନ ଜାଣଇ

।।

ସେ ଭାବ ଜାଣି ମୁନିଜନେ

ରହିଲେ ନିଶ୍ଚଳେ ମଉନେ

।।

ଭୋ ନାଥ ତୋର ନାମ ସ୍ତୁତି

ତୋ ପାଦେ ଯାର ଦୃଢ଼ ମତି

।।

ନିତ୍ୟେ ଚିନ୍ତିବେ ତୋ ଚରଣ

ତୋ ପୁଣ୍ୟ କଥନ ଶ୍ରବଣ

।।

ସୁପୁଣ୍ୟ କର୍ମେ ଅର୍ଜି ତୋତେ

ଏ ଷଡ଼ ଭକ୍ତି ଅନୁମତେ

।।

ଯେ ଅବା ସାଧନ୍ତି ଜଗତେ

ସେ ତୋତେ ଲଭନ୍ତି ନିଶ୍ଚିନ୍ତେ

।।

ତୁ ନାଥ ଅନନ୍ତ ମୂରତି

ପରମ ଜ୍ୟୋତିଙ୍କର ଜ୍ୟୋତି

।।

ନାରଦ ଉବାଚ

ଏମନ୍ତ ଧର୍ମସୁତ ଆଗେ

ନାରଦ ମୁନି ଅନୁରାଗେ

।।

କହନ୍ତି ସଭା ମଧ୍ୟେ ବସି

ଶୁଣ ନୃପତି କୁରୁବଂଶୀ

।।

ଅସୁର ସୁତ ଅନୁମତେ

ଯେତେ ବର୍ଣ୍ଣିଲା ଭକ୍ତିମତେ

।।

ଶୁଣି ସନ୍ତୋଷ ନାରାୟଣ

ସେ ହରି ସ୍ୱଭାବେ ନିର୍ଗୁଣ

।।

ସୁପ୍ରୀତେ ତାଙ୍କୁ କୋଳେ ଧରି

ପ୍ରଚଣ୍ଡ କୋପ ପରିହରି

।।

କୁହନ୍ତି ମଧୁର ବଚନ

ଶୁଣ ହେ ଅସୁର ନନ୍ଦନ

।।

ନୃସିଂହ ଉବାଚ

ସନ୍ତୋଷେ ଜାଣିଲି ତୋ ଭାବ

ଏ ନରଲୋକେ ତୁ ଦୁର୍ଲଭ

।।

ମୁଁ କାମପୂର୍ଣ୍ଣ ପ୍ରାଣୀଙ୍କର

ଆତ୍ମାନୁରୂପେ ମାଗ ବର

।।

ଯେ ପ୍ରୀତି ନ କରଇ ମୋତେ

ମୁଁ ତାକୁ ଦୁର୍ଲ୍ଲଭ ଜଗତେ

।।

ମୋତେ ଦେଖଇ ଯେ ନୟନେ

ତାର କି ତପ ପ୍ରୟୋଜନେ

।।

ଏ ଘେନିଛନ୍ତି ଜ୍ଞାନୀ ଯେତେ

ଭାବେ ଭଜନ୍ତି ପ୍ରାଣୀ ମୋତେ

।।

ଚିତ୍ତ ପ୍ରମନ୍ତେ ବର ଦେଇ

ସର୍ବ ଆଶିଷ ପୂର୍ଣ୍ଣ ମୁହିଁ

।।

ନାରଦ ଉବାଚ

ଏମନ୍ତ ବର ଲୋଭ କହି

ମନ ମୋହିଲେ ଭାବଗ୍ରାହୀ

।।

ଏମନ୍ତେ ଦୃଢ଼ଭକ୍ତି ତାର

ବରେ ନ କଲା ଅଙ୍ଗୀକାର

।।

ଏମନ୍ତ ମହିମା ଯାହାର

ଦେବ ମାନବେ ଆଗୋଚର

।।

ସେ ପ୍ରହଲାଦ ପାଦଗତ

ନମଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦ ନୃସିଂହ ସ୍ତୁତି ଚରିତେ

ନାମ ନବମୋଽଧ୍ୟାୟଃ ।

•••

 

Unknown

ଦଶମ ଅଧ୍ୟାୟ

ନାରଦ ଉବାଚ

ବିଷ୍ଣୁର ବର କଥା ଶୁଣି

ମନେ ବିଚାରେ ବୀରମଣି

।।

ଭକ୍ତି ଯୋଗରୁ ବିଘ୍ନ ପ୍ରାୟ

ମଣି ପ୍ରହ୍ଲାଦ କଲା ଭୟ

।।

ହସି ନୃସିଂହ ମୁଖ ଚାହିଁ

ବୋଲଇ ଶିରେ କର ଦେଇ

।।

ପ୍ରହଲାଦ ଉବାଚ

ଭୋ ନାଥ ଶୁଣ ଚକ୍ରଧର

ତୋର ସେବକ ମୋତେ କର

।।

କାମେ ଆସକ୍ତି ପ୍ରାୟ ଜାଣି

ବର ଯାଚିଲୁ ଚକ୍ରପାଣି

।।

ମୋହର ଇଚ୍ଛା ତୋର ପାଦେ

ତୁ ମୋତେ ନ ଚିନ୍ତୁ ପ୍ରମାଦେ

।।

ଭୃତ୍ୟ ଲକ୍ଷଣ ଜାଣିବାରେ

ସ୍ଵାମୀ ସ୍ଵଭାବ ଏ ସଂସାରେ

।।

କାମେ ଭ୍ରମଇ ଭୂତ୍ୟ ଚିତ୍ତ

ମଣଇ ଭକତ ଅଭକ୍ତ

।।

ସଂସାରେ ଜୀବ ହୃଦେ ଗୁନ୍ଥି

ଅଭେଦ ଜୀବ କର୍ମ କ୍ରାନ୍ତି

।।

ସେ କଥା ଭଲେ ଜାଣୁ ତୁହି

ଏ ଅନୁମାନ ନ ଘଟଇ

।।

ତୋତେ ଆରାଧି ପ୍ରାଣୀ ଯେବେ

ତୋର ଆଶିଷ ଚିତ୍ତେ ଭାବେ

।।

ଭକ୍ତ ଲକ୍ଷଣ ତା ନ ଗଣି

ଯେ ଆତ୍ମା ଚିତ୍ତେ ନ ପ୍ରମାଣି

।।

ଯେ ପ୍ରାଣୀ ଇଷ୍ଟ ଆଶା କରେ

ଭୃତ୍ୟ ନ ବୋଲି ତା ସଂସାରେ

।।

ଯେ ସ୍ଵାମୀ ଭୃତ୍ୟେ କଷ୍ଟ ଦେଇ

ତା ସ୍ୱାମୀପଣ ରହେ ନାହିଁ

।।

ନିଷ୍କାମ ଭୃତ୍ୟ ମୁଁ ତୋହର

ତୁ ସ୍ୱାମୀ ଜଗତ ଈଶ୍ୱର

।।

ରାଜାର ସେବକ ଯେସନେ

ବଞ୍ଚଇ ଆଜ୍ଞା ଅଲଙ୍ଘନେ

।।

ତଥାପି ମୋର ଦୋଷ ଅର୍ଥେ

ତୋ ବାକ୍ୟ ପାଳନ ଯୁକତେ

।।

ମାଗଇ ବର ତୋର ପାଦ

ଯେମନ୍ତେ ନ ପଡ଼େ ପ୍ରମାଦ

।।

ଏମନ୍ତ ବର ଦିଅ ମୋତେ

ତୋ ମାୟା ତରିବି ଯେମନ୍ତେ

।।

ଯେ ବର ହୃଦେ ମୋର ରହି

ବୃକ୍ଷ ରୋପଣ ପ୍ରାୟେ ହୋଇ

।।

ପତ୍ର କୁସୁମ ଫଳ ନିତ୍ୟେ

ମଙ୍ଗଳ କୁଶଳ ଜଗତେ

।।

ସେ ବର ହୃଦେ ମୋର ରହୁ

ଭୋ ନାଥ ଏହି ବର ହେଉ

।।

ଇନ୍ଦ୍ରିୟ ମନପ୍ରାଣ ଗତି

ଆତ୍ମା ସ୍ୱଭାବେ ପ୍ରୀତ ମତି

।।

ଲାଜ ସମ୍ପଦ ତେଜ ଜ୍ଞାନ

ସତ୍ୟ ସନ୍ତୋଷ ବ୍ରତମାନ

।।

ଯେ ଜନ ଏ ସର୍ବ ନାଶନ୍ତି

ସେ ଜନ୍ମ କର ଶିରୀପତି

।।

ମନ ସଂକଳ୍ପେ ଯେତେ ଥାଇ

ଯେ ଜନ୍ମେ ପ୍ରାଣୀ ତା ସଞ୍ଚଇ

।।

ସେ ଜନ୍ମ ମିଳେ ତା ସମୀପେ

ତୋଷ ମୋ ଅଇଶ୍ୱର୍ଯ୍ୟ କଳ୍ପେ

।।

ଏମନ୍ତ ପ୍ରହଲାଦ ବାଣୀ

ଶୁଣି କହନ୍ତି ଚକ୍ରପାଣି

।।

 

ଶ୍ରୀଭଗବାନୁବାଚ

ଏକାନ୍ତ ଭକ୍ତ ଯେ ମୋହର

ଏ ନିଶ୍ଚେ ତାହାର ବେଭାର

।।

ଯେବେ ଆଶିଷ ମନେ କଳ୍ପେ

ନ ଲାଗେ ଇହ ପରଲୋକେ

।।

ତୋର ସଦୃଶ ଭକ୍ତ ଯେତେ

ନିଷ୍କାମେ ଅଛନ୍ତି ଜଗତେ

।।

ତୁ ଏବେ ମୋର ବୋଲ କର

ଏ ଯେତେ କାଳ ମନ୍ୱନ୍ତର

।।

ଦୈତ୍ୟମାନଙ୍କ ମଧ୍ୟେ ରହି

ଅତୁଲ୍ୟ ଭୋଗ ଭୁଞ୍ଜ ତୁହି

।।

ତୁ ମୋତେ ସର୍ବଭୂତେ ପୂଜ

ଯଜ୍ଞ ଈଶ୍ୱର ରୂପ ଭଜ

।।

କର୍ମ ବିନାଶ ଯୋଗବଳେ

ସାଧୁ ଏ ଅବନୀ ମଣ୍ଡଳେ

।।

ରଜନୀ ଅନ୍ତେ ପ୍ରାତଃକାଳେ

ଆନନ୍ଦ ହୃଦୟ ନିଶ୍ଚଳେ

।।

ତୁ ଯେତେ ସ୍ତୁତି କଲୁ ମୋତେ

ସଂସାର ତାରଣ ନିମନ୍ତେ

।।

ମୋତେ ସ୍ମରିବ ତୋର ସଙ୍ଗେ

ପାପ ନ ଥାଉ ତାର ଅଙ୍ଗେ

।।

ଅଶେଷ କର୍ମ ବନ୍ଧ ପାଶ

ତକ୍ଷଣ ହେବ ତାର ନାଶ

।।

ଏମନ୍ତ ନରହରି ବାକ୍ୟେ

ଅସୁର ପୁତ୍ର ମନ ସୁଖେ

।।

ଆନନ୍ଦେ ଶିରେ କର ଦେଇ

ବୋଲଇ ଶୁଣ ଭାବଗ୍ରାହୀ

।।

ପ୍ରହଲାଦ ଉବାଚ

ତୋତେ ପ୍ରସନ୍ନେ ମାଗେ ବର

ତୁ ବରଦାତାଙ୍କ ଈଶ୍ୱର

।।

ତୁ ବ୍ରହ୍ମ ପ୍ରଭୁ ଚକ୍ରପାଣି

ତୋର ମହିମା କେବା ଜାଣି

।।

ପିତା ନିନ୍ଦଇ କୋପମାନେ

ବୋଲେ ମୁଁ ଈଶ୍ୱର ଭୁବନେ

।।

ଭ୍ରାତୃ ମରଣେ କୋପ ବହି

ତୋହର ମହିମା ନିନ୍ଦଇ

।।

ତୋ ଭକ୍ତ ତୁଲେ କରି ମୋତେ

କ୍ରୋଧେ ହିଂସଇ ଅବିରତେ

।।

ସେ ପାପୁଁ ପିତାଙ୍କୁ ଉଦ୍ଧର

ଭୋ ନାଥ ମାଗେ ଏହି ବର

।।

ଅମୃତ ପ୍ରାୟେ ଦୃଷ୍ଟି ତୋର

ପଡ଼ଇ ଯାହାର ଉପର

।।

ପବିତ୍ର ଦୃଷ୍ଟି ମାତ୍ରେ ହୋଇ

ଅଙ୍ଗେ ଦୁରିତ ନ ରହଇ

।।

ଶ୍ରୀଭଗବାନୁବାଚ

କଶ୍ୟପ ମରୀଚି ବିଧାତା

ସହିତ ଉଦ୍ଧାରିଲୁ ପିତା

।।

ଅପରେ ସର୍ବ ଋଷି ଯେତେ

ସର୍ବେ ପବିତ୍ର ତୋର କୃତ୍ୟେ

।।

ତାହାଙ୍କ କୁଳେ ତୋର ଜନ୍ମ

ତୁ କଲୁ ସକଳ ପ୍ଳାବନ

।।

ମୋର ଭକତ ଯହିଁ ଥାଇ

ସମଦରଶୀ ଶାନ୍ତ ହୋଇ

।।

ଜଗତେ ସାଧୁ ସେ ବୋଲାନ୍ତି

ପତିତ ପବିତ୍ର କରାନ୍ତି

।।

ପ୍ରାଣୀ ହିଂସନ ତାଙ୍କ ନାହିଁ

ଯେ ଉଚ୍ଚ ନୀଚେ ଦେହ ବହି

।।

ଯେ ମୋର ଭାବେ ନିତ୍ୟେଥାନ୍ତି

କେବେହେଁ ପ୍ରାଣୀ ନ ହିଂସନ୍ତି

।।

ମୁଁ ଥାଏ ତାହାଙ୍କର ପଛେ

ସେ ମୋତେ ଦେଖନ୍ତି ପ୍ରତ୍ୟକ୍ଷେ

।।

ତୁ ମୋର ଭକ୍ତ ମଧ୍ୟେ ସାର

ମୋର ବଚନ ଏବେ କର

।।

ଭାବେ ଭକତ ଜନ ଯେତେ

ଯଜ୍ଞ କରନ୍ତି ପିତୃ ଅର୍ଥେ

।।

ମୋ ଅଙ୍ଗ ସ୍ପର୍ଶନେ ତୋ ତାତ

ସ୍ୱଭାବେ ହୋଇଲା ମୁକତ

।।

ପୁତ୍ର ସ୍ୱଧର୍ମ ଏବେ ତୋର

ପିତାଙ୍କୁ ପ୍ରେତୁ ପାରି କର

।।

ବେଦବାଦୀଙ୍କ ବାକ୍ୟ ଅର୍ଥେ

ପିତୃ ତର୍ପଣ କର ତୀର୍ଥେ

।।

ମୋ ପାଦେ ମନ କର ସ୍ଥିର

ପିଣ୍ଡେ ତୁ ପିତାଙ୍କୁ ଉଦ୍ଧର

।।

ନାରଦ ଉବାଚ

ବିଷ୍ଣୁ ବଚନ ଘେନି ଶିରେ

ପିତାର କର୍ମ ଗଙ୍ଗା ତୀରେ

।।

ଆନନ୍ଦେ ଅସୁରର ବଳା

ପିତୃ ତର୍ପଣେ ପିଣ୍ଡ ଦେଲା

।।

ବିପ୍ରେ ମିଳିଲେ ବିଷ୍ଣୁ ବାକ୍ୟେ

ପ୍ରହ୍ଲାଦ ନୃପ ଅଭିଷେକେ

।।

କ୍ଷିତି ମଣ୍ଡଳେ କଲେ ରାଜା

ନୃପେ କରନ୍ତି ପାଦ ପୂଜା

।।

ଅଦ୍ଭୁତ ଦେଖି ତାର କଥା

ଆନନ୍ଦମନେ ସେ ବିଧାତା

।।

ବ୍ରହ୍ମୋବାଚ

ଭୋ ଦେବ ଦେବଙ୍କର ବର

ଅଖିଳ ସୃଷ୍ଟି ସୃଷ୍ଟିକର

।।

ଭୂତଭାବନ ସର୍ବ ସିଦ୍ଧି

ତୁ ନାଥ କରୁଣାବାରିଧି

।।

ଲୋକେ ସନ୍ତାପୀ ଏ ଅସୁର

ଭୋ ନାଥ କଲୁ ତୁ ସଂହାର

।।

ମୋହର ତହୁଁ ବର ପାଇ

ମୋ ସୃଷ୍ଟି ମଧ୍ୟେ ମୃତ୍ୟୁ ନାହିଁ

।।

ତପର ତେଜ ବଳେ ଦୁଷ୍ଟ

ନିଗମ ମାର୍ଗ କଲା ନଷ୍ଟ

।।

ତୁ ନାଥ ତାହାକୁ ସଂହାରି

ରଖିଲୁ ବେଦ ମାର୍ଗ ଶିରୀ

।।

ତାହାର ପୁତ୍ର ଭାଗ୍ୟବନ୍ତ

ଦୁର୍ଲ୍ଲଭ ବିଷ୍ଣୁଙ୍କ ଭକତ

।।

ତାକୁ ରଖିଲୁ ପିତା ମାରି

ମରଣ ସଙ୍କଟୁ ଉଦ୍ଧରି

।।

ଏ ନରସିଂହ ରୂପ ତୋର

ଧ୍ୟାନେ ଚିନ୍ତିବେ ଯେତେ ନର

।।

ସର୍ବ ସଙ୍କଟୁ ହେବ ପାର

ଶରଣେ ଫିଟିବ ଦୁସ୍ତର

।।

ଶ୍ରୀଭଗବାନୁବାଚ

ଶୁଣ ବିଧାତା ମୋ ଉତ୍ତର

ସନ୍ତୋଷ ହୋଇ ଯେବା ବର

।।

ତପ ସମାଧି ଯୋଗ ସାଧେ

ନ ଦେବୁ ଅସୁରଙ୍କ ମଧ୍ୟେ

।।

ଦୁଷ୍ଟ ପ୍ରାଣୀଙ୍କୁ ବର ଦେଲେ

ଉରଗେ କ୍ଷୀର ପାନ ତୁଲେ

।।

ନାରଦ ଉବାଚ

ବ୍ରହ୍ମାଙ୍କୁ ବୋଲି ଏ ବଚନ

ସେ ସ୍ଥାନୁ ହେଲେ ଅନ୍ତର୍ଦ୍ଧାନ

।।

ତକ୍ଷଣେ ଶୂନ୍ୟେ ବିଜେକରି

ବ୍ରହ୍ମା ପୂଜିତ ନରହରି

।।

ଜୟ ଶବଦ ତ୍ରିଭୁବନେ

ପ୍ରହ୍ଲାଦ ଦେଖି ତୋଷମନେ

।।

ଶିରେ ବନ୍ଦିଲା ବ୍ରହ୍ମାପାଦ

ଭକ୍ତିରେ ହୋଇ ଗଦଗଦ

।।

ଶଙ୍କର ପ୍ରଜାପତି ଗଣେ

ନମିଲା ଦେବଙ୍କ ଚରଣେ

।।

ସନ୍ତୋଷ ହୋଇ ପଦ୍ମ ଯୋନି

ସଙ୍ଗେଣ ସପ୍ତଋଷି ଘେନି

।।

ପ୍ରହ୍ଲାଦ ସ୍ଥାପି ରାଜ ପଦେ

ଦୈତ୍ୟ ଦାନବଙ୍କର ମଧ୍ୟେ

।।

ଆଶିଷ ଦେଲେ ଦେବଗଣେ

ହସ୍ତ ପ୍ରସାରି ଜଣେ ଜଣେ

।।

ପୂଜିଲେ ବ୍ରହ୍ମା ଆଦିମୂଳେ

ଇନ୍ଦ୍ରାଦି ଦଶଦିଗ ପାଳେ

।।

ଅସୁର ପୁତ୍ର ସୁପୂଜିତେ

ସର୍ବେ ଆନନ୍ଦ ହୋଇ ଚିତ୍ତେ

।।

ସ୍ୱସ୍ଥାନେ ଗଲେ ଦେବଗଣ

ଏବେ ହୋ ଧର୍ମସୁତ ଶୁଣ

।।

ଜୟ ବିଜୟ ବେନିଭାଇ

ବିଷ୍ଣୁ ଭୁବନ ଦ୍ୱାରେ ଥାଇ

।।

ବ୍ରହ୍ମା କୁମର ଶାପବଳେ

ଜନ୍ମ ଲଭିଲେ ଦିତି କୋଳେ

।।

ବଇରୀଭାବ ହୃଦେ ଭରି

ବିଷ୍ଣୁ ଦ୍ରୋହରେ କାଳ ହରି

।।

ହରିର ହସ୍ତେ ପ୍ରାଣ ଦେଇ

ପୁଣି ଜନ୍ମିଲେ ବେନିଭାଇ

।।

ନିକଷା ଗର୍ଭେ ଜନ୍ମ ହୋଇ

ରାବଣ କୁମ୍ଭକର୍ଣ୍ଣ ଦୁଇ

।।

ସୀତା ହରଣେ ରାମ ବାଣେ

ପ୍ରାଣ ଛାଡ଼ିଲେ ଘୋରରଣେ

।।

ରାମ ଶରୀରେ ଦୃଷ୍ଟି ଦେଇ

ପ୍ରାଣ ଛାଡ଼ିଲେ ବେନିଭାଇ

।।

ପୁଣି ଏ ଧରଣୀ ମଣ୍ଡଳେ

ଜନ୍ମ ଲଭିଲେ ରାଜ କୂଳେ

।।

ସେ ଦନ୍ତବକ୍ର ଶିଶୁପାଳ

ତେଜ ସ୍ୱଭାବେ ଅନର୍ଗଳ

।।

ବୈରାନୁ ବୁଦ୍ଧି ଭରି ଦେହେ

ସାଯୁଯ୍ୟ ଲଭିଲେ ସମୂହେ

।।

ଏମନ୍ତେ ଦୁଷ୍ଟ ରାଜଗଣେ

କୃଷ୍ଣେ ନିନ୍ଦିତ ରିପୁ ପଣେ

।।

ଅନ୍ତେ ପାଇଲେ ବିଷ୍ଣୁ ଗତି

ଯେସନେ କୀଟ ପେଶଷ୍କୃ

।।

ଯେ ପ୍ରାଣୀ ଯେମନ୍ତ ଭଜଇ

ହୃଦେ ଭକତି ଭାବ ବହି

।।

ସେହି ପ୍ରକାରେ ଲଭେ ଗତି

ଯେ ପ୍ରାଣୀ ଯେମନ୍ତ ଚିନ୍ତନ୍ତି

।।

ଏବେ ହୋ ଶୁଣ ନୃପବର

ହରି ମହିମା ଅଗୋଚର

।।

ଯେବେ ପୁଚ୍ଛିଲୁ ଯେଉଁ ଭାବେ

ସେ ହରି ଚରିତ ପ୍ରସ୍ତାବେ

।।

ସେ ପୂର୍ବ ପ୍ରଶ୍ନ ତୋ ଅଗ୍ରତେ

କହିବା ଯଥାଶକ୍ତି ମତେ

।।

ଶ୍ରୀ ବିଷ୍ଣୁ କଥାକୁ ଯେ ରସେ

ଆତ୍ମା ଅଶୁଭକୁ ବିନାଶେ

।।

ଏ ପ୍ରହଲାଦଙ୍କ ଚରିତ

ସ୍ୱଭାବେ ମହା ଭାଗ୍ୟବନ୍ତ

।।

ଜ୍ଞାନ ବୈରାଗ୍ୟ ଭକ୍ତି ବଳେ

ରହିଲା ବିଷ୍ଣୁ ପାଦ ତଳେ

।।

ବିଷ୍ଣୁର ସ୍ୱର୍ଗ ସ୍ଥିତି ଅନ୍ତ

ଯେ ଗୁଣ କର୍ମାନୁ ବର୍ଣ୍ଣିତ

।।

ଦେବ ଦାନବଙ୍କର ସ୍ଥାନ

କେବେହେଁ ନୁହଇ ତା ଆନ

।।

ହରି ଭଜନ ବିପରୀତ

ଏ ବିଷ୍ଣୁ ଜନଙ୍କର ମତ

।।

ଅଜ୍ଞାନେ ବଇଷ୍ଣବ ଧର୍ମ

ଅଶେଷ ଆଦି ଆତ୍ମା କର୍ମ

।।

ବିଷ୍ଣୁ ମହିମା ପୁଣ୍ୟ ଜାଣି

ଯେ ନରଶ୍ରୁତି ମାର୍ଗେ ଶୁଣି

।।

ଲୋକେ କହନ୍ତି ସୁଧାରସେ

ସର୍ବ ଦୁରିତ ସେ ବିନାଶେ

।।

ଏ ଆଦି ପୁରୁଷଙ୍କ କଳା

ଶ୍ରୀନୃସିଂହଙ୍କ ରୂପଲୀଳା

।।

ଅସୁରପତି ବଧ ବାଣୀ

ଯେ ମୁଖେ କହେ ନିତ୍ୟେ ଶୁଣି

।।

ସନ୍ତୋଷେ ସର୍ବ ଗୁଣ କଥା

ଅଶେଷ ମୁନି ମଧ୍ୟେ ଜ୍ଞାତା

।।

ପ୍ରସ୍ତାବେ ଶୁଣି ଜନ ମଧ୍ୟେ

ନିର୍ଭୟେ ଯାନ୍ତି ବିଷ୍ଣୁପାଦେ

।।

ତୁ ଯେ ପାଣ୍ଡବ କୁଳେ ଜାତ

ତ୍ରୈଲୋକ୍ୟେ ମହାଭାଗ୍ୟବନ୍ତ

।।

ଲୋକେ ପବିତ୍ର ମୁନିଗଣେ

ତୋର ଭୁବନେ ଅନୁକ୍ଷଣେ

।।

ମିଳନ୍ତି ଘେନି ତୋର ଭାବ

ତୋ ଗୃହେ ବସେ ପଦ୍ମନାଭ

।।

ଯାର ମହିମା ଦେବଗଣେ

ଲୋଡ଼ି ନ ପାନ୍ତି ଭବବଣେ

।।

ଯେ ବ୍ରହ୍ମା ନିର୍ବାଣ ଦୁର୍ଲ୍ଲଭ

କୈବଲ୍ୟ ମୁକ୍ତି ଅନୁଭବ

।।

ସେ ପ୍ରାୟ ସୁହୃଦ ତୋହର

ଅଶେଷ ମଙ୍ଗଳ ଆକାର

।।

ସକଳ ଆତ୍ମା ସେ ପୂରିତ

ଅଶେଷ ଗୁରୁ ଦଇବତ

।।

ଯାହାର ମହିମା ବର୍ଣ୍ଣନେ

ଭବ ବିରଞ୍ଚି ଆଦି ଜନେ

।।

ବିଷ୍ଣୁ ବୁଦ୍ଧିରେ ଭାବ ଚିନ୍ତି

କେବେହେଁ ଚିହ୍ନି ନ ପାରନ୍ତି

।।

ମଉନେ ଭକ୍ତିଯୋଗେ ପୂଜି

କେବେହେଁ ନ ପାରନ୍ତି ଖୋଜି

।।

ସେ ବଇଷ୍ଣବ ଜନ ଗତି

ତା ପାଦେ ରହୁ ମୋର ମତି

।।

ସେ ହରି ତୋତେ ଦୟା କରି

ତୋ ନାମ ଜଗତେ ବିସ୍ତାରି

।।

ପୂର୍ବେ ଯେ ଦେବାସୁର ଯୁଦ୍ଧେ

ରୂଦ୍ରଙ୍କୁ ରଖିଲେ ପ୍ରମାଦେ

।।

ଏ ବାକ୍ୟ ମୁନି ମୁଖୁ ଶୁଣି

କପାଳେ ଦେଇ ବେନିପାଣି

।।

 

 

 

ଯୁଧିଷ୍ଠିର ଉବାଚ

ବୋଲେ ନାରଦ ମୁଖ ଚାହିଁ

ଭୋ ନାଥ ମୋତେ କର ତ୍ରାହି

।।

କହ କେବଣ କାଳେ ହରି

ଦେବଙ୍କ ଶଙ୍କା ଦୂର କରି

।।

ଅସୁର ବଳ କଲେ ନାଶ

ଯେ ହରି ଜଗତେ ବିଶ୍ୱାସ

।।

ଏମନ୍ତ ଧର୍ମସୁତ ବାଣୀ

ଶୁଣି କହନ୍ତି ବ୍ରହ୍ମମୁନି

।।

ପୂର୍ବେ ଯେ ଦେବାସୁର ରଣେ

ଯୁଦ୍ଧେ ଜିଣିଲେ ଦେବଗଣେ

।।

ଅସୁର ପଳାଇ ବିଷାଦେ

ମୟ ଦଇତ୍ୟ ବେନିପାଦେ

।।

କାତରେ ପଶିଲେ ଶରଣ

ଭୟେ ସକଳ ଦୈତ୍ୟଗଣ

।।

ମୟ ଦଇତ୍ୟ ତାହା ଚାହିଁ

ଅସୁର ଗଣେ ଦୟା ବହି

।।

ବିମାନ କଲା ତିନିପୁର

ଭିତରେ ଘୋର ଅନ୍ଧକାର

।।

କାଞ୍ଚନ ରୌପ୍ୟ ଲୌହମୟେ

ଦେଖି ତ୍ରିଦଶ କଲେ ଭୟେ

।।

ରଖି ନ ପାରି ତାକୁ ଭଲେ

ପଡ଼ିଲା ଅପମୃତ୍ୟୁ ତୁଲେ

।।

ବିତର୍କ ଲୌହ ପରିଚ୍ଛଦ

ପୂରିତ ଅଶେଷ ଆୟୁଧ

।।

ସେ ରଥେ ବସି ଦୈତଗଣେ

ଦେବଙ୍କୁ ଆବୋରିଲେ ରଣେ

।।

ତିନି ଭୁବନେ ଲୋକଶିରୀ

ନାଶନ୍ତି ବଇରୀ ସୁମରି

।।

ଆକୁଳେ ତ୍ରିଭୁବନ ଲୋକେ

ଶିବ ଭଜିଲେ ଅତିରେକେ

।।

ଡାକନ୍ତି ରଖ ଆମ୍ଭ ପ୍ରାଣ

ତୋ ପାଦେ ପଶିଲୁ ଶରଣ

।।

ଭୁବନେ ରହି ନ ପାରିଲୁ

ଅସୁର ଭୟେ ପଳାଇଲୁ

।।

ତ୍ରିପୁରେ ଥାଇ ଦୃଷ୍ଟିମାତ୍ରେ

ଲୋକେ ନାଶିଲେ ଶସ୍ତ୍ରାଘାତେ

।।

ଶୁଣି ଈଶ୍ୱର ତୋଷମନେ

ବୋଲନ୍ତି ମଧୁର ବଚନେ

।।

ଭୟ ନ କର ତୁମ୍ଭେ କେହି

ଅସୁର ସଂହାରିବି ମୁହିଁ

।।

ଏମନ୍ତ କହି ତ୍ରିଲୋଚନ

ହସ୍ତେ ଘେନିଲେ ଶରାସନ

।।

ଶରସମୂହ ରବି ଯେହ୍ନେ

ଧରି ବିନ୍ଧିଲେ କୋପମନେ

।।

ରୁଦ୍ର ନାରାଚ ତେଜୋମୟେ

ପଡ଼ିଲା ଅସୁରଙ୍କ ଦେହେ

।।

କର ହୃଦୟ ଶିର ଛିଡ଼ି

ପଡ଼ିଲେ ଭୂମି ପଥ ମାଡ଼ି

।।

ଜୀବନ୍ତେ ପଡ଼ିଲେ ଥୋକାଏ

ଘୋର ପ୍ରଚଣ୍ଡ ମହାଭୟେ

।।

ମୟ ଦଇତ୍ୟ ଦେଖି ତାହା

ଅସୁର ବଳେ କରି ମାୟା

।।

ମିଳିଲା ସୁରଙ୍କ ସମୀପେ

ପ୍ରହାର କଲା ଶର କୋପେ

।।

ଅମୃତ ରସ ଜଳ ସଙ୍ଗେ

ଲାଗିଲା ଅସୁରଙ୍କ ଅଙ୍ଗେ

।।

ବଜ୍ରର ପ୍ରାୟେ ଦେହ ଧରି

ଉଠିଲେ ଘୋର ନାଦ କରି

।।

ଅସୁରେ ଉଠି ଧାତିକାରେ

ଯୁଝିଲେ ଦେବଙ୍କ ସଙ୍ଗରେ

।।

ଯୁଝନ୍ତି ନାନା ଶସ୍ତ୍ର ଧରି

ଶବଦେ କମ୍ପେ ବସୁନ୍ଧରୀ

।।

ଭୟେ ପଳାନ୍ତି ଦେବଗଣ

ଡାକନ୍ତି ରଖ ନାରାୟଣ

।।

ଦେଖି ଶଙ୍କର ମନ ଦୁଃଖେ

ଭଗ୍ନ ସଂକଳ୍ପ ଅତିରେକେ

।।

ବିମୁଖ ଦେଖିଣ ଶଙ୍କର

ଉପାୟ କଲେ ଚକ୍ରଧର

।।

ବ୍ରହ୍ମାଙ୍କୁ ବତ୍ସାରୂପ କରି

କୃଷ୍ଣ ସୁରଭୀ ରୂପ ଧରି

।।

ବଦନ ରସକୂପେ ଭରି

ନିଃଶେଷ ପାନ କଲେ ହରି

।।

ଯେତେ ଅସୁର ବଳ ଥିଲେ

କେହି ନିରୋଧି ନ ପାରିଲେ

।।

ଚାହିଁ ଅସୁରଙ୍କ ବଦନ

ବୋଲନ୍ତି ପ୍ରଭୁ ତ୍ରିଲୋଚନ

।।

ଦେବ ଅସୁର କିବା ନର

କର୍ମକୁ ନୁହନ୍ତି ଈଶ୍ୱର

।।

ଯେ ଜନ ନିତ୍ୟ କର୍ମ କରେ

ସେ କର୍ମ ଅତି ବଳୀୟାରେ

।।

ସେ ନିଶ୍ଚେ ଲୋଭକୁ ନକରେ

କେବା ନିବରି ତାକୁ ପାରେ

।।

ତକ୍ଷଣେ ପ୍ରଭୁ ନରହରି

ରୁଦ୍ର ଶରୀରେ ତେଜ ଭରି

।।

ସେ ବିଷ୍ଣୁ ଶକ୍ତି ବଳେ ବଳ

ତେଜ ବିରାଜେ ଅନର୍ଗଳ

।।

ବୈରାଗ୍ୟ ଜ୍ଞାନ ଧର୍ମରୁଦ୍ଧି

ତପ ପ୍ରକ୍ରିୟା ବିଦ୍ୟା ସିଦ୍ଧି

।।

ଏ ସପ୍ତ ଗୁଣ ସପ୍ତ ତେଜ

ରଥି ସାରଥି ମହାଧ୍ୱଜ

।।

କୋଦଣ୍ଡ ଧନୁ ତୂଣ ଶର

ରୁଦ୍ରଙ୍କୁ ଦେଲେ ଦାମୋଦର

।।

ଏ ଆଦି ନାନା ଶସ୍ତ୍ର ଯେତେ

ରୁଦ୍ରଙ୍କୁ ଦେଲେ ଦେବନାଥେ

।।

ମର୍ମ ବିଘାତୀ ବ୍ରହ୍ମଶର

କରେ ଧଇଲେ ଧନୁଶର

।।

ମଧ୍ୟାହ୍ନ ସମୟେ ଶଙ୍କର

ରଥେ ଉଠିଲେ କୋପଭର

।।

ଅନଳ ବାଣ ସର୍ବ ବିନ୍ଧି

ସର୍ବ ଅସୁର ବଳ ରୁନ୍ଧି

।।

ତ୍ରିପୁରେ କଲେ ସେ ଦହନ

ହରଷ ଦେବଙ୍କର ମନ

।।

ବିମାନ ଶତ ଶତ ଶୂନ୍ୟେ

ଦୁନ୍ଦଭି ବାଦ୍ୟନାଦ ଘନେ

।।

ପିତୃ ଦେବତା ସିଦ୍ଧ ଗଣେ

ପୁଷ୍ପ ବରଷେ ତତକ୍ଷଣେ

।।

କୁସୁମ ବୃଷ୍ଟି ରୁଦ୍ର ଶିରେ

ଜୟ ଶବଦ ନିରନ୍ତରେ

।।

ଆନନ୍ଦ ମନେ ଶୁଭକ୍ଷଣେ

ନୃତ୍ୟନ୍ତି ଅପସରା ଗଣେ

।।

ଏହି ପ୍ରକାର ତିନିପୁର

ଦହନ କଲେ ଦେବ ହର

।।

ବ୍ରହ୍ମାଦି ଦେବେ କଲେ ସ୍ତୁତି

ସ୍ୱଗୃହେ ଗଲେ ଉମାପତି

।।

ଏହ ପ୍ରକାରେ ନରହରି

ମାୟା ମନୁଷ୍ୟ ରୂପ ଧରି

।।

ମୁନି ବର୍ଣ୍ଣନ୍ତି ତାହା ଗୀତେ

ଯେ କର୍ମ କଲେ ଏ ଜଗତେ

।।

ଲୋକ ପବିତ୍ର ତୋ ମହିମା

ଏଣୁ କେ କହେ ଗୁଣସୀମା

।।

ବୋଲନ୍ତି ବିପ୍ର ଜଗନ୍ନାଥ

ଗୀତ ପ୍ରବନ୍ଧେ ଭାଗବତ

।।

ସପ୍ତମସ୍କନ୍ଧେ ଏହା ଶୁଣି

ମାୟା ସଂସାରୁ ତର ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନୃସିଂହ ପ୍ରସନ୍ନେ ପ୍ରହ୍ଲାଦ ବରଲାଭେ

ନା ଦଶମୋଽଧ୍ୟାୟଃ ।

•••

 

ଏକାଦଶ ଅଧ୍ୟାୟ

ଶ୍ରୀ ଶୁକ ଉବାଚ

ଶୁଣି ନାରଦ ମୁଖୁଁ କଥା

ଯେ ଧର୍ମମତି ଶୁଦ୍ଧଚେତା

।।

ସେ ପ୍ରହଲାଦର ଚରିତ

ସୁସାଧୁ ସଭା ମଧ୍ୟେ ଖ୍ୟାତ

।।

ଉତ୍ତମ ମଧ୍ୟେ ଅଗ୍ରେ ଗଣି

ଯାହାର ଆତ୍ମା ଚକ୍ରପାଣି

।।

ତାର ଚରିତ ଧର୍ମସୁତ

ଶୁଣି ଆନନ୍ଦେ ହରଷିତ

।।

ବ୍ରହ୍ମା ନନ୍ଦନଙ୍କର ମୁଖେ

ପୁଣି ପୁଚ୍ଛିଲେ ଆତ୍ମା ସୁଖେ

।।

ଯୁଧିଷ୍ଠିର ଉବାଚ

ମନୁଷ୍ୟ ଜନ୍ମର ସ୍ୱଧର୍ମ

ଯେ ଅବା ଜାଣେ ସାଧୁକର୍ମ

।।

ଈଶ୍ୱର ବାକ୍ୟେ ଧର୍ମ ସାଧି

ଯେବା ଆଶ୍ରମେ ଯେବେ ବିଧି

।।

ଧର୍ମ ସମ୍ପାଦି ଜନମଧ୍ୟେ

ଅନ୍ତେ ପଶନ୍ତି ବିଷ୍ଣୁପାଦେ

।।

ତୁମ୍ଭେ ଯେ ପଦ୍ମଯୋନି ସୁତ

ଜାଣ ସକଳ ପରମାର୍ଥ

।।

ଯେ ବିପ୍ର ନାରାୟଣ ପର

ତାହାର ନାହିଁ ଆତ୍ମପର

।।

କରୁଣାବନ୍ତ ଶାନ୍ତ ଦେହେ

ଯେବା ଅଟନ୍ତି ତୁମ୍ଭ ପ୍ରାୟେ

।।

କେବଳ ଦୟାସିନ୍ଧୁ ଧୀର

ଅଶେଷ ଜ୍ଞାନର ଈଶ୍ୱର

।।

ନାରଦ ଉବାଚ

ନମଇଁ ପ୍ରଭୁ ନରହରି

ଅଜନ୍ମ ଜନ୍ମ ରୂପ ଧରି

।।

ଅଶେଷ ପ୍ରାଣୀ ଧର୍ମ ସେତୁ

ଅଖିଳ ସୃଷ୍ଟି ଧର୍ମ ହେତୁ

।।

ଯେ ସନାତନ ମୁନି ବାଣୀ

ସେ ନାରାୟଣ ମୁଖୁ ଶୁଣି

।।

ସେ ଅବତାର ଆତ୍ମା ଅଂଶେ

ଜନ୍ମ ଲଭିଲେ ଦେବ ବଂଶେ

।।

ଦକ୍ଷ କନ୍ୟାର ଗର୍ଭେ ହରି

ନର ରୂପରେ ଅବତରି

।।

ସଂସାର ଲୋକ ସିଦ୍ଧି କର୍ମେ

ସେ ବସେ ବଦରିକାଶ୍ରମେ

।।

ଯୋଗ ସାଧିଲେ ଦୃଢ଼ ତପେ

ଯେ ନର ନାରାୟଣ ରୂପେ

।।

ସେ ହରି ସର୍ବଦେବ ଆତ୍ମା

ଧର୍ମର ମୂଳ ଶୁଦ୍ଧ କର୍ମା

।।

ତାର ବଚନ ଶ୍ରୁତି ପଥେ

ଯେ ପ୍ରାଣୀ ଶୁଣେ ଅବିରତେ

।।

ଭକ୍ତି ସମ୍ପାଦି ତା ଚରଣେ

ପ୍ରବେଶ ହୋନ୍ତି ତତକ୍ଷଣେ

।।

ସତ୍ୟ ଶଉଚ ଦୟା ତପ

ତିତିକ୍ଷା ଶମ ଦମ କଳ୍ପ

।।

ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ

ସହାୟ ଗୁଣ ରିପୁଭାବ

।।

ସନ୍ତୋଷ ସମଦୃଷ୍ଟି ସେବା

ଯେଣେ ସନ୍ତୋଷ ଋଷି ଦେବା

।।

କର୍ମ ନିବୃତ୍ତି ଜ୍ଞାନ ଧର୍ମ

ମଉନ ଆତ୍ମା ନିତ୍ୟକର୍ମ

।।

ହୃଦେ ନିରୋଧି ଦୁଷ୍ଟମନ

ସ୍ୱଧର୍ମ ମାର୍ଗେ କର ଧ୍ୟାନ

।।

ତତ୍ତ୍ୱ ଧାରଣା ତତ୍ତ୍ୱ ଜ୍ଞାନ

ଯା ଦେଖି ରହିବ ଚେତନା

।।

ନଦେଖି ଅନୁଭବ ଭାବେ

ଭୂତ ଅତିଥି ପୂଜା ଅଙ୍ଗେ

।।

ଆତ୍ମା ଦେବତା ବୋଧକରି

ଏ ଭାବେ ଗୃହେ ଥିଲେ ତରି

।।

କୃଷ୍ଣର ନାମ ଅନୁକ୍ଷଣ

କରିବ କୀର୍ତ୍ତନ ଶ୍ରବଣ

।।

ସେବା ପୂଜନ ଦାସପଣେ

ସୁବାକ୍ୟ ଆତ୍ମା ସମର୍ପଣେ

।।

ପରମ ରୂପେ ଧର୍ମ ସାଧି

ମନୁଷ୍ୟ ନାହିଁ ରିପୁ ବୁଦ୍ଧି

।।

ଦଶ ଲକ୍ଷଣ ଧର୍ମ ଏହି

ଏଣେ ସନ୍ତୋଷ ଭାବଗ୍ରାହୀ

।।

ଅଖିଳ ସଂସ୍କାର କାରଣେ

ବେଦ ଅଭ୍ୟାସି ସେ ବ୍ରାହ୍ମଣେ

।।

ବ୍ରାହ୍ମଣେ ଆଦି ତିନି ବର୍ଣ୍ଣ

ଯଜନ ଦାନ ଅଧ୍ୟାପନ

।।

ଯଜ୍ଞାଦି କ୍ରିୟା କର୍ମ ଯେତେ

ଚତୁର୍ଥ ଆଶ୍ରମ ସମେତେ

।।

ଅଧ୍ୟୟନାଦି ଷଟକର୍ମ

ବ୍ରାହ୍ମଣ ଜନର ଏ ଧର୍ମ

।।

ରାଜାର ଧର୍ମ ପ୍ରଜା ରକ୍ଷା

ଜ୍ଞାନ ବିହୀନେ ପଞ୍ଚଦୀକ୍ଷା

।।

ବାଣିଜ୍ୟ କୃଷି ଗୋ ରକ୍ଷଣ

ବୈଶ୍ୟ ଜନର ଏ ଲକ୍ଷଣ

।।

ଶୂଦ୍ର ଜନର ବିପ୍ରସେବା

ଯେହ୍ନେ ସନ୍ତୋଷ ସର୍ବଦେବା

।।

ଯେ ଧର୍ମ ଶୁତି ସ୍ମୃତି ଭେଦେ

ତାହା ସାଧିବ ନିରାପଦେ

।।

ଆପଦେ ବୃତ୍ତି ନିତ୍ୟକର୍ମ

ସାଧି ବଞ୍ଚିବ ତିନି ବର୍ଣ୍ଣ

।।

ଏତେ ଲକ୍ଷଣ ତୋତେ କହି

ରାଜନ ଶୁଣ ମନ ଦେଇ

।।

ଶୌଚ ସନ୍ତୋଷ ଶମ ଦମ

ସହିଷ୍ଣୁ ଭିକ୍ଷା ତିଳକ୍ଷମ

।।

ଦୟାତ୍ମା ଅବିରକ୍ତ ଶାନ୍ତି

ବିପ୍ର ଲକ୍ଷଣ ଏ କହନ୍ତି

।।

ତେଜ ଶଉର୍ଯ୍ୟ କ୍ଷମା ଧୃତି

ତ୍ରାଗ ଅର୍ଚ୍ଚନା ଦୟା ଶାନ୍ତି

।।

ନିତ୍ୟ ପ୍ରସନ୍ନ ବିପ୍ରରକ୍ଷା

କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା

।।

ବିପ୍ର ଦେବତା ଗୁରୁ ଭଳି

ତ୍ରିଯୋଗ ପୋଷଣେ ନିମଜ୍ଜି

।।

ଆସ୍ତିକ ନିତ୍ୟ ନମ୍ରଗୁଣ

ବୈଶ୍ୟଜନର ଏ ଲକ୍ଷଣ

।।

ଶଉଚ ପ୍ରଭୁ ସେବା କର୍ମ

ଶୂଦ୍ର ଜନର ଏ ଲକ୍ଷଣ

।।

ଏବେ ହୋ ଯୁଧିଷ୍ଠିର ଶୁଣ

ସ୍ତିରୀ ଜନର ଏ ଲକ୍ଷଣ

।।

ସ୍ୱାମୀର ଚରଣ କମଳେ

ସେବିବ ହୃଦୟ ନିଶ୍ଚଳେ

।।

ସ୍ୱାମୀର ବନ୍ଧୁଥିବେ ଯେତେ

ତାଙ୍କ ପୋଷଣେ ଥିବ ନିତ୍ୟେ

।।

ପତିବ୍ରତାଙ୍କ ଏ ଳକ୍ଷଣ

ନିଗମ ବଚନ ପ୍ରମାଣ

।।

ଗୃହ ମାର୍ଜନା ଉପଲେପ

ମଣ୍ଡଳ ସାୟଂକାଳେ ଦୀପ

।।

ଆତ୍ମା ମଣ୍ଡିତ ନିରନ୍ତରେ

ଭୂଷଣ ଅଞ୍ଜନ ସିନ୍ଦୂରେ

।।

ସନ୍ତୋଷ ଅଲୋଭ ସୁଦକ୍ଷ

ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ

।।

ଶୁଚି ସୁସ୍ନିଗ୍‌ଧେ ସେ ଆନନ୍ଦେ

ନିରତେ ସେବେ ସ୍ୱାମୀ ପଦେ

।।

ଯେ ନାରୀ ହରି ପ୍ରାୟେ ନିତି

ସେବା କରନ୍ତି ନିଜ ପତି

।।

ସେ ନାରୀ ଲକ୍ଷ୍ମୀପ୍ରାୟ ହୋଇ

ପତିର ହସ୍ତେ ହସ୍ତେ ଦେଇ

।।

ପତି ସଙ୍ଗତେ ବିଷ୍ଣୁ ଲୋକେ

ବସଇ ଆନନ୍ଦେ ଅଶୋକେ

।।

ଅନ୍ୟ ଜାତିଙ୍କ ନିଜ ଧର୍ମ

ନିୟତି ଯେବା କୁଳଧର୍ମ

।।

ଏମନ୍ତ ଧର୍ମ ଯୁଗେ ଯୁଗେ

ପ୍ରାଣୀ ସେବିବେ ଅନୁରାଗେ

।।

ବେଦ ସୃଷ୍ଟିରେ ବିପ୍ରଜନେ

କହନ୍ତି ଧର୍ମ ଅବଧାନେ

।।

ଯେ ଧର୍ମ ଇହ ପରଲୋକେ

ପ୍ରାଣୀ ତରନ୍ତି ଆତ୍ମାସୁଖେ

।।

ବୃତ୍ତି ସ୍ୱଭାବେ କ୍ରିୟା ଘେନି

ଯେ ଧର୍ମ ଇହ ପର ମାନି

।।

ବର୍ତ୍ତନ୍ତି ସୁକର୍ମ କରଣେ

ସେ ନର ପଶନ୍ତି ନିର୍ଗୁଣେ

।।

ନିରତେ ଜପ ତପ କରି

ବିଷ୍ଣୁ ମାୟାରୁ ଯାନ୍ତି ତରି

।।

ନିଷ୍କାମେ ଯେବା ଧର୍ମେ ଭଜେ

ଅଙ୍କୁରେ ଥାନ୍ତି ଯେହ୍ନେ ବୀଜେ

।।

କେବେହେଁ ବୃକ୍ଷ ସେ ନୁହନ୍ତି

ଯତ୍ନ ନ କଲେ ନାଶ ଯାନ୍ତି

।।

ଏମନ୍ତ କାମ ଜଡ଼େ ଚିତ୍ତେ

ଯେବେ ସେବଇ ଅବିରତେ

।।

ତେବେ ବିରକ୍ତ ଚିତ୍ତ ନୁହେ

ନିଷ୍କାମ ଅଗ୍ନି କାମ ଦହେ

।।

ଯେ ବର୍ଣ୍ଣେ ଯେମନ୍ତ ଲକ୍ଷଣ

ବେଦେ ବର୍ଣ୍ଣନ୍ତି ମୁନିଗଣ

।।

ତା ଅଧ ଉର୍ଦ୍ଧ୍ୱେ ଯେବେ ଦେଖି

ସେ ଧର୍ମ ପଥ ଉପଲକ୍ଷି

।।

ଏମନ୍ତ ଧର୍ମ ଅନୁବାଦେ

ମୁନି କହନ୍ତି ସଭା ମଧ୍ୟେ

।।

ଶୁଣି ଆନନ୍ଦ ଧର୍ମସୁତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ବର୍ଣ୍ଣଧର୍ମ ବର୍ଣ୍ଣନେ

ନାମ ଏକାଦଶୋଽଧ୍ୟାୟଃ ।

•••

 

Unknown

ଦ୍ୱାଦଶ ଅଧ୍ୟାୟ

ନାରଦ ଉବାଚ

ଶୁଣ ହୋ ଧର୍ମର ନନ୍ଦନ

ବାନସ୍ଥ ବ୍ରହ୍ମଚାରୀ ଜନ

।।

ଗୃହସ୍ଥ ଧର୍ମ ଭିକ୍ଷୁ ଯେତେ

ଏବେ କହିବା ତୋ ଅଗ୍ରତେ

।।

ଗୁରୁ ଉପବନେ ବ୍ରହ୍ମଚାରୀ

ବସିବ ଦୃଢ଼ ବ୍ରତ କରି

।।

ସ୍ୱଭାବେ ତପ କ୍ଳେଶ ଯେତେ

ନିରଥେ ଥିବ ଗୁରୁ ହିତେ

।।

ସୁଦୃଢ଼ ସୁହୃଦ ଲକ୍ଷଣେ

ଆଜ୍ଞା ବହିବ ଦାସପଣେ

।।

ଉଭୟ ସନ୍ଧ୍ୟାରେ ମଉନ

ଜପିବ ବ୍ରହ୍ମ ସନାତନ

।।

ବେଦ ପଢ଼ିବ ନିରନ୍ତରେ

ଗୁରୁ ବଚନ ଧରି ଶିରେ

।।

ନିକଟେ ବସି ଶୁଦ୍ଧ ଚିତ୍ତେ

ଚରଣେ ନମି ବେନି ହସ୍ତେ

।।

ମେଖଳା ଚର୍ମ କଉପୀନ

ଜଟା କମଣ୍ଡଳୁ ମଉନ

।।

ଯଜ୍ଞୋପବୀତ ଦଭ୍ର ପାଣି

ଯେବେ କଳ୍ପିତ ଅନ୍ନ ପାଣି

।।

ବିପ୍ର ଭବନୁ ମାଗି ଭିକ୍ଷା

ଦୃଢ଼େ ରଖିବ ଗୁରୁଦୀକ୍ଷା

।।

ପଞ୍ଚ ଭବନୁ ଭିକ୍ଷା ଦ୍ରବ୍ୟ

ଗୁରୁ ସମୀପେ ସମର୍ପିବ

।।

ଗୁରୁ ବଚନେ କରି ଭିକ୍ଷା

ସେ ଧର୍ମ ବ୍ରହ୍ମଚାରୀ ଦୀକ୍ଷା

।।

ଅନ୍ନ ଭୁଞ୍ଜିବ ନିତ୍ୟେ ନିତ୍ୟେ

ଅଥବା ଉପବାସ ବ୍ରତେ

।।

ଆନନ୍ଦ ମନେ ବଞ୍ଚି ଦିନ

ନିରତେ ଜ୍ଞାନେ ଦେଇ ମନ

।।

ଗୁରୁଙ୍କ କାର୍ଯ୍ୟ ଦକ୍ଷ ପଣେ

ଶ୍ରଦ୍ଧା କରିବ ଅନୁକ୍ଷଣେ

।।

ଇନ୍ଦ୍ରିୟ ଆଦି କରି ବନ୍ଦି

ଚଞ୍ଚଳ ମନ ହୃଦେ ରୁନ୍ଧି

।।

ସ୍ତ୍ରୀବଶ ଲୋକଙ୍କର ମେଳେ

ସଙ୍ଗ ନ ଥିବ ସର୍ବକାଳେ

।।

ନ ଶୁଣି ସ୍ତିରୀଙ୍କ ବଚନ

ନ କରି ମୁଖାବଲୋକନ

।।

କେଶ ପ୍ରବନ୍ଧ ଶମ ଦମ

ସ୍ନାହାନ ସୁବେଶ ଭୋଜନ

।।

ଗୁରୁ କାମିନୀଙ୍କ ଗୋଚରେ

ଦୃଢ଼େ ବର୍ଜିବ ଅତିଦୂରେ

।।

ଯୁବତୀ ଜନ ଅଗ୍ନି ସ୍ତମ୍ଭ

ପୁରୁଷ ଦେହ ଘୃତ କୁମ୍ଭ

।।

ଏଣୁ ଯୁବତୀ ଦୂର କରି

ଧର୍ମ ସାଧିବ ବ୍ରହ୍ମଚାରୀ

।।

ଏମନ୍ତେ ବସି ଗୁରୁ ଘରେ

ବେଦ ଅଭ୍ୟାସି ନିରନ୍ତରେ

।।

ଅଙ୍ଗ ଉପାଙ୍ଗ ବେଦ ପଢ଼ି

ଗୁରୁ ସମୀପେ କରଯୋଡ଼ି

।।

ଦକ୍ଷିଣା ଦେଇ ପାଦଯୁଗେ

ଆଜ୍ଞା ମାଗିବ ଅନୁରାଗେ

।।

ଗୁରୁ ବଚନ ଶିରେ ଧରି

ତେବେ ବଞ୍ଚିବ ଗୃହ କରି

।।

ଅଥବା ବନସ୍ତେ ପଶିବ

ସନ୍ନ୍ୟାସମତେ ବା ବଞ୍ଚିବ

।।

ଗୁରୁ ବଚନ ଆଜ୍ଞା ଦେହେ

ତୁଲେ ଦେଖିବ ବିଷ୍ଣୁମୟେ

।।

ଏହି ପ୍ରକାର ସାଧି କର୍ମ

ଯେବା ଆଶ୍ରମେ ଯେବା ଧର୍ମ

।।

ଯେବା ସାଧନ୍ତି ଅପ୍ରମାଦେ

ଅନ୍ତେ ପଶନ୍ତି ବିଷ୍ଣୁପାଦେ

।।

ଏବେ ହୋ ଶୁଣ ନରପତି

ବନସ୍ତେ ଆଶ୍ରମର ଗତି

।।

ବନସ୍ତେ କର୍ମ ସାଧି ଦୁଃଖେ

ଅନ୍ତେ ମିଳନ୍ତି ମୁନିଲୋକେ

।।

ଭକ୍ଷିଣ ଫଳମୂଳ ଶାକ

ଅଗ୍ନି ନ ଜାଳି ଅର୍କପକ୍ୱ

।।

ନବୀନ ବନଫଳ ଲୋଭେ

ସେ ରସ ତେଜିବ ସ୍ୱଭାବେ

।।

ବନ ସମ୍ଭବ ବସ୍ତୁ ଘେନି

କାଳେ ପୂଜିବ ଇଷ୍ଟ ଅଗ୍ନି

।।

ଅଗ୍ନି ରକ୍ଷଣେ ଅର୍ଥେ ଘରେ

ଅଥବା ପର୍ବତ କନ୍ଦରେ

।।

କେଶ ଲୋମାଦି ନଖ ଶ୍ମଶ୍ରୁ

ଜଟିଳ ବସ୍ତ୍ର କଷା ପାଂଶୁ

।।

ଦଣ୍ଡକମଣ୍ଡଳୁ ଅଜିନ

ବୃକ୍ଷ ବକଳ ପରିଧାନ

।।

ତ୍ରିସନ୍ଧ୍ୟା କରିଣ ସ୍ନାହାନ

ବାଲୁକା ମଣ୍ଡଳେ ଶୟନ

।।

ଏମନ୍ତ ଦ୍ୱାଦଶ ବତ୍ସର

ବନେ ବଞ୍ଚିବ ବ୍ରତଧର

।।

ଅଷ୍ଟ ବରଷ କିବା ଅର୍ଦ୍ଧେ

ଧର୍ମ ସାଧିବ ଅପ୍ରମାଦେ

।।

ବେନି ବରଷ କିବା ଏକ

ବଞ୍ଚିବ ଏ ବିଧି ବିବେକ

।।

ବ୍ୟାଧି ଜରାରେ ହୋଇ ଗ୍ରସ୍ତ

ଧର୍ମ ସାଧନେ ଅସମର୍ଥ

।।

ଅଭ୍ୟାସି ଅନଶନ ବ୍ରତ

ହରି ସ୍ମରଣେ ହୁଅ ରତ

।।

ତେଜେ ତେଜକୁ ନାଶ କରି

ମନ ସଙ୍ଗରେ ମନ ଧରି

।।

ଜୀବ କାରଣେ କ୍ଷିତି ନାଶି

ଅନଳେ ବଚନ ପ୍ରକାଶି

।।

କର ଯୁଗଳେ ଇନ୍ଦ୍ରିନ୍ୟାସ

ସୁହୃଦେ କରିବ ସନ୍ନ୍ୟାସ

।।

ଇନ୍ଦ୍ରିୟ ଗତି ନାରାୟଣ

ଉପସ୍ଥେ ପ୍ରଜାପତିଗଣ

।।

ଗୁହ୍ୟ ବସାଇ ମୃତ୍ୟୁ ଅଙ୍ଗେ

ଦିଗ ଶ୍ରବଣ ଶ୍ରୁତି ସଙ୍ଗେ

।।

ଶୌଚ ସଂଗ୍ରହ ବଳେ ନାଶି

ରୂପକୁ ଚକ୍ଷୁବଳେ ଗ୍ରାସି

।।

ରୂପେ ନିବେଶି ଚକ୍ଷୁ ଗୁଣ

ସୁଗନ୍ଧ ବାସେ ଘ୍ରାଣେ ଘ୍ରାଣ

।।

ମନକୁ ଅମନେ ସଂହରି

ବୋଧକୁ ବୁଦ୍ଧି ମଧ୍ୟେ ଭରି

।।

ଅଶେଷ କର୍ମ ରୂପ ଦେହେ

କ୍ରିୟାକୁ କରିବ ସମୂହେ

।।

ଚିତ୍ତକୁ ସତ୍ତ୍ୱଗୁଣେ ଭରି

ଗୁଣେ ବିକାରକୁ ସଂହାରି

।।

ମହତ ତତ୍ୱ ଅହଙ୍କାରେ

ମହତ ପ୍ରକୃତି ଗୋଚରେ

।।

ସେ ଗୁଣମୟ ସର୍ବବ୍ୟାପୀ

ଯଜ୍ଞ ଈଶ୍ୱର ସର୍ବରୂପୀ

।।

ଜୀବ ପରମ ବେନି ଅଂଶ

ଚିନ୍ତୁ ଅଛନ୍ତି ଏ ବିଶେଷ

।।

ତହିଁ ପ୍ରବେଶ ଜ୍ଞାନମୟେ

ଅନଳେ ଦଗ୍‌ଧ ଜ୍ୟୋତିପ୍ରାୟେ

।।

ଏମନ୍ତେ ସୃଷ୍ଟିକି ସଂହରି

ବିଷ୍ଣୁ ମାୟାରୁ ଯାନ୍ତି ତରି

।।

ଏମନ୍ତେ ତରଇ ଜଗତ

କହିଲା ବିପ୍ର ଜଗନ୍ନାଥ

।।

ସୁଜନେ ବୋଲ ହରି ହରି

ଭବସାଗରୁ ହେବପାରି

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଭିକ୍ଷୁ ଚତୁର୍ବର୍ଣ୍ଣ ବର୍ଣ୍ଣନେ

ନାମ ଦ୍ୱାଦଶୋଽଧ୍ୟାୟଃ ।

•••

 

ତ୍ରୟୋଦଶ ଅଧ୍ୟାୟ

ନାରଦ ଉବାଚ

ଏବେ କହିବା ଯତି ଧର୍ମ

ସ୍ୱଭାବେ ଅବଧୂତ କର୍ମ

।।

ମାୟା ସଂଯୋଗେ ଦୂର କରି

ବୁଲିବେ ଦେହ ମାତ୍ର ଧରି

।।

ଗ୍ରାମେ ବସିବ ଏକଦିନ

ନ ରହି ଏକାଧିକ ପୁଣ

।।

ନିର୍ଜ୍ଜନେ ଦିଗମ୍ବର ବେଶେ

ଯେବେ ବଞ୍ଚିବ ବନଦେଶେ

।।

କୌପୀନ କରିବ ବସନ

ଏକା ଭ୍ରମିବ ରାତ୍ର ଦିନ

।।

କେବେହେଁ ନ କରିବ ସଙ୍ଗ

ସମୁଦ୍ରେ ଯେସନେ ତରଙ୍ଗ

।।

ସର୍ବଭୂତଙ୍କୁ ଶାନ୍ତପଣେ

ଶ୍ରୀନାରାୟଣ ପ୍ରାୟ ମଣେ

।।

ସାଧୁ ଅସାଧୁ ତୁଲ୍ୟ ବେନି

ଭାବି ବଞ୍ଚିବ ଆତ୍ମା ଘେନି

।।

ପରମ ବ୍ରହ୍ମ ଆତ୍ମାସାର

ସେ ସର୍ବବ୍ୟାପୀ ନିରନ୍ତର

।।

ଜାଗ୍ରତ ସ୍ୱପ୍ନ ମଧ୍ୟେ ରହି

ଆତ୍ମାର ଗତି ଆତ୍ମାଧ୍ୟାୟି

।।

ଆତ୍ମାର ବନ୍ଧ ମୋକ୍ଷ ବେନି

ଲକ୍ଷିତ ମାୟା ମାତ୍ର ଘେନି

।।

ଗୃହସ୍ଥ ଭାବ ନାହିଁ ତାର

ଏଣୁ ସର୍ବଦା ନିରାକାର

।।

ବସ୍ତୁର ନିତ୍ୟାନିତ୍ୟ ଭାବ

ଏଣୁ ଏ ସଂସାର ଅଧ୍ରୁବ

।।

ଜୀବର ଉତ୍ପତ୍ତି ମରଣ

କାଳଟି ଏହାର କାରଣ

।।

ଶରୀର ଧର୍ମେ ଏହା ଜାଣି

ଆତ୍ମାର ଗତି ପରିମାଣି

।।

ଅପଥେ ନ କରିବ ଗତି

ଜୀବନ ଜୀବିକା ପ୍ରବୃତ୍ତି

।।

ଦୂରେ ତେଜିବ ତର୍କ ବାଦ

ଯେ ଶାସ୍ତ୍ର ପରମାଦ ପ୍ରଦ

।।

ଅଭ୍ୟାସ ନ କରିବ ଗ୍ରନ୍ଥେ

ଶିଷ୍ୟ ନ କରିବ ସଙ୍ଗତେ

।।

ବିଖ୍ୟାତ ଗୁରୁ ପ୍ରୟୋଜନେ

କେବେହେଁ ନ କରିବ ମନେ

।।

ପ୍ରଶାନ୍ତ ଯତିର ଆଶ୍ରମେ

ଥାଇ ଶିଖିବ ତତ୍ୱ ଧର୍ମେ

।।

ସୁଶାନ୍ତ ବୁଦ୍ଧି ସମଚିତ୍ତ

ହୋଇବ ଅର୍ଥେ ବା ବିରକ୍ତ

।।

ଦୃଶ୍ୟ ବା ଅଦୃଶ୍ୟରେ ଥିବ

ବୃଦ୍ଧ ବାଳକ ଚେଷ୍ଟା ଭାବ

।।

ମୂର୍ଖ ପଣ୍ଡିତ ପ୍ରାୟେ ଦିଶେ

ଭାବେ ବଞ୍ଚିବ ଆତ୍ମବଶେ

।।

ଶୁଣ ରାଜନ ସାବଧାନେ

ଯେ ଇତିହାସ ପୁରାତନେ

।।

ପ୍ରହ୍ଲାଦ ସଙ୍ଗେ ମୁନିବର

ନାମ ତାହାର ଅଜଗର

।।

ଏ ବେନି ଜନଙ୍କ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ସେ ପ୍ରହଲାଦ ଏକଦିନେ

ମୃଗୟା ଅର୍ଥେ ଗଲା ବନେ

।।

ଭୃତ୍ୟ ନିଜର ଘେନି ସଙ୍ଗେ

ଅରଣ୍ୟେ ଗମେ କ୍ରୀଡ଼ାରଙ୍ଗେ

।।

ଏମନ୍ତ ସହ୍ୟ ଗିରି ତଟେ

ଭ୍ରମଣ କ୍ରମେ ଭୂମି ପୃଷ୍ଠେ

।।

ଶୟନେ ଦେଖି ମୁନିବର

ଶରୀର ଧୂଳିରେ ଧୂସର

।।

ସ୍ୱଭାବେ କର୍ଦ୍ଦମ ଭୂଷିତ

ସମ୍ମୁଖେ ଦେଖି ବିପରୀତ

।।

କର୍ମ ବଚନ ଲିଙ୍ଗ ବର୍ଣ୍ଣେ

ଲକ୍ଷି ନ ପାରେ ଅନୁମାନେ

।।

କିବା ଆଶ୍ରମେ ଲକ୍ଷି ନୁହେ

ଶୟନ ବିପରୀତ ଦେହେ

।।

ତାହାକୁ ଦେଖି ପ୍ରହଲାଦ

ଭାବେ ନମିଲା ତାଙ୍କ ପାଦ

।।

ଲକ୍ଷି ନ ପାରି ତାଙ୍କ ଗତି

ବୋଲନ୍ତି ଅସୁରଙ୍କ ପତି

।।

 

ପ୍ରହ୍ଲାଦ ଉବାଚ

ଏ ସ୍ଥୂଳ ଶରୀର ତୋହର

ସ୍ୱଭାବେ ଦିଶଇ ସୁନ୍ଦର

।।

ଭୋଗୀ ପୁରୁଷ ପ୍ରାୟେ ଦେହୀ

ସ୍ୱଭାବେ ସ୍ଥୂଳରୂପ ହୋଇ

।।

ବିତ୍ତ ଅର୍ଜ୍ଜନେ ଭୋଗୀ ଜନେ

ଭ୍ରମନ୍ତି ନଗର ବିପୀନେ

।।

ଭୋଗ ପ୍ରବଳେ ପୁଷ୍ଟ ଦେହୀ

ଏ ଅନୁମାନେ ମୁଁ ଗଣଇ

।।

ଉଦ୍ୟମ ନ କରୁ ତୁ ଧନେ

କିମ୍ପା ଶୋଇଛୁ ଘୋରବନେ

।।

କେମନ୍ତେ ପୁଷ୍ଟ ତୋ ଶରୀର

କହ ସଂଶୟ ଯାଉ ମୋର

।।

କହ ତୁ ନ ଭଜି ମଉନ

ମୁଁ ଯେବେ ଶୁଣିବା ଭାଜନ

।।

ସେ ଦକ୍ଷ ପଣ୍ଡିତ ଚତୁର

ବିଚିତ୍ର ବାକ୍ୟ ପ୍ରିୟକର

।।

ତାଙ୍କୁ ପୁଚ୍ଛିଲେ ସର୍ବ କହେ

ମନେ ଅହଙ୍କାର ନ ବହେ

।।

ଏମନ୍ତ ପ୍ରହଲାଦ ବାଣୀ

ସେ ଅବଧୂତ କର୍ଣ୍ଣେ ଶୁଣି

।।

ତାହାର ଅମୃତ ବଚନ

କହଇ ହର୍ଷିତ ବଦନ

।।

ଅବଧୂତ ଉବାଚ

ତୁ ପ୍ରହଲାଦ ଦୈତ୍ୟ ବୀର

ମୁଁ ଜାଣେ ମହିମା ତୋହର

।।

ସଂଶୟ ନାହିଁ ତୋର ମନେ

ତୁ ଦେଖୁ ନିର୍ମଳ ନୟନେ

।।

ଯାର ହୃଦରେ ନାରାୟଣ

ବସଇ ପୁରୁଷ ପୁରାଣ

।।

ସେ ଭକ୍ତ ତରେ ତମଘୋର

ନାଶଇ ଯେହ୍ନେ ଦିବାକର

।।

ତୁ ମୋତେ ପଚାରିଲୁ ଯେବେ

ଶୁଣ କହିବି ତୋତେ ଭାବେ

।।

ଆତ୍ମାର ଶୁଦ୍ଧି ଯେ ଇଚ୍ଛନ୍ତି

ମହାନ୍ତ ପୁଚ୍ଛିଲେ କହନ୍ତି

।।

ପ୍ରାଣୀ ଭ୍ରମନ୍ତି କର୍ମ ପଥେ

ନାନା ଯାତନା ଯମ ତନ୍ତ୍ରେ

।।

ଘୋର ସଂସାରେ ସଞ୍ଚରନ୍ତି

ଏ ଘେନି ମୋର ମନେ ଭ୍ରାନ୍ତି

।।

ଦେଖ ଅଜ୍ଞାନ ମନ ଛନେ

ସଂସାରେ ସଂଚରନ୍ତି ଜନେ

।।

ଯେ ଜଳ ତୃଣ ଆଚ୍ଛାଦିତ

ତାହା ନ ଭକ୍ଷଇ ତୃଷିତ

।।

ମୃଗତୃଷ୍ଣାକୁ ଜଳ ମଣେ

ଭ୍ରମେ ଭ୍ରମଇ ଅକାରଣେ

।।

ତାହାର ଶ୍ରମ ମାତ୍ର ସାର

ଯେ ଆତ୍ମା ନ କରେ ବିଚାର

।।

କର୍ମ ଆୟତ୍ତେ ଦେହ ବହି

ଆତ୍ମାର ସୁଖ ଯେ ଅଟଇ

।।

ସଂକଳ୍ପେ କ୍ରିୟା କରେ ଯେତେ

ନିଷ୍ଠୁର ହୁଏ କାର୍ଯ୍ୟ ଅନ୍ତେ

।।

ବିମୁକ୍ତ ପ୍ରାଣୀଙ୍କର ଏଣେ

କି ପ୍ରୟୋଜନ ନିସ୍ତାରଣେ

।।

ଲୋଭୀ ପ୍ରାଣୀଙ୍କ ଦୁଷ୍ଟମନ

ବଳେ ବନ୍ଧନ କରେ ଧନ

।।

ଧନୀ ଜନଙ୍କ ଦୁଃଖ ଦେଖି

ମୁଁ ଧନ ତୃଷ୍ଣାକୁ ଉପେକ୍ଷି

।।

ଦେଖଇ ଧନୀଙ୍କର ଦୁଃଖ

ନିଦ୍ରା ଭୋଜନେ ନାହିଁ ସୁଖ

।।

ରାଜାର ଭୟ ଚିତ୍ତ ଧନେ

ଚୌର୍ଯ୍ୟ ସ୍ୱଜନ ଶତ୍ରୁଜନେ

।।

ଯେ ଅବା ଆସେ ଧନ ମାଗି

ତା ଦେଖି ଚିତ୍ତେ ଦୁଃଖ ଭାଗୀ

।।

ଯେ ଶୋକ ମୋହ ଭୟ ରୋଗ

ପ୍ରମାଦ ନିତ୍ୟ ଉଦବେଗ

।।

ଯାହାର ମୂଳୁଁ ଏ ସ୍ରବନ୍ତି

ଧନର ବଳେ ପ୍ରାଣୀ ଭ୍ରାନ୍ତି

।।

ଏ ଘେନି ଯେ ପଣ୍ଡିତ ଜନେ

ଲୋଭ ନ ଜନ୍ମେ ଯେବେ ଧନେ

।।

ଭ୍ରମଇ ଯଥା ଲାଭ ଧର୍ମେ

ନିତ୍ୟ ବ୍ୟାକୁଳ ଚିତ୍ତ ମର୍ମେ

।।

ମହାସର୍ପର ପ୍ରାୟ ସେହି

ବଞ୍ଚଇ ଉପଦେଶ ଧ୍ୟାୟି

।।

ତଥା ଶ୍ରୀ ଗୋବିନ୍ଦ ପ୍ରସନ୍ନେ

ନିତ୍ୟ ଆନନ୍ଦ ମୋର ମନେ

।।

ମୋ ଦେହେ ବଳକାନ୍ତି ତୁଷ୍ଟି

ସୁଖ ସଂକଳ୍ପେ ଦେହ ପୁଷ୍ଟି

।।

ଏ ଭାବେ ବର୍ଦ୍ଧିତ ମୋ ଦେହୀ

ମୁଁ ଦୁଃଖ ସୁଖ ନ ଜାଣଇ

।।

ଅଳ୍ପ ଆହାର କାହିଁ ପାଇ

କାହିଁ ବା ସନ୍ତୁଷ୍ଟେ ଭୁଞ୍ଜଇ

।।

ସ୍ୱାଦୁ ଅସ୍ୱାଦୁ ନ ଜାଣଇ

ଯହିଁ ବା ଯେମନ୍ତ ମିଳଇ

।।

ସେ ସବୁ ଅମୃତ ମଣଇ

ଯେ ଯେତେବେଳେ ଯାହାଦେଇ

।।

ଅଳ୍ପ ବହୁତ ନ ବାରଇ

ଯହିଁ ଯା ମିଳେ ତୁଷ୍ଟ ତହିଁ

।।

କାହିଁ ବା ଶ୍ରଦ୍ଧା ଅପହୃତ

କାହିଁ ବା ମାନ୍ୟ ବିବର୍ଜିତ

।।

ଏମନ୍ତେ ପୋଷଇ ଜୀବନ

ନିଶ୍ଚିନ୍ତ ମନେ ମୋ ଶୟନ

।।

ରାତ୍ର ଦିବସ ନ ଜାଣଇଁ

ଉଭୟେ ଏକତ୍ୱ ମଣଇ

।।

ପାଟ ବସନ କାହିଁ ପିନ୍ଧି

କାହିଁ ବୁଲଇ ଚର୍ମ ବାନ୍ଧି

।।

ଚିର୍କୁଟି ବସ୍ତ୍ର କାହିଁ ମିଳେ

କାହିଁ ବା ବଞ୍ଚଇ ବଳ୍‌କଳେ

।।

କର୍ମ ଆଦରି ତୋଷମନେ

ବସଇ ଇଚ୍ଛା ସୁଖ ସ୍ଥାନେ

।।

କାହିଁ ବା ଧରଣୀ ଶୟନେ

କାହିଁ ପାଷାଣ ତୃଣ ଗୁଳ୍ମେ

।।

କାହିଁ ପ୍ରାସାଦ ମଧ୍ୟେ ଥାଇ

କାହିଁ ପଲ୍ୟଙ୍କ ମଧ୍ୟେ ଶୋଇ

।।

କାହିଁ ବା ଧୂଳିର ଉପରେ

କାହିଁ ଶୟନ ବନ ଘୋରେ

।।

କାହିଁ ବା ସ୍ନାନ କରି ଶୁଦ୍ଧେ

ସୁବାସ ତୈଳ ଶୁଚିପଦେ

।।

କାହିଁ ଚନ୍ଦନ ଗନ୍ଧସାର

କାହିଁ ବା ନାନା ଅଳଙ୍କାର

।।

ସୁବାସ ପୁଷ୍ପମାଳା ଗନ୍ଧେ

କାହିଁ ବା ଅଶ୍ୱଗଜ କନ୍ଧେ

।।

କାହିଁ ବେଷ୍ଟିତ ପୀତାମ୍ବର

କାହିଁ ବା ଧୂଳିଆ ଧୂସର

।।

କାହିଁ ବା ଜ୍ଞାନ ଥାଇ ଦେହେ

କାହିଁ ଭ୍ରମଇ ଗୃହୀପ୍ରାୟେ

।।

ବିଷମ ମତେ ପ୍ରାଣୀଥାନ୍ତି

ନିତ୍ୟ ସ୍ୱଭାବ ପ୍ରକାଶନ୍ତି

।।

କାହାକୁ ସ୍ତୁତି ନିନ୍ଦା ମୋର

କେବେହେଁ ନ କରି ବିଚାର

।।

ସର୍ବ ପ୍ରାଣୀଙ୍କ ଶ୍ରେୟ ଚିନ୍ତି

ତେଣୁ ମୋ ମନେନାହିଁ ଭ୍ରାନ୍ତି

।।

ଆନନ୍ଦେ ଗୋବିନ୍ଦ ପୟରେ

ଚିତ୍ତ ନିବେଶି ନିରନ୍ତରେ

।।

ଚିତ୍ତ ବିକଳ୍ପେ ହୋମ କରି

ନିଷ୍କାମ ତପସ୍ୟା ଆବୋରି

।।

ମର୍ମ ବିକାରେ ତତ୍ତ୍ୱ ଥୋଇ

ଯେଣେ ମାୟାକୁ ଭୟ ନାହିଁ

।।

ସେ ମାୟା ଆତ୍ମା ଅଦଭୁତେ

ସତ୍ୟ ସଂକଳ୍ପ ମୁନିମତେ

।।

ତେଣୁ ନିର୍ବିକାର ମୋ ମନ

ନିର୍ଗୁଣ ବ୍ରହ୍ମେ କରି ଧ୍ୟାନ

।।

ଏମନ୍ତେ ଆତ୍ମା ଅନୁଭୂତେ

କହିଲି ତୋହର ଅଗ୍ରତେ

।।

ଯେତେକ ମାୟା ମାତ୍ର ହୋଇ

ତେଣେ ବର୍ଜ୍ଜିତ ମୋର ଦେହୀ

।।

ତୁ ଯେଣୁ ଥାଉ ବିଷ୍ଣୁ ମତେ

ଏଣୁ କହିଲି ତୋ ଅଗ୍ରତେ

।।

ଏମନ୍ତ ମୁନି ମୁଖୁଁ ଶୁଣି

ପରମହଂସ ଧର୍ମବାଣୀ

।।

ସେ ପ୍ରହଲାଦ ଜ୍ଞାନ ଧୀର

ସ୍ୱଭାବେ ବିଷ୍ଣୁର କିଙ୍କର

।।

ଆନନ୍ଦେ ନମି ତା ଚରଣେ

ସ୍ୱସ୍ଥାନେ ଗଲା ତତକ୍ଷଣେ

।।

ଶୁଣ ସୁଜନ ଦୃଢ଼ ଚିତ୍ତ

ହରି ଚରିତ ଭାଗବତ

।।

ଶୁଣନ୍ତେ ଖଣ୍ଡେ ଭବବ୍ୟଥା

ପ୍ରହ୍ଲାଦ ଅବଧୂତ କଥା

।।

ଏଣେ ନିର୍ମଳ କର ଚିତ୍ତ

କହଇ ଦାସ ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦ ଅବଧୂତ ସମ୍ବାଦେ

ନାମ ତ୍ରୟୋଦଶୋଽଧ୍ୟାୟଃ ।

•••

 

ଚତୁର୍ଦ୍ଦଶ ଅଧ୍ୟାୟ

ଯୁଧିଷ୍ଠିର ଉବାଚ

ଶୁଣ ହେ ବ୍ରହ୍ମାଙ୍କ ନନ୍ଦନ

ବାନାସ୍ଥପ୍ରଦି ଧର୍ମମାନ

।।

ଶୁଣିଲି ମହତ ପ୍ରସ୍ଥାବେ

ଗୃହସ୍ଥ ଧର୍ମ କହ ଏବେ

।।

ଯେ ବିଧି ଗୃହ ଆଚରଣେ

ଆଗମ ନିଗମ ପ୍ରମାଣେ

।।

ନାରଦ ଉବାଚ

ଗୃହସ୍ଥ ରଜନୀ ପ୍ରଭାତେ

ଶୂଚି ନିର୍ମଳ ଶୁଦ୍ଧ ଚିତ୍ତେ

।।

ସୁମରି ନାରାୟଣ ନାମ

ହରି ଗୋବିନ୍ଦ କୃଷ୍ଣ ଶ୍ୟାମ

।।

ପୁରୁଷୋତ୍ତମ ଦାମୋଦର

ବିଶ୍ୱସମ୍ଭବ ବିଶ୍ୱମ୍ଭର

।।

ଏ ଆଦି ପୁଣ୍ୟଶ୍ଳୋକ ଯେତେ

ନାମ ସଂକୀର୍ତ୍ତନ ପ୍ରଭାତେ

।।

ଏମନ୍ତ ନିତ୍ୟେ ନିତ୍ୟେ କରି

ଗୃହସ୍ଥ ଧର୍ମକୁ ଆଚରି

।।

ମହାନ୍ତ ଜନର ଏ କର୍ମ

ନିତ୍ୟେ କରିବ ଉପାସନ

।।

ବିଷ୍ଣୁର ଅବତାର କଥା

ପୁରାଣ ମଦି ଶାସ୍ତ୍ର ଗୀତା

।।

ସଙ୍ଗ କରିବ ସାଧୁ ସନ୍ଥେ

ଦିନ ବଞ୍ଚିବ ନିତ୍ୟେ ନିତ୍ୟେ

।।

ସାଧୁ ସଙ୍ଗମେ ଥୋଇ ମନ

ତେବେ ଭାବିବ ଗୃହୀଜନ

।।

ତାହାଙ୍କୁ ସୁଖ ଭୋଗ ଦେଇ

ଆତ୍ମାକୁ ସନ୍ତୋଷେ ଭୁଞ୍ଜାଇ

।।

ସ୍ୱପ୍ନ ସଂକଳ୍ପ ପ୍ରାୟେ ମଣି

ଚିତ୍ତେ ଚିନ୍ତିବ ଚକ୍ରପାଣି

।।

ଯେ ସୁଖ ଗୃହଧର୍ମ ଅର୍ଥେ

ଗୃହେ ସାଧିବ ନିତ୍ୟେ ନିତ୍ୟେ

।।

ବିରକ୍ତି ଚିତ୍ତେ ଅବିରତେ

ଲୋଭ ବେଭାର ଜନହିତେ

।।

ପ୍ରବର୍ତ୍ତ କରି ବିଦ୍ୟମାନେ

ଭଜନ୍ତି ହୃଦରେ ଯତନେ

।।

ସ୍ୱଜାତି ବନ୍ଧୁଜନ ସୁତ

ଏ ସବୁ କର୍ମର ଆୟତ୍ତ

।।

ଯେବା ଇଚ୍ଛନ୍ତି ଯେ ବୋଲନ୍ତି

ସେ ଭାବେ ସନ୍ତୋଷ ରହନ୍ତି

।।

ସନ୍ତୋଷେ ତାକୁ ବର ଦେବ

ନିଷ୍କାମେ ସର୍ବଦା ବଞ୍ଚିବ

।।

ଭୂମି ଗଗନ ଅନ୍ତରୀକ୍ଷେ

ଯେ ଧର୍ମ ଲଭଇ ପ୍ରତ୍ୟକ୍ଷେ

।।

କୃଷ୍ଣର ଲୀଳା ପ୍ରାୟେ ଭଜ

ସେ ଧର୍ମ ଦୁଃଖ ସୁଖେ ମଜ୍ଜ

।।

ଦିନ ବଞ୍ଚିବ ହରିଭାବେ

ଯତ୍ନ କରିବ କୃଷ୍ଣ ଲାଭେ

।।

ଯାବତ ଦେହେ ପ୍ରାଣ ଥିବ

ତାବତ ସନ୍ତୋଷେ ବଞ୍ଚିବ

।।

ଲୋଭେ ଅଧିକ ଯେ ଚିନ୍ତନ୍ତି

ଚୌର ସମାନେ ଦଣ୍ଡ ପାନ୍ତି

।।

ବାନର ଶାରୀ ଶୁକଗଣ

ମୃଗ ମକ୍ଷିକା ଯେ ଚାରଣ

।।

ପଶୁ ପତଙ୍ଗ ଆଦି ଯେତେ

ତାହାକୁ ପୁତ୍ର ପ୍ରାୟ ଚିତ୍ତେ

।।

ଆତ୍ମାର ପ୍ରାୟେ ନିତ୍ୟେ ଦେଖି

ଅନ୍ତର ପ୍ରାୟେ ଉପଲକ୍ଷି

।।

ତ୍ରିବର୍ଗ କଷ୍ଟେ ନ ସାଧିବ

ଯେ ଭାବେ ନିଶ୍ଚିତ ରହିବ

।।

ଯେ ଦ୍ରବ୍ୟ ଅତି କଷ୍ଟେ ପାଇ

ଯେ ମୁର୍ଖ ଅତି ଲୋଭେ ଥାଇ

।।

ଏ କର୍ମ ଅତି ପୀଡ଼ା ବୃତ୍ତେ

ଯେ ଦେଶକାଳ ପାତ୍ର ମତେ

।।

କର୍ମ ଆୟତ୍ତେ ଯା ମିଳିବ

ତହିଁରେ ଜୀବନ ପୋଷିବ

।।

ପ୍ରାଣୀକୁ ନ କରିବ ଭିନ୍ନ

ଦେଖିବ ସକଳେ ସମାନ

।।

ଶ୍ୱାନ ଶୃଗାଳ ଅନ୍ୟଜାତି

ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି

।।

ତାହାକୁ ଯଥାଭାଗ ଦେବ

ଆତ୍ମାର ସଦୃଶ ଭାବିବ

।।

ଏକ ଗୃହିଣୀ ସଂଗ୍ରହଣେ

ସ୍ୱଧର୍ମେ ଗୃହର କାରଣେ

।।

ସେ ସତ୍ୟପର ନାମା ନାରୀ

ତାହା ସନ୍ତୋଷେ ଭୋଗକରି

।।

ବିମୁକ୍ତ ମତିକୁ ସେବନେ

ଯତ୍ନ କରିବ ନିଜ ଧନେ

।।

ଅପାଦେ ପିତା ଗୁରୁ ଅର୍ଥେ

ପ୍ରାଣହିଁ ନ ଚିନ୍ତିବ ସ୍ୱାର୍ଥେ

।।

ପତ୍ନୀକୁ ଆପଦୁଁ ଉଦ୍ଧରି

ଏ ଭାବେ ସାଧୁ ନରହରି

।।

ଦେଖ ଏ ତୁଚ୍ଛ ନରଦେହୀ

ଅନ୍ତେ ତ୍ରିପ୍ରକାରେ ଭଜଇ

।।

ଅବଶ୍ୟ ଭଜେ ଅବସାନେ

ଭସ୍ମେ ପୁରୀଷ କୃମିମାନେ

।।

ସେ ଦେହେ ପତିପତ୍ନୀ ମେଳେ

ଘନ ଯେସନେ ନଭସ୍ଥଳେ

।।

ଯଜ୍ଞାବଶେଷ ସିଦ୍ଧି ଅର୍ଥେ

ଆହାର କଳ୍ପିତ ଜୀବନ୍ତେ

।।

ଏମନ୍ତ ମତ ଯା ବେଭାର

ସେ ପ୍ରାଣୀ ଯଜ୍ଞଜନ ସାର

।।

ଦେବତା ଋଷି ପିତୃଗଣେ

ଆତ୍ମାର ଶତ୍ରୁ ଅନୁକ୍ଷଣେ

।।

ଏହାଙ୍କୁ ବିଷ୍ଣୁଭାବେ ଭଜି

ନାନାଦି ଉପହାରେ ମଜ୍ଜି

।।

ଆତ୍ମା ବିକାରେ ନାନା ବିଧି

ପଞ୍ଚବିଶିଖ ମୁନି ଆଦି

।।

ବିଧି ବିଧାନ ବେଦମତେ

ଯଜ୍ଞ କରିବ ଅଗ୍ନି ହୋତ୍ରେ

।।

ସେ ଅଗ୍ନିହୋତ୍ର ଅବସାନେ

ବିପ୍ରଙ୍କୁ ତୋଷିବ ଭୋଜନେ

।।

ବ୍ରାହ୍ମଣ ଦେହେ ଥାଇ ହରି

ଏଣୁ ସୁଜନେ ପୂଜା କରି

।।

ବିପ୍ର ଭୋଜନେ ତୋଷ ଯେତେ

ସେ ନୁହେଁ ଯଜ୍ଞେ କୋଟିମତେ

।।

ଏ ଘେନି ଦେବତା ବ୍ରାହ୍ମଣ

ପୂଜା କରିବି ଅନୁକ୍ଷଣ

।।

ଏଣୁ ବ୍ରାହ୍ମଣ ମୁଖେ ଦେଇ

ପୂଜା କରିବି ଭାବଗ୍ରାହୀ

।।

ଆଶ୍ୱିନ ମାସେ କୃଷ୍ଣପକ୍ଷେ

ପିତୃଙ୍କୁ ପୂଜିବ ପ୍ରତ୍ୟକ୍ଷେ

।।

ପିତୃ ପୂଜନେ ଶ୍ରଦ୍ଧାମନେ

ଜ୍ଞାତି ବାନ୍ଧବ ସୁଭୋଜନେ

।।

ଏବେ ହୋ ଶୁଣ ମହୀପତି

ଗୃହସ୍ଥ ଜନର ଏ ଗତି

।।

ବେନି ଆୟନ ବିଷୁବରେ

ହରଷ ଯେ ବ୍ୟତିପାତରେ

।।

ଅକ୍ଷୟ ତୃତୀୟା ଦିବସେ

ଆଦିତ୍ୟ ଶଶାଙ୍କର ଗ୍ରାସେ

।।

ଦ୍ୱାଦଶୀର ଶ୍ରବଣା ସଂଯୋଗେ

ତୃତୀୟା ସ୍ୱନକ୍ଷତ୍ର ଭୋଗେ

।।

ଶୁକ୍ଳ ନବମୀ ଭାଦ୍ରମାସେ

ଋତୁର ଅଷ୍ଟମ ଦିବସେ

।।

ସପ୍ତମୀ ମାଘ ଶୁକ୍ଳପକ୍ଷେ

ପୌର୍ଣ୍ଣମାସୀରେ ମଘାଋକ୍ଷେ

।।

ଦ୍ୱାଦଶୀ ଅନୁରାଧା ଯୋଗେ

ତ୍ରିପୂର୍ବା ଉତ୍ତରା ସଂଯୋଗେ

।।

ଏ ତ୍ରୟତିଥି ଏକାଦଶୀ

ଜନ୍ମ ନକ୍ଷତ୍ର ଯୋଗେ ମିଶି

।।

ଶ୍ରେୟ ସାଧନ ଯୋଗ ଏତେ

ପ୍ରାଣୀଙ୍କ କର୍ମ ସିଦ୍ଧି ଅର୍ଥେ

।।

ଏ ଦିନେ ଧର୍ମ କର୍ମ କଲେ

ଶ୍ରେୟ ଆୟୁଷ ବଢ଼େ ଭଲେ

।।

ଏ ଦିନେ ତପ ହୋମ ସ୍ନାନ

ଯଜ୍ଞେ ଦେବତା ଅରାଧନ

।।

ସଂସ୍କାର କାଳେ ପତ୍ନୀ ସଙ୍ଗେ

ରମିବ ଅପତ୍ୟ ସଂଯୋଗେ

।।

ଜ୍ଞାତି ମରଣ ପ୍ରେତ କାର୍ଯ୍ୟେ

ପୂଜିବ ବାନ୍ଧବ ସମାଜେ

।।

ଏବେ ହୋ ଶୁଣ ଧର୍ମଶିଷ୍ୟ

କହିବା ପୁଣ୍ୟ ସ୍ଥାନ ଦେଶ

।।

ସତ୍ପାତ୍ର ଜନ ଜାତ ଯହିଁ

ତାହାକୁ ପୁଣ୍ୟ ଦେଶ କହି

।।

ବିଷ୍ଣୁ ଭକତ ବାସ ଯହିଁ

ସଚରାଚର ପୂତ ସେହି

।।

ବ୍ରାହ୍ମଣକୁଳ ବସେ ଯହିଁ

ଦୟା ତପସ୍ୟା ଧର୍ମ ତହିଁ

।।

ବିଷ୍ଣୁର ପୂଜା ଯହିଁ ନିତ୍ୟେ

ସେ ପୁଣ୍ୟ ଦେଶ ବେଦମତେ

।।

ଗଙ୍ଗାଦି ନଦୀ ଯହିଁ ବହେ

ସେ ପୁଣ୍ୟକ୍ଷେତ୍ର ବେଦ କହେ

।।

ପୁଷ୍କର ଆଦି ସରୋବର

ଯହିଁ ବସନ୍ତି ବିଷ୍ଣୁ ନର

।।

ପ୍ରୟାଗ ପୁଲହ ଆଶ୍ରମ

ସନ୍ନ୍ୟାସୀ ଋଷି ଗୁଣଧାମ

।।

ପ୍ରଭାସ କୁରୁ ମଧୁପୁରୀ

ଗୟା ମଥୁରା କୁଶସ୍ଥଳୀ

।।

ଯେ କାଶୀ ପମ୍ପା ବିନ୍ଦୁସାର

କାଞ୍ଚି ଅବନ୍ତୀ ରାମେଶ୍ୱର

।।

ପୁଲମା ନରନାରାୟଣ

ନନ୍ଦା ସୀତୟା ରାମାଶ୍ରମ

।।

ମହେନ୍ଦ୍ର ମଳୟ ପର୍ବତେ

ଏମନ୍ତ କ୍ଷେତ୍ର ଅଛି ଯେତେ

।।

ଏ ସର୍ବ ସ୍ଥାନ ହରିପ୍ରିୟ

ତେଣୁ ଜଗତେ ପୁଣ୍ୟମୟ

।।

ସେ ପୁଣ୍ୟ ଦେଶ ତତ୍ତ୍ୱ ଭାବି

ବିଷ୍ଣୁ ପ୍ରତିମା ଯହିଁ ସେବି

।।

କୈବଲ୍ୟ ଇଚ୍ଛା ଯାର ଚିତ୍ତେ

ଏ ଦେଶେ ରହୁଥିବ ନିତ୍ୟେ

।।

ଏବେ କହିବା ପାତ୍ର ଯେତେ

ଶୁଣ ରାଜନ ଶୁଦ୍ଧ ଚିତ୍ତେ

।।

ପୁରାଣ ପୁରୁଷ ମୁରାରୀ

ଯାର ଚରଣେ ବସୁନ୍ଧରୀ

।।

ସରରାଚର ଯା ଚରଣେ

ଋଷି ଦେବତାଦି ବ୍ରାହ୍ମଣେ

।।

ଅଗ୍ରେ ଚରଣେ ପୂଜା ଯାର

ତା ତହୁଁ ପାତ୍ର କେବା ପର

।।

ଯାର ଶରୀରେ ଜୀବ ନାଶି

ଜଳ ଯେସନେ ଜଳେ ମିଶି

।।

ଯେ ହରି ସର୍ବ ଦେବମୂଳ

ଅଶେଷ ପୁଣ୍ୟ କର୍ମ ଫଳ

।।

ନାନା ପ୍ରକାର ପୁର କରି

ତା ମଧ୍ୟେ ଜୀବ ରୂପ ଧରି

।।

ହୃଦୟ ପଦ୍ମ ମଧ୍ୟେ ଶୋହେ

ଅରୂପ ଜ୍ୟୋତି ରୂପ ବହେ

।।

ପୁରୁଷୋତ୍ତମ ନାମ ବହେ

ସେ ହରି ତା ସଦନେ ରହେ

।।

ଏଣୁ ପୁରୁଷଙ୍କ ଉତ୍ତମ

ଯେ ନିତ୍ୟେ ରମେ ଆତ୍ମା ରାମ

।।

ଏଭାବେ ସଂଚୟ ବିଚାରି

ନେତ୍ରାଦି ଯୁଗେ ପୂଜାକରି

।।

ସଂସାର ଆଗମ ନିଗମେ

ପୂଜା କରନ୍ତି ଗ୍ରାମେ ଗ୍ରାମେ

।।

ସେ ପୂଜା ମତେ ତୋଷହୋନ୍ତି

ବାଞ୍ଚିତ ପଳ ନିତ୍ୟ ଦ୍ୟନ୍ତି

।।

ଯେ ପ୍ରାଣୀ ପରେ ହିଂସାକରେ

ଦେବତା ପୂଜି ସେ ନ ତରେ

।।

ଏଣୁ ପୁରୁଷଙ୍କର ମଧ୍ୟେ

ଯେ ବିପ୍ର ଥାନ୍ତି ବେଦ ସାଧେ

।।

ତା ତହୁଁ ପାତ୍ର ନାହିଁ କେହି

ସେ ବିପ୍ର ନିତ୍ୟ ବିଷ୍ଣୁ ଦେହୀ

।।

ଏଣୁ ଏ ବ୍ରାହ୍ମଣ ଚରଣେ

ତ୍ରିଲୋକ ନିସ୍ତାର କାରଣେ

।।

ଏ ଭାବେ ଦେଶ କାଳ ପାତ୍ର

ଧର୍ମାଦି ଦୀକ୍ଷା ମନ୍ତ୍ର ଯନ୍ତ୍ର

।।

ନାରଦ ମୁନି ପ୍ରିୟ ଭାବେ

କହିଲେ ଯୁଧିଷ୍ଠିର ଆଗେ

।।

ଏ ଭାଗବତ ଧର୍ମ ବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

ସପ୍ତମ ସ୍କନ୍ଧେ କାଗବତ

କହଇ ବିପ୍ର ଜଗନ୍ନାଥ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ଦେଶ କାଳ ପାତ୍ର କଥନେ

ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

•••

 

ପଞ୍ଚଦଶ ଅଧ୍ୟାୟ

ନାରଦ ଉବାଚ

ଏ ପଞ୍ଚଦଶ ବର୍ଣ୍ଣାଶ୍ରମ

ସାର ସଂଗ୍ରହେ ଯେବା ଧର୍ମ

।।

ପ୍ରାଣୀଙ୍କ ନିସ୍ତାର କାରଣେ

ମୋକ୍ଷ ଲକ୍ଷଣେ ଯେବା ମଣେ

।।

ବର୍ଣ୍ଣିତ ନିଗମ ବଚନେ

ଶୁଣ ରାଜନ ସାବଧାନେ

।।

ବ୍ରାହ୍ମଣ ଯେବା କର୍ମନିଷ୍ଠା

ତପସ୍ୱୀ ଯତୀନ୍ଦ୍ର ପ୍ରତିଷ୍ଠା

।।

ବେଦାଧ୍ୟୟନ କାଳସିଦ୍ଧି

କେବା ନିସ୍ତରେ ଯୋଗ ସାଧି

।।

ଗୃହସ୍ଥ ପିତୃ ଶ୍ରାଦ୍ଧ କାଳେ

ଜ୍ଞାନୀ ପୁରୁଷ ଯେବା ମିଳେ

।।

ତାହାଙ୍କୁ ହବ୍ୟ କବ୍ୟ ଦାନ

କଲେ ଅନେକ ହୁଏ ପୁଣ୍ୟ

।।

ଜ୍ଞାନ ଅଭ୍ୟାସେ ଯେବା କର୍ମେ

ଯେ ପ୍ରାଣୀ ରହେ ନିଜ ଧର୍ମେ

।।

ତାହାଙ୍କୁ ଯଥା ଭାବେ ଦେଇ

ତେବେ ଉଚିତ ଫଳ ପାଇ

।।

ଶ୍ରାଦ୍ଧେ ଦେବତା ଅର୍ଥେ ଦୁଇ

ସେ ଭାବେ ବିଶ୍ୱଦେବା ହୋଇ

।।

ତିନୋଟି ପିତୃ ସ୍ଥାନେ ବରି

ଅଭାବେ ଏକ ଏକ କରି

।।

ଉତ୍ତମ ଦ୍ରବ୍ୟ ଭୁଞ୍ଜାଇବ

ଶ୍ରାଦ୍ଧେ ବିସ୍ତାର ନ କରିବ

।।

ଯେ ଦ୍ରବ୍ୟ ଦେଶ କାଳୋଚିତେ

ମିଳିବ ଶାସ୍ତ୍ର ଅନୁମତେ

।।

ମୁନିଙ୍କୁ ବରି ବେଦମତେ

ପୂଜିବ ମନ ଶାନ୍ତି ପୂତେ

।।

ପ୍ରାଣୀ ତରନ୍ତି ବିଷ୍ଣୁ ଭାବେ

ନିରାମିଷାଦି ଦ୍ରବ୍ୟ ଯେବେ

।।

ଶ୍ରାଦ୍ଧ ଯୁକତେ ପାତ୍ରେ ଦେଇ

ସେ ଶ୍ରାଦ୍ଧ କାମଧେନୁ ହୋଇ

।।

ଭୁଞ୍ଜଇ ଅକ୍ଷୟ କଲ୍ୟାଣ

ଏ ବାକ୍ୟ ନିଗମ ପ୍ରମାଣ

।।

ବେଦ ବ୍ରାହ୍ମଣ ପିତୃମତେ

ଆତ୍ମା ସଜ୍ଜନ ଜନ ଯେତେ

।।

ଏହାଙ୍କୁ ବିଷ୍ଣୁ ରୂପେ ମଣି

ସନ୍ତୋଷେ ଦେବ ଅନ୍ନପାଣି

।।

ଯା ଚିତ୍ତ ଧର୍ମ ଉପଦେଶେ

ଶ୍ରାଦ୍ଧ ସେ ନ କରି ଆମିଷେ

।।

ଯେ ଧର୍ମ ବଳେ ନିରାମିଷେ

ତାହା ନ ଲଭି ପଶୁ ହିଂସେ

।।

ସୁଧର୍ମେ ଇଚ୍ଛା ଯାର ଥିବ

କେବେହେଁ ପଶୁ ନ ହିଂସିବ

।।

ମନ କର୍ତ୍ତବ୍ୟ ଏ ବଚନେ

ନ କରି ପିଶୁକୁ ହିଂସନେ

।।

ଯଜ୍ଞର ଫଳ ଯେ ଜାଣନ୍ତି

ନିଶ୍ଚଳେ କର୍ମ ଆଚରନ୍ତି

।।

ଆତ୍ମା ସଂଯମେ ଅଗ୍ନି ଜାଳି

ଇନ୍ଦ୍ରିୟ ଅର୍ଥେ ଘୃତ ଢାଳି

।।

ଏ ଜ୍ଞାନ ଯଜ୍ଞେ ଦୃଢ଼ କରି

ବିଷ୍ଣୁ ମାୟାରୁ ଯାନ୍ତି ତରି

।।

ଯେ ଦ୍ରବ୍ୟମୟ ଯଜ୍ଞ କରେ

ତାହାଙ୍କୁ ଦେଖି ସାଧୁ ଡରେ

।।

ଏହାର ଦେହେ ଜ୍ଞାନ ନାହିଁ

ଆମ୍ଭ ଜୀବନ ରଖେ ନାହିଁ

।।

ଏ ଘେନି ଦୟା ଯାର ଚିତ୍ତେ

ଯଜ୍ଞ କରିବ ଅନୁମତେ

।।

ଯେ ଧର୍ମ ପରଧର୍ମ ବଳେ

ଅଭ୍ୟାସ ଉପଦେଶ ଛଳେ

।।

ଅଧର୍ମ ପଞ୍ଚଶିକ୍ଷା ଏହି

ଧର୍ମଜ୍ଞ ହୋଇ ନ କରଇ

।।

ଯେ ଧର୍ମେ ସ୍ୱଧର୍ମରେ ବାଧା

ସେ ଧର୍ମେ ନ କରିବ ଶ୍ରଦ୍ଧା

।।

ଯେ ଧର୍ମ ପରବାକ୍ୟ କରି

ସେ ଧର୍ମେ କେବେହେଁ ନ ଡରି

।।

ପାଷାଣ୍ଡ ଧର୍ମ ଉପଧର୍ମ

ଦମ୍ଭ ବଚନ ଆଦି କର୍ମ

।।

ସ୍ୱଧର୍ମେ ଆତ୍ମା ଶାନ୍ତି କରି

ଯେ ତାହା ନିରତେ ସୁମରି

।।

ନିଷ୍କାମ ପ୍ରାଣୀ ଯେବେ ହୋଇ

ଧର୍ମାର୍ଥେ ଜୀବନ ବଞ୍ଚଇ

।।

ଚେଷ୍ଟା ନ କରେ ବହୁ ଧନେ

ସନ୍ତୋଷ ଅଳପ ଭୋଜନେ

।।

ସହଇ ଅଜଗର ଯେହ୍ନେ

ଆହାର ନ ବାଞ୍ଛଇ ମନେ

।।

ସନ୍ତୋଷେ ଆତ୍ମାରାମ ସ୍ମରେ

ଅନ୍ତେ ପଶନ୍ତି ସୁଖଘରେ

।।

ଯେ ଧନ ଲୋଭେ ଅସନ୍ତୋଷ

ଭବେ ଭ୍ରମଇ ସର୍ବଦିଶ

।।

ତହିଁରେ କଷ୍ଟ ସାର ହୁଏ

ସର୍ବେ ସନ୍ତୋଷ ସୁଖମୟେ

।।

ଚର୍ମ ପାଦୁକା ଯା ଚରଣେ

ସେ ଯେବେ କଣ୍ଟକ ପାଷାଣେ

।।

ଭ୍ରମି ନ ଲଭେ କିଛି ଦୁଃଖ

ରାତ୍ର ଦିବସେ ଲଭେ ସୁଖ

।।

ଯେ ଜନ ସର୍ବ ଦିଗ ଜିଣି

ସନ୍ତୋଷେ ଭୁଞ୍ଜଇ ଧରଣୀ

।।

ସେ ପ୍ରାଣୀ ଇହ ପରଲୋକେ

ସନ୍ତୋଷେ ଫଳ ଭୁଞ୍ଜେ ଏକେ

।।

ପଣ୍ଡିତ ଜନ ହୋଇ ଯେବେ

ନିରତେ ଅସନ୍ତୋଷ ଭାବେ

।।

ଅଧୋଗମନ ତାହାଙ୍କର

ଶୁଣ ସୁମନେ ନୃପବର

।।

କାମକୁ ଜିଣେ ଅସଂକଳ୍ପେ

ପ୍ରାଣ ନାଶଇ ଯାର ଦର୍ପେ

।।

କାମକୁ କ୍ରୋଧ ତ୍ୟାଗ ଜୟେ

ଅର୍ଥକୁ ଅନର୍ଥର କ୍ଷୟେ

।।

ଲୋଭ କ୍ରୋଧ ଯେ ତତ୍ତ୍ୱଜ୍ଞାନେ

ଶୋକ ମୋହକୁ ବିଷ୍ଣୁ ଧ୍ୟାନେ

।।

ମହତ ସେବା ଦମ୍ଭ ନାଶେ

ଯେ ଭାବେ କୈବଲ୍ୟ ପ୍ରକାଶେ

।।

ଯୋଗ ସାଧନେ ବିଘ୍ନ ହୋଇ

ତାହାକୁ ମଉନେ ଖଣ୍ଡଇ

।।

ହିଂସାକୁ ଜିଣି କାମ ତ୍ୟାଗେ

କାମ ଜିଣଇ ଯୋଗ ମାର୍ଗେ

।।

ପ୍ରାଣୀଙ୍କ ଭୟ ଦୟା ହରେ

ତ୍ରିତାପ ସମାଧି ଯୋଗରେ

।।

ସଂଯମେ ଦେହୁ ବ୍ୟାଧି ନାଶେ

ନିଦ୍ରାକୁ ପ୍ରାଣୀଙ୍କ ନିଃଶ୍ୱାସେ

।।

ରଜ ତାମସ ସତ୍ତ୍ୱ ଗୁଣେ

ସତ୍ୟକୁ ଉପଶମ ଜିଣେ

।।

ଗୁରୁ ସେବନେ ମହା ଦୁଃଖେ

ପ୍ରାଣୀ ତରନ୍ତି ଆତ୍ମା ସୁଖେ

।।

ଯେ ଗୁରୁ ଜ୍ଞାନ ଦାନ ଦେଇ

ତାକୁ ଯେ ମନୁଷ୍ୟ ମଣଇ

।।

ସେ ଯେବେ ଧର୍ମ କରେ ଦେହେ

ନ ଲଭେ ହସ୍ତ ସ୍ନାନ ପ୍ରାୟେ

।।

ଦେଖ ଏ ପ୍ରଭୁ ଚକ୍ରଧର

ପ୍ରଧାନ ପୁରୁଷ ଈଶ୍ୱର

।।

ତାଙ୍କ ଚରଣେ ସେବା ଅର୍ଥେ

କେହି ନୁହନ୍ତି ସାମରଥେ

।।

ତାହାକୁ ନର ପ୍ରାୟେ ମଣି

ଅଧୋଗତି କି ଯାନ୍ତି ପ୍ରାଣୀ

।।

ଏକାନ୍ତ ଧର୍ମ ଯେବେ ପ୍ରାଣୀ

ନ କରେ ମାୟା ମୋହ ଜିଣି

।।

ଯମ ନିୟମ ସାଦ୍ଧ ଯେଣେ

ନିଗମ ବଚନ ପ୍ରମାଣେ

।।

ଯେବେ ନ ଭଜେ ନରହରି

ସେ ନର ମଧ୍ୟେ ହ୍ୱନ୍ତି ଭାରି

।।

ବ୍ରତ କଳ୍ପନେ ଯେତେ ଅର୍ଥ

ଯୋଗେ ନୁହନ୍ତି ସାମରଥ

।।

ଏଣୁ ଏ ଇଚ୍ଛା ମତେ ଯେତେ

ଅନର୍ଥ ଭଜନ୍ତି ସମସ୍ତେ

।।

ଚିତ୍ତ ପ୍ରସନ୍ନ ଯତ୍ନ ଯାର

ନିଃ ଶଙ୍କେ କରଇ ବିହାର

।।

ନିଗ୍ରହ ମନ ଇନ୍ଦ୍ରି ଦୁଃଖେ

ଯୋଗ ସାଧଇ ଅତିରେକେ

।।

ଏକାନ୍ତ ଏକମତେ ଥାଇ

ଅଳପ ଭୋଗେ ତୋଷ ହୋଇ

।।

ଏକାନ୍ତେ ମନ ଶୁଚି ଦେଶେ

ଆତ୍ମାର ଆସନ ଉଶ୍ୱାସେ

।।

ପବିତ୍ର ସ୍ଥାନେ ସୁଖ ମନେ

ଆସନେ ବସିବ ନିମଗ୍ନେ

।।

ଓଁକାର କରି ଉଚ୍ଚାରଣ୍

ଆକର୍ଷ ଚାପିବ ଚରଣ

।।

ବାମ ଚରଣ ଗୃହ୍ୟ ଦ୍ୱାରେ

ଦକ୍ଷିଣ ପାଦ ତା ଉପରେ

।।

ଦେଇ ଟେକିବ ମେରୁଦଣ୍ଡ

ଭୁଞ୍ଜେ ଆମଞ୍ଚି ଜାନୁ ଖଣ୍ଡ

।।

ପ୍ରାଣ ଅପାନ କରି ଏକ

ସାଧିବ ପୂରକ କୁମ୍ଭକ

।।

ରେଚକ କରି ଆତ୍ମାସନ

ପ୍ରାଣ ସଙ୍ଗମେ ସ୍ଥାପି ମନ

।।

ଯାବତ କର୍ମ ହିଁ ନ ତ୍ୟଜେ

ତାବତ ସଂଯମ ନ ଭଜେ

।।

ଏଣୁ ନିଶ୍ଚଳେ ସ୍ଥାପି ମନ

କରିବ ନାଶା ଅଗ୍ରେ ଧ୍ୟାନ

।।

ଅଗ୍ନିର ବଳେ କାମ ବନ

ଜ୍ଞାନେଣ ଇନ୍ଦ୍ରିୟ ଦହନ

।।

ତହିଁ ରଖିବ ମନ ଧରି

ଯୋଗ ଅଭ୍ୟାସ ଧୀରେ କରି

।।

ନିର୍ମଳ କରି ଚକ୍ଷୁ ଦ୍ୱାରା

କର୍ମ ସାଧିବ ନିରନ୍ତର

।।

ଅଭ୍ୟାସ ବଳେ ଜିଣି ମନ

ଅଳପ ଅଳପ ସାଧନ

।।

ଏମନ୍ତ ସାଧି ନିରନ୍ତର

ସୁଖେ ମିଳିବ ମୋକ୍ଷ ଦ୍ୱାର

।।

ନିର୍ଧୁମ ଅଗ୍ନି ପ୍ରାୟ ହୋଇ

ସୂକ୍ଷ୍ମ ସ୍ୱରୂପେ ପ୍ରକାଶଇ

।।

ଯେ ଚିତ୍ତେ ମିଶେ ବ୍ରହ୍ମ ସୁଖେ

କେବେ ହେଁ ନ ପଡ଼ଇ ଦୁଃଖେ

।।

କେବେହେଁ ମାୟା ନ କଳ୍ପଇ

ଅନ୍ତରେ ରହେ ସୂକ୍ଷ୍ମ ହୋଇ

।।

ଯେ ପ୍ରାଣୀ ଗୃହ ଦ୍ୱନ୍ଦ୍ୱ ତେଜେ

ପ୍ରତିଜ୍ଞା ଗତି ବଳେ ଭଜେ

।।

ପୁଣି ମିଳଇ ଗୃହେ ଯାଇ

ସେବଇ ଭୋଗ ଫଳ ପାଇ

।।

ଏ ଦେହେ ସୁଖ ଯେ ଲୋଡନ୍ତି

ଅଜରାମର ପ୍ରାୟ ଚିନ୍ତି

।।

ଜୀବନ ଅନ୍ତେ ଏ ଶରୀର

ଭସ୍ମ ପୂରିତ ଧୂଳି ସାର

।।

ଏହାକୁ ସତ୍ୟ ପ୍ରାୟେ ମଣି

ଅଧର୍ମେ ପଶନ୍ତି ଯେ ପ୍ରାଣୀ

।।

ତାହାକୁ ବୋଲି ମୁଢ଼ ଗଣ

ନିଷ୍ପଳ ତାଙ୍କର ଜୀବନ

।।

ଗୃହସ୍ଥ ଗୃହ କର୍ମ ଛାଡ଼ି

ଅନ୍ୟ ଆଶ୍ରମେ ଲୋଭ ବଢ଼ି

।।

ବ୍ରତକୁ ତ୍ୟଜେ ବ୍ରତାଚାରୀ

ତପସ୍ୱୀ ଗ୍ରାମ ସେବାକରି

।।

ସନ୍ୟାସୀ ଇନ୍ଦ୍ରି ଲୋଭେ ରସେ

ଗ୍ରାମ ଗହନେ ଯେବେ ପଶେ

।।

ଆଶ୍ରମ ଭ୍ରଷ୍ଟ ଯେତେ ପ୍ରାଣୀ

ଏହାଙ୍କୁ ଆଶ୍ରମେ ନ ଗଣି

।।

ଯେ ଧର୍ମ ବିଡମ୍ବନ କର୍ମ

ବିଷ୍ଣୁ ମାୟାରେ ହ୍ୱନ୍ତି ଭ୍ରମ

।।

ବୁଲନ୍ତି ମାୟା ରୂପ ଧରି

ତାହାଙ୍କୁ ସମ୍ଭାଷ ନ କରି

।।

ପରମ ଜ୍ଞାନ ପଥେ ଚିନ୍ତି

ସେ ଆତ୍ମା ଗତି ନ ଜାଣନ୍ତି

।।

ସେ କି କାରଣେ ଦେହ ଧରେ

ଏ ନର ସଂସାର ବେଭାରେ

।।

ଏବେ ହୋ ଶୁଣ ଯୁଧିଷ୍ଠିର

ଏ ନର ଶରୀର ବେଭାର

।।

ଦେହ ବହିଲା ଯେବା ଅର୍ଥେ

କେବେହେଁ ନ ଭଜନ୍ତି ଚିତ୍ତେ

।।

ବିଧାତା ଭିଆଣ ନିର୍ମାଣ

ଏହା ନ ଜାଣେ ମୁର୍ଖଜନ

।।

ଦେହକୁ ରଥ ପ୍ରାୟେ ଗଢ଼ି

ଦଶ ତୁରଙ୍ଗ ଅଗ୍ରେ ଯୋଡ଼ି

।।

ଦଶ ଇନ୍ଦ୍ରିୟ ଦଶ ବାଜୀ

ତା ସଙ୍ଗେ ମନ ଦେଇ ଖଞ୍ଜି

।।

ଶବଦ ରସ ରୂପ ଗନ୍ଧେ

ସ୍ପର୍ଶେ ଚଳେ ଅନୁବନ୍ଧେ

।।

ସାରଥି ପଣେ ବୁଦ୍ଧି ରହେ

ଏ ପଞ୍ଚମାର୍ଗେ ରଥ ବାହେ

।।

ଏ ନର ଦେହେ ବଳ ସତ୍ୟେ

ଛନ୍ଦ ବନ୍ଧନ ଈଶ ତନ୍ତ୍ରେ

।।

ପ୍ରାଣୀ ବହନ୍ତି ଏ ଶରୀରେ

ଦ୍ୱିପଞ୍ଚ ବାହ୍ୟ ଅଭ୍ୟନ୍ତରେ

।।

ଯେ ପ୍ରାଣୀ ଅଜରୂପ ଧରି

ବାହାରେ ଭିତରେ ସଞ୍ଚରି

।।

ଅଧର୍ମ ଧର୍ମ ଚକ୍ର ଦୁଇ

ମାନବ ଅହଂକାର ବହି

।।

ରଥେ ବସାଇ ରଥୀ ରୂପେ

କର୍ମ ଭୂଷିତ ବଳ ଦର୍ପେ

।।

ପ୍ରଣବ ହସ୍ତେ ଧନୁ ତାର

ଅକାର ଉକାର ମକାର

।।

ଜୀବକୁ ତାର ରୂପ କରି

ପ୍ରଣବ ହସ୍ତେ ଧନୁ ଧରି

।।

ପରମ ଆତ୍ମା କରି ଲକ୍ଷ୍ୟ

ନାରାଚ ବିନ୍ଧଇ ପ୍ରତ୍ୟେକ୍ଷ

।।

ସମ୍ମୁଖେ ଯେତେ ରିପୁ ଥିବେ

ଯୁଦ୍ଧେ ସକଳ ନାଶ ଯିବେ

।।

ଶୁଣ ରାଜନ ଶୁଦ୍ଧ ଚିତ୍ତେ

ସମ୍ମୁଖେ ରିପୁ ଛନ୍ତି ଯେତେ

।।

ଏ କାମ କ୍ରୋଧ ମୋହ ଶୋକ

ଲୋଭ ସାହସ ଅବିବେକ

।।

ପ୍ରମାଦ ମାନ ଅପମାନ

ଅସତ୍ୟ ମିଥ୍ୟା ହିଂସା ଜ୍ଞାନ

।।

ଲଜ୍ୟା ପ୍ରମାଦ ନିଦ୍ରା କ୍ଷୁଧା

ଏତେ ଶତ୍ରୁର ଯହିଁ ବାଧା

।।

ତ୍ରିଗୁଣମୟୀ ସେ ପ୍ରକୃତି

ଏ ଆଦି ଯେତେ ରିପୁଛନ୍ତି

।।

ଏହାକୁ ସମ୍ମୁଖେ ଆବୋରି

ଯେ ରଥୀ ପାରେ ଯୁଦ୍ଧେ ମାରି

।।

ରଥକୁ ଆତ୍ମା ବଶକରି

ଜ୍ଞାନ ଖଡଗ ହସ୍ତେ ଧରି

।।

ସମ୍ମୁଖେ ଶତ୍ରୁ କରେ ଛେଦ

ତେବେ ନିର୍ଭୟ ସୁଖାନନ୍ଦ

।।

ସୁଖେ ଭୁଞ୍ଜଇ ସେ ସ୍ୱରାଜ୍ୟ

ଆନନ୍ଦ ଅଷ୍ଟ ଅଇଶ୍ୱର୍ଯ୍ୟ

।।

ଯେବେ ଏ ରଥ ତ୍ୟାଗ କରେ

ନିଶ୍ଚିନ୍ତେ ରହେ ମୋଦ ଭରେ

।।

ଏ ରଥେ ରିପୁ ଯେ ନ ମାରେ

ସେ କାହିଁ ଆତ୍ମ ସୁଖେ ତରେ

।।

ଯେବେ ଅଳସେ ରହେ ରଥେ

ତାହାକୁ ବେଢ଼ନ୍ତି ସମସ୍ତେ

।।

ଅସାଧ୍ୟ ଅଶ୍ୱ ଯେତେ ରଥେ

ସାରଥି ବିମାନ ସହିତେ

।।

ଦୁର୍ଗମ ମାର୍ଗେ ରଥ ନ୍ୟନ୍ତି

ଶତ୍ରୁଙ୍କ ମଧ୍ୟେ ପ୍ରବେଶନ୍ତି

।।

ସେ ଶତ୍ରୁ ଗଣ ବଳ କରି

ଅଶ୍ୱ ସାରଥି ଯୁଦ୍ଧେ ଧରି

।।

ସଂସାର କୂପ ଅନ୍ଧକାରେ

କ୍ଷେପନ୍ତି ମୃତ୍ୟୁ ଭୟଙ୍କରେ

।।

ପଡ଼େ ଅଜ୍ଞାନ ଦୁଃଖ ଘୋରେ

ମନୁଷ୍ୟ ଜନ୍ମ ହୁଏ ଦୂରେ

।।

ପ୍ରବୃତ୍ତି ନିବୃତ୍ତି ଯେ ଧର୍ମ

ସଂସାରେ ବଇଦିକ କର୍ମ

।।

ପ୍ରବୃତ୍ତି ପଥେ ସଞ୍ଚରନ୍ତି

ନିବୃତ୍ତି ଅମୃତ ଭୁଞ୍ଜନ୍ତି

।।

ଯେ ଦ୍ରବ୍ୟମୟ ଯଜ୍ଞ କାମ

ଶାନ୍ତି କ ଅଗ୍ନିହୋତ୍ର ନାମ

।।

ପୂର୍ଣ୍ଣମୀ ଅମାବାସ୍ୟା ଆଦି

ପଶୁଏ ଚାତୁର୍ମାସ୍ୟବାଦି

।।

ହୁତ ପ୍ରହୁତ ଆଦି ଯେତେ

ପ୍ରବୃତି ଇଷ୍ଟ ପଥ ଏତେ

।।

କୂପ ପ୍ରସାଦ ଯେ ଭବନ

ଏ ଆଦି ପୂର୍ବର ଲକ୍ଷଣ

।।

ବିପାକେ ଦ୍ରବ୍ୟ ସୂକ୍ଷ୍ମ ଯେତେ

ଧୂମ ରଜନୀ ଅସାକ୍ଷାତେ

।।

ଦକ୍ଷିଣାୟନ ସୋମ ବୁଧ

ପରଶ ଔଷଧି ବିରୁଦ୍ଧ

।।

ସେ ମନ୍ୱନ୍ତର ଅସମ୍ଭବ

ଏ ପିତୃ ଦାନ ପୁଣ୍ୟଭାବ

।।

ଦେବଙ୍କ ରାତ୍ରି ଏ ବୋଲାଇ

ଶୁଣ ଦିବସ ଏବେ କହି

।।

ଏ ଅନୁରୂପେ ଏକେ ଏକେ

ଭବେ ଭ୍ରମନ୍ତି ଜୀବଲୋକେ

।।

ପ୍ରବୃତ୍ତି ମାର୍ଗ ଏ ପ୍ରମାଣ

ଏବେ ହୋ ଧର୍ମ ସୁତ ଶୁଣ

।।

ସମ୍ଭବୁଁ ମରଣ ପର୍ଯ୍ୟନ୍ତେ

ବିପ୍ର ସଂସାରେ ବେଦ ମତେ

।।

ସେ ବିପ୍ର ଜ୍ଞାନୀ ଯେବେ ହୁଏ

ଯଜ୍ଞ କରଇ ନିଜ ଦେହେ

।।

ଇନ୍ଧନ ଇନ୍ଦ୍ରି ଅର୍ଥେ କଳ୍ପେ

ହୋମ କରଇ ଜ୍ଞାନ ଦୀପେ

।।

ମନେ କରିବ ଇନ୍ଦ୍ରିଲୀନ

ବଚନେ ସଂହରିବ ମନ

।।

ବଚନ ସ୍ୱରେ ଲୀନ କରି

ସ୍ୱରକୁ ଓଁକାରେ ସଂହରି

।।

ଓଁକାର ବିନ୍ଦୁନାଦେ ଯାଇ

ସେହି ବିନ୍ଦୁକୁ ଯୋଗେ ଥୋଇ

।।

ଜ୍ଞାନୀର ଅଟେ ଏ ଲକ୍ଷଣ

ଯେ ପଥେ ଯିବ ତାହା ଶୁଣ

।।

ଅଗ୍ନି ଆଦିତ୍ୟ ପ୍ରାତଃ କାଳେ

ପୂର୍ଣ୍ଣମୀ ପକ୍ଷ ଯେ ଶୁକଳେ

।।

ଯେ ସ୍ୱର୍ଗ ମାର୍ଗ ଅନୁମାନ

ଉତ୍ତରାୟଣ ଏହା ନାମ

।।

ବିଶ୍ୱ ତେଜସ ସାଧୁ ଲୟେ

ତୁରୀୟ ଦୀପ୍ତେ ଆତ୍ମା ମୟେ

।।

ଏ ଦେବ ପଥ ମନେ ଚିନ୍ତି

ଏ ମାର୍ଗେ ଭୋଗ ନ ମିଳନ୍ତି

।।

ଯେ ଆତ୍ମା ଉପଶନ୍ତ ଜନେ

ନିତ୍ୟେ ରହନ୍ତି ଆତ୍ମା ଧ୍ୟାନେ

।।

ସେ ନ ଡରନ୍ତି ନରଲୋକେ

ନିଶ୍ଚିନ୍ତେ ଥାନ୍ତି ଆତ୍ମା ସୁଖେ

।।

ଏ ପିତୃ ଦେବ ଜାନ ପଥେ

ଯେ ଜନ ଯାନ୍ତି ବେଦ ମତେ

।।

ପରମ ବ୍ରହ୍ମ ସେ ଲଭନ୍ତି

ଜ୍ଞାନୀ ରହନ୍ତି ଏହା ଚିନ୍ତି

।।

ଆଦି ଅନ୍ତରେ ପ୍ରାଣୀଙ୍କର

ଯେ ବ୍ୟାପି ବାହ୍ୟ ଅଭ୍ୟନ୍ତର

।।

ପର ଅପର ତାର ଦେହେ

ସ୍ୱଭାବେ ଜ୍ଞାନ ଅର୍ଥ ହୁଏ

।।

ବଚନ ଦୀପ ତମ ଜ୍ୟୋତି

ଦୃଶ୍ୟ ଅଦୃଶ୍ୟ ତାର ଗତି

।।

ଯେ ତାକୁ ଯେମନ୍ତେ ଚିହ୍ନନ୍ତି

ଅଭ୍ୟାସ ମାତ୍ରେ ସେ ଦେଖନ୍ତି

।।

ଭାବ ପ୍ରମାଣେ ବଶ ହୁଏ

ଦର୍ପଣେ ପ୍ରତିବିମ୍ବ ପ୍ରାୟେ

।।

ଧଇର୍ଯ୍ୟ ନୁହେଁ କଦାଚିତେ

ଏ ଭାବ ଘଟିବ କେମନ୍ତେ

।।

ଏଣୁ ନିଶ୍ଚଳ ବୃତ୍ତି ଚିତ୍ତେ

ଯେ ତାକୁ ଚିତ୍ତେ ଅବିରତେ

।।

ଏ ଭୂମି ଆଦି ପଞ୍ଚଭୂତେ

ସେ ରହେ ବାହ୍ୟ ଅନ୍ତର୍ଗତେ

।।

ତାହା ନ ପାଇ ଏକେ ଏକେ

ସେ ତାରତମ୍ୟ ଅତି ରେକେ

।।

ବନ ସମୂହ ଲତା ଯେହ୍ନେ

ଜାଣିଲେ ନିଜ କର୍ମ ତେହ୍ନେ

।।

ବିଚାରେ ରହେ ଏକ ମୂଳେ

ଅନ୍ୟତ୍ର ନ ଲାଗେ ନିଶ୍ଚଳେ

।।

ତାହାର ଆଦ୍ୟାନ୍ତ ନ ଜାଣି

ଏହି ପ୍ରକାରେ ଭ୍ରମେ ପ୍ରାଣୀ

।।

ସ୍ୱପ୍ନେ ଜାଗ୍ରତ ନିଦ୍ରାଗତେ

ବିଧି ନିଷେଧ ସେହି ମତେ

।।

ଶରୀର ବହି ଏ ଜଗତେ

ଯେ କର୍ମ କରେ ବେଦମତେ

।।

ହରି ବିଷୟେ ସମର୍ପିଲେ

ଏ ବିଷ୍ଣୁମାୟା ତରେ ଭଲେ

।।

ଶରୀର ଦାରା ପୁତ୍ରେ ଆଦି

ଅନ୍ୟ ବାନ୍ଧବେ ସେ ସମ୍ପାଦି

।।

ଏହାଙ୍କ ଅର୍ଥେ ଆତ୍ମା ଦୁଃଖୀ

ସେ କାହିଁ ଭବ ମଧ୍ୟ ସୁଖୀ

।।

ଏ ଆଦି ବେଦ ବାକ୍ୟ ଯେତେ

ଗୃହେ ନ ସାଧେ ଅବିରତେ

।।

କୃଷ୍ଣେ ନ କଲେ ସମର୍ପଣ

ତାର ଜୀବନ ଅକାରଣ

।।

ଦେଖତୁ ଗୃହ ମଧ୍ୟ ଥାଇ

ସଙ୍ଗତେ ଘେନି ଚାରି ଭାଇ

।।

ରାଜ୍ୟବିହୀନେ ବନ ଦେଶେ

ଯେତେ ଭ୍ରମିଲୁ ବନବାସେ

।।

ଯାର ଚରଣେ ଆଶ୍ରେ କରି

ଘୋର ସଙ୍କଟୁ ତୁ ନିସ୍ତରି

।।

ଏବେ ତୋହର ଦେଖ ଭାଗ୍ୟ

କଲୁ ରାଜୁସି ମହାଯଜ୍ଞ

।।

ଲଭିଲୁ ପରମ କାରଣ

ତୋତେ ସୁଲଭ ନାରାୟଣ

।।

ମୁହିଁ ଯେ ପୂର୍ବେ ଦେହ ବହି

କୃଷ୍ଣ ମାୟାରେ ଭ୍ରମେ ହୋଇ

।।

ପୂର୍ବ କଳ୍ପର ନାମ ଗୁଣ

ଗନ୍ଧର୍ବ ଉପ ବହରଣ

।।

ସେ କଳ୍ପ ଅନ୍ତେ ଦେହ ବହି

ଗନ୍ଧର୍ବ ଗଣ ମଧ୍ୟ ଥାଇ

।।

ସ୍ୱଭାବେ ରୂପ ଗୁଣ ମୋର

ଅତି ସୁନ୍ଦର ମନୋହର

।।

ଗନ୍ଧର୍ବ ନାରାୟଣ ମଧ୍ୟେ

ଉନ୍ମତ୍ତ ରୂପେ ମୁଁ ଆନନ୍ଦେ

।।

ଯୁବତୀ ଗଣେ ପ୍ରିୟତମ

ଏମନ୍ତେ ଗଲା କେତେଦିନ

।।

ଏକ ଦିବସେ ଦେବଗଣେ

ସମସ୍ତେ ମିଳି ପୁଷ୍ପ ବନେ

।।

ବ୍ରହ୍ମା ଶଙ୍କର ଆଦି ବସି

ହରି ଗାୟନ ରସେ ରସି

।।

ଗନ୍ଧର୍ବ ଗଣେ ଶୁଣାଇଲେ

ମୁହିଁ ଯେ ଥିଲି ତାଙ୍କ ତୁଲେ

।।

ଯୁବତୀ ଜନ ମଧ୍ୟ ଥାଇ

ଆନନ୍ଦ ବୀଣା ବାଦ୍ୟ ବାଇ

।।

ଆବୃତ୍ତ ଅପସରା ବୃନ୍ଧେ

ହସ୍ତ ନିବେଶି ତାଙ୍କ କନ୍ଧେ

।।

ନୃତ୍ୟ ମୁଁ କଲି ନାନା ମତେ

ଦେଖିଣ ବ୍ରହ୍ମା କୋପ ଚିତ୍ତେ

।।

ଦେବହେଳନ କାର୍ଯ୍ୟ ଦେଖି

କୋପେ ଅରୁଣ କଲେ ଆଖି

।।

ବ୍ରହ୍ମାଙ୍କ ଶାପ କୋପାନଳେ

ପଡ଼ିଲି ଅବନୀ ମଣ୍ଡଳେ

।।

ଲଭିଲି ଦାସୀ ଗର୍ଭେ ଜନ୍ମ

ଯେଣୁ ମୋ ଥିଲା ଶୁଭ କର୍ମ

।।

ତେଣୁ ମୁଁ ସେବି ବିପ୍ର ପାଦ

ତରିଲି ଦୁର୍ଗମ ପ୍ରମାଦ

।।

ବିପ୍ର ଚରର ସେବା ଫଳେ

ପୁଣି ଜନ୍ମିଲି ବିପ୍ର କୁଳେ

।।

ତୋର ଅଗ୍ରତେ ଗୃହୀ ଧର୍ମ

କହିଲି ଯଥାବିଧି କର୍ମ

।।

ଏହା ଶୁଣନ୍ତେ ପାପ ହରେ

ଯେ ଗୃହାଧର୍ମେ ଥାଇ ତରେ

।।

ତୁ ବଡ଼ ଲୋକ ଭାଗ୍ୟବନ୍ତ

ତେଣୁ ତୋ ବାନ୍ଧବ ଅନନ୍ତ

।।

ତୋହରି ଗୃହେ ନରହରି

ବସଇ ନରରୂପ ଧରି

।।

ସେ ହରି ବ୍ରହ୍ମ ନିରଞ୍ଜନ

ଧ୍ୟାନେ ନ ପାନ୍ତି ମୁନିଜନ

।।

କେବଳ ସୁଖ ଅନୁଭୂତି

ପରମ ସୁଖେ ତାର ସ୍ଥିତି

।।

ତୋହର ପ୍ରିୟ ଭଗବାନ

ସ୍ୱଭାବେ ମାତୁଳ ନନ୍ଦନ

।।

ଜଗତ ଆତ୍ମା ମହାଗୁରୁ

କେବା ମହିମା ବର୍ଣ୍ଣିପାରୁ

।।

ବ୍ରହ୍ମା ଶଙ୍କର ଆଦି ଦେବେ

ତାର ମହିମା ନ ଜାଣିବେ

।।

ମଉନ ବ୍ରତ ତପ ଆଦି

ନିଶ୍ଚଳ ଧାରଣା ସମାଧି

।।

ନିର୍ମଳ ଭକ୍ତି ହୁଏ ଯେବେ

ନିର୍ବାଣ ମୁକ୍ତି ତାର ଭାବେ

।।

ସାତ୍ତ୍ୱିକ ଜନଙ୍କର ଗତି

ସେ ହରି ହେଉ ଆମ୍ଭ ପ୍ରୀତି

।।

 

 

ଶ୍ରୀ ଶୁକ ଉବାଚ

ଏମନ୍ତେ ଦେବ ଋଷି ବାକ୍ୟେ

ପଞ୍ଚ ପାଣ୍ଡବ ଏକେ ଏକେ

।।

କୃଷ୍ଣ ଚରଣେ ପୂଜା କଲେ

ନାରଦ ପାଶେ ପ୍ରଣମିଲେ

।।

ନାରଦ ଉଠି ତତକ୍ଷଣ

ନମିଲେ କୃଷ୍ଣର ଚରଣ

।।

ସେ କୃଷ୍ଣ କରି ଅନୁମାନ

ମୁନି ହୋଇଲେ ଅନ୍ତର୍ଦ୍ଧାନ

।।

ଏମନ୍ତ ଦକ୍ଷ କନ୍ୟା ଗର୍ଭେ

ଯେତେ ଉପୁଜିଲେ ଦାନବେ

।।

ଦେବ ଦାନବ ଆଦି ଯେତେ

ସର୍ବ କହିଲୁ ତୋ ଅଗ୍ରତେ

।।

ନୃସିଂହ ଚରିତ ଅମୃତ

ଶୁଣନ୍ତେ ନାଶଇ ଦୁରିତ

।।

ସପ୍ତମ ସ୍କନ୍ଧେ ଯାହା କହି

ଶୁଣନ୍ତେ ପାପ ଭୟ ନାହିଁ

।।

ଏ ଦାସ ଜଗନ୍ନାଥ ବାଣୀ

ଶୁଣି ସଂସାରୁ ତରେ ପ୍ରାଣୀ

।।

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ବୈୟାସିକ୍ୟାଂ ସପ୍ତମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେ

ବର୍ଣ୍ଣାଶ୍ରମ ଧର୍ମ କଥନେ ପଞ୍ଚଦଶୋଽଧ୍ୟାୟଃ ।

 

ଭୀମସ୍ୟାପି ରଣେ ଭଙ୍ଗୋ ମୁନେରପି ମତିଭ୍ରମଃ ।

ଯଦି ଶୁଦ୍ଧମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ।।

ସପ୍ତମସ୍କନ୍ଧ ସମାପ୍ତ